Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଷ୍କର୍ମକାରୀଙ୍କୁ ସହଯୋଗ କରୁଛି ପୋଲିସ୍‌: ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୯.୧୨.୨୦୨୦ ତାରିଖରେ ସଦରଥାନା ଅନ୍ତର୍ଗତ ଜଗଦଳପୁର ଭଣ୍ଡାରୀ ସାହିରେ ଜନୈକ ଅନ୍ଧୁଣୀ ଝିଅଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ପୋଲିସ୍ ଗିରଫ କରିଥିଲା। ହେଲେ ଅଭିଯୋଗକାରୀଙ୍କୁ ପୋଲିସ୍ ନାନା ଅପଦସ୍ଥ କରୁଥିବା ନେଇ ଆଜି ପୀଡ଼ିତ ପରିବାର ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୨୯ ତାରିଖ ଦିନ ଉପରୋକ୍ତ ଗ୍ରାମର ଜନୈକ ଅନ୍ଧୁଣୀ ଝିଅ ଶୌଚପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବାବେଳେ ସାହିର ଅସାମାଜିକ ଯୁବକ ହରି ଡ଼ାକୁଆ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିଲା। ଯୁବତୀଟିର ପାଟିଶୁଣି ଦୁଇଭାଇ ବଂଚାଇବାକୁ ଆସିଥିବାବେଳେ ଦୁଷ୍କର୍ମକାରୀ ଗ୍ରାମର ହରିଡ଼ାକୁଆ ଉଭୟଙ୍କୁ ଆକ୍ରମଣ ମଧ୍ୟ କରିଥିଲା।

ଏନେଇ ଥାନାରେ ଦୁଇଟି ମାମଲା ହୋଇଥିବାବେଳେ ପୋଲିସ୍ ହରି ଡ଼ାକୁଆକୁ ଗିରଫ କରିଥିଲା। ତେବେ ହରି ଡ଼ାକୁଆ ଦେଇଥିବା ମାମଲାରେ ସଦରଥାନା ଏସ୍‌ଆଇ ଏସ୍‌କେ ପାଣିଗ୍ରାହୀ ଦୁଷ୍କର୍ମକାରୀଙ୍କୁ ସାହାଯ୍ୟ କରି ବାରମ୍ବାର ପୀଡ଼ିତ ପରିବାରକୁ ଥାନାକୁ ଡ଼କାଇ ହଇରାଣ କରିବା ସହ ଦୁଷ୍କର୍ମ ହୋଇନଥିବା ନେଇ କେସକୁ ରଫାଦଫା କରିବାକୁ ବାଧ୍ୟ କରୁଥିବା ନେଇ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି ପୀଡ଼ିତ ପରିବାର।

ପୋଲିସ୍‌ଠାରୁ ସାହାସ ପାଇ ହରିଡ଼ାକୁଆଙ୍କ ପରିବାର ବର୍ଗ ପୀଡ଼ିତ ପରିବାରକୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି। ଘଟଣାଟିକୁ ଚପାଇ ଦେବାକୁ ଏବଂ କମ ଦଫା ଲଗାଇବାକୁ ଶାସକ ଦଳର ଜଣେ ନେତା ଓ ଗ୍ରାମର କିଛି କୁଜି ନେତା ସହ ସଦରଥାନା ପୋଲିସ୍ ମିଳିତ ହୋଇ ଏଭଳି କାମ କରୁଛନ୍ତି। ଏଣୁ ତଦନ୍ତର ନିରପେକ୍ଷତା କିଛି ରହିବ ନାହିଁ। ଏହି ଘଟଣାଟିର ଉଚିତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ଧୁଣୀ ଝିଅଟିକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପୀଡ଼ିତ ପରିବାର ଏସ୍‌ପିଙ୍କୁ ଦାବି କରିଛନ୍ତି।