Categories
ଆଜିର ଖବର ମନୋରଂଜନ

ଅକ୍ଷୟ ପରିଜାଙ୍କ ନୂଆ ଓଡିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’: ନବାଗତା ନାୟିକା ଲିଜାଙ୍କ ମନଛୁଆଁ ଅଭିନୟ

ଭୁବନେଶ୍ଵର: ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’। ଆଉ ଏହି ବିଗ୍ ବଜେଟର ଚଳଚ୍ଚିତ୍ର ମାଧ୍ୟମରେ ବଡ଼ ପରଦାରେ ଡେବ୍ୟୁ କରିଛନ୍ତି ଆଉ ଜଣେ ଓଡ଼ିଆ ନାୟିକା। ନାଁ ତାଙ୍କର ଲିଜା ନାୟକ। ସିନେମା ତ ମୁକ୍ତିଲାଭ ଅପେକ୍ଷାରେ କିନ୍ତୁ ସେଥିରେ ଲିଜାଙ୍କ ଅଭିନୟ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ପୂରା ଦୃଷ୍ଟିକୋଣ ବଦଳାଇ ଦେଉଛି।

ତାଙ୍କର ବାସ୍ତବଧର୍ମୀ ଅଭିନୟ ବେଶ୍ ପ୍ରଶଂସନୀୟ। ଚଳଚ୍ଚିତ୍ର ଦୁନିଆରେ ନବାଗତା ହେଲେ ବି ଅଭିନୟରେ ସେ ତାହା ଆଦୌ ବାରି ହେବାକୁ ଦେଇନାହାନ୍ତି। ତାଙ୍କର ଲୁକ୍ତ, ଅଭିନୟ ଶୈଳୀ ଖୁବ୍ ଚମତ୍କାର। ବିଶେଷକରି ସେ ଯେଉଁଭଳି ଭାବରେ ସ୍ପଷ୍ଟତାର ସହ ସଂଳାପ ଉଚ୍ଚାରଣ କରୁଛନ୍ତି ଆଉ ତା’ ସହିତ ଅଭିନୟରେ ଭାବର ପରିପ୍ରକାଶ କରୁଛନ୍ତି ଦେଖିଲେ ଲାଗିବ ନାହିଁ ସେ ନୂଆ।

ଚଳଚ୍ଚିତ୍ରଟି ଦେଖିଲେ ଅନୁଭବ କରିବେ, ଯେମିତି ଚରିତ୍ର ତାଙ୍କ ପାଇଁ ହିଁ ହୋଇଥିଲା। ବେଳେ ବେଳେ ଅଭିନେତା ଆଉ ଅଭିନେତ୍ରୀଙ୍କ କ୍ଷେତ୍ରରେ ଏମିତି ହୋଇଥାଏ। କିଛି ଚରିତ୍ରକୁ ସେ ବହୁ ସୁନ୍ଦର ଭାବେ ବୁଝି ଯାଇଥାନ୍ତି ଯେଉଁଥିପାଇଁ ତାଙ୍କୁ ଅଭିନୟ କରିବାରେ କୌଣସି
ବାଧା ଉପୁଜେ ନାହିଁ। ମାତ୍ର ଏଠି ଲିଜା ପ୍ରଥମେ ନିଜକୁ ବୁଝି ଅତି ସହଜ, ସରଳ ଏବଂ ଆରାମଦାୟକ ଭାବରେ ଚରିତ୍ରକୁ ଉଠାଇ ପାରିଛନ୍ତି।

ଏ ଚଳଚ୍ଚିତ୍ରରେ ଅଭିନୟ ନିଶ୍ଚୟ ଭାବେ ତାଙ୍କର ଆଗାମୀ ରାସ୍ତାକୁ ସୁଗମ କରିବ। ଏଥିରେ ସନ୍ଦେହ ନାହିଁ। ତାଙ୍କ ଭବିଷ୍ୟତ ଉଜ୍ଜଳ ଏବଂ ସଫଳ ମଧ୍ୟ। କାରଣ ଏ ଚଳଚ୍ଚିତ୍ର ବୋଲି ନୁହେଁ, ସେ ଏହା ପୂର୍ବରୁ ବି ଓଡ଼ିଆ ଦର୍ଶକଙ୍କ ପାଖକୁ ଆସିଛନ୍ତି। କିନ୍ତୁ ଫରକ୍ ଏତିକି ସେତେବେଳେ ଛୋଟ ପରଦାରେ ଆସିଥିଲେ ଏବେ ବଡ଼ ପରଦାରେ ନଜର ଆସିବେ। ମେଗା ଧାରାବାହିକ ‘ସାବତ୍ରୀ’ରେ ସାବିତ୍ରୀ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଲିଜା ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଯାହାଙ୍କୁ ନେଇ ସିନେମା ଆଗକୁ ବଢ଼ିଛି। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ହୋଇଥିବାରୁ ସେ ଯେତିକି ଉତ୍ସାହିତ ଅଛନ୍ତି, ତାଙ୍କୁ ଚଳଚ୍ଚିତ୍ରଟିରେ ନେଇ ପ୍ରଡକ୍ସନ୍ସ ବହୁତ ଖୁସି।

ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରଟି ଆହ୍ବାନପୂର୍ଣ୍ଣ ଥିଲା। ଚଳଚ୍ଚିତ୍ରରେ ଜଣେ ନୀରିହ, ସୁନ୍ଦର ପାଠୁଆ ଝିଅ ଭୂମିକାରେ ସେ ଯେଉଁ ସମସ୍ୟାକୁ ସାମ୍ନା କରିଛନ୍ତି, ତାହା ଦେଖିବା ଲାଗି ଚଳଚ୍ଚିତ୍ର ମୁକ୍ତିଲାଭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାହାଣୀ ଅନୁସାରେ ସେ ନିଜ ମାଧ୍ୟମରେ ସାମ୍ପ୍ରତିକ ସମାଜରେ ମହିଳାଙ୍କ ଉପରେ ଘଟୁଥିବା ଘଟଣାର କଥା କହିଛନ୍ତି। ଅତି ନିଖୁଣ ଭାବେ ଭୂମିକାଟି ତୁଲାଇ ଟିର ଭରସା ଓ ବିଶ୍ୱାସକୁ ଜିତି ସମସ୍ତଙ୍କ ହୃଦୟରେ ରହି ଯାଇଛନ୍ତି ଲିଜା।

Categories
ଆଜିର ଖବର ମନୋରଂଜନ ସିନେମା

ମୁକ୍ତି ଲାଭ କଲା ଲକଡାଉନରେ ରୋଜଗାର ହରାଇଥିବା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଭୋକ’

ଭୁବନେଶ୍ବର: କୋଭିଡ ମହାମାରୀ ସମସ୍ତଙ୍କ ଦୈନନ୍ଦିନ ଜୀବନର ଗତିଶୀଳତାକୁ ବ୍ୟାହତ କରିଛି। ସେହି ସମୟର କିଛି ବାସ୍ତବିକ କରୁଣ କାହାଣୀ ଉପରେ ପର‌୍ୟ୍ୟବେସିତ ସତ୍ୟ ଘଟଣାବଳୀକୁ ନେଇ ଜ୍ୟୋତି ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର “ଭୋକ” ଆଜି ଏସପ୍ଲାନେଡ଼ ମଲର ସିନେ ପୋଲିସ ମଲ୍ଟିପ୍ଲେକ୍ସଠାରେ ମୁକ୍ତିଲାଭ କରିଛି।

ଏହି ଅବସରରେ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଚଳଚ୍ଚିତ୍ରର କାହାଣୀକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀରଞ୍ଜନ କୁମାର ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୀବ ମହାନ୍ତି, ଅକ୍ଷୟ ପରିଜା, ଅଭିନେତ୍ରୀ କାବ୍ୟାକିରଣ, ସୁବୋଧ ଆଚାର୍ଯ୍ୟ, ମନସ୍ୱିନୀ ସାହୁ ଓ ବାସୁଦେବ ମାଳ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

ମାନବ ଜାତି ପାଇଁ ଅଦୃଶ୍ୟ ଶତ୍ରୁ ଭାବେ ଉଭା ହୋଇ ଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କରାଯାଇଥିବା ଲକଡାଉନ ଓ ସଟଡାଉନ ଯୋଗୁଁ ଜଣେ ସାଧାରଣ ବ୍ୟକ୍ତି ଜୀବିକା ହରେଇ ଉଭୟ ଆର୍ଥିକ ଅସୁବିଧା ଓ ସାମାଜିକ ଦ୍ଵେଷର ସମ୍ମୁଖୀନ ହୋଇ ବିଷମ ପରିସ୍ଥିତି ଦେଇ ଗତି କରୁଥିବାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ହେଇଛି। ଅନେକଙ୍କ ଅଙ୍ଗେଲିଭା ଅନୁଭବକୁ ଚଳଚ୍ଚିତ୍ରର ଅଭିନେତା ଓ ଅଭିନେତ୍ରୀମାନେ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରିବାରେ ସଫଳ ହୋଇପାରିଛନ୍ତି।

Categories
ବିଶେଷ ଖବର

ଅକ୍ଷୟ କୁମାର ପରିଜାଙ୍କୁ “ଭିଜା ମାଟିର ସ୍ଵର୍ଗ” ସିନେମା ପାଇଁ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର

ସମୀକ୍ଷା ବ୍ୟୁରୋ

୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଘୋଷଣା ହୋଇଛି।  ଓଡ଼ିଆ ଚଳଚ୍ଚିତ୍ରର ଜନକ ଭାବେ ପରିଚିତ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ନାମରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ କଥାଚିତ୍ରକୁ ନାମିତ କରାଯାଇଛି। ଚଳିତଥର ଏହି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର  ପରିଜା। ଚଳିତ ବର୍ଷ ଘୋଷିତ ରାଜ୍ୟ ପୁରସ୍କାରରେ ତାଙ୍କ ପ୍ରଯୋଜନାରେ ନିର୍ମିତ ଦୁଇଟି ଚଳଚ୍ଚିତ୍ର ୧୦ଟି ପୁରଷ୍କାର ବିଜୟୀ ହୋଇଛନ୍ତି ।  ତାଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’କୁ ଯଥାକ୍ରମେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଫଟୋଗ୍ରାଫର୍‌, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ସଂଳାପ ଆଦିର ପୁରସ୍କାର ମିଳିଥିବାବେଳେ ତାଙ୍କର କୃତ କ୍ଷୁଦ୍ର ଚଳଚ୍ଚିତ୍ର  ‘ପାଇକ ବିଦ୍ରୋହ’ କୁ ସ୍ପେଶିଆଲ୍‌ ଜୁରୀ ଆଓ୍ବାର୍ଡ ସମ୍ମାନ ସହିତ ଶ୍ରେଷ୍ଠ ଫଟୋଗ୍ରାଫର୍‌, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ନିର୍ଦ୍ଦେଶନାର ପୁରସ୍କାର ମିଳିଛି।

ତେବେ ଏହି ଚଳଚ୍ଚିତ୍ରକୁ ସମ୍ମାନ ମିଳିବା ପରେ ଓଡ଼ିଶାର ମୌଳିକ ବିଷୟବସ୍ତୁକୁ ନେଇ ନିର୍ମିତ ଚଳଚ୍ଚିତ୍ର ତଥା କଳାତ୍ମକ ଚଳଚ୍ଚିତ୍ର ଯେ ସବୁବେଳେ ନିଆରା ତାହା ଉପସ୍ଥାପନ କରୁଛି। ସମ୍ପ୍ରତି ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ନିଜର ମୌଳିକତା ହରାଉଥିବାବେଳେ ଏହି ଫିଲ୍ମଟି  ସେହି ପୃଷ୍ଠଭୂମି ଉପରେ ନିଜକୁ ସଠିକ୍‌ ରୂପେ ପ୍ରତିପାଦିତ କରି ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି।”ଭିଜା ମାଟିର ସ୍ଵର୍ଗ'” ର ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ଖ୍ୟାତନାମା ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର। ଅନେକ ଥର ଓଡିଆ ସିନେମା ପାଇଁ ଜାତୀୟ ପୁରସ୍କାରର ମର୍ଯାଦା ଆଣିଥିବା ମନମୋହନ ମହାପାତ୍ରଙ୍କର ଏହି ଚର୍ଚ୍ଚିତ ସିନେମା ଚଳିତ ଥର ଜାତୀୟ ପୁରଷ୍କାର ତାଲିକାରେ ସାମିଲ ହୋଇନଥିବାରୁ ଅନେକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଫିଲ୍ମ ପାଇଁ ଓଡ଼ିଆ ସିନେମାର ଲୋକପ୍ରିୟ କଳାକାର ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିବାବେଳେ ଶ୍ରେଷ୍ଠ ସଂଳାପ ପାଇଁ ନନ୍ଦଲାଲ ମହାପାତ୍ର, ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ଆଶୁତୋଷ ମହାପାତ୍ର, ଶ୍ରେଷ୍ଠ ଫଟୋଗ୍ରାଫର୍‌ ପାଇଁ ଦିଲ୍ଲୀପ ରାୟଙ୍କୁ ପୁରସ୍କାର ମିଳିବ।

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ‘ଜୀଅନ୍ତା ଭୂତ’ ସିନେମାରୁ ଅକ୍ଷୟ ପରିଜା ଓଡିଆ  ସିନେ ପ୍ରଯୋଜନାର ଯାତ୍ରା ଆରମ୍ଭ କରିଥିଲେ। ଏହି ସିନେମାକୁ ୨୦୦୮ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ପରେ ପରେ ସେ  ‘ଥୁକୁଲ୍‌’, ‘କେହି ନୁହେଁ କାହାର’, ‘ଅଗସ୍ତ୍ୟ’, ‘ବାଏ ବାଏ ଦୁବାଇ’ ପରି ଅନେକଗୁଡ଼ିଏ ହିଟ୍‌ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକଙ୍କୁ ଉପହାର ଦେଇଛନ୍ତି। ହିନ୍ଦୀ, ବଙ୍ଗଳା ଓ ଅହମୀୟା ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଛି। ଓଡିଶାର ମୌଳିକ କଥାବସ୍ତୁ ଓ ଜୀବନଧାରାକୁ ନେଇ ଯେଉଁ ଅଳ୍ପ କେତେଜଣ ସିନେମା ପ୍ରଯୋଜକ ସାହସର ସହିତ ପୁଞ୍ଜି ଖଟାଉଛନ୍ତି, ସେମାନଙ୍କ ମଧ୍ୟରେ ଶ୍ରୀ ପରିଜା ଅନ୍ୟତମ। ଦୁଇ ମାସ ତଳେ ବଙ୍ଗଳା ଚଳଚ୍ଚିତ୍ର “ଗୋତ୍ର” ରେ ସେ ଭରପୂର ଓଡିଆ ସଂସ୍କୃତି ଓ ଜୀବନଧାରାର ପ୍ରୟୋଗ କରିଛନ୍ତି।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସେ ଡକ୍ୟୁ-ଡ୍ରାମା ଭାବରେ ବକ୍ସି ଜଗବନ୍ଧୁ ଓ ସମସାମୟିକ ସ୍ଵାଧୀନତା ସଂଗ୍ରାମର କାହାଣୀ ଆଧାରରେ ଏକ ସିନେମା ତିଆରି କରିଛନ୍ତି। ଏହି ସିନେମାକୁ ଚାରୋଟି ପୁରଷ୍କାର ମିଳିଛି। “ପାଇକ ବିଦ୍ରୋହ” ର ପ୍ରଯୋଜନା ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ପ୍ରଯୋଜକ ଭାବେ ସ୍ଵତନ୍ତ୍ର ଜୁରୀ ପୁରଷ୍କାର, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ, ଶ୍ରେଷ୍ଠ ଚିତ୍ର ଉତ୍ତୋଳନ ପାଇଁ ପ୍ରତାପ ରାଉତ ଓ ଶ୍ରେଷ୍ଠ ସମ୍ପାଦନା ପାଇଁ ଏ.ରସ୍ତୋଗୀଙ୍କୁ ଏହି ପୁରସ୍କାର ମିଳିବ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପୋଛିନେବା ପରେ ଶ୍ରୀ ପରିଜା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, “ମନମୋହନ ମହାପାତ୍ର, ପ୍ରଶାନ୍ତ ନନ୍ଦ ଓ ନୀଳମାଧବ ପଣ୍ଡାଙ୍କ ଭଳି ସୃଜନଶୀଳ ନିର୍ଦ୍ଦେଶକମାନଙ୍କ ସହ କାମ କରିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ସବୁବେଳେ ଗୌରବବୋଧ କରିଛି। ସେମାନଙ୍କର ପ୍ରତିଭା ମୋତେ ଆଲୋକିତ କରିଛି। ଭବିଷ୍ୟତରେ ମୌଳିକ ଓଡିଆ ସିନେମା ତିଆରି କରିବା ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଗତିଶୀଳ ଚଳଚ୍ଚିତ୍ର ନୀତି ଆମକୁ ଅଧିକ ସହାୟକ ହୋଇପାରିବ।ଏହି ପୁରସ୍କାର ଲାଗି ମୁଁ ଆମର ଦର୍ଶକ ତଥା ରାଜ୍ୟ ସରକାରଙ୍କ ପାଖରେ କୃତଜ୍ଞ।

ଚଳିତ ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ରର ପୁରସ୍କାରରେ ଅକ୍ଷୟ ପରିଜାଙ୍କ ‘ଭିଜା ମାଟିର ସ୍ବପ୍ନ’ ପାଇଥିବାବେଳେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ‘ପେନସନ୍‌’କୁ ମିଳିଛି। ସେହିପରି ଶ୍ରେଷ୍ଠ ଧାରାବାହିକ ଭାବେ ‘ରହିଛି ରହିବି ତୋରି ପାଇଁ’କୁ ଚୟନ କରାଯାଇଛି।