Categories
ଆଜିର ଖବର ରାଜ୍ୟ ଖବର

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର: ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଏକ ‘ମୋ ଡାକ ଟିକେଟ’ ଗତକାଲି ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡା, ଡାକ ଟିକଟର ଶିଳ୍ପୀ ଲାଲ ସଂଗ୍ରାମ କେଶରୀ ରାୟ ଏହି ଅବସରରେ ଉପସ୍ଥିତ ଥିଲେ।

ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ନିର୍ମିତ ଓ ଆଇନି ଅମାନ୍ୟ ଆନ୍ଦୋଳନରେ ସାରା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତ ଛାଡ ଆନ୍ଦୋଳନ ସମୟରେ ଇଂରେଜ ସରକାରଙ୍କ ଦ୍ବାରା ବେଆଇନି ଘୋଷିତ ହୋଇଥିବା ଅଳକା ଆଶ୍ରମର ବର୍ଷବ୍ୟାପୀ ଶତାବ୍ଦୀ ସମାରୋହ ଚଳିତ ବର୍ଷ ପାଳନ କରାଯାଉଛି। ଏହି ଡାକ ଟିକେଟର ଉନ୍ମୋଚିତ ପୂର୍ବରୁ ଜୟଦେବ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀ ରାଉତଙ୍କ ଆବାହକତ୍ଵରେ ଓ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଶତବାର୍ଷିକୀ ସମାରୋହକୁ ଅତ୍ୟନ୍ତ ସ୍ମରଣୀୟ ଭାବରେ କରିବା ପାଇଁ ତାଙ୍କର ମତ ରଖିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ଦାସ, ପ୍ରଶାସକ ସୂର‌୍ୟ୍ୟ ରଞ୍ଜନ ମହାନ୍ତି, ଗବେଷକ ମହେନ୍ଦ୍ର କୁମାର ଆଚାର‌୍ୟ୍ୟ, ରବି ନାରାୟଣ ଷଡଙ୍ଗୀ, ଆଲୋକ ରଞ୍ଜନ ଦାସ, ପ୍ରଶାନ୍ତ ଦାସ, ପ୍ରବୋଧ ପଟ୍ଟନାୟକ, ହେମନ୍ତ ରଥ, ଚୌଧୁରୀ ବରଦା ପ୍ରସନ୍ନ ଦାସ, ପ୍ରଣବ କୁମାର ଦେ, ସୁବୋଧ ଚନ୍ଦ୍ର ନାୟକ, ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ହେମନ୍ତ କୁମାର ନାୟକ, ଡଃ ଲଲିତ କୁମାର ଲେଙ୍କା, ଡଃ ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ତାଙ୍କର ମତାମତ ରଖିଥିଲେ।

ଶ୍ରୀପଞ୍ଚମୀ ୨୦୨୨ ରୁ ଆରମ୍ଭ ହୋଇଥିବା ଏହି ସମାରୋହ ୨୦୨୩ ମସିହା ଶ୍ରୀପଞ୍ଚମୀ ଅବସରରେ ଉଦଯାପିତ ହେବ। ଏହାର ସମାବର୍ତ୍ତନ ଉତ୍ସବ ଦେଶର ତଥା ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସମେତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଗାନ୍ଧୀ ଅନୁଗାମୀଙ୍କ ଭବ୍ୟ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ସଂଗ୍ରାମୀପୀଠ ଅଳକା ଆଶ୍ରମର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପଦକ୍ଷେପ ନେବାକୁ ଦାବି

ଭୁବନେଶ୍ୱର: କଟକର ସ୍ୱରାଜ ଆଶ୍ରମ ପରେ ସେତେବେଳର ଜଗତସିଂହପୁର ସବ୍‌ଡ଼ିଭିଜନ ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅଳକା ନଈଧାରରେ ଅବସ୍ଥିତ ଥିବା ସ୍ୱାଧୀନତାର ସଂଗ୍ରାମୀପୀଠ ଅଳକା ଆଶ୍ରମ ଭାରତୀୟ ମୁକ୍ତି ସଂଗ୍ରାମରେ ଏକ କ୍ରାନ୍ତିକାରୀ ଭୂମିକା ନିଭାଇଥିଲା। ଆଜକୁ ୧୦୦ ବର୍ଷ ତଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହି ଆଶ୍ରମର ଉଦ୍‌ଘାଟନ ହୋଇଥିଲା। ଲକ୍ଷ୍ୟ ଥିଲା ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ଡ଼ାକରାରେ ଯେଉଁ ଛାତ୍ରଛାତ୍ରୀମାନେ ସେତେବେଳେ ଇଂରାଜୀ ସ୍କୁଲ୍‌କୁ ବୟକଟ କରିଥିଲେ, ସେମାନଙ୍କୁ ଏହି ଆଶ୍ରମରେ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରିବା ସଙ୍ଗେ ସଙ୍ଗେ ଜଣେ ଜଣେ ସଂଗ୍ରାମୀ ସୈନିକ ଭାବରେ ଗଢିତୋଳିବା। ସେତେବେଳେ ମାଜିଷ୍ଟ୍ରେଟ ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀ ଏହି ଆଶ୍ରମର ତତ୍ତ୍ୱାବଧାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ସଂଗ୍ରାମୀପୀଠ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ସଂଗ୍ରାମୀ ଭାଗିରଥୀ ମହାପାତ୍ର, ହରେକୃଷ୍ଣ ବିଶ୍ୱାଳ, ସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀ, ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ଜଡ଼ିତ ଥିଲେ। କିନ୍ତୁ ଦୁଃଖର କଥା ଆଜି ସେହି ସଂଗ୍ରାମୀ ପୀଠ ଜରାଜୀର୍ଣ୍ଣ। ଦେଶବାସୀ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ମହୋତ୍ସବ ପାଳନ କରୁଛେ, ସେହି ଅବସରରେ ଏହି ସଂଗ୍ରାମୀ ପୀଠକୁ ଜାତୀୟସ୍ତରରେ ପ୍ରତିଷ୍ଠା କରିବାର ଅବକାଶ ରହିଛି।

ତେଣୁ ରାଜ୍ୟ ସଂସ୍କୃତି ବିଭାଗ ଏହି ପୀଠର ପୁନରୁଦ୍ଧାର କରିବା ସହିତ ଏଠାରେ ଏକ ଶିଶୁ ଉଦ୍ୟାନ ପ୍ରତିଷ୍ଠା କରିବା ଓ ଏହି ପୀଠ ସହିତ ଜଡ଼ିତ ଥିବା ସଂଗ୍ରାମୀମାନଙ୍କର ଇତିହାସ ଓ ଜୀବନକୁ ଡ଼ିଜିଟାଲ ମାଧ୍ୟମରେ ରେକର୍ଡ଼ିଂ କରି ଆଗାମୀ ପିଢି ପାଖରେ ଉପସ୍ଥାପିତ କରିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ସଂସ୍କୃତି ମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି।

ଏହା ସହିତ କଟକ, ଭୁବନେଶ୍ୱରରେ ରହୁଥିବା ପ୍ରବାସୀ ଜଗତସିଂହପୁରକୁ ନେଇ ଅଳକା ଆଶ୍ରମର ପୁନରୁଦ୍ଧାର ସମିତି ଗଠନ କରାଯାଇ ବେସରକାରୀସ୍ତରରେ ଉଦ୍ୟମ କରାଯିବା ସହିତ ଜିଲ୍ଲାର ସମସ୍ତ ମାନ୍ୟବର ବିଧାୟକ, ସାଂସଦ ଓ ମାନ୍ୟବର ଜଳସେଚନ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କରାଯିବାର ପ୍ରସ୍ତାବ ରହିଛି ବୋଲି ସୁବାସ କୁମାର ତାରଣିଆଁ ଓ ରବି ବେହେରା ପ୍ରକାଶ କରିଛନ୍ତି।