ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ସୁପାରିସ

Published: Aug 29, 2023, 9:59 am IST

ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଲାଗି ମାନବ ସମ୍ବଳ, ମନୋନୟନ ଓ ବେତନ କମିଟିର ସୁପାରିସକୁ ଅଂଶଧନକାରୀମାନଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ଅଂଶଧନକାରୀମାନଙ୍କ ମଞ୍ଜୁରି ମିଳିବା ପରେ ଯେଉଁ ଦିନଠାରୁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ।

ଭାରତରେ ଅଧିକ ପ୍ରଭାବ ସୃଷ୍ଟି କରିବାରେ ରିଲାଏନ୍ସ ଫାଉଣ୍ଡେସନକୁ ସକ୍ଷମ କରାଇବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଲାଗି ଅଧିକ ଶକ୍ତି ଓ ସମୟ ଦେବା ପାଇଁ ନୀତା ଅମ୍ବାନି ନେଇଥିବା ନିଷ୍ପତ୍ତି କୁ ସମ୍ମାନ ଜଣାଇ ତାଙ୍କ ଇସ୍ତଫାକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ଗ୍ରହଣ କରାଯାଇଛି । ପ୍ରତିଷ୍ଠାତା ଅଧ୍ୟକ୍ଷା ଭାବେ ରିଲାଏନ୍ସ ଫାଉଣ୍ଡେସନରେ ନୀତା ଅମ୍ବାନିଙ୍କ ନେତୃତ୍ୱକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ପ୍ରଶଂସା କରାଯାଇଛି । କିଛି ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଉପେକ୍ଷୀତ ଓ ଅନଗ୍ରସର ସମୁଦାୟକୁ ସଶକ୍ତ ଓ ସମୃଦ୍ଧ କରିବାର ଲକ୍ଷ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ନୂଆ କାର୍ଯ୍ୟକ୍ରମ ଓ ଅଭିଯାନ ଜରିଆରେ ଆହୁରି ବଡ଼ ଧରଣର ସାମାଜିକ ପରିବର୍ତନ ହାସଲ କରିବାର ଯାତ୍ରା ଆରମ୍ଭ ହୋଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନକୁ ଆହୁରି ସଶକ୍ତ କରିବା ପାଇଁ ନୀତା ଅମ୍ବାନିଙ୍କ ଅନୁରୋଧକୁ ସେମାନେ ପ୍ରଶଂସା କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ଆର୍‌ଆଇଏଲ୍‌ର ବୋର୍ଡ ବୈଠକଗୁଡ଼ିକରେ ସ୍ଥାୟୀ ଆମନ୍ତ୍ରୀତ ସଦସ୍ୟା ରୂପେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ନୀତା ଅମ୍ବାନି ଯୋଗ ଦେବେ, ଫଳରେ ତାଙ୍କ ପରାମର୍ଶରୁ କଂପାନି ଉପକୃତ ହୋଇପାରିବ ।

ଗତ କିଛି ବର୍ଷ ଧରି ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନି ଆର୍‌ଆଇଏଲ୍‌ର ପ୍ରମୁଖ ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇରହିଥିବା ବେଳେ ରିଟେଲ୍‌, ଡିଜିଟାଲ୍ ସେବା, ଶକ୍ତି ଓ ଉପକରଣ ବ୍ୟବସାୟର ପରିଚାଳନା ଓ ନେତୃତ୍ୱ ଭାର ଗ୍ରହଣ କରିଛନ୍ତି । ଆର୍‌ଆଇଏଲ୍‌ର ପ୍ରମୁଖ ସହଯୋଗୀ ସଂସ୍ଥାଗୁଡ଼ିକର ବୋର୍ଡରେ ମଧ୍ୟ ସେମାନେ ସେବା ପ୍ରଦାନ କରୁଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆର୍‌ଆଇଏଲ୍‌ର ବୋର୍ଡରେ ସେମାନଙ୍କ ନିଯୁକ୍ତି ଦ୍ୱାରା ଆରଆଇଏଲ୍‌କୁ ସେମାନଙ୍କ ବୁଦ୍ଧିର ଲାଭ ମିଳିବ ଏବଂ ନୂଆ ଚିନ୍ତାଧାରାକୁ ସାମିଲ କରାଯାଇପାରିବ ।

Related posts