Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୁନ୍ ୨୯ ରେ ‘ପ୍ରିୟେ ତୁ ମୋ ସିଏ’: ପ୍ରଥମଥର ଏକାଠି ଆସୁଛନ୍ତି ଅମ୍ଳାନ-ଏଲିନା

ଭୁବନେଶ୍ଵର: ଜୁନ୍ ୨୯ ତାରିଖରେ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ଆସୁଛି। ପ୍ରଥମଥର ପାଇଁ ଅମ୍ଳାନ ଓ ଏଲିନା ପରଦାକୁ ଏକାଠି ଆସୁଛନ୍ତି। ଏହି ଫିଲ୍ମରେ ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବେ ଦର୍ଶକ। ଅନେକ ଓଡିଆ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବେ ଦର୍ଶକ।

ଆଜି ଭୁବନେଶ୍ବରସ୍ଥିତ ହୋଟେଲ୍‌ ଶୀତଲ୍ ଠାରେ ପ୍ରଯୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖ ଘୋଷଣା କରାଯାଇଛି। ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଯ୍ୟ କହିଛନ୍ତି ଯେ, “ଆସନ୍ତା ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ଫିଲ୍ମ”। ଅମ୍ଳାନ, ଏଲିନା ଓ ବଵି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ‌, ସଙ୍ଗୀତ ନିର୍ଦ୍ଦୈଶକ ବୈଦ୍ୟନାଥ ଦାସ, କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରେମ ହେଇଯାଏ। କେଉଁଠି, କେମିତି, କେତେବେଳେ..। ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ। ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ। ଏମିତି କାହିଁକି ହେଲା, କେମିତି ହେଲା? କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା? ନିଆରା ପ୍ରେମ କାହାଣୀର, ନିଛକ ଛବି। ପ୍ରେମ-ପ୍ରତିଶ୍ରୁତି-ପାଗଲପନର ପ୍ରତିମୂର୍ତ୍ତୀ। ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚର। ଜାହାର ଶୀର୍ଷକ ରହିଛି ‘ପ୍ରିୟେ ତୁମୋ ସିଏ’।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ। ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ। କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା। ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ। ଫିଲ୍ମରେ ମୁଖ୍ୟ ଚରିତ୍ର ମାନଙ୍କ ବ୍ୟତୀତ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ନିଜେ ନିର୍ଦ୍ଦେଶକ ସୁଧାଶୁଂ ସାହୁ, ଅଭିନେତ୍ରୀ ସୋମା ଭୌମିକ, ଛନ୍ଦିତା ପାଢୀ ଓ ଇଷା ବେବର୍ତ୍ତା ଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ଆକୃଷ୍ଟ କରିବ ଦର୍ଶକଙ୍କୁ ଜୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ। ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି।

ଝିଲିକ ମୋସନ ପିକଚର୍ସ ବ୍ୟାନରରେ ‘ପ୍ରିୟେ ତୁମୋ ସିଏ’ ହେଉଛି ଚତୁର୍ଥ ଫିଲ୍ମ । ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏବେ ପ୍ରଯୋଜନା ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର। ଝିଲିକଙ୍କ ବ୍ୟାନରରେ ‘ରୁଦ୍ରାଣୀ’, ‘କିସମିସ’ ଏବଂ ‘ତୋର ମୋର କଟି’ ପରେ ଆସୁଛି ‘ପ୍ରିୟେ ତୁ ମୋ ସିଏ’। ସମସ୍ତ ଫିଲ୍ମକୁ ଦର୍ଶକଙ୍କ ବହୁମାତ୍ରାରେ ଭଲ ପାଇବା ମିଳିଥିଲା ଓ ଜୁନ୍ ୨୯ରେ ଆସୁଥିବା ଏହି ଏଲିନା – ଆମ୍ଳାନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆନ୍ତଃ ରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନ୍‌ସିପ୍: ଚମତ୍କାର ପ୍ରଦର୍ଶନ ଲକ୍ଷ୍ୟରେ ଜ୍ୟୋତି, ଅମ୍ଳାନ, ଜିନ୍‌ସନ୍‌

ଭୁବନେଶ୍ୱର: ଫେଡେରେସନ୍ କପ୍‌, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ୨୦ ବର୍ଷରୁ କମ୍ ଏସିଆନ୍ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍‌ମାନଙ୍କ ଧ୍ୟାନ ଏବେ ୬୨ତମ ଆନ୍ତଃ ରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନ୍‌ସିପ୍ ଉପରେ ରହିଛି ଯାହା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଜୁନ୍ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

ୟୁରୋପର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରି ଭାରତ ପ୍ରତ୍ୟାବର୍ତନ କରିଥିବା ଜ୍ୟୋତି ୟାରାଜି, ଅମ୍ଳାନ ବର୍ଗୋହେନ୍‌, ସପ୍ନା କୁମାରୀ ଓ ମହମ୍ମଦ ଅଫଜଲ୍ ସେମାନଙ୍କ ଉତ୍କୃଷ୍ଟ ଖେଳକୁ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଚମ୍ପିଆନ୍‌ସିପ୍‌ରେ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ୟୁରୋପର ବିଭିନ୍ନ ପ୍ରତିଯୋଗିତା ଯଥା ନେଦରଲ୍ୟାଣ୍ଡ୍‌ର ଟି-ମିଟିଂ, ବେଲ୍‌ଜିୟମ୍‌ର ଫ୍ଲାଣ୍ଡର୍ସ କପ୍‌, ଜର୍ମାନିର ୱେନ୍‌ହିମ୍‌ରେ କୁର୍ପଫାଲ୍‌ଜ ଗାଲା, ଫିନ୍‌ଲ୍ୟାଣ୍ଡ୍‌ର ଜ୍ୱାସ୍କିଲାର ମୋଟୋନେସ୍ ଏବଂ ବେଲ୍‌ଜିୟମ୍‌ର ଆଇଏଫ୍‌ଏଏମ୍ ଓର୍ଡେଜେମ୍ ଆଦିରେ ଏହି କ୍ରୀଡ଼ାବିତ୍‌ମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ପୋଡିୟମ୍ ସ୍ଥାନ ହାସଲ କରିଥିଲେ।

ୟୁରୋପ ଟୁର୍‌ରେ କ୍ରୀଡ଼ାବିତ୍‌ମାନଙ୍କ ଚମତ୍କାର ପ୍ରଦର୍ଶନକୁ ନେଇ ଉତ୍ସାହିତ ଥିବା ରିଲାଏନ୍ସ ଫାଉଣ୍ଡେସନର ଆଥ୍‌ଲେଟିକ୍ସ ନିର୍ଦ୍ଦେଶକ ଜେମ୍‌ସ ହିଲିୟର କହିଛନ୍ତି ଯେ, “ୟୁରୋପ ଗସ୍ତରୁ ଯେଉଁ ସଫଳତା ମିଳିଛି ତାହାକୁ ନେଇ ମୁଁ ବହୁତ ଖୁସି। ବେଳେ ବେଳେ ସ୍ଥିତି ଆହ୍ୱାନପୂର୍ଣ୍ଣ ଥିଲା, ତଥାପି କ୍ରୀଡ଼ାବିତ୍‌ମାନେ ସେମାନଙ୍କ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲେ। ଜ୍ୟୋତି କେତେକ ଦୌଡ଼କୁ ୧୩ ସେକେଣ୍ଡ୍‌ରୁ କମ୍ ସମୟରେ ପୂର୍ଣ୍ଣ କରିଥିଲେ ଏବଂ ୨୦୦ ମିଟର ଦୌଡ଼ରେ ଅମ୍ଳାନ ନିଜର ତୃତୀୟ ଦ୍ରୁତତମ ଦୌଡ଼ ରେକର୍ଡ ହାସଲ କରିଥିଲେ। ୮୦୦ ମିଟରରେ ଅଫଜଲ ନିଜର ବ୍ୟକ୍ତିଗତ ଶ୍ରେଷ୍ଠତା ହାସଲ କରିଥିଲେ। ଏହି ଗସ୍ତର ଲକ୍ଷ୍ୟ ଥିଲା ଆନ୍ତଃ ରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନ୍‌ସିପ୍ ଓ ଏସିଆନ୍ ଚମ୍ପିଆନ୍‌ସିପ୍ ପାଇଁ ଖେଳାଳିମାନଙ୍କୁ ସେମାନଙ୍କ ଶ୍ରେଷ୍ଠ ଫର୍ମରେ ରଖିବା।’’

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ୨୬ତମ ଜାତୀୟ ଫେଡେରେସନ୍ କପ୍ ବରିଷ୍ଠ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ଭଲ ପ୍ରଦର୍ଶନ କରିଥିବା କିଛି ବିଶିଷ୍ଟ ଖେଳାଳି ଏହି ଚମ୍ପିଆନ୍‌ସିପ୍‌ରେ ନିଜ ପ୍ରଦର୍ଶନ ଜରିଆରେ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୧୫୦୦ ମିଟର ଦୌଡ଼ରେ ୩:୪୪.୪୩ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଜିନ୍‌ସନ୍ ଜନ୍‌ସନ୍ ଦୃଢ଼ ପ୍ରତ୍ୟାବର୍ତନ କରିଥିଲେ। ମହିଳା ହେପ୍‌ଟାଥଲନ୍‌ରେ ରୌପ୍ୟ ଜିତି ପୂର୍ଣ୍ଣିମା ହେମ୍ବ୍ରମ୍ ମଧ୍ୟ ଦୃଢ଼ ପ୍ରଦର୍ଶନ କରିଥିଲେ।

ଅନ୍ୟ ପକ୍ଷରେ, ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଦୁଇଟି ପ୍ରତିଯୋଗିତାର ବାଧାଦୌଡ଼ରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୁବ ଖେଳାଳି ତେଜସ୍ ସିର୍‌ଜେ ଏଠାରେ ନିଜ ସଫଳତା ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଅନ୍ୟ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଜ୍ଞା ସାହୁ । ନିକଟରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ ୧୩.୬୩ ସେକେଣ୍ଡ୍ ସମୟ ନେଇ ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞା ସ୍ୱର୍ଣ୍ଣ ପଦକ ଜିତିବା ସହିତ ଏହି କ୍ରୀଡ଼ାରେ ପୂର୍ବରୁ ଜ୍ୟୋତି ୟାରାଜୀଙ୍କ (୧୩.୭୭ ସେକେଣ୍ଡ୍‌) ନାମରେ ଥିବା ରେକର୍ଡ ଭାଙ୍ଗିଥିଲେ। ଏହି ଟୁର୍ଣ୍ଣାମେଂଟ୍ ଖେଳୁଥିବା ସମୟରେ ଆନ୍ତଃ ରାଜ୍ୟ ଦୌଡ଼କୁଦ ଚାମ୍ପିଆନ୍‌ସିପ୍ ପାଇଁ ରହିଥିବା ଯୋଗ୍ୟତା ସମୟକୁ ପ୍ରଜ୍ଞା ଓ ଅଭିଷେକ ଦଳବେହେରା (୧୦୦ ମିଟର) ଅତିକ୍ରମ କରିଥିଲେ। ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ରିଲାଏନ୍ସ ଫାଉଣ୍ଡେସନର ଖେଳାଳି ଯଥା ସୁସ୍ମିତା ଟିଗା (୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌), ଲାଲୁ ପ୍ରସାଦ ଭୋଇ (୧୦୦ ମିଟର), ସ୍ୱାଧୀନ ମାଝି (ପୁରୁଷ ଉଚ୍ଚ ଡିଆଁ) ଓ ମୌମିତା ମଣ୍ଡଳ (ମହିଳା ଲମ୍ବ ଡିଆଁ) ଆଦି ଚମତ୍କାର ଢଙ୍ଗରେ ପୋଡିୟମ୍ ଦଖଲ କରିଥିଲେ।

କ୍ରୀଡ଼ାବିତ୍‌ମାନେ ନିକଟରେ ହାସଲ କରିଥିବା ସଫଳତାକୁ ନଜରରେ ରଖି ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ ପରଫରମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ୍‌ସ କହିଛନ୍ତି ଯେ, “ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଆମ ଯୁବ କ୍ରୀଡ଼ାବିତ୍‌ମାନେ ବାସ୍ତବରେ ବେଶ ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରିଥିଲେ। ଏହି ଟୁର୍ଣ୍ଣାମେଂଟ୍‌ରେ ସେମାନଙ୍କୁ ବହୁତ ଭଲ ଅଭିଜ୍ଞତା ହାସଲ କରିବା ଏବଂ ନିକଟରେ ମିଳିଥିବା ସଫଳତା ଆଧାରରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ଆମର ବହୁ କ୍ରୀଡ଼ାବିତ୍‌ଙ୍କ ପାଇଁ ଏହି ଟୁର୍ଣ୍ଣାମେଂଟ୍‌ରେ ଏସିଆନ୍ ଗେମ୍‌ସ ଲାଗି ଯୋଗ୍ୟତା ହାସଲ କରିବାର ସୁଯୋଗ ରହିଛି।’’