ଓଡିଶା ରାଜନୀତିକୁ ହଲଚଲ କଲେ ବରୀ ନିର୍ବାଚନ ମଣ୍ଡଳୀର ତିନି ‘ସୁ’-ନେତ୍ରୀ

Published: May 31, 2022, 6:20 am IST

ଭୁବନେଶ୍ବର:  ଯାଜପୁରର ତିନିଜଣ ନେତ୍ରୀଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। ସେମାନଙ୍କୁ କୁହାଯାଉଛି ବରୀର ସୁ-ନେତ୍ରୀ। ରାଜ୍ୟସଭା ପାଇଁ ବରୀ ଅଞ୍ଚଳର ସୁଲତା ଦେଓ ମନୋନିତ ହେବା ପରେ ଏହି ଚର୍ଚ୍ଚା ଆହୁରୀ ଜୋର ଧରିଛି। କାରଣ ପୂର୍ବରୁ ସେହି ବରୀ ଅଞ୍ଚଳର ସୁଲୋଚନା ଦାସ ଭୁବନେଶ୍ବର ମେୟର ହୋଇ ଚର୍ଚ୍ଚାରେ ଅଛନ୍ତି। ସେହିପରି ବରୀର ବିଧାୟିକା ସୁନନ୍ଦା ଦାସ ପ୍ରଥମ ଥର ବିଧାୟିକା ହୋଇ ପୂର୍ବରୁ ଚର୍ଚ୍ଚାରେ ଥିଲେ।

ଫଳରେ ବର୍ତ୍ତମାନ ବରୀର ଏହି ତିନି ନେତ୍ରୀ ସୁଲତା, ସୁଲୋଚନା ଏବଂ ସୁନନ୍ଦା ବର୍ତ୍ତମାନ ରାଜ୍ୟ ରାଜନୀତିରେ ସୁ-ନେତ୍ରୀ ଭାବେ ପରିଚିତ ହୋଇଛନ୍ତି। ସଂଯୋଗ ବସତଃ ଏହି ତିନି ନେତ୍ରୀଙ୍କ ନାମ ‘ସୁ’ ଅକ୍ଷରରୁ ଆରମ୍ଭ ହୋଇଛି। ଆଉ ସମସ୍ତେ ସେହି ବରୀ ଅଞ୍ଚଳର ନେତ୍ରୀ।

ସୁଲତା ବରୀ ଅଞ୍ଚଳର ଜଣେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସରପଞ୍ଚରୁ ଜିଲ୍ଲା ପରିଷଦ, ଜିଲ୍ଲା ସମାଜ କଲ୍ୟାଣ ବୋର୍ଡ ଏବଂ ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଠା ଅଛନ୍ତି। ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ସେ ବିଜେଡି ଦଳର ପ୍ରଥମ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ବରୀରର ଅନ୍ୟତମ ନେତ୍ରୀ ସୁଲୋଚନା ଦାସ ଯେତେବେଳେ ବିଜେଡି ମେୟର ପ୍ରାର୍ଥୀ ହେଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ଭଲ ଭୋଟ ବ୍ୟବଧାନରେ ଜିତିବା ପରେ ରାଜ୍ୟ ରାଜନୀତିରେ ତାଙ୍କର ମଧ୍ୟ ପ୍ରଭାବ ଆରମ୍ଭ ହୋଇଛି। ପୂର୍ବରୁ ସାମ୍ବାଦିକା ଥିବା ସୁଲୋଚନା କଂଗ୍ରେସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ସେହିପରି ସୁନନ୍ଦା ଦାସ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ଅଛନ୍ତି। ସେ ବରୀ ଅଞ୍ଚଳର ଜଣେ ସକ୍ରିୟ ବିଜେଡି କର୍ମୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଧାୟିକା ପୂର୍ବରୁ ସେ ବରି ବ୍ଲକର ଅଧ୍ୟକ୍ଷା ଥିଲେ। ଦେବାଶୀଷ ନାୟକଙ୍କୁ ଟିକେଟ କାଟି ବିଜେଡି ସେତେବେଳେ ସୁନନ୍ଦାଙ୍କୁ ଟିକେଟ ଦେଇଥିଲା। ପ୍ରଥମ ଥର ପାଇଁ ବିଧାନସଭାରେ ଲଢେଇ କରି ସେ ବିଜୟ ଲାଭ କରିଛନ୍ତି।

ଫଳରେ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀ ଓଡିଶା ରାଜନୀତିରେ ତିନିଜଣ ସୁ-ନେତ୍ରୀ ଦେବାରେ ସକ୍ଷମ ହୋଇପାରିଛି। ଏମାନେ ନିଜନିଜ କ୍ଷେତ୍ରରେ ବେଶ ଦବଦବା ରଖି କାର୍ଯ୍ୟ କରିବା ସହିତ ରାଜ୍ୟ ରାଜନିତୀଙ୍କୁ ବେଶ ହଲଚଲ କରୁଛନ୍ତି।

Related posts