Categories
ଆଜିର ଖବର ଖେଳ ଜାତୀୟ ଖବର

ସେମିଫାଇନାଲ ମ୍ୟାଚ୍ ପାଇଁ ଘୋଷଣା ହେଲା ଅମ୍ପାୟାର, ନ୍ୟୁଜିଲ୍ୟାଣ୍ଡ ସହିତ ମୁମ୍ବାଇରେ ଭେଟିବ ଭାରତ

ନୂଆଦିଲ୍ଲୀ: ODI ବିଶ୍ୱକପ ର ଲିଗ୍ ମ୍ୟାଚ୍ ସମାପ୍ତ ହୋଇଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖ ବୁଧବାର ଦିନ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଇସିସି ଦ୍ୱାରା ଅମ୍ପାୟର ଘୋଷଣା କରାଯାଇଛି। ରିଚାର୍ଡ ଇଲିଙ୍ଗୱର୍ଥ ଏବଂ ରୋଡ୍ ଟକର୍ ମ୍ୟାଚ୍ ପାଇଁ ଫିଲ୍ଡ ଅମ୍ପାୟର ହେବେ। ତୃତୀୟ ଅମ୍ପାୟାରର ଦାୟିତ୍ ଜୋଏଲ ୱିଲସନଙ୍କୁ ଦିଆଯାଇଛି।

ଟୁର୍ଣ୍ଣାମେଣ୍ଟର ସମସ୍ତ ଲିଗ୍ ମ୍ୟାଚ୍ ରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ହାସଲ କରିଛି। ୫ ଟି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ପ୍ରଥମ ଏବଂ ଚତୁର୍ଥ ମାନ୍ୟତା ଦଳ ମଧ୍ୟରେ ଖେଳାଯିବ। ଏହା ପରେ ଦ୍ୱିତୀୟ ସେମିଫାଇନାଲ ପାଇଁ ଦୁଇ ନମ୍ବର ଏବଂ ତିନି ନମ୍ବର ଦଳ ମଧ୍ୟରେ ସଂଘର୍ଷ ହେବ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ୭-୭ ବିଜୟ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗୁରୁବାର ନଭେମ୍ବର ୧୬ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ। ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ତାରିଖ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ଅପରାଜିତ ରହିଥିବା ଏକମାତ୍ର ଦଳ ଥିଲା ଆୟୋଜକ ଭାରତ। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ୯ ଟି ମ୍ୟାଚ ମଧ୍ୟରୁ ୯ ଟି ଜିତିଥିଲା। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା। ଭାରତ କଙ୍ଗାରୁ ଦଳକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହା ପରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ରୋହିତ ବ୍ରିଗେଡ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଥିଲା।

ତେବେ ତୃତୀୟ ମ୍ୟାଚ୍‌ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା। ଏହା ପରେ ମେନ ଇନ୍ ବ୍ଲୁ ଚତୁର୍ଥ ମ୍ୟାଚ୍ ରେ ବାଂଲାଦେଶକୁ ୭ ୱିକେଟ୍, ପଞ୍ଚମରେ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟ୍, ଷଷ୍ଠରେ ଇଂଲଣ୍ଡ ୧୦୦ ରନ୍, ସପ୍ତମ ମ୍ୟାଚରେ ଶ୍ରୀଲଙ୍କାକୁ ୩୦୨ ରନ୍, ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍ ରେ ପରାସ୍ତ କରିଛି ଏବଂ ଅନ୍ତିମ ଲିଗରେ ନେଦରଲ୍ୟାଣ୍ଡକୁ ୧୬୦ ରନ୍ ରେ ରୋହିତ ବାହିନୀ ପରାସ୍ତ କରିଥିଲା।