Categories
ଆଞ୍ଚଳିକ

ବେଗୁନିଆପଡା: ଅସହାୟ ଅବସ୍ଥାରେ ପଡିରହିଛନ୍ତି ୭୫ ବର୍ଷୀୟ ବୃଦ୍ଧ ଦାମ

ବେଗୁନିଆପଡା (ଟୁକୁନା ପ୍ରଧାନ): ବାପା ମା’ ମାନେ ସନ୍ତାନ ଟିଏ ପାଇବା ପାଇଁ ଏଵଂ ତାକୁ ଲାଳନ ପାଳନ କରି ବଡ କରିବା ପାଇଁ କେତେ କଣ କରନ୍ତି। କିନ୍ତୁ ସେହି ପୁଅ ବଡ ହୋଇଗଲା ପରେ କେମିତି ବୃଦ୍ଧ ବାପା, ମା କୁ ଏକା କରି ଛାଡ଼ି ଦିଅନ୍ତି ଏବଂ ସେବା ବଦଳରେ ସେହି ବୃଦ୍ଧ ବାପା, ମାଙ୍କୁ କେମିତି ଏକୁଟିଆ ଅସହାୟ ଅବସ୍ଥାରେ ଛାଡି ଦିଅନ୍ତି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ। ସେହି ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ଦାମ ପଢିଆଳି ଅସହାୟ ଅବସ୍ଥାରେ ପଡିରହିଛନ୍ତି ଘରେ।

ସୂଚନା ଅନୁଯାୟୀ ଦାମଙ୍କ ଦୁଇ ପୁଅ ଏବଂ ଦୁଇ ଝିଅ। ପୁଅ ଝିଅ ମାନଙ୍କ ସବୁ ବିବାହ ସରିଛି। ଆଜକୁ ପ୍ରାୟ ଦୁଇବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି। କିଛି ବର୍ଷ ହେଲାଣି କୌଣସି କାରଣରୁ ଦାମଙ୍କ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି। ବର୍ତ୍ତମାନ ଦୁଇ ମାସ ହେଲାଣି ଦାମଙ୍କ ଦୁଇ ପୁଅ ଏବଂ ବୋହୂ ମାନେ ବୁଢ଼ା ବାପାକୁ ଘରେ ଏକୁଟିଆ ଛାଡି ଦେଇ ଚାଲିଯାଇଛନ୍ତି। ଫଳରେ ୭୫ ବର୍ଷୀୟ ବୃଦ୍ଧ ଦାମ ଅସହାୟ ଅବସ୍ଥାରେ ପଡିରହିଛନ୍ତି। ସାହି ଲୋକ ପାଳିକରି ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଛି।

ଦାମଙ୍କ ଅସୁବିଧା ନେଇ ବେଗୁନିଆପଡ଼ା ଥାନାରେ ସେ ନିଜେ ଏବଂ ସାହି ବାସିନ୍ଦା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଦେଖାଯାଉ ଖବର ପ୍ରକାଶନ ପରେ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁଛି ନା ପୁଅ ବୋହୂ ମାନେ ଦାମଙ୍କୁ ନିଜ ପାଖରେ ରଖି ସେବା ଯତ୍ନ କରୁଛନ୍ତି ତାହା ଦେଖବାକୁ ବାକି ରହିଲା।