Categories
ଆଜିର ଖବର ଜାତୀୟ ଖବର

ବନ୍ୟା ବିପର୍ଯ୍ୟୟ ପରେ ସହାୟତା ଓ ବିକାଶ କାର୍ଯ୍ୟ ପାଇଁ ରିଲାଏନ୍ସ ପକ୍ଷରୁ ୨୫ କୋଟି ଟଙ୍କାର ଯୋଗଦାନ

ମୁମ୍ବଇ: ଉତ୍ତରାଖଣ୍ଡ ରାଜ୍ୟରେ ନିଜର ନିରନ୍ତର ସାମାଜିକ ବିକାଶ ପ୍ରୟାସ ଜାରି ରଖି ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ ପୁନଃନିର୍ମାଣରେ ସହାୟତା କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ଅନନ୍ତ ଅମ୍ବାନିଙ୍କ ଜରିଆରେ ୨୫ କୋଟି ଟଙ୍କାର ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଉତ୍ତରାଖଣ୍ଡରେ ବିକାଶ କାର୍ଯ୍ୟ ଜାରି ରଖିବାର ପ୍ରତିବଦ୍ଧତା ସମ୍ପର୍କରେ ଅନନ୍ତ ଅମ୍ବାନି କହିଛନ୍ତି, “ଆମେ ଉତ୍ତରାଖଣ୍ଡ ଜନସାଧାରଣଙ୍କ ସହିତ ବିଗତ ଏକ ଦଶକରୁ ସୁଖ ଦୁଃଖରେ ଗଭୀର ସମ୍ପର୍କ ନିଭାଇ ଆସୁଛୁ। ସଙ୍କଟ ସମୟରେ ରାଜ୍ୟ ଏବଂ ଏହାର ଅଧିବାସୀଙ୍କ ଅଭୂତପୂର୍ବ ସହନଶକ୍ତି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ସମ୍ପ୍ରତି ଉତ୍ତରାଖଣ୍ଡରେ ଆମେ ଯେତେବେଳେ ଆମ ସମ୍ପର୍କର ଦଶବର୍ଷ ପୂରଣ କରୁଛୁ, ଏହି ସମ୍ପର୍କକୁ ଅଧିକ ନିବିଡ କରିବା ସକାଶେ ଆମେ ରାଜ୍ୟର କଲ୍ୟାଣ ନିମନ୍ତେ ସାର୍ଥକ ଯୋଗଦାନ ରଖୁଛୁ।”

ଚଳିତ ବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଉତ୍ତରାଖଣ୍ଡରେ ଭୀଷଣ ବର୍ଷା କାରଣରୁ ସୃଷ୍ଟି ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ଯୋଗୁ ବିପୁଳ ଧନ ଜୀବନ ହାନି ଘଟିଛି। ୨୦୧୩ରେ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେ ଉତ୍ତରାଖଣ୍ଡ ସହିତ କଠିନ ସମୟରେ ରିଲାଏନ୍ସ ଛିଡା ହୋଇଛି। ଦୂର ଦୂରାନ୍ତ ଅଞ୍ଚଳରେ ପହଞ୍ଚିବା କ୍ଷେତ୍ରରେ ଅନ୍ୟତମ ପ୍ରଥମ ସଂଗଠନ ଭାବରେ ରିଲାଏନ୍ସ ଫାଉଣ୍ଡେସନ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା, ସେମାନଙ୍କୁ ସହାୟତା ଏବଂ ଆଶ୍ରୟ ଯୋଗାଇ ଦେଇଥିଲା ଏବଂ ସେମାନଙ୍କ ଜୀବନ ପୁନଃନିର୍ମାଣ ଦିଗରେ ପ୍ରୟାସ କରିଥିଲା। ସ୍ଥାନୀୟ ଜନସାଧାରଣଙ୍କ ଅଧିକ ପ୍ରତିରୋଧୀ କ୍ଷମତା ବିକାଶ କରିବା ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ, ବିଭିନ୍ନ ସଂସ୍ଥାନଗୁଡିକର ପୁନଃନିର୍ମାଣ କରାଯାଇଛି, ଯେଉଁଥିରେ ଦୁଇଟି ବିଦ୍ୟାଳୟ ମଧ୍ୟ ସାମିଲ ଥିଲା। ଉକ୍ତ ବିଦ୍ୟାଳୟ ଦୁଇଟି ୩୦ଟି ଗ୍ରାମର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଳା। ରିଲାଏନ୍ସ ୨୦୨୧ ବନ୍ୟା ପରବର୍ତ୍ତୀ ସମୟରେ ଏବଂ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କୁ ସହାୟତା କରିଥିଲା।

ଉତ୍ତରାଖଣ୍ଡ ସରକାର ଏବଂ ଅନ୍ୟାନ୍ୟ ସଂଗଠନଗୁଡିକର ସହଯୋଗରେ ରିଲାଏନ୍ସ ବିଭିନ୍ନ ସାମାଜିକ ପ୍ରୟାସ କରିଛି। ଏହା ଗ୍ରାମୀଣ ଜନସାଧାରଣଙ୍କୁ ସହାୟତା କରିବା ସହିତ ପ୍ରାୟ ୫ ଲକ୍ଷ ଘନମିଟର ଜଳ ସଞ୍ଚୟ କ୍ଷମତା ନିର୍ମାଣରେ ସହାୟତା କରିଥିଲା, ଯେଉଁଥିରେ ୯୦ଟି ଗ୍ରାମରେ କୃଷି ଓ ପିଇବା ଉଦ୍ଦେଶ୍ୟରେ ପାଣି ଉପଲବ୍ଧତା ପରିସ୍ଥିତିରେ ସୁଧାର ଆସିଥିଲା। ଏହା ବ୍ୟତୀତ ବିଭିନ୍ନ ସାମଗ୍ରିକ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଦ୍ୱାରା ଚିକିତ୍ସା ସେବାକୁ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହାୟତା ମିଳିଥିଲା। ସାମଗ୍ରିକ ବିକାଶରେ ପ୍ରଶିକ୍ଷିତ ୧୫୦୦ ମହିଳା ଏବଂ ଗ୍ରାମପଞ୍ଚାୟତଗୁଡିକର ୧୨୦୦ ପ୍ରତିନିଧିଙ୍କ ମଧ୍ୟରେ ଅନେକ ତୃଣମୂଳ ସ୍ତରର ଅଗ୍ରଦୂତ ପାଲଟିଥିଲେ।

ବିକାଶ ନିମନ୍ତେ କ୍ରୀଡାର ବିପୁଳ ସମର୍ଥକ ରିଲାଏନ୍ସ ନିଜର ଶିକ୍ଷା ଏବଂ ‘ସମସ୍ତଙ୍କ ପାଇଁ ଖେଳ କାର୍ଯ୍ୟକ୍ରମ’ ମାଧ୍ୟମରେ ଫୁଟବଲ, ବାସ୍କେଟବଲ ଏବଂ ଆଥଲେଟିକ୍ସ ନିମନ୍ତେ ରାଜ୍ୟର ୩.୮ ଲକ୍ଷରୁ ଅଧିକ ପିଲା ଓ ଯୁବବର୍ଗଙ୍କୁ ନିଜର ପୂର୍ଣ୍ଣ ସହଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କୁ କ୍ରୀଡା ସହିତ ଯୋଡିହେବାରେ ସହାୟତା କରିଛି। ୨୦୧୮ ଓ ୨୦୧୯ରେ ଅଦ୍ୱିତୀୟ ଚିରବତୀୟା ଲୁଥିଆଗ ମାରାଥନ ରେ ସମସ୍ତ ବର୍ଗଙ୍କୁ ଏକତ୍ର କରିବା, ପ୍ରତିଭା ପ୍ରଦର୍ଶନ ଏବଂ ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବାରେ ସହାୟତା କରିଥିଲା।

‘ୱି କେୟାର’ ଭାବନା ଆଧାରରେ ରିଲାଏନ୍ସ ଭାରତରେ ସବୁ ସ୍ଥାନରେ ଜନସାଧାରଣଙ୍କର ସମାବେଶୀ ବିକାଶ ଏବଂ କଲ୍ୟାଣ ନିମନ୍ତେ ପ୍ରତିବଦ୍ଧ ରହିଛି।

ଉତ୍ତରାଖଣ୍ଡ ଜନସାଧାରଣଙ୍କୁ ସେମାନଙ୍କ ଆନନ୍ଦ ଓ ସମୃଦ୍ଧିରେ ଆଉ ଅଧିକ ସହଯୋଗ ଯୋଗାଇଦେବା ଏହି ଯୋଗଦାନର ଉଦ୍ଦେଶ୍ୟ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ସୁପାରିସ

ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଲାଗି ମାନବ ସମ୍ବଳ, ମନୋନୟନ ଓ ବେତନ କମିଟିର ସୁପାରିସକୁ ଅଂଶଧନକାରୀମାନଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ଅଂଶଧନକାରୀମାନଙ୍କ ମଞ୍ଜୁରି ମିଳିବା ପରେ ଯେଉଁ ଦିନଠାରୁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ।

ଭାରତରେ ଅଧିକ ପ୍ରଭାବ ସୃଷ୍ଟି କରିବାରେ ରିଲାଏନ୍ସ ଫାଉଣ୍ଡେସନକୁ ସକ୍ଷମ କରାଇବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଲାଗି ଅଧିକ ଶକ୍ତି ଓ ସମୟ ଦେବା ପାଇଁ ନୀତା ଅମ୍ବାନି ନେଇଥିବା ନିଷ୍ପତ୍ତି କୁ ସମ୍ମାନ ଜଣାଇ ତାଙ୍କ ଇସ୍ତଫାକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ଗ୍ରହଣ କରାଯାଇଛି । ପ୍ରତିଷ୍ଠାତା ଅଧ୍ୟକ୍ଷା ଭାବେ ରିଲାଏନ୍ସ ଫାଉଣ୍ଡେସନରେ ନୀତା ଅମ୍ବାନିଙ୍କ ନେତୃତ୍ୱକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ପ୍ରଶଂସା କରାଯାଇଛି । କିଛି ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଉପେକ୍ଷୀତ ଓ ଅନଗ୍ରସର ସମୁଦାୟକୁ ସଶକ୍ତ ଓ ସମୃଦ୍ଧ କରିବାର ଲକ୍ଷ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ନୂଆ କାର୍ଯ୍ୟକ୍ରମ ଓ ଅଭିଯାନ ଜରିଆରେ ଆହୁରି ବଡ଼ ଧରଣର ସାମାଜିକ ପରିବର୍ତନ ହାସଲ କରିବାର ଯାତ୍ରା ଆରମ୍ଭ ହୋଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନକୁ ଆହୁରି ସଶକ୍ତ କରିବା ପାଇଁ ନୀତା ଅମ୍ବାନିଙ୍କ ଅନୁରୋଧକୁ ସେମାନେ ପ୍ରଶଂସା କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ଆର୍‌ଆଇଏଲ୍‌ର ବୋର୍ଡ ବୈଠକଗୁଡ଼ିକରେ ସ୍ଥାୟୀ ଆମନ୍ତ୍ରୀତ ସଦସ୍ୟା ରୂପେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ନୀତା ଅମ୍ବାନି ଯୋଗ ଦେବେ, ଫଳରେ ତାଙ୍କ ପରାମର୍ଶରୁ କଂପାନି ଉପକୃତ ହୋଇପାରିବ ।

ଗତ କିଛି ବର୍ଷ ଧରି ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନି ଆର୍‌ଆଇଏଲ୍‌ର ପ୍ରମୁଖ ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇରହିଥିବା ବେଳେ ରିଟେଲ୍‌, ଡିଜିଟାଲ୍ ସେବା, ଶକ୍ତି ଓ ଉପକରଣ ବ୍ୟବସାୟର ପରିଚାଳନା ଓ ନେତୃତ୍ୱ ଭାର ଗ୍ରହଣ କରିଛନ୍ତି । ଆର୍‌ଆଇଏଲ୍‌ର ପ୍ରମୁଖ ସହଯୋଗୀ ସଂସ୍ଥାଗୁଡ଼ିକର ବୋର୍ଡରେ ମଧ୍ୟ ସେମାନେ ସେବା ପ୍ରଦାନ କରୁଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆର୍‌ଆଇଏଲ୍‌ର ବୋର୍ଡରେ ସେମାନଙ୍କ ନିଯୁକ୍ତି ଦ୍ୱାରା ଆରଆଇଏଲ୍‌କୁ ସେମାନଙ୍କ ବୁଦ୍ଧିର ଲାଭ ମିଳିବ ଏବଂ ନୂଆ ଚିନ୍ତାଧାରାକୁ ସାମିଲ କରାଯାଇପାରିବ ।

Categories
ଆଜିର ଖବର

ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତଙ୍କ ସହ ରାଧିକାଙ୍କ ନିର୍ବନ୍ଧ, ଜାଣନ୍ତୁ କଣ ସବୁ ହେଲା

ମୁମ୍ବାଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ନିର୍ବନ୍ଧ କାର୍ଯ୍ୟ ମୁମ୍ବଇସ୍ଥିତ ଅମ୍ବାନୀ ନିବାସରେ ଅନୁଷ୍ଠିତ ହୋଇଥିଲା।

ଗୁଜରାଟି ହିନ୍ଦୁ ପରିବାରରେ ପିଢି ପରେ ପିଢି ପ୍ରଚଳିତ ହୋଇଆସୁଥିବା ଶହ ଶହବର୍ଷ ପୁରାତନ ଗୋଲ୍‍-ଧନା ଏବଂ ଚୁନରୀ ବିଧି ଆଦି ପରମ୍ପରା ସମାରୋହ ସ୍ଥଳ ଏବଂ ପରିବାରିକ ମନ୍ଦିରରେ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହୋଇଥିଲା। ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ। ଅନନ୍ତଙ୍କ ମା’ ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।

ଗୋଲ୍‍-ଧନାର ଅର୍ଥ ହେଉଛି ଗୁଡ ଏବଂ ଧନିଆ ମଞ୍ଜି, ଗୁଜରାଟୀ ପରମ୍ପରାରେ ଗୋଲ୍‍-ଧନା ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ। କାର୍ଯ୍ୟକ୍ରମ ସମୟରେ ଏହି ବସ୍ତୁକୁ ବର ଘର ଲୋକଙ୍କୁ ବିତରଣ କରାଯାଏ। କନ୍ୟା ପକ୍ଷ ପରିବାର ବର ଘରକୁ ଉପହାର ଏବଂ ମିଠାଇ ଧରି ଆସନ୍ତି ଏବଂ ବର ଓ କନ୍ୟା ଉଭୟ ପରସ୍ପରକୁ ମୁଦି ପିନ୍ଧାନ୍ତି। ଏହାପରେ ବର ଓ କନ୍ୟା ସେମାନଙ୍କ ପରିବାରର ବୟସ୍କ ଲୋକଙ୍କ ନିକଟରୁ ଆଶୀର୍ବାଦ ନେଇଥାନ୍ତି।

ସନ୍ଧ୍ୟାରେ ନିର୍ବନ୍ଧ ଉତ୍ସବ ପାଇଁ ସର୍ବପ୍ରଥମେ ଅନନ୍ତଙ୍କ ଭଉଣୀ ଇଶା ଏବଂ ପରିବାରର ଅନ୍ୟ ସଦସ୍ୟଗଣ ରାଧିକାଙ୍କୁ ତାଙ୍କ ବାସଭବନକୁ ଯାଇ ଆମନ୍ତ୍ରିତ କରିଥିଲେ। ତତ୍‍ପରେ ଅମ୍ବାନୀ ପରିବାର ନିଜ ବାସଭବନରେ ଆରତୀ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ କନ୍ୟା ପକ୍ଷଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ବର ଓ କନ୍ୟା ଯୋଡିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ନେବାକୁ ସମୁଦାୟ ପରିବାର ଅନନ୍ତ ଓ ରାଧିକାଙ୍କ ସହିତ ମନ୍ଦିର ଯାଇଥିଲେ । ସେଠାରୁ ସମସ୍ତେ ଗଣେଶଙ୍କ ପୂଜା ନିମନ୍ତେ ସମାରୋହ ସ୍ଥଳକୁ ଯାଇଥିଲେ। ସେଠାରେ ଲଗ୍ନ ପଞ୍ଜିକା ପାଠ କରାଯାଇଥିଲା।

ଗୋଲ୍‍-ଧନା ଓ ଚୁନରୀ ବିଧି ସମ୍ପନ୍ନ ହେବାପରେ ଅନନ୍ତ ଏବଂ ରାଧିକାଙ୍କ ପରିବାର ମଧ୍ୟରେ ଉପହାର ଆଦାନ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏକ ଭବ୍ୟ ଏବଂ ଚମତ୍କାର ନୃତ୍ୟ କରାଯାଇଥିଲା। ଏହାକୁ ଉପସ୍ଥିତି ବ୍ୟକ୍ତି ବିଶେଷ ଭୂୟସୀ ପ୍ରଶଂସା କରିଥିଲେ।

ଭଉଣୀ ଇଶା ନିର୍ବନ୍ଧ ପର୍ବ ଆରମ୍ଭ ସମ୍ପର୍କରେ ଘୋଷଣା କରିବା ମାତ୍ରେ ଅନନ୍ତ ଏବଂ ରାଧିକା ନିଜ ପରିବାର ଓ ସାଙ୍ଗସାଥୀଙ୍କ ସମ୍ମୁଖରେ ପରସ୍ପର ପରସ୍କରକୁ ମୁଦି ପିନ୍ଧାଇ ସେମାନଙ୍କର ଆଶୀର୍ବାଦ କାମନା କରିଥିଲେ।

ଅନନ୍ତ ଏବଂ ରାଧିକା କିଛିବର୍ଷ ହେଲା ପରସ୍ପରକୁ ଜାଣିଛନ୍ତି ଏବଂ ଅନୁଷ୍ଠିତ ନିର୍ବନ୍ଧ ଉତ୍ସବ ରୀତି ନୀତିରେ ଉଭୟ ପରସ୍ପରର ଅଧିକ ନିକଟତର ହେବା ସୁଯୋଗ ପାଇଛନ୍ତି । ଉଭୟଙ୍କ ପରିବାର ରାଧିକା ଏବଂ ଅନନ୍ତଙ୍କ ପାଇଁ ସମସ୍ତଙ୍କ ନିକଟରୁ ଆଶୀର୍ବାଦ ଓ ଶୁଭକାମନା ଲୋଡିଛନ୍ତି ।

ନୀତା ଓ ମୁକେଶ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଆମେରିକାସ୍ଥିତ ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି ଏବଂ ସେବେଠାରୁ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବିଭିନ୍ନ କ୍ଷମତାରେ ସଂଯୁକ୍ତ ହୋଇ ରହିଛନ୍ତି । ସେ ଜିଓ ପ୍ଲାଟଫର୍ମସ୍‍ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ବୋର୍ଡରେ ରହିଛନ୍ତି। ସେ ବର୍ତ୍ତମାନ ରିଲାଏନ୍ସର ଶକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି । ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି ଏବଂ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।