Categories
ଆଞ୍ଚଳିକ

ବାଣପୁର: ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ସୀତାରାମ ଅଗ୍ରୱାଲ
ବାଣପୁର: ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ନୂତନ ଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ଏହାର ସୁ ବିନିଯୋଗ ନିମନ୍ତେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଧେଶ ଅଛି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପ୍ରଶାସନ ଯେଉଁ କେନ୍ଦ୍ର ଅଧୀନରେ ଗୃହ ନିର୍ମାଣ ହୋଇନାହିଁ, ସେଠାରେ କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଛି। କିନ୍ତୁ କେନ୍ଦ୍ର ନିର୍ମାଣ ହେବାନେଇ ଜାଗା ନିରୂପଣ ଏବେ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି। ବହୁତ କ୍ଷେତ୍ରରେ ସ୍କୁଲ ପରିସରରେ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ କେତେକ କେନ୍ଦ୍ରରେ ନିର୍ମାଣ ପାଇଁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି।

ପ୍ରକାଶ ଥାଉକି ବାଣପୁର ବ୍ଲକ ଅଧିନସ୍ଥ ଆୟତପୁର ଗ୍ରାମ ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମର ସ୍କୁଲ ପରିସରରେ ଗୋପୀନାଥ ପ୍ରସାଦ ମୌଜାର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବାର ନିଷ୍ପତ୍ତିକୁ ପାଳଧୁଆପଲ୍ଲୀ ଗ୍ରାମବାସୀ ବିରୋଧ କରିଛନ୍ତି। ଉକ୍ତ ଅଭିଯୋଗ ପତ୍ର ସେମାନେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଓ ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ଦେଇଥିବା ବେଳେ ବିଡ଼ିଓ ଏହାକୁ ତନଖି କରି ନିଷ୍ପତ୍ତି ନେବା ନିମିତ୍ତ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗୋପୀନାଥ ପ୍ରସାଦ ମୌଜାରେ ସରକାରୀ ଜାଗା ଥିବା ସତ୍ତ୍ୱେ ଆମ୍ଭ ଗ୍ରାମର ସ୍କୁଲ ଭିତରେ କେନ୍ଦ୍ର ନିର୍ମାଣ କରିବାକୁ ଉକ୍ତ ଗ୍ରାମବାସୀ ଜୋରଜବରଦସ୍ତ ମସୁଧା ଚଳାଇଛନ୍ତି। ଯାହା ଫଳରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଖେଳକୁଦ ନିମନ୍ତେ ଜାଗା ସଂକୀର୍ଣ୍ଣ ହୋଇଯିବ। ୪ ବର୍ଷ ପୂର୍ବରୁ ଏହିଭଳି ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିବା କାରଣରୁ ତାହା ବନ୍ଦ ହୋଇଥିବା ସ୍ଥଳେ ବର୍ତ୍ତମାନ ପୁଣି ମସୁଧା କରିବା ଦୁଃଖ ଓ ପରିତାପର ବିଷୟ। ତେଣୁ ଗ୍ରାମବାସୀ ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ବନ୍ଦ କରିବାକୁ ଶତାଧିକ ଗ୍ରାମବାସୀ ବିଡ଼ିଓଙ୍କୁ ନିବେଦନ କରିଛନ୍ତି।