Categories
ଆଜିର ଖବର ଜାତୀୟ ଖବର

ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା। ଏହା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ପ୍ରାୟ ଚାରି ଦଶନ୍ଧିର ଏ ଦୁର୍ଦ୍ଦଶା ଆଜି ବି ଆମକୁ ମର୍ମାହତ କରୁଛି।

ରେଙ୍ଗାଳି ଯୋଜନାରେ ୧୯୭୩ ମସିହାରେ ଅନୁଗୋଳ ଜିଲ୍ଲାର ପାଲଲହଡା, ତାଳଚେର ଏବଂ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଅନେକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା । କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି  ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଗଲା । ଏ ଭିତରେ ବ୍ରାହ୍ମଣୀରେ ଅନେକ ପାଣି ବହିଗଲାଣି । ନ୍ୟାୟ ପାଇଁ ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ମଧ୍ୟ ହୋଇଗଲାଣି । ତଥାପି ବିସ୍ଥାପିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।

ବିସ୍ଥାପିତଙ୍କ ହକ୍ ପାଇଁ ଗଡ଼ଜାତ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଏକଦା ଆନ୍ଦୋଳନର ଡାକରା ଦେଇଥିଲେ । ତାଙ୍କ ଅବର୍ତ୍ତମାନରେ ଅନୁରୂପ ବଳିଷ୍ଠ ନେତୃତ୍ୱର ଅଭାବରୁ କ୍ଷତିଗ୍ରସ୍ତଙ୍କୁ ଆଉ ନ୍ୟାୟ ମିଳିଲା ନାହିଁ, ଯାହା ଦୁଃଖର ବିଷୟ। ଗରିବ, ଖଟିଖିଆ, ଚାଷୀ, ପଛୁଆ ବର୍ଗ, ତଥା ଦଳିତ ଓ ଆଦିବାସୀ ଜନସାଧାରଣ ବର୍ଗର ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ବିସ୍ଥାପିତ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ସମ୍ବଳ ନ ଥିବାରୁ ଆଜି ନିଜକୁ ଉପେକ୍ଷିତ ଓ ଅପମାନିତ ମଣୁଛନ୍ତି । ଏପରିକି ଗଡ଼ଜାତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଏହା ଚରମ  ପ୍ରତିଫଳନ ବୋଲି ମଧ୍ୟ ବିଚାରୁଛନ୍ତି ।

ପାଲଲହଡ଼ା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ବାସଚ୍ୟୁତ ଜନସାଧାରଣଙ୍କ ଦୁରବସ୍ଥା ଆଜି ସୀମା ଟପିବାକୁ ବସିଲାଣି । ସଂଘର ସଭ୍ୟମାନେ ୭ ଦଫା ଦାବି ନେଇ ରେଙ୍ଗାଳି ଜଳଭଣ୍ଡାର ସଂଲଗ୍ନ ପାଳଲହଡା ଦ୍ଵିତୀୟ ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏବେ ଜଳ ସତ୍ୟାଗ୍ରହ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଉକ୍ତ ଜଳଭଣ୍ଡାରରେ ସେମାନେ ଜଳସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ବିସ୍ଥାପିତମାନଙ୍କ ସମସ୍ତ ଦାବିକୁ ସମ୍ମାନ ଜଣାଇ ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇବା ସହ ସମୟୋଚିତ ପଦକ୍ଷେପ ଗ୍ରହଣପୂର୍ବକ ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପରତା ପ୍ରକାଶ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ, ବିସ୍ଥାପିତଙ୍କ ୭ ଦଫା ଗୁଡିକ ହେଲା ଉଚ୍ଚକ୍ଷମତା ସମ୍ପୂର୍ଣ୍ଣ କମିଟିର ସୁପାରିଶ କ୍ରମେ ଏକର ପ୍ରତି ୫୦ ହଜାର ଅନୁକମ୍ପା ମୂଳକ ବନ୍ଧିତ କ୍ଷତିପୂରଣ ଟଙ୍କା ତୁରନ୍ତ ପ୍ରଦାନ କରିବା । ସ୍ଥାୟୀ ପଟ୍ଟା ପ୍ରଦାନ, ଖଣି ଖାଦାନ ଅଂଚଳରେ ବିସ୍ଥାପିତ ପରିବାରର ଜଣେ ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି, ସମସ୍ତ ବିସ୍ଥାପିତଙ୍କୁ ଗରିବ ଶ୍ରେଣୀ ଭୂକ୍ତ କରାଯାଇ ସେମାନଙ୍କୁ ରାସନ କାର୍ଡ ଏବଂ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା, ରେଙ୍ଗାଳି ପାଓ୍ବାର ହାଉସର ଉତ୍ପାଦିତ ବିଦ୍ୟୁତରୁ ସମସ୍ତ ବିସ୍ଥାପିତଙ୍କୁ ଆଜୀବନ ମାଗଣା ବିଦ୍ୟୁତ ଲାଇନ ଯୋଗାଇବା ସହ ଚକଧର ସମାକୋଇ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ରହିଛି । ଏହାବ୍ୟତିତ ବିସ୍ଥାପିତ ହିନ୍ଦୁ ଦେବାଦେବୀ ଓ ସେବକ ପୂଜାରୀଙ୍କ ଚିହ୍ନଟ ପଞ୍ଜିକରଣ, ମନ୍ଦିରର ପୁନରୁଦ୍ଧାର, ଉନ୍ନତି କରଣ ପାଇଁ ସେମାନେ ଦାବି ରଖିଛନ୍ତି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୫ଟି ଅତ୍ୟାଧୁନିକ ହସପିଟାଲ ପାଇଁ ହେବ ଚୁକ୍ତି ସ୍ବାକ୍ଷରିତ, ଜାଣନ୍ତୁ କେଉଁଠି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବେ। ତାହା ହେଲା ଆଜି ଅପରାହ୍ନରେ ରାଜ୍ୟର ୫ ଟି ସ୍ଥାନରେ ଅତ୍ୟାଧୁନିକ ହସପିଟାଲ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ। ଏହି ହସପିଟାଲ ଗୁଡିକ ପିପିପି ମୋଡରେ କରାଯିବ। ସେହି ସ୍ଥାନଗୁଡିକ ହେଲା ଝାରସୁଗୁଡ଼ା, ଅନୁଗୋଳ, ବଡ଼ବିଲ ଓ ଭଦ୍ରକ। ସେଠାରେ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ପି.ପି.ପି. ମାଧ୍ୟମରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଉପସ୍ଥିତିରେ ଚୁକ୍ତି କରାଯିବ।

ଖବର ଅନୁସାରେ ଝାରସୁଗୁଡାରେ ୧୨୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଟି ହସପିଟାଲ ଏବଂ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ ହସପିଟାଲ, ଅନୁଗୋଳରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟି ସ୍ପେସାଲିଟି ହସପିଟାଲ, ବଡବିଲରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ, ଭଦ୍ରକରେ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସିଆଲିଟ୍ ନିର୍ମାଣ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରୁ ଏହି ଷ୍ଟେସନ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ: ପ୍ରକଳ୍ପ ତଦାରଖ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହାବ୍ୟତିତ ବଅଁରପାଳ ବ୍ଲକର ବ୍ରିଜ ନଂ ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅଞ୍ଚଳରେ ନିର୍ମାଣାଧୀନ ରେଲ୍ ଲିଙ୍କର କାର୍ଯ୍ୟ ଦେଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ।  ଶ୍ରୀ ପ୍ରଧାନ ଷ୍ଟେସନରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଏହି ଅବସରରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳରୁ କୋଲକତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଚଳାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ଥିବା ଦୀର୍ଘ ଦିନର ଦାବୀ ରହିଥିଲା। ଏହାକୁ ମୋଦି ସରକାର ସ୍ୱୀକୃତି ଦେଇଛନ୍ତି। ଖୁବ ଶୀଘ୍ର ଏକ ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ । ଅନୁଗୋଳ ଓ ଢ଼େଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରୀ ରହିଛି। ଅନୁଗୋଳର ବହୃତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି। ତାଳଚେର, ତାଳଚେର ରୋଡ, ଅନୁଗୋଳ, ଢ଼େଙ୍କାନାଳ ଏହି ଚରୋଟି ରେଳ ଷ୍ଟେସନର ପୁନରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନର କାମ ଚାଲୁ ରହିଛି। ଖୁବ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫସିଆଇ ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନର କାମ ଆସନ୍ତା ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ।

ସେ ଆହୁରି କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତିତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୋଳ ଭଳି ଖଣି ଖଦାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କ ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡ଼ିଏମଏଫରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମସିଏଲ ୮ କୋଟିରୁ ଅଧିକ ଟଙ୍କା ଦେଇଛି। ତାଳଚେର ଗୋପାଳଗଡ଼ କଣିହାଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଏବଂ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୋଳ ଓ ଢ଼େଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।