Categories
ବିଶେଷ ଖବର

ଅପରାଜିତାଙ୍କୁ କଡ଼ା ଜବାବ ଦେଲେ ସୁଲତା: ଆମ ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ା ନାହିଁ

ଭୁବନେଶ୍ଵର: ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି ବୋଲି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ। ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କହନ୍ତି। ଆଜି ଅପରାଜିତାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ।

ଏକ ପ୍ରେସ ବିବୃତିରେ ଶ୍ରୀମତୀ ଦେଓ କହିଛନ୍ତି ଯେ, ଅପରାଜିତା ମାଡାମ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ବର୍ଷ କାମ କରିଛନ୍ତି। ତେଣୁ ସେ ନିଶ୍ଚୟ ଭଲ ଭାବରେ ଅନୁଭବ କରିଥିବେ ଯେ, ୨୩ ବର୍ଷ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଏବଂ ଆଜି ଓଡ଼ିଶା କେଉଁଠି ପହଞ୍ଚିଛି। କିନ୍ତୁ ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟବାଧକତାରେ ସେ ଏପରି କହୁଛନ୍ତି।

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ଵାସ କରନ୍ତି। ତେଣୁ ସେ କଥା କମ୍ କାମ ବେଶି କରନ୍ତି। ଯାହାର ଫଳ ସ୍ୱରୂପ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି। ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ, ଆମର ବ୍ରାଣ୍ଡିଂ ଲୋଡ଼ା ନାହିଁ।

ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ଚାଉଳରେ ବଳକା ରାଜ୍ୟ ହୋଇପାରିଛି। ସରକାର କୃଷି ଓ ଜଳସେଚନ ଉପରେ ଅଧିକ ଗୁରୁତ୍ଵ ଦେବା ସହ କୃଷକଙ୍କ ଆୟ ବୃଦ୍ଧି କରିଛନ୍ତି। ସେହିପରି ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟର ସାଢ଼େ ୯୬ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି। ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ରାଜ୍ୟସଭା ସଂସଦୀୟ ଦଳର ନେତା ଓ ମୁଖ୍ୟ ସଚେତକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏହାର ରାଜ୍ୟସଭା ସଂସଦୀୟ ଦଳର ନେତା ଓ ମୁଖ୍ୟ ସଚେତକଙ୍କ ନାମ ଘୋଷଣା କରିଛି। ସେହି ଅନୁସାରେ ବର୍ତ୍ତମାନ ରାଜ୍ୟସଭା ସଂସଦୀୟ ଦଳର ନେତା ହୋଇଛନ୍ତି ଡ. ସସ୍ମିତ ପାତ୍ର। ସେହିପରି ମୁଖ୍ୟ ସଚେତକ ହୋଇଛନ୍ତି ପ୍ରଥମ ଥର ପାଇଁ ରାଜ୍ୟ ସଭା ସଦସ୍ୟ ହୋଇଥିବା ସୁଲତା ଦେଓ।

ଏ ନେଇ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି। ସସ୍ମିତଙ୍କର ରାଜ୍ୟସଭାକୁ ନିର୍ବାଚିତ ହେବା ଏହା ହେଉଛି ଦ୍ବିତୀୟ ଥର। ପ୍ରଥମ ଥର ସେ ନିର୍ବାଚିତ ହୋଇ ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହୋଇପାରି ଥିଲେ। ସେହିପରି ଏଥର ମଧ୍ୟ ସେ ସେହି ପ୍ୟାନେଲରେ ସ୍ଥାନ ପାଇଛନ୍ତି। ସୁଲତା ଦେଓ ପ୍ରଥମ ଥର ନିର୍ବାଚିତ ହୋଇଯାଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶପଥ ନେଲେ ସସ୍ମିତ ପାତ୍ର, ଟେବୁଲ ବାଡାଇ ଗୃହରେ କରାଗଲା ସ୍ବାଗତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ। ଗତକାଲି ତାଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଗୃହର ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି।

ସସ୍ମିତଙ୍କ ସହିତ ଓଡିଶାରୁ ଆଉ ଦୁଇଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିଲେ। ସେମାନେ ହେଲେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ। ଉଭୟ ପୂର୍ବରୁ ଶପଥ ନେଇସାରିଛନ୍ତି। ହେଲେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସସ୍ମିତ ଶପଥ ନେଇପାରି ନ ଥିଲେ। ସେ ଆଜି ଓଡିଆ ଭାଷାରେ ଏହି ଶପଥ ପାଠ କରିଛନ୍ତି।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ଆଜି ନିର୍ଦ୍ବନ୍ଦରେ ବିଜେଡିର ତିନିଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଆଜି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ଥିଲା। ହେଲେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ତାଙ୍କୁ ନିର୍ବାଚିତ ଘୋଷିତ କରାଗଲା। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର। ଏହି ତିନିଜଣଙ୍କୁ ବିଧାନସଭା ରିଟର୍ଣିଂ ଅଫିସର ନିର୍ବାଚିତ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ଅନ୍ୟତମ ପ୍ରାର୍ଥୀ ନିରଂଜନ ବିଶିଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ୬ ଜୁନ ପର୍ଯ୍ୟନ୍ତ ରହିଛି। କାରଣ ଏହା ଉପନିର୍ବାଚନ ଥିବାରୁ ଏଥିପାଇଁ ଅଲଗା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲେ ମଧ୍ୟ ୬ ତାରିଖରେ ତାଙ୍କୁ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ଘୋଷଣା କରାଯିବ।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଚାରି ବିଜେଡି ପ୍ରାର୍ଥୀ, ଆସନ୍ତାକାଲି ଯାଞ୍ଚ

ଭୁବନେଶ୍ବର: ଆଜି ବିଜେଡିର ଚାରିଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସରଙ୍କ ନିକକଟରେ ଏହି ଚାରିଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଂଜନ ବିଶି।

ଆଜି ପୂର୍ବାହ୍ନରେ ସମସ୍ତ ପ୍ରାର୍ଥୀ ବିଧାନସଭା ଆସି ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ସାଥିରେ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଥିଲେ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ବର୍ତ୍ତମାନ ଆଉ କେହି ନାମାଙ୍କନ ଦାଖଲ କରିବାକୁ ନ ଥିବାରୁ ଏହି ଚାରିଜଣଙ୍କୁ ବିଜୟୀ ଘୋଷଣା କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜନୀତିକୁ ହଲଚଲ କଲେ ବରୀ ନିର୍ବାଚନ ମଣ୍ଡଳୀର ତିନି ‘ସୁ’-ନେତ୍ରୀ

ଭୁବନେଶ୍ବର:  ଯାଜପୁରର ତିନିଜଣ ନେତ୍ରୀଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। ସେମାନଙ୍କୁ କୁହାଯାଉଛି ବରୀର ସୁ-ନେତ୍ରୀ। ରାଜ୍ୟସଭା ପାଇଁ ବରୀ ଅଞ୍ଚଳର ସୁଲତା ଦେଓ ମନୋନିତ ହେବା ପରେ ଏହି ଚର୍ଚ୍ଚା ଆହୁରୀ ଜୋର ଧରିଛି। କାରଣ ପୂର୍ବରୁ ସେହି ବରୀ ଅଞ୍ଚଳର ସୁଲୋଚନା ଦାସ ଭୁବନେଶ୍ବର ମେୟର ହୋଇ ଚର୍ଚ୍ଚାରେ ଅଛନ୍ତି। ସେହିପରି ବରୀର ବିଧାୟିକା ସୁନନ୍ଦା ଦାସ ପ୍ରଥମ ଥର ବିଧାୟିକା ହୋଇ ପୂର୍ବରୁ ଚର୍ଚ୍ଚାରେ ଥିଲେ।

ଫଳରେ ବର୍ତ୍ତମାନ ବରୀର ଏହି ତିନି ନେତ୍ରୀ ସୁଲତା, ସୁଲୋଚନା ଏବଂ ସୁନନ୍ଦା ବର୍ତ୍ତମାନ ରାଜ୍ୟ ରାଜନୀତିରେ ସୁ-ନେତ୍ରୀ ଭାବେ ପରିଚିତ ହୋଇଛନ୍ତି। ସଂଯୋଗ ବସତଃ ଏହି ତିନି ନେତ୍ରୀଙ୍କ ନାମ ‘ସୁ’ ଅକ୍ଷରରୁ ଆରମ୍ଭ ହୋଇଛି। ଆଉ ସମସ୍ତେ ସେହି ବରୀ ଅଞ୍ଚଳର ନେତ୍ରୀ।

ସୁଲତା ବରୀ ଅଞ୍ଚଳର ଜଣେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସରପଞ୍ଚରୁ ଜିଲ୍ଲା ପରିଷଦ, ଜିଲ୍ଲା ସମାଜ କଲ୍ୟାଣ ବୋର୍ଡ ଏବଂ ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଠା ଅଛନ୍ତି। ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ସେ ବିଜେଡି ଦଳର ପ୍ରଥମ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ବରୀରର ଅନ୍ୟତମ ନେତ୍ରୀ ସୁଲୋଚନା ଦାସ ଯେତେବେଳେ ବିଜେଡି ମେୟର ପ୍ରାର୍ଥୀ ହେଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ଭଲ ଭୋଟ ବ୍ୟବଧାନରେ ଜିତିବା ପରେ ରାଜ୍ୟ ରାଜନୀତିରେ ତାଙ୍କର ମଧ୍ୟ ପ୍ରଭାବ ଆରମ୍ଭ ହୋଇଛି। ପୂର୍ବରୁ ସାମ୍ବାଦିକା ଥିବା ସୁଲୋଚନା କଂଗ୍ରେସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ସେହିପରି ସୁନନ୍ଦା ଦାସ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ଅଛନ୍ତି। ସେ ବରୀ ଅଞ୍ଚଳର ଜଣେ ସକ୍ରିୟ ବିଜେଡି କର୍ମୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଧାୟିକା ପୂର୍ବରୁ ସେ ବରି ବ୍ଲକର ଅଧ୍ୟକ୍ଷା ଥିଲେ। ଦେବାଶୀଷ ନାୟକଙ୍କୁ ଟିକେଟ କାଟି ବିଜେଡି ସେତେବେଳେ ସୁନନ୍ଦାଙ୍କୁ ଟିକେଟ ଦେଇଥିଲା। ପ୍ରଥମ ଥର ପାଇଁ ବିଧାନସଭାରେ ଲଢେଇ କରି ସେ ବିଜୟ ଲାଭ କରିଛନ୍ତି।

ଫଳରେ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀ ଓଡିଶା ରାଜନୀତିରେ ତିନିଜଣ ସୁ-ନେତ୍ରୀ ଦେବାରେ ସକ୍ଷମ ହୋଇପାରିଛି। ଏମାନେ ନିଜନିଜ କ୍ଷେତ୍ରରେ ବେଶ ଦବଦବା ରଖି କାର୍ଯ୍ୟ କରିବା ସହିତ ରାଜ୍ୟ ରାଜନିତୀଙ୍କୁ ବେଶ ହଲଚଲ କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀ ଭାବେ କଣ ପାଇଁ ନବୀନ ଏହି ଚାରିଜଣଙ୍କୁ ବାଛିଲେ, ଜାଣନ୍ତୁ ଭିତିରି କାରଣ

ଭୁବନେଶ୍ବର: ବହୁ ଚର୍ଚ୍ଚା ପରେ ଶେଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଚାରିଜଣଙ୍କ ନାମ ମନୋନିତ କରିଛନ୍ତି। ଏହି ଚାରିଜଣ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଞ୍ଜନ ବିଶି। ଏମାନଙ୍କ ମଧ୍ୟରୁ ସୁଲତା, ମାନସ ଏବଂ ସସ୍ମିତ ପୂର୍ଣ୍ଣକାଳୀନ ଅର୍ଥାତ ଛଅ ବର୍ଷ ପାଇଁ ରାଜ୍ୟସଭାକୁ ମନୋନିତ ହୋଇ ଯିବେ।

ହେଲେ ଶେଷ ପ୍ରାର୍ଥୀ ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି ସେ ହେଉଛନ୍ତି ନିରଞ୍ଜନ ବିଶି, ସ୍ବଳ୍ପ କାଳୀନ ଅବଧୀ ପାଇଁ ରାଜ୍ୟସଭା ଯିବେ। ରାଜ୍ୟ ରାଜନୀତିରେ ସୁଲତା, ମାନସ ଏବଂ ସସ୍ମିତଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା। ଏହିତିନି ଜଣ ରାଜ୍ୟସଭାକୁ ନିଶ୍ଚିତ ଯିବେ ବୋଲି ଆନୁମାନ କରାଯାଉଥିଲା। ଯାହା ପରବର୍ତ୍ତି ସମୟରେ ସତ ହୋଇଛି।

ତେବେ ନବୀନ ଏହି ଚାରିଜଣଙ୍କୁ ବାଛିବାରେ ଏକ ମୁଖ୍ୟ କାରଣ ରହିଛି। ତାହା ହେଲା ସେ ସବୁ ବର୍ଗକୁ ପ୍ରାଧାନ୍ୟ ଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ପ୍ରଥମ ପ୍ରାର୍ଥୀ ସୁଲତା ଦେଓ ହେଉଛନ୍ତି ମହିଳା, ମାନସ ହେଉଛନ୍ତି ଓବିସି, ସସ୍ମତି ହେଉଛନ୍ତି ସଂଖ୍ୟାଲଘୁ ଆଉ ନିରଞ୍ଜନ ହେଉଛନ୍ତି ଆଦିବାସୀ।

ଏହି ଚାରି ବର୍ଗକୁ ଧ୍ୟାନରେ ରଖି ନବୀନ ଏହି ନିଷ୍ପତି ଗ୍ରହଣ କରିଥିବାର ସ୍ପଷ୍ଟ ହୋଇଛି। ଫଳରେ ବିରୋଧୀଙ୍କର ମୁହଁ ଚୁପ ହୋଇଯାଇଛି। ସେମାନେ ଯେଉଁ ଅଭିଯୋଗ କରିଥାଆନ୍ତେ ନବୀନ ମହିଳା, ଓବିସି, ସଂଖ୍ୟାଲଘୁ କିମ୍ବା ଆଦିବାସୀଙ୍କୁ ଗୁରୁତ୍ବ ଦେଉ ନାହାଁନ୍ତି, ତାହା ଆଉ କହିପାରିବେ ନାହିଁ।

ସୁଲତା ଦେଓ ବିଜେଡିର ଜଣେ ଆଗଧାଡି ନେତ୍ରୀ। ଦୀର୍ଘ ବର୍ଷ ଧରି ସେ ଏହି ଦଳରେ ଅଛନ୍ତି। ହେଲେ ତାଙ୍କୁ କୌଣସି ପଦପଦବୀ ଦିଆଯାଇ ନ ଥିଲା। ସମାଜ କଲ୍ୟାଣ ବୋର୍ଡ, ବିଜେଡି ପ୍ରବକ୍ତା ଏବଂ ପରବର୍ତ୍ତି ସମୟରେ ତାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଠା କରାଯାଇଛି। ହେଲେ ତାହାର କୌଣସି ମାନେ ନ ଥିଲେ ମଧ୍ୟ ସୁଲତା ସୁଚାରୁ ରୂପେ ଏହି କାର୍ଯ୍ୟ କରିଛନ୍ତି। ଫଳରେ ନବୀନ ଶେଷରେ ତାଙ୍କୁ ରାଜ୍ୟସଭା ପଠାଇବାକୁ ଉଚିତ ମନେ କଲେ।

ସେହିପରି ମାନସ ମଙ୍ଗରାଜ ମଧ୍ୟ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୁପରିଚାଳନା କରିବା କାର୍ଯ୍ୟ ସେ ଦକ୍ଷତାର ସହ କରିଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏହା ଦ୍ବାରା ସେ ବିଜେଡିର ଭାବମୂର୍ତ୍ତିକୁ ଗଣମାଧ୍ୟମରେ ଠିକ ଭାବେ ରଖିବା କାର୍ଯ୍ୟ ମଧ୍ୟ କରି ଦେଖାଇଛନ୍ତି।

ଅନ୍ୟତମ ପ୍ରାର୍ଥୀ ସସ୍ମିତ ପାତ୍ର ରାଜ୍ୟସଭାରେ ଯେତିକି ଦିନ ଥିଲେ ସେଥିରେ ସେ କେବଳ ବିଜେଡି କାହିଁକି ରାଜ୍ୟର ଟେକ ରଖିବାରେ ସକ୍ଷମ ହୋଇପାରିଥିଲେ। ତାଙ୍କର ବିଚକ୍ଷଣ ବୁଦ୍ଧି ସହିତ ଜାତୀୟ ତଥା ଆନ୍ତର୍ଜାତୀୟ ରାଜନୀତିରେ ସେ ବେଶ ପାରଂଗମ। ପ୍ରଥମ ଥର ନିର୍ବାଚନ ହୋଇ ମଧ୍ୟ ସେ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ପାଇଁ ମନୋନିତ ହେବା ନିଶ୍ଚିତ ଗର୍ବ ଓ ଗୌରବର କଥା। ସେ ପୁଣିଥରେ ରାଜ୍ୟସଭାକୁ ଯିବାର ଆବଶ୍ୟକତା ଥିଲା ଯାହା ନବୀନ କରି ଦେଖାଇଛନ୍ତି।

ତେବେ ସବୁ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ବିଶି ହେଇଛନ୍ତି ଜଣେ ସପ୍ରାଇଜ ପ୍ରାର୍ଥୀ। କାରଣ ତାଙ୍କ ନାମ କେବେ ବି ଚର୍ଚ୍ଚାରେ ନ ଥିଲା। ନିରଂଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ ସଂଗଠନ ରହିଛି। ସେ ମଧ୍ୟ ଓଡିଶା ଆଦିବାସୀ ସଂଗଠନର ମହାସଚିବ ଅଛନ୍ତି। ଦଳକୁ ପଶ୍ଚିମ ଓଡିଶାରେ ସୁଦୃଢ କରିବା ପାଇଁ ତାଙ୍କୁ ନବୀନ ମନୋନିତ କରିଛନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ନବୀନଙ୍କ ରାଜ୍ୟସଭା ପାଇଁ ସପ୍ରାଇଜ ପ୍ରାର୍ଥୀ ଏହି ନିରଞ୍ଜନ ବିଶି କିଏ ସେ ?

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖାଲିଥିବା ଚାରୋଟି ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର ଅଛନ୍ତି। ଏହି ତିନିଜଣ ପୂର୍ଣ୍ଣ ସମୟ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବେ।

ତେବେ ସ୍ବଳ୍ପକାଳୀନ ଅର୍ଥାତ ସୁବାସ ସିଂଙ୍କ ସ୍ଥାନରେ ନବୀନ ଯାହାକୁ ବାଛିଛନ୍ତି ସେ ହେଉଛନ୍ତି ନିରଂଜନ ବିଶି। ଏହି ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ହେଉଛି। କାରଣ ଏହି ନେତା କେବେ ବି କୌଣସି ପ୍ରସଂଗରେ ଚର୍ଚ୍ଚାରେ ନ ଥିଲେ। ଏପରିକି ସେ ଜଣେ ବିଜେଡି ନେତା ତାହା ମଧ୍ୟ ରାଜ୍ୟବାସୀଙ୍କୁ ଜଣା ନ ଥିଲା।

ହେଲେ ହଠାତ ନବୀନ ତାଙ୍କ ନାମ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଆସନ୍ତୁ ଜାଣିବା ଏହି ନେତା କିଏ ସେ ଏବଂ କେଉଁଠାରେ ରାଜନୀତି କରନ୍ତି। ନିରଂଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ ସଂଗଠନ ରହିଛି। ସେ ମଧ୍ୟ ଓଡିଶା ଆଦିବାସୀ ସଂଗଠନର ମହାସଚିବ ଅଛନ୍ତି।

ସେ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ। ଏଥିପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ରହିଥିଲା। ମୁଖ୍ୟତଃ ବଲାଙ୍ଗୀର ତଥା ପଶ୍ଚିମ ଓଡିଶାରେ ଆଦିବାସୀଙ୍କୁ ସଂଗଠିତ କରିବାରେ ଏହି ନେତାଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ବର୍ତ୍ତମାନ ବିଜେଡିର ପଶ୍ଚିମ ଓଡିଶାରେ ସଂଗଠନକୁ ସୁଦୃଢ କରିବା ପାଇଁ ତାଙ୍କୁ ଏହି ପଦବୀ ପ୍ରଦାନ କରିଛି।

ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ରହିଛି ପ୍ରଚ୍ଛନ୍ନ ହାତ। ସେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିଛନ୍ତି। ଏ କଥାକୁ ମଧ୍ୟ ନିରଂଜନ ବିଶି ନିଜେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ସୁଶାନ୍ତ ସିଂ ତାଙ୍କ ନାମକୁ ସୁପାରିଶ କରିଥିଲେ। ଫଳରେ ନବୀନ ତାଙ୍କ ନାମକୁ ମନୋନିତ କରିଛନ୍ତି।

ଏହାଦ୍ବାରା ନବୀନ ଗୋଟିଏ ବାଣରେ ଦୁଇଟି ଶିକାର କରିପାରିଛନ୍ତି। ପ୍ରଥମେ ଜଣେ ଆଦିବାସୀଙ୍କୁ ରାଜ୍ୟସଭାକୁ ପଠାଇଥିବା ବେଳେ ପଶ୍ଚିମ ଓଡିଶାରେ ଦଳର ସଂଗଠନକୁ ମଧ୍ୟ ମଜୁବୁତ କରିପାରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ମେୟର ଦୌଡରେ ବିଜେଡିର ତିନି ତୁଙ୍ଗ ନେତ୍ରୀ, କାହାକୁ ଭରସା କରିବେ ସୁପ୍ରିମୋ

ଭୁବନେଶ୍ବର : ଏଥର ରାଜଧାନୀର ମାଲିକ ହେବେ ଜଣେ ମହିଳା। ଭୁବନେଶ୍ବର ମହାନଗରର ମେୟର ପଦବୀ ମହିଳା ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ ପାଇଛି। ଏହା ପ୍ରଚାର ହେବା ପରେ ବର୍ତ୍ତମାନ ବିଜେଡି କାହାକୁ ମେୟର କରିବ ସେ ନେଇ ସମସ୍ତଙ୍କର ଦୃଷ୍ଟି ନିକ୍ଷେପ ରହିଛି। କାରଣ ସମସ୍ତେ ଜାଣନ୍ତି ଯେ, ଅନ୍ୟ ଦଳର ବର୍ତ୍ତମାନ ଯାହା ସ୍ଥିତି ସେଥିରେ ସେମାନଙ୍କ ଦଳର ନେତ୍ରୀ ମେୟର ହେବେ, ତାହାର ସମ୍ଭାବନା ନାହିଁ।

ଭୁବନେଶ୍ବର ମେୟର ପଦବୀ ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ଆସିବା ପରେ ବିଜେଡି ନେତ୍ରୀଙ୍କ ପାଟିରୁ ଲାଳ ଗଡିବା ଆରମ୍ଭ ହୋଇଯାଇଛି। କାରଣ ବିଜେଡିରୁ ଯାହାକୁ ବି ମେୟର ହେବା ନେଇ ମୋହର ବାଜିଲା ସେ ନିଶ୍ଚିତ ଜିତିବ, ଏହି ସମ୍ଭାବନା ନେତ୍ରୀମାନଙ୍କର ରହିଛି। ସେହି ଅନୁସାରେ ବର୍ତ୍ତମାନ ବିଜେଡି ନେତ୍ରୀମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ଲବି ଆରମ୍ଭ କରିଦେଇଛନ୍ତି। ତେବେ ସର୍ବଶେଷ ରିପୋର୍ଟ ଅନୁସାରେ ବର୍ତ୍ତମାନ ତିନିଜଣଙ୍କ ନାମ ବେଶ୍ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ପ୍ରୀତିନନ୍ଦା ରାଉତରାୟ, ସୁଲତା ଦେଓ ଏବଂ ଶ୍ରୀମୟୀ ମିଶ୍ର।

ବିଏମସି ରାଜନୀତି ସହିତ ପ୍ରୀତିନନ୍ଦା ରାଉତରାୟ ବେଶ୍ ପରିଚିତ। କାରଣ ସେ ଆଗରୁ କରର୍ପୋରେଟର ରହି ଆସିଛନ୍ତି। ଗତ ବିଧାନସଭା ନିର୍ବାଚନରେ ସେ ଭୁବନେଶ୍ବରର ଉତ୍ତରରୁ ବିଧାୟିକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିଲା। ଅନ୍ୟପକ୍ଷରେ ସେ ହେଉଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଝିଅ। ତାଙ୍କ ଭାଇ ସମ୍ବିତ ରାଉତରାୟ ବର୍ତ୍ତମାନ ପାରାଦ୍ବୀପର ବିଜେଡି ବିଧାୟକ ଅଛନ୍ତି। ଯେହେତୁ ପ୍ରୀତିନନ୍ଦା ଉଭୟ ରାଜନୈତିକ ପରିବାରର ଏବଂ ବିଏମସି ରାଜନୀତି ସହ ଓତଃପ୍ରାତଃ ଭାବେ ଜଡିତ, ସେଥିପାଇଁ ସେ ମେୟର ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଛି।

ଅନ୍ୟପକ୍ଷରେ ସୁଲତା ଦେଓଙ୍କ ନାମ ମଧ୍ୟ ଏହି ପଦବୀ ପାଇଁ ଚର୍ଚ୍ଚାରେ ରହିଛି। କାରଣ ରାଜ୍ୟ ସ୍ତରରେ ବିଜେଡିର ଭାବ ମୂର୍ତ୍ତିକୁ ସଜାଡି ରଖିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେବା ପାଇଁ ବିଜେଡି ସୁଲତାଙ୍କୁ ହିଁ ବ୍ୟବହାର କରୁଛି। ସେଥିରେ ସଫଳତା ମଧ୍ୟ ଦଳକୁ ମିଳୁଛି। ଗତ ନିର୍ବାଚନରେ ତାଙ୍କୁ ବରିରୁ ଟିକେଟ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହେଲା ନାହିଁ। ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଠା ଅଛନ୍ତି। ସେ ଏହି ମେୟର ପଦବୀ ପାଇଁ ବେଶ୍ ଉପଯୁକ୍ତ ବୋଲି ବରିଷ୍ଠ ମହଲରେ ଚର୍ଚ୍ଚା ଚାଲିଛି।

ଶେଷରେ ଯାହାଙ୍କ ନାମ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ବଲାଙ୍ଗିର ରାଜନୀତି ସହିତ ବେଶ୍ ପରିଚିତ ଥିବା ଶ୍ରୀମୟୀ ବର୍ତ୍ତମାନ ଓଡିଶା ରାଜନୀତିରେ ବେଶ୍ ସକ୍ରିୟ ଅଛନ୍ତି। ସେ ମଧ୍ୟ ଟିଭି ବିତର୍କରେ ଭାଗ ନେଇ ଦଳର ଭାବମୂର୍ତ୍ତିକୁ ରକ୍ଷା କରିବାରେ ସହାୟତା ଦେଇ ଆସୁଛନ୍ତି।

ଏଥିସହିତ ଓଟିଡିସିର ଅଧ୍ୟକ୍ଷା ଭାବ ସେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟ କରିଛନ୍ତି। ସେଥିପାଇଁ ସେ କୁଆଡେ ବିଜେଡିର ମେୟର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କୁ କୁଆଡେ ନବୀନ ନିବାସରୁ ସବୁଜ ସଙ୍କେତ ଦିଆଯାଇଛି ବୋଲି ଆଲୋଚନା ଚାଲିଛି। ତେବେ ଏହି ତିନି ଜଣଙ୍କ ମଧ୍ୟରୁ ସୁଲତା ଓ ଶ୍ରୀମୟୀଙ୍କ ନାମ ବେଶ୍ ଆଗରେ ରହିଛି।

Categories
ଫଟୋ ଖବର

ଟେଲିଭିଜନ ଷ୍ଟାରମାନଙ୍କ ସହିତ ହୋଲି ପର୍ବ ପାଳନ କରୁଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ

ଟେଲିଭିଜନ ଷ୍ଟାରମାନଙ୍କ ସହିତ ହୋଲି ପର୍ବ ପାଳନ କରୁଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ