Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆ ବନାମ ଭାରତ: ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଧିନାୟକ ରାହାଣେଙ୍କ ଦମଦାର ଶତକ

ମେଲବର୍ଣ୍ଣ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି। ଏହି ମ୍ୟାଚର ଦ୍ଵିତୀୟ ଦିନରେ ଅଜିଙ୍କ୍ୟ ୧୯୬ ଟି ବଲରେ ୧୦୦ ରନ କରି ବ୍ୟାଟିଂ ଜାରି ରଖିଛନ୍ତି।

ତେବେ ଭାରତ ୫ ଟି ୱିକେଟ ହରାଇ ସଂଗ୍ରହ କରିଛି ୨୭୭ ରନ। ଗତକାଲି ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇଥିବା ବେଳେ ଆଜି ଭାରତ ଆଉ ୪ ଟି ମୁଲ୍ୟବାନ ୱିକେଟ ହରାଇ ୨୭୭ ରନରେ ପହଞ୍ଚିଛି। ବର୍ତ୍ତମାନ ରାହାଣେଙ୍କ ସହ ରବୀନ୍ଦ୍ର ଜାଡ଼େଜା ୪୦ ରନ କରି ବ୍ୟାଟିଂ କରୁଛନ୍ତି।

ଆଜି ଶୁବମାନ ଗିଲ ୪୫ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଚେତେଶ୍ଵର ପୂଜାରା ୧୭ ରନ, ହନୁମା ବିହାରୀ ୨୧, ଋଷଭ ପନ୍ତ ୨୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଏହା ସହିତ ଭାରତ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଠାରୁ ଏପର୍ଯ୍ୟନ୍ତ ୮୩ ରନରେ ଅଗ୍ରଣୀ ହୋଇଥିବା ବେଳେ ହାତରେ ଆଉ ୫ ଟି ୱିକେଟ ଅଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଅଷ୍ଟ୍ରେଲିଆ ପ୍ରଥମ ଦିନରେ ୧୯୫ ରନ କରି ସମସ୍ତ ୱିକେଟ ହରାଇଥିଲା।