Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛ ଭାରତ ମିଶନ: ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷ ଗୋଷ୍ଠୀ ଶୌଚାଳୟ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨ ଅକ୍ଟୋବର ୨୦୧୯ ସୁଦ୍ଧା ଦେଶକୁ ଖୋଲା ମଳମୁକ୍ତ (ଓଡିଏଫ) କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୧୦ କୋଟିରୁ ଅଧିକ  ବ୍ୟକ୍ତିଗତ ପାରିବାରିକ ପାଇଖାନା ନିର୍ମାଣ କରାଯାଇଥିଲା। ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ନିଜକୁ ଓଡିଏଫ ଘୋଷଣା କରିଥିଲେ । ଜିଲ୍ଲାଗୁଡ଼ିକର ଓଡିଏଫ ସ୍ଥିତିକୁ ସୁନିଶ୍ଚିତ କରି ଜିଲ୍ଲାପାଳମାନଙ୍କର ଦସ୍ତଖତ ଥିବା ପ୍ରମାଣପତ୍ର ସବୁ ଜିଲ୍ଲା ପକ୍ଷରୁ ଅପଲୋଡ୍‌ କରାଯାଇଥିଲା। ଏହାପରେ ଯୋଜନାରୁ ବାଦ୍‌ ପଡ଼ିଥିବା ପରିବାର କିମ୍ବା ନୂଆ ପରିବାରକୁ ଏହି କାର୍ଯ୍ୟକ୍ରମ ଅଧୀନରେ ପାଇଖାନା ନିର୍ମାଣ କରିବା ଲାଗି ସହାୟତା ଦେବା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ସ୍ୱଚ୍ଛତା ଏକ ରାଜ୍ୟ ବିଷୟ ଏବଂ ଶୌଚାଳୟ ନିର୍ମାଣ କରିବା, ବ୍ୟବହାରଜନିତ କାର୍ଯ୍ୟକଳାପ ଆରମ୍ଭ କରିବା ସହିତ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯୋଗାଇ ଦେବା ଏବଂ ବିଭିନ୍ନ କାର୍ଯ୍ୟକଳାପକୁ ଜାରି ରଖିବା ଆଦିର ଦାୟିତ୍ୱ ରାଜ୍ୟମାନଙ୍କ ଉପରେ ନ୍ୟସ୍ତ ରହିଛି । ଶୌଚାଳୟ ନିର୍ମାଣ କରିବା/ସୁବିଧା ଯୋଗାଇ ଦେବା ଛଡ଼ା ଏହାର ନିରନ୍ତର ବ୍ୟବହାର ଓଡିଏଫ ସ୍ଥିତି ପାଇଁ ଜରୁରି, ଏହା ଏକ ପ୍ରମୁଖ ଅଭ୍ୟାସଗତ ପ୍ରସଙ୍ଗ। ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଦ୍ୱିତୀୟ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୦ରେ ଆରମ୍ଭ ହୋଇଥିଲା। ଏଥିରେ ନିରନ୍ତର ବ୍ୟବହାର ପରିବର୍ତ୍ତନ ଅଭିଯାନ, ଓଡିଏଫ ସ୍ଥିତିକୁ ବଜାୟ ରଖିବା, କେହି ଜଣେ ଯେପରି ପଛରେ ପଡ଼ି ନଯାଆନ୍ତି ତାହା ସୁନିଶ୍ଚିତ କରିବା ଏବଂ ଗ୍ରାମାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯୋଗାଇ ଦେବା, ବାକି ରହିଯାଇଥିଲା, ନୂଆ କରି ଗଠନ ହୋଇଥିବା ପରିବାର ପାଇଁ ପାଇଖାନା ନିର୍ମାଣ କରିବାକୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରୟାସ ଜାରି ରହିଲା ।

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)ରେ ମୁଖ୍ୟତଃ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇଛି ଏବଂ ଏଥିରେ ୧୩୧ଟି ସୂଚକାଙ୍କକୁ ସାମିଲ କରାଯାଏ। ପରିମଳ ହେଉଛି ଏହାର ଏକ ଛୋଟ ଅଂଶ, ଯାହା ଘରର ସମ୍ପତ୍ତିର ଅଂଶ ଭାବରେ ଧରାଯାଇଥାଏ। ଏପରି ପରିମଳ ମାପଦଣ୍ଡରେ ଏନଏଫଏଚଏସ ଐତିହାସିକ ଭାବେ ଉନ୍ନତ ଶୌଚାଳୟ ବ୍ୟବହାର ଉପରେ ଜୋର ଦେଇ ଆସିଛି । ଏନଏଫଏଚଏସ ପର୍ଯ୍ୟାୟ ପାଞ୍ଚରେ ପାନୀୟ ଜଳ ଓ ପରିମଳ ବିଭାଗର ପରାମର୍ଶକ୍ରମେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୌଚାଳୟ ବ୍ୟବହାରକୁ ଏଥିରେ ସାମିଲ କରିଛି ।

ଏନଏଫଏଚଏସର ଅନୁସନ୍ଧାନକୁ ଆଧାର କରି ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଥିଲା ଏବଂ ସେମାନଙ୍କ ସ୍ତରରେ ପରିମଳ ସ୍ଥିତି ଆକଳନ କରିବାକୁ କୁହାଯାଇଥିଲା। ନମୁନା ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ଦ୍ରୁତ ଆକଳନ ଏନଏଫଏଚଏସ-୫ର ତଥ୍ୟ ସହିତ ମେଳ ଖାଉ ନାହିଁ । କିଛି ରାଜ୍ୟରେ ଅଧିକ ତାରତମ୍ୟ ଦେଖିବାକୁ ମିଳିଛି ।

 

ରାଜ୍ୟ ଏନଏଫଏଚଏସ-୫ ଅନୁଯାୟୀ ଗ୍ରାମ୍ୟ ସ୍ୱଚ୍ଛତାର ପ୍ରତିଶତ ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ଦ୍ରୁତ ଆକଳନ ଅନୁଯାୟୀ ଗ୍ରାମ୍ୟ ସ୍ୱଚ୍ଛତାର ପ୍ରତିଶତ
ମଧ୍ୟପ୍ରଦେଶ 69.8 97.5
ଓଡ଼ିଶା 68.9 93.4
ତେଲଙ୍ଗାନା 83.1 99.9
ଉତ୍ତର ପ୍ରଦେଶ 72.7 93.0

 

ଅକ୍ଟୋବର ୨୦୧୪ ପରଠାରୁ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । କେହି ଜଣେ ଯେପରି ଶୌଚାଳୟ ସୁବିଧା ଠାରୁ ବଞ୍ଚିତ ନରୁହନ୍ତି ତାହା ସୁନିଶ୍ଚିତ କରିବା ଲାଗି ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୦୨୦ ପରଠାରୁ ୯୨ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି ।

ବିଭାଗ ପକ୍ଷରୁ ନିରପେକ୍ଷ ସଂସ୍ଥାଗୁଡ଼ିକ ଦ୍ୱାରା ସର୍ବେକ୍ଷଣ କରାଯାଇ ଦେଶବ୍ୟାପୀ ସ୍ୱଚ୍ଛତା ସ୍ଥିତି ସମ୍ପର୍କରେ ମତାମତ ସଂଗ୍ରହ କରାଯାଉଛି । ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୨୨ ଅଧୀନରେ ଦେଶର ୩୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୭୦୯ଟି ଜିଲ୍ଲା ୧୭,୫୫୯ ଗ୍ରାମରେ ସର୍ଭେ କରାଯାଇଥିଲା। ଏହି ସର୍ବେକ୍ଷଣରେ ସାମିଲ ହୋଇଥିବା ଦେଶର ୯୫.୪% ପରିବାର ନିକଟରେ ଶୌଚାଳୟ ସୁବିଧା ରହିଛି ଏବଂ ୯୫.୪% ଲୋକ ନିୟମିତ ଶୌଚାଳୟ ବ୍ୟବହାର କରୁଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ: ଏକ ଗୋଲାମୀ ଓ ଅପରିଚ୍ଛନ୍ନତା ମୁକ୍ତି

ଲେଖା- ସୁଶ୍ରୀ ବିନି ମହାଜନ, ସଚିବ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏବଂ ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏକ ଜନ ଆନ୍ଦୋଳନର ରୂପ ନେଇ ଏହି ବିରାଟ ଦେଶ ଭାରତର କୋଣ ଅନୁକୋଣରେ ପହଞ୍ଚିପାରିଛି । ଏହା କେବଳ ଲୋକଙ୍କ ଅଭ୍ୟାସ ଓ ଆଚରଣ ପରିବର୍ତ୍ତନ କରିନାହିଁ, ଘରେ ଘରେ ଏକ ପରିଚିତ ନାମ ପାଲଟିଛି । ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ, ଏହି ସ୍ୱଚ୍ଛ ଭାରତ ମିଶନକୁ ଆଉ କେହି ନୁହେଁ ସ୍ୱୟଂ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି ।

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏଯାବତ ଯେଉଁ ସଫଳତା ଅର୍ଜନ କରିଛି ତା’ ପଛରେ ରାଜ୍ୟ, ଜିଲ୍ଳା ପ୍ରଶାସନ, ବିକାଶମୂଳକ ଅଂଶୀଦାର, ଏନ୍‌ଜିଓ, ପଞ୍ଚାୟତ ନେତା ଓ ବିଭିନ୍ନ ଗୋଷ୍ଠୀ ତଥା ସମୁଦାୟଙ୍କର ଅବଦାନ ପ୍ରମୁଖ ଭାବେ ରହିଛି । ଭାରତକୁ ସ୍ୱଚ୍ଛ ଓ ସୁସ୍ଥ କରିବାର ଆଗ୍ରହ ତଥା ଉତ୍ସାହ ଏହି ସଫଳତାକୁ ବିଶେଷ ପ୍ରଭାବିତ କରିଛି ।

ଦକ୍ଷିଣ ଆଫ୍ରିକାର ପ୍ରଖ୍ୟାତ ବର୍ଣ୍ଣ ବୈଷମ୍ୟ ବିରୋଧୀ ନେତା ତଥା ଆଧୁନିକ ଦକ୍ଷିଣ ଆଫ୍ରିକାର ଜାତିର ଜନକ ଡକ୍ଟର ନେଲସନ୍ ମଣ୍ଡେଲା ଥରେ କହିଥିଲେ, “ମହିଳାମାନେ ଯେପର‌୍ୟ୍ୟନ୍ତ ସମସ୍ତ ପ୍ରକାର ଅତ୍ୟାଚାରରୁ ମୁକ୍ତ ନ ହୋଇଛନ୍ତି ସେ ପର‌୍ୟ୍ୟନ୍ତ ସ୍ୱାଧୀନତା ହାସଲ କରାଯାଇପାରିବ ନାହିଁ ।” ଏହି ଉକ୍ତି ସହିତ ଦ୍ୱିମତ ହେବାର ଅବକାଶ ନାହିଁ । ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗରେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରିବା ପରେ ଏବେ ମୁଁ ଦେଶର ଦୁଇଟି ଧ୍ୱଜାଧାରୀ କାର‌୍ୟ୍ୟକ୍ରମ ସହିତ ସମ୍ପୃକ୍ତ । ଏହି ଦୁଇ କାର‌୍ୟ୍ୟକ୍ରମ ମହିଳାମାନଙ୍କୁ ଅସରନ୍ତୀ ଗୋଲାମୀ, କଠିନ ପରିଶ୍ରମ ଓ ବ୍ୟାଧିରୁ ମୁକ୍ତ କରି ସଶକ୍ତ କରୁଛି ।

ଏହି ଗଣତନ୍ତ୍ର ଦିବସରେ ଅସ୍ୱାସ୍ଥ୍ୟକର ଓ ଅସ୍ୱଚ୍ଛ ପରମ୍ପରା ଏବଂ ସ୍ଥିତିରୁ ମୁକ୍ତ ହେବା ପ୍ରାସଙ୍ଗିକ ମନେ ହୁଏ । ଏଥି ପାଇଁ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ କାର‌୍ୟ୍ୟ କରୁଛି । ଏହି ଅଭିଯାନ ସମାଜର ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ସ୍ୱଚ୍ଛତାର ସୁଯୋଗ ଆଣି ଦେଇଛି ଏବଂ ସେମାନେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ଅଭିଯାନର ଗରିବ ଏବଂ ମହିଳା ସପକ୍ଷବାଦୀ ନୀତି ଫଳରେ ମହିଳାମାନେ ଅନେକ କଷଣ ଓ ଜଞ୍ଜାଳରୁ ମୁକ୍ତ ହୋଇଛନ୍ତି । ସେମାନଙ୍କୁ ଶୌଚ ହେବାକୁ ଯିବା ପାଇଁ ଆଉ ରାତିର ଅନ୍ଧାରକୁ ଅପେକ୍ଷା କରିବାକୁ ପଡୁନାହିଁ । ସେମାନେ ନିଜର ଶୌଚାଳୟ ସ୍ୱାଧୀନ ଭାବେ ବ୍ୟବହାର କରିବା ସହିତ ସୁରକ୍ଷିତ ଏବଂ ମର‌୍ୟ୍ୟାଦାବନ୍ତ ଜୀବନ ଅତିବାହିତ କରିବାର ସୁଯୋଗ ପାଇଛନ୍ତି ।

ଖୋଲା ପଡିଆକୁ ମଳତ୍ୟାଗ କରିବାକୁ ନ ଯାଇ ଶୌଚାଳୟ ବ୍ୟବହାର କରିବା ଫଳରେ ସେମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ପାଉଛନ୍ତି । ଜାତୀୟ ଜଳ ଜୀବନ ମିଶନ ଅନ୍ୟ ପକ୍ଷରେ ଆଉ ପାଦେ ଆଗେଇ ଯାଇଛି । ଦେଶର ଜଳକଷ୍ଟ ଅଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ଏହା ଦେବଦୂତ ସାଜିଛି । ଉଭୟ ଗ୍ରାମୀଣ ସ୍ୱଚ୍ଛ ଭାରତ ଅଭିଯାନ ଓ ଜାତୀୟ ଜଳଯୋଗାଣ ମିଶନର ମିଳିତ ପ୍ରୟାସରେ ଦେଶରେ ୧୧କୋଟିରୁ ଅଧିକ ବ୍ୟକ୍ତିଗତ ଶୌଚାଳୟ ନିର୍ମିତ ହୋଇଛି ଏବଂ ୧୦.୯୦ କୋଟିରୁ ଅଧିକ ଘରକୁ ପାଣି ଟ୍ୟାପ ସଂଯୋଗ ଯୋଗାଇ ଦିଆଯାଇଛି ।

ଆହୁରି ମଧ୍ୟ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଭାରତକୁ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ୬.୨ ପୂରଣ କରିବାକୁ ପଥ ଉନ୍ମୁକ୍ତ କରିଛି । ଜାତିସଂଘର ଏହି ଲକ୍ଷ୍ୟ ୬.୨ ଅନୁସାରେ ୨୦୩୦ ସୁଦ୍ଧା ଭାରତର ସବୁ ଲୋକଙ୍କୁ ଶୌଚାଳୟ, ଟ୍ୟାପ ଦ୍ୱାରା ପାନୀୟଜଳ ସୁବିଧା ଯୋଗାଣ ସହିତ ଗରିବ ଓ ଅବହେଳିତ ବର୍ଗର ମହିଳା ଏବଂ କନ୍ୟାମାନଙ୍କୁ ବିପଜ୍ଜନକ ଓ ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତ କରିବାକୁ ହେବ । ସର୍ଭେ ଅନୁସାରେ ଏବେ ଗ୍ରାମାଂଚଳରେ ଶୌଚାଳୟ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ୯୩.୪ ଶତାଂଶ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଅନ୍ତର୍ଭୁକ୍ତ । ଏହାର ଉଲ୍ଲେଖନୀୟ ପ୍ରଭାବ ମଧ୍ୟ ଅର୍ଥର୍ନୀତି, ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ପଡୁଛି ଏବଂ ନିର୍ଦ୍ଧିଷ୍ଟ ଭାବେ ମହିଳା ସଶକ୍ତିକରଣ ଏହା ସହାୟକ ହେଉଛି ।

ଆଦର୍ଶ ପଞ୍ଚାୟତ ପ୍ରୟାସ –

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନରେ ଆହୁରି ଅନେକ କିଛି କରିବାର ଥିଲେ ମଧ୍ୟ ଏଯାଏ ଏହି ଯୋଜନାରେ ଯାହା ସବୁ ହେଉଛି ତାହା ନିଶ୍ଚିତ ଉଲ୍ଲେଖଯୋଗ୍ୟ । ଏହି ଅଭିଯାନରେ ଘରୋଇ କ୍ଷେତ୍ରର ଭୂମିକାକୁ ସ୍ୱୀକୃତି ପ୍ରଦାନ କରାଯାଇ ସ୍ୱଚ୍ଛତା’କୁ ସମସ୍ତଙ୍କ କାମ ଓ ଦାୟିତ୍ୱର ମାନ୍ୟତା ଦିଆଯାଇଛି । ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ ‘ଫିକି’ ଇଣ୍ଡିଆ ସାନିଟେସନ କୋଆଲିସନ ସହିତ ସହଯୋଗ ପ୍ରତିଷ୍ଠା କରି ଏ କ୍ଷେତ୍ରରେ କାମ କରୁଛି । ଏହା ଫଳରେ ଭାରତ ସରକାର ଏଥି ପାଇଁ କର୍ପୋରେଟ ଅଂଶୀଦାର, ବିକାଶ ଅଂଶୀଦାର ସହଜରେ ପାଉଛନ୍ତି । ସେମାନଙ୍କ ସହଯୋଗରେ ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଗ୍ରାମ ସ୍ତରରେ କରାଯାଉଛି । ପ୍ରଥମ ପର‌୍ୟ୍ୟାୟରେ ଏଥିପାଇଁ ୧୫ଟି ରାଜ୍ୟରେ ଆଦର୍ଶ ପଞ୍ଚାୟତ ବା ଲାଇଟ୍ ହାଉସ ପଞ୍ଚାୟତ ଗ୍ରାମୀଣ ସ୍ତରରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ପରିଚାଳନା କାମ କରାଯିବ ଏବଂ ଏହାର ସଫଳତା ଆଧାରରେ ପରବର୍ତ୍ତୀ ପର‌୍ୟ୍ୟାୟରେ ଦେଶର ଅନ୍ୟତ୍ର ଏହା କାର‌୍ୟ୍ୟକାରୀ ହେବ । ଏହା ଫଳରେ ସବୁ ଗ୍ରାମ ଓଡିଏଫ ପ୍ଲସ୍ ମାନ୍ୟତା ପାଇବେ ।

ସ୍ୱଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୨୩

ଏବେ ସମଗ୍ର ଦେଶରେ ଗ୍ରାମୀଣ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ କାମ ଚାଲିଛି । ଏହି ସର୍ଭେ ମାଧ୍ୟମରେ ପ୍ରଦର୍ଶନ ଓ ସଫଳତା ଆଧାରରେ ରାଜ୍ୟ ଓ ଜିଲ୍ଲାଗୁଡିକର ର‌୍ୟାଙ୍କ ନିର୍ଦ୍ଧାରିତ ହେଉଛି । ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ମାନଦଣ୍ଡ ଆଧାରରେ ଏହ ର‌୍ୟାଙ୍କ ନିର୍ଦ୍ଧାରିତ ହେଉଛି । ଏଥିପାଇଁ ଗ୍ରାମ ପଞ୍ଚାୟତଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ହେଉଛି ଓ ପ୍ରଦର୍ଶନ ଭିତ୍ତିରେ ବିଜେତାଙ୍କୁ ବଛାଯାଉଛି ।

ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଅନେକ ବଡ ବଡ ଅଭିଯାନ ହାତକୁ ନେଇଛି ଏବଂ ଏହାର ପ୍ରଭାବ ବେଶ୍ ଭଲ ରହିଛି । ରେଟ୍ରୋଫିଟ୍‌ରୁ ଟୁଇନ ଫିଟ୍ ସେଥିମଧ୍ୟରୁ ଗୋଟିଏ । ଏଥିରେ ସରଳ ‘ଅନ୍‌-ସାଇଟ୍‌’ ଟେକ୍ନୋଲୋଜିକୁ ଉପଯୋଗ କରାଯାଇ ସିଙ୍ଗଲ ପିଟ୍ ଟଏଲେଟକୁ ଟୁଇନ ପିଟ୍‌ରେ ପରିଣତ କରାଯାଉଛି । ସେହିଭଳି ସେପ୍ଟିକ ଟ୍ୟାଙ୍କ ଟଏଲେଟକୁ ଏୟାରଭେଣ୍ଟ ଓ ସୋକପିଟ୍ ଟଏଲେଟ୍ ସହିତ ସଂଯୁକ୍ତ କରିବା କାମ ହାତକୁ ନିଆଯାଇଛି । ଏହି ଅଭିଯାନରେ ମଧ୍ୟ ଗ୍ରାମାଞ୍ଚଳରେ ଘରୋଇ ଶୌଚାଳୟର ମଳକୁ ନିରାପଦରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜନ ସଚେତନତା ସୃଷ୍ଟି କରାଯାଉଛି ।

ସୁଜଳାମ୍ ୧.୦ ଓ ୨.୦ଅଭିଯାନରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସୋକ୍‌ପିଟ୍ ମାନ ଘରେ ଓ ପ୍ରତିଷ୍ଠାନରେ ତିଆରି କରାଯାଇ ବର୍ଜ୍ୟଜଳର ବିଶୋଧନ ବ୍ୟବସ୍ଥା କରାଯାଉଛି । ଏହି ଦୁଇ ଅଭିଯାନରେ ୨୩ ନିୟୁତ ସୋକ ପିଟ୍ ତିଆରି ହୋଇଛି ।

ଗୋବର୍ଦ୍ଧନ ଯୋଜନାରେ ଗ୍ରାମର ପଶୁ ପକ୍ଷୀଙ୍କ ମଳ, ଫସଲ ଓ ଜୈବିକ ଅବଶେଷ ସବୁର ପରିଚାଳନା ଗୁରୁତ୍ୱ ପାଇଛି । ଏହାକୁ ସଂଗ୍ରହ କରି ଜୈବିକ ଖତସାର ଓ ଇନ୍ଧନରେ ପରିଣତ କରାଯାଉଛି । ଏହାଫଳରେ ଗ୍ରାମର ପରିବେଶ ସଫା ସୁତୁରା ରହିବା ସହିତ ରୋଗ ଜୀବାଣୁ ବ୍ୟାପିବା ଯଥେଷ୍ଟ ହ୍ରାସ ପାଇବ । ଏଥିପାଇଁ ଭାରତ ସରକାର ସବୁ ଜିଲ୍ଲାକୁ ବୈଷୟିକ ସହାୟତା ଯୋଗାଉଛନ୍ତି । ଜିଲ୍ଲା ପିଛା ଏଥି ପାଇଁ ୫୦ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ରହିଛି । ଏ ଯାଏଁ ଦେଶର ୫୦୦ରୁ ଅଧିକ ଗୋବର୍ଦ୍ଧନ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି ।

ସୂଚନା, ଶିକ୍ଷା ଓ ଯୋଗାଯୋଗ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ଜନସଚେତନତା ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । ଏହା ଦ୍ୱାରା ଏହି ଯୋଜନା ବିଶେଷ ପ୍ରୋତ୍ସାହିତ ହୋଇଛି । ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ଭାରତ ଦିବସ, ସ୍ୱଚ୍ଛତା ପାଇଁ ସଂଯୁକ୍ତ ଭାରତ ଭଳି ଯେତେ ସବୁ କାର‌୍ୟ୍ୟକ୍ରମ କରାଯାଇଛି ତାହାର ସଫଳତା ପଛରେ ଜନ ସହଯୋଗର ଗୁରୁତ୍ୱ ରହିଛି । ସଚେତନତା ବିନା ଏହା ସମ୍ଭବ ହୋଇ ନ ଥାନ୍ତା । ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ପର‌୍ୟ୍ୟାୟ-୨ରେ ଦକ୍ଷତା ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ସୁଲଭ ଟେକେ୍‌ନୋଲୋଜିର ଉପଯୋଗ କରି ନିର୍ମିତ ହେବାକୁ ଥିବା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଦକ୍ଷତା ଓ କୌଶଳକୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି ।

ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ରକ୍ଷା ପରିଚାଳନା ଏବଂ ବିଭିନ୍ନ ରାଜ୍ୟର ଏ ସଂକ୍ରାନ୍ତ ଉପଲବ୍ଧି ସମ୍ପର୍କରେ ଏକ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତା ନିକଟରେ ଆୟୋଜିତ ହୋଇଥିଲା । ବାସ୍ତବ କ୍ଷେତ୍ରରେ ଏ ସମ୍ପର୍କରେ ଯାହା ହେଉଛି ଓ ଯେଉଁ ସଫଳତା ମିଳୁଛି ତାହାକୁ ପ୍ରଦର୍ଶିତ କରି ପଞ୍ଚାୟତଗୁଡିକୁ ଉତ୍ସାହିତ କରିବାକୁ ଏହା କରାଯାଇଥିଲା । ପରିତାପର ବିଷୟ ଯେ ବିଭିନ୍ନ ପ୍ରକାର ନିଷେଧ ଓ କୁସଂସ୍କାର ଯୋଗୁଁ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟରକ୍ଷା ଉପରେ ସମାଜ ଖୁବ୍ କମ୍ ଆଲୋଚନା କରେ ଓ ପ୍ରସଙ୍ଗକୁ ଆଦୌ ଗୁରୁତ୍ୱ ଦିଏ ନାହିଁ ।

ଏ କ୍ଷେତ୍ରରେ ଜ୍ଞାନ, ସଚେତନତା ଓ ଆବଶ୍ୟକ ସାମଗ୍ରୀର ଅଭାବ ବଡ ପ୍ରତିବନ୍ଧକ ପାଲଟିଛି । ଅନେକ ଲୋକ ସାନିଟାରୀ ପ୍ୟାଡର ବ୍ୟବହାର ଓ ତାହାକୁ କିପରି କେଉଁଠି ପକାଇବେ ସେ କଥାମଧ୍ୟ ଜାଣନ୍ତି ନାହିଁ । ଏ ସମ୍ପର୍କରେ ଝିଅ ଓ ମହିଳାମାନଙ୍କୁ ଯେତେ ଅଧିକ ସଚେତନ କରାଯିବ ସେମାନେ ସେତେ ଅଧିକ ଉପକୃତ ହେବେ । ଏହା ମଧ୍ୟ ଝିଅପିଲାଙ୍କ ମଝିରୁ ପାଠଛାଡ ସମସ୍ୟା ଅନେକାଂଶରେ ଦୂର କରିବ ଏବଂ ସେମାନେ ଏହାକୁ ବ୍ୟବହାର କରି ମର‌୍ୟ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ ।

ଏହି ଗଣତନ୍ତ୍ର ଦିବସରେ ମୁଁ ସ୍ୱଚ୍ଛତା ଯୋଦ୍ଧା, ଗ୍ରାମ ପଞ୍ଚାୟତର ନେତାଗଣ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ସେମାନଙ୍କର ନିରଳସ ଶ୍ରମ ଓ ସେବା ପାଇଁ ସାଲ୍ୟୁଟ ଜଣାଉଛି । ସେମାନଙ୍କ ସହଯୋଗ ବିନା ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇପାରି ନ ଥାନ୍ତା । ଭାରତକୁ ଏକ ସୁସ୍ଥ ଓ ପରିଚ୍ଛନ୍ନ ରାଷ୍ଟ୍ରରେ ପରିଣତ କରିବାରେ ସେମାନେ ନିଃସନ୍ଦେହରେ ଆଲୋକ ବର୍ତ୍ତିକା ସାଜିଛନ୍ତି ।

(ଲେଖିକା ର ସଚିବ)

Categories
ଆଞ୍ଚଳିକ

ବାଣପୁର ଓ ଚିଲିକା ବ୍ଲକର ମନରେଗା ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଓ ସ୍ୱଚ୍ଛ ଭାରତ ମିଶନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ରାଉତରାୟ ସମୀକ୍ଷା କରିଥିଲେ। ଅନୁରୂପ ଭାବେ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ଅନ୍ତର୍ଗତ ଉଭୟ ବ୍ଲକରେ ୫ ଲକ୍ଷ ୭୫ ହଜାର ଗୋଟି ଶ୍ରମ ଦିବସ ସୃଷ୍ଟି ଲକ୍ଷ ହାସଲ କରିବା ସହ ଡିସେମ୍ବର ମାସ ଶେଷ ସୁଦ୍ଧା ଉଭୟ ବ୍ଲକର ସମସ୍ତ ଗ୍ରାମଗୁଡିକୁ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଓଡ଼ିଏଫ ପ୍ଲସ ଗ୍ରାମ ଘୋଷଣା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ରାଉତରାୟ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଉଭୟ ବ୍ଲକର ବିଡ଼ିଓ, ଏଇଇ, ଜେଇ, ଏପିଓ, ଜିଆରଏସ, ପିଇଓ, ବିଆରସି ଏବଂ ଜିଲ୍ଲାସ୍ତରରୁ ଏମସି ଓ ସ୍ୱଚ୍ଛ ଭାରତ ମିଶନ ପରାମର୍ଶଦାତା ଉପସ୍ଥିତି ଥିଲେ।

Categories
ବିଶେଷ ଖବର

ଆଉ ଏକ ମାଇଲଖୁଣ୍ଟ ହାସଲ: ଦେଶର ଶ୍ରେଷ୍ଠ ପାଞ୍ଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା

ଦିଲ୍ଲୀ: ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ- ଗ୍ରାମୀଣ (ଏସ୍ବିଏମ୍ – ଜି) ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ୧୦୧୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ ଭାବେ ଘୋଷିତ କରିଛନ୍ତି। ଏହି ଗ୍ରାମ ଗୁଡିକ ନିଜର ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ସ୍ଥିତିକୁ ବଜାୟ ରଖିଛନ୍ତି ଏବଂ କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁକୁ ପରିଚାଳନା କରିବା ନିମନ୍ତେ ପରିଚାଳନା ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି ଏବଂ ସେହି ଗ୍ରାମ ଗୁଡିକ ନିଜର ସ୍ୱଚ୍ଛତାର ଯାତ୍ରାକୁ ଜାରି ରଖିବେ କାରଣ ସେମାନେ ନିଜ ଗ୍ରାମକୁ ସ୍ୱଚ୍ଛ, ସବୁଜ ଏବଂ ସ୍ୱାସ୍ଥ୍ୟକର କରିବା ନିମନ୍ତେ କାର୍ଯ୍ୟ କରୁଛନ୍ତି। ଶୀର୍ଷ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡିକରୁ ପ୍ରଥମ ପାଂଚଟି ରାଜ୍ୟ, ଯେଉଁ ରାଜ୍ୟ ଗୁଡିକର ଅଧିକ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଘୋଷିତ କରା ଯାଇଛି ତାହା ମଧ୍ୟରେ ଓଡିଶା ସ୍ଥାନ ପାଇଛି।

ପ୍ରାୟ ଆଠ ବର୍ଷ ତଳେ , ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦେଶକୁ ବାହ୍ୟ ମଳମୁକ୍ତ କରିବା ଥିଲା। ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ଦେଶ ବିଶ୍ୱର ସବୁଠାରୁ ବୃହତ୍ ଆଚରଣ ପରିବର୍ତ୍ତନକାରୀ ଅଭିଯାନରେ ଏକତ୍ରିତ ହୋଇ ସାମିଲ୍ ହୋଇଥିଲା ଏବଂ ନିଜର ଲକ୍ଷ୍ୟକୁ ହାସଲ ମଧ୍ୟ କଲା ଏବଂ ୨ ଅକ୍ଟୋବର ୨୦୧୯ରେ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ଏସ୍ଡିଜି – ୬ ଲକ୍ଷ୍ୟର ୧୧ ବର୍ଷ ପୂର୍ବରୁ ଗ୍ରାମୀଣ ଭାରତ ବାହ୍ୟ ମଳ ମୁକ୍ତ ହୋଇଗଲା।

ତେବେ, ଏହା ମିଶନର ଶେଷ ନୁହେଁ, ଏହା ଏକ ଅଧିକ ଆହ୍ୱାନପୂର୍ଣ୍ଣ, ତଥାପି ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଏହା ମୂଳଦୁଆ ପକାଇ ଥିଲା , ଦେଶର ଗ୍ରାମ ଗୁଡିକୁ ବାହ୍ୟ ମଳମୁକ୍ତ କରିବା ନିମନ୍ତେ ସମ୍ପୂର୍ଣ୍ଣ ସ୍ୱଚ୍ଛତା କିମ୍ବା ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି।

ଏକ ଲକ୍ଷ ଅଧିକ ବାହ୍ୟ ମଳମୁକ୍ତ ଗ୍ରାମର ଲକ୍ଷ୍ୟ ହାସଲ କରିବା କୌଣସି ଛୋଟ ଅନୁଭବ ନୁହେଁ, କାରଣ କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକ୍ରିୟା ସ୍ୱଭାବରେ ବୈଷୟିକ, ଗ୍ରାମୀଣ ଭାରତ ନିମନ୍ତେ ଆପାତତଃ ନୂତନ ଏବଂ ଏହା ଏକ ଦ୍ୱିତୀୟ ପିଢ଼ି ସମସ୍ୟା।

ଶୌଚାଳୟର ଯୋଗାଣ ମଳ ବର୍ଜ୍ୟ ବସ୍ତୁ ପରିଚାଳନା କରିବାର ଆବଶ୍ୟକତା ସୃଷ୍ଟି କରିଛି। ପାନୀୟ ଜଳ ଯୋଗାଣ ସହିତ, ଅଧିକ ମଇଳା ଜଳ ସୃଷ୍ଟି ହେଉଛି, ଯାହାର ଚିକିତ୍ସା ଏବଂ ପୁନଃ ବ୍ୟବହାର ହେବା ଆବଶ୍ୟକ ଏବଂ ଜୀବନ ଶୈଳୀରେ ପରିବର୍ତନ ଏବଂ ପ୍ୟାକ୍ ହୋଇଥିବା ଖାଦ୍ୟ ପଦାର୍ଥର ବ୍ୟବହାର ସହିତ ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁର ବିପଦ ଗ୍ରାମାଂଚଳରେ ଏହାର କୁତ୍ସିତ ସ୍ୱରୂପକୁ ବୃଦ୍ଧି କରୁଛି ଏବଂ ଏହାକୁ ସଠିକ୍ ଭାବରେ ପରିଚାଳନା କରିବା ଆବଶ୍ୟକ ଅଟେ।

ସ୍ୱଚ୍ଛ ଭାରତ ମିଶନ – ଗ୍ରାମୀଣ (ଏସ୍ବିଏମ୍ – ଜି)ର ଦ୍ୱିତୀୟ ପର୍ଯ୍ୟାୟ ହେଉଛି – ସମସ୍ତ ପ୍ରକାରର ବର୍ଜ୍ୟ ବସ୍ତୁକୁ ସଠିକ୍ ଭାବରେ ପରିଚାଳନା କରିବା ଯାହା କେବଳ ଆମ ଗାଁକୁ ପରିଷ୍କାର କରିବ ନାହିଁ, ବରଂ ଗ୍ରାମାଂଚଳର ପରିବାର ଗୁଡିକ ନିମନ୍ତେ ଆୟ ସୃଷ୍ଟି କରିବ ଏବଂ ନୂତନ ଜୀବିକାର୍ଜନ ସୁଯୋଗ ନିମନ୍ତେ ପରିସର ସୃଷ୍ଟି କରିବ। ସ୍ୱଚ୍ଛତା ଏବଂ ନିରାପଦ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ଏହା ଦ୍ୱାରା ନାଗରିକ ମାନଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଏସ୍ବିଏମ୍ – ଜି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିଥାଏ।

ପ୍ରାରମ୍ଭରେ, ଡିଡିଡବ୍ଲୁଏସ୍ ଗୋଟିଏ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ ଗ୍ରାମ ରୂପରେ ଘୋଷିତ କରିବା ପ୍ରକ୍ରିୟାରେ ମଧ୍ୟବର୍ତୀକାଳୀନ ପର୍ଯ୍ୟାୟ ଆରମ୍ଭ କରିଥିଲା, ଏହା ଦେଖି ଯେ ସମସ୍ତ ଗ୍ରାମ ଜୈବ ବିଘଟନକାରୀ ଆବର୍ଜନା ପରିଚାଳନା (ବିଡବ୍ଲ୍ୟୁଏମ୍) , ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା (ପିଡବ୍ଲ୍ୟୁଏମ୍), ମଇଳା ଜଳ ପରିଚାଳନା (ଜିଡବ୍ଲ୍ୟୁଏମ୍) ଏବଂ ମଳ ଜନିତ ପଙ୍କ ପରିଚାଳନା (ଏଫ୍ଏସ୍ଏମ୍) କାର୍ଯ୍ୟକ୍ଷେତ୍ର ଅନୁସାରେ ସମସ୍ତ ମାନଦଣ୍ଡ ଗୁଡିକୁ ହୁଏତ ପୂରଣ କରି ପାରିବେ ନାହିଁ । ଅଧିକ ବାହ୍ୟ ମଳମୁକ୍ତ – ଆଶାୟୀ ଶ୍ରେଣୀରେ ଆଜି ୫୪୭୩୪ ଗ୍ରାମ ରହିଛି, ଯେଉଁଥିରେ ସମସ୍ତ ଗୃହ ଗୁଡିକରେ ଏବଂ ସଂସ୍ଥାନ ଗୁଡିକରେ ବ୍ୟକ୍ତିଗତ ଘରୋଇ ଶୌଚାଳୟ ଗୁଡିକ ମାଧ୍ୟମରେ ସ୍ୱଚ୍ଛତା ପର୍ଯ୍ୟନ୍ତ ପହଂଚିବା ସହିତ , ଏସ୍ଡବ୍ଲ୍ୟୁଏମ୍ କିମ୍ବା ଏଲ୍ଡବ୍ଲ୍ୟୁଏମ୍ର ବ୍ୟବସ୍ଥା ରହିଛି : ଓଡିଏଫ୍ ପ୍ଲସ୍ – ରାଇଜିଂରେ ୧୭୧୨୧ ଗ୍ରାମ ରହିଛି ଯେଉଁଥିରେ ଆକାଂକ୍ଷୀ ବର୍ଗରେ ରହିଥିବା ମାନଦଣ୍ଡ ସହିତ ଏଲ୍ଡବ୍ଲ୍ୟୁଏମ୍ ଏବଂ ଏସ୍ ଡବ୍ଲ୍ୟୁଏମ୍ ଉଭୟର ବ୍ୟବସ୍ଥା ରହିଛି । ଯାହାକୁ ଓଡିଏଫ୍ ପ୍ଲସ୍ ମଡେଲ୍ ଘୋଷିତ କରା ଯାଇଛି, ସେଥିରେ ୨୯୬୦୭ ଟି ଗ୍ରାମ ରହିଛି, ଯେଉଁଥିରେ ଉପରୋକ୍ତ ସମସ୍ତ ଗ୍ରାମ ରହିଛି ଏବଂ ଯେଉଁଠାରେ ଆଇଇସି ବାର୍ତାକୁ ପ୍ରମୁଖତା ସହିତ ପ୍ରସାରିତ ଏବଂ ପ୍ରଦର୍ଶିତ କରା ଯାଇଥାଏ ।
ଏହା ଦ୍ୱାରା ସାରା ଦେଶର ୯୯୬୪୦ ଟି ଗ୍ରାମରେ କଠିନ ଆବର୍ଜନାର ପରିଚାଳନାର ବ୍ୟବସ୍ଥା ହୋଇ ଯାଇଛି : ୭୮୯୩୭ ତରଳ ବର୍ଜ୍ୟ ପରିଚାଳନା ସୁବିଧା ରହିଥିବା : ଏବଂ ପ୍ରାୟ ୫୭୩୧୨ ଗ୍ରାମ ଗୁଡିକରେ କାର୍ଯ୍ୟାତ୍ମକ କଠିନ ଏବଂ ତରଳ ମଳ ପରିଚାଳନା ସ୍ୱତନ୍ତ୍ର ଅଟେ । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡିକରେ ଥିବା ପ୍ରଥମ ପାଂଚଟି ରାଜ୍ୟ ମଧ୍ୟରେ ତେଲେଙ୍ଗାନା, ତାମିଲନାଡୁ, ଓଡିଶା, ଉତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶ ରହିଛି, ଯେଉଁ ରାଜ୍ୟ ଗୁଡିକର ଅଧିକ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଘୋଷିତ କରା ଯାଇଛି ।
ଏହାକୁ ଦେଖି ଯେ କଠିନ ଏବଂ ତରଳ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ପ୍ରକ୍ରିୟାର ବୈଷୟିକ ବ୍ୟବସ୍ଥା ଗ୍ରାମୀଣ ଭାରତ ନିମନ୍ତେ ଆପାତତଃ ଭାବେ ନୂତନ ଅଟେ, ରାଜ୍ୟ ଗୁଡିକୁ ଆର୍ଥିକ ସହାୟତା ମାଧ୍ୟମରେ, ପ୍ରଯୁକ୍ତିଗତ ସହାୟତା ଏବଂ ସାମର୍ଥ୍ୟ ନିର୍ମାଣ ଇତ୍ୟାଦି ସହାୟତା ରୂପରେ ସବୁ ପ୍ରକାରର ସହାୟତା ପ୍ରଦାନ କରା ଯାଉଛି । ଏସ୍ବିଏମ୍ (ଜି) ର ପ୍ରଥମ ପର୍ଯ୍ୟାୟ ଭଳି, ଗୋଷ୍ଠୀଗତ ଭାଗିଦାରୀ ଅଭିଯାନ ସଫଳତାର ଅଭିନ୍ନ ଅଂଶ ବିଶେଷ ଅଟେ କାରଣ ଏହା ଆତ୍ମ ବିକାଶ ଏବଂ ଯୋଗଦାନର ମାର୍ଗକୁ ପ୍ରଶସ୍ତ କରିଥାଏ, ଯାହା ଅଭିଯାନର ବିଶେଷ ପରିଚୟ ଭାବେ ରହିଛି ।
ଏହି ଅଭିଯାନ ସ୍ୱଚ୍ଛତା ଏବଂ ନିରାପଦ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥାଏ ଏବଂ ଏହି ଭଳି ଭାବରେ ନାଗରିକ ମାନଙ୍କର ଜୀବନର ଗୁଣବତାରେ ସୁଧାର ଆଣିଥାଏ ଏବଂ ଏହା ୨୦୨୪ -୨୫ ସୁଦ୍ଧା ଆମର ସମ୍ପୂର୍ଣ୍ଣ, ସ୍ୱଚ୍ଛ ଏବଂ ସୁସ୍ଥ ଭାରତର ସ୍ୱପ୍ନକୁ ପୂରଣ କରିବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ସ୍ୱଚ୍ଛ ଭାରତ ମିଶନ-ସହରୀ ୨.୦ ଏବଂ ଅମୃତ ୨.୦ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ । ଏସବିଏମ-ୟୁ ୨.୦ ଏବଂ ଅମୃତ ୨.୦ ଆମର ସମସ୍ତ ନଗରୀଗୁଡିକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ ।

ଏହି ପ୍ଲାଗସିପ ଅଭିଯାନ ଦୃତ ଗତିରେ ବୃଦ୍ଧି ପାଉଥିବା ସହରୀକରଣ ଆହ୍ୱାନର ମୁକାବିଲା ସହ ୨୦୩୦ ମସିହା ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳ ବିକାଶ ମନ୍ତ୍ରୀଗଣ ଏଥିରେ ଉପସ୍ଥିତ ରହିବେ ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଚ୍ଛ ଭାରତ ମିଶନରେ ମହାଦୁର୍ନୀତି: ହାଇକୋର୍ଟରେ ମାମଲା ରୁଜୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ପାଇଁ ଗଂଜାମ ଜିଲ୍ଲା ଫରୱାର୍ଡ଼ ବ୍ଳକ୍‌ର ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି ଗତ ଡ଼ିସେମ୍ବର ୧୨ ତାରିଖରେ ସରକାର ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯଦି ଏହାର ତଦନ୍ତ ୧୫ ଦିନ ମଧ୍ୟରେ ନହୁଏ ତେବେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ।

ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ନହେବା ଯୋଗୁଁ ଶ୍ରୀ ମହାନ୍ତି ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟରେ ସିଆର୍‌ଏଲ୍‌ଏମ୍‌ପି ନଂ ୨୦/୨୦୨୧ରେ ମାମଲା ରୁଜୁ କରିଛନ୍ତି। ଏଥିରେ ପଂଚାୟତରାଜ ସଚିବ, ଗଂଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଆର୍‌ଡ଼ିଏ, ଗଂଜାମ, ବ୍ରହ୍ମପୁର ଭିଜିଲାନସ ଏସ୍‌ପି ଓ ପାତ୍ରପୁର ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ୧୫୦୭୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ଏହାସହ ଏଲ୍‌ଓବିରେ ୧୭୯୧ ଏବଂ ଏନ୍‌ଓଏଲ୍‌ବିରେ ୨୫୯୮ ଜଣଙ୍କୁ କାର୍ଯ୍ୟାଦେଶ ମିଳିଛି। ସମୁଦାୟ ୧୮୪୬୧ ଜଣ ହିତାଧିକାରୀଙ୍କ ବଦଳରେ ଚଞ୍ଚକତା କରି ୧୯୬୯୯ ଜଣଙ୍କୁ କିଭଳି ଅର୍ଥ ପ୍ରଦାନ କରାଗଲା ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସମୁଦାୟ ୧କୋଟି ୪୮ ଲକ୍ଷ ୫୬ହଜାର ଟଙ୍କା ରାଜକୋଷରୁ ହରିଲୁଟ୍ ହୋଇଥିବା ନେଇ ଶ୍ରୀ ମହାନ୍ତି ସ୍ମାରକପତ୍ରରେ ଦର୍ଶାଇଥିଲେ। ଶୌଚାଳୟର ଜିଓ ଟ୍ୟାଗିଂ ହୋଇନି। ବିଲ୍ ମଧ୍ୟ ଦିଆଯାଇନି। ହିତାଧିକାରୀଙ୍କ ନାମକୁ ଟେମ୍ପରିଂ କରି ଦୁଇଟି ଲେଖାଏଁ ଲେଟିନ୍ ବିନ୍ ହୋଇଛି। ଗୋଟିଏ ଏସ୍‌ଏଚ୍‌ଜିକୁ ପ୍ରାୟ ୮୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସଂପୃକ୍ତ ଗୃପ ହିତାଧିକାରୀଙ୍କୁ ଅର୍ଥ ପୈଠ କରିନଥିବା ଘଟଣା ମଧ୍ୟ ଏହି ବ୍ଲକ୍‌ରେ ଘଟିଛି।