Categories
ଆଞ୍ଚଳିକ

ସ୍କୁଲ ପରିସରରେ ଅଙ୍ଗନୱାଡି ଗୃହ ନିର୍ମାଣ ମାମଲା: ବାଣପୁର ବିଡିଓଙ୍କୁ ପୁଣି ଅଭିଯୋଗ କଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଆୟତ୍ତପୁର ଗ୍ରାମ ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମର ଶତାଧିକ ଗ୍ରାମବାସୀ ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନୱାଡି ଗୃହ ନିର୍ମାଣକୁ ବିରୋଧ କରି ଆଜି ପୂର୍ବାହ୍ନରେ ପୁନର୍ବାର ବିଡ଼ିଓ ଶୀତଲ ଅଗ୍ରୱାଲଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଗୋପୀନାଥ ପ୍ରସାଦ (ଖ ) ନାମରେ ଆସିଥିବା ଅଙ୍ଗନୱାଡି ଗୃହକୁ ପାଳଧୁଆ ପଲ୍ଲୀ ମୌଜାରେ ଥିବା ପ୍ରାଥମିକ ସ୍କୁଲ ପରିସରରେ ନିର୍ମାଣ କରିବାକୁ ପ୍ରଶାସନ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ପାଳଧୁଆପଲ୍ଲୀ ମୌଜାର ବହୁ ଜାଗା ଉକ୍ତ ଗ୍ରାମବାସୀ ଅକ୍ତିଆର କରି ରଖିଥିବା ବେଳେ ଏବଂ ତାହା ସମାଧାନ ହୋଇନଥିବା ବେଳେ ପୁଣି ସ୍କୁଲ ଗୃହ ଅକ୍ତିଆର କରିବାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଯାହାଫଳରେ ସ୍କୁଲ ନିମନ୍ତେ ଖେଳ ପଡିଆ ଓ ଆବଶ୍ୟକ କାର୍ଯ୍ୟର ଭିତ୍ତିଭୂମି ଅଭାବ ଥିବା ସତ୍ତ୍ୱେ ଏଠାରେ ଗୃହ ନିର୍ମାଣ କଦାପି କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଏହା ପୂର୍ବରୁ ଗ୍ରାମବାସୀ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିବା ବେଳେ ବିଡ଼ିଓ ଗ୍ରାମକୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଆଜି ପୁନର୍ବାର ଗ୍ରାମବାସୀ ଅଭିଯୋଗ ପ୍ରଦାନ କରିଥିବାରୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ସରକାରୀ ନିୟମ ମୁତାବକ କାର୍ଯ୍ୟ କରିବାକୁ ପାଳଧୁଆପଲ୍ଲୀ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।