Categories
ଆଜିର ଖବର ଜାତୀୟ ଖବର

‘ମୋଦୀ ଉପନାମ’ ମାମଲା: ଗୁଜୁରାଟ ସରକାର ଏବଂ ଆବେଦନକାରୀଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସହ ଜଡିତ ଅପରାଧିକ ମାନହାନୀ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ବିଆର ଗଭଇଙ୍କ ଖଣ୍ଡପୀଠ ଏହି ମାମଲାରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ଏବଂ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ।

ଆଜି କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ଖଣ୍ଡପୀଣ୍ଠର ଅଧ୍ୟକ୍ଷ ଜଷ୍ଟିସ୍ ବିଆର ଗଭଇ ଏହି ମାମଲାରେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଶୁଣାଣି ପାଇଁ ଉଭୟ ପକ୍ଷଙ୍କ ପରାମର୍ଶ ଲୋଡିଥିଲେ। ଜଷ୍ଟିସ ଗଭଇ କହିଛନ୍ତି ଯେ, ମୋ ବାପା କଂଗ୍ରେସର ନିକଟତର ଥିଲେ। ଭାଇ ଏବେ ବି କଂଗ୍ରେସ ସଦସ୍ୟ। ଆପଣମାନେ ସ୍ଥିର କରନ୍ତୁ ଯେ, ମୁଁ ଏହାର ଶୁଣାଣି କରିବି କି ନାହିଁ?

ଯେତେବେଳେ ଜଷ୍ଟିସ୍ ଗଭଇ ଏପରି କହିଥିଲେ, ପୂର୍ଣ୍ଣେଶ ମୋଦୀଙ୍କ ପାଇଁ ହାଜର ହୋଇଥିବା ଓକିଲ ମହେଶ ଜେଠମାଲାନି କହିଥିଲେ ଯେ, ଆମର କୌଣସି ଆପତ୍ତି ନାହିଁ। ଏହା ପରେ ରାହୁଲ ଗାନ୍ଧୀଙ୍କ ଓକିଲ ଅଭିଷେକ ମନୁ ସିଂଭି ମଧ୍ୟ କହିଥିଲେ ଯେ, ଆମେ ତାଙ୍କ ବିବୃତ୍ତିରେ ମଧ୍ୟ ସହମତ। ଉଭୟ ପକ୍ଷ ରାଜି ହେବା ପରେ ଜଷ୍ଟିସ ଗଭଇ ଶୁଣାଣି ଆରମ୍ଭ କରିଥିଲେ। ଏବଂ ସେ କହିଥିଲେ ଯେ, ଆମେ ଆବେଦନକାରୀ ପୂର୍ଣ୍ଣେଶ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ ଆନୁଷ୍ଠାନିକ ନୋଟିସ ଜାରି କରୁଛୁ।

ଶୁଣାଣି ସମୟରେ ପୂର୍ଣ୍ଣେଶ ମୋଦୀଙ୍କ ଓକିଲ ଏକ ଜବାବ ଦାଖଲ କରିବାକୁ ଅନୁମତି ମାଗିଥିଲେ, ଯାହା ଖଣ୍ଡପୀଠ ଦ୍ୱାରା ଗ୍ରହଣ କରାଯାଇଥିଲା। ଶ୍ରୀ ଜେଠମାଲାନି କୋର୍ଟଙ୍କୁ କହିଥିଲେ ଯେ, ସେ ୧୦ ଦିନ ମଧ୍ୟରେ ଉତ୍ତର ଦେବେ। ଜଷ୍ଟିସ ଗଭଇ ଆସନ୍ତା ଅଗଷ୍ଟ ୪ ତାରିଖରେ ଶୁଣାଣି ପାଇଁ ସ୍ଥିର କରିଥିଲେ।