Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି କାନପୁର, ଆଇଆଇଏସ କାନପୁର, ହାଲ୍ ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ଆଜି ନୂଆଦିଲ୍ଲୀ ଠାରେ ଆଇଆଇଏସ କାନପୁର ସହ ଆଇଆଇଟି କାନପୁର, ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ (ଡିଏଏସ୍ଆଇ) ସହିତ ୩ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଦକ୍ଷତା ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକତ୍ରିତ ହୋଇଛନ୍ତି।  ଆଇଆଇଟି କାନପୁର, ଆଇଆଇଏସ କାନପୁର, ହାଲ୍ ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ ମଧ୍ୟରେ ସହଯୋଗ ଦକ୍ଷତା ବିକାଶର ଭବିଷ୍ୟତର ରୂପରେଖକୁ ବଦଳାଇବା ତଥା ଭାରତର ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ।

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଉଦ୍ଦେଶ୍ୟକୁ ବାସ୍ତବର ରୂପ ଦେବା ତଥା ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ ତଥା ପ୍ରସ୍ତୁତ କରିବ। ବିଶେଷ ଭାବରେ ଉତ୍ତର ପ୍ରଦେଶର ପ୍ରତିରକ୍ଷା ଶିଳ୍ପ କରିଡରକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି। ଏହା ଉତ୍ତର ପ୍ରଦେଶର ଯୁବକମାନଙ୍କୁ ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଯୁଗର ପାଠ୍ୟକ୍ରମରେ ଗୁଣାତ୍ମକ ମଡ୍ୟୁଲ୍ ଉପଲବ୍ଧ କରାଇବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,  ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଇଆଇଏସ୍ କାନପୁରର ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା, ଦକ୍ଷତା ଏବଂ ଅଗ୍ରଣୀ ଶିଳ୍ପସଂସ୍ଥା ଗୁଡ଼ିକ ମଧ୍ୟରେ ସହଯୋଗ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସିଙ୍ଗାପୁରର ବୈଷୟିକ ଶିକ୍ଷା ଅନୁଷ୍ଠାନ ପରିଦର୍ଶନ ସମୟରେ ଏହି ଆଇଆଇଏସର କଳ୍ପନା କରିଥିଲେ । ବର୍ତ୍ତମାନର ଦକ୍ଷତା ଇକୋସିଷ୍ଟମରେ ପ୍ରଶିକ୍ଷଣ ମାନ ବୃଦ୍ଧି ପାଇଁ ଦେଶରେ ଆଇଆଇଏସ୍ ପ୍ରତିଷ୍ଠା କରାଯାଉଛି।

ଏହି ଏମଓୟୁ ଅଧୀନରେ ଭବିଷ୍ୟତ ଆଧାରିତ ପାଠ୍ୟକ୍ରମ କ୍ଷେତ୍ରରେ ଆମ ଦେଶର ଯୁବକ ଏବଂ ଶ୍ରମଶକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ଉପହାର। ଉତ୍ତରପ୍ରଦେଶର ପ୍ରତିରକ୍ଷା କରିଡରରୁ ଉଭା ହୋଇଥିବା ସୁଯୋଗର ଲାଭ ଉଠାଇବା ଏବଂ ଏରୋସ୍ପେସ୍, ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ ପଥ ପ୍ରଶସ୍ତ କରିବ। ଆଇଆଇଏସ୍ କାନପୁର ଆଇଆଇଟି କାନପୁର ସହିତ ଭାଗିଦାରୀତା ହୋଇ କାପାସିଟି ବିଲଡିଂ ଗଠନ କରିବା ସହ ଭାରତର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି କାନପୁର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

କାନପୁର/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଇଆଇଟି କାନପୁର ଠାରେ ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି।

ଏହି ଦୁଇଟି ଅନୁଷ୍ଠାନର ଭିତିପ୍ରସ୍ତର ପାଇଁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ଦେଶର ସ୍ୱାସ୍ଥ୍ୟ ସେବା ପରିସଂସ୍ଥାନ ମଜବୁତ୍ ହେବା ସହ ଉଭା ହେଉଥିବା ଅର୍ଥନୀତିରେ କାନପୁର ସୁଲଭ ତଥା ଭବିଷ୍ୟତ ସମାଧାନର ପେଣ୍ଠସ୍ଥଳି ଭାବରେ ପ୍ରତିଷ୍ଠିତ ହୋଇପାରିବ। ଆଇଆଇଟି କାନପୁର ଭଳି ମହତ ଉଦ୍ୟମ ଗୁଡିକ ସ୍ୱାସ୍ଥ୍ୟସେବା ଏବଂ ଇଞ୍ଜିନିୟରିଂ ମଧ୍ୟରେ ବ୍ୟବଧାନକୁ ଦୂର କରିବ। ସ୍ୱଳ୍ପ ବ୍ୟୟସାପେକ୍ଷ ବୈଷୟିକ ସମାଧାନ ପ୍ରଦାନ କରିବ ଏବଂ ସମାଜର କଲ୍ୟାଣ ପାଇଁ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ପ୍ରେରଣା ଦେବ।

ବିଗତ ଛଅ ଦଶନ୍ଧି ଧରି ଆଇଆଇଟି କାନପୁର ଇଞ୍ଜିନିୟରିଂ ଶିକ୍ଷାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ କାମ କରୁଛି। ଏହି ଅନୁଷ୍ଠାନ ସମୟନୁସାରେ ପରିବର୍ତନ ହେଉଥିବା ସମାଜର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଏବଂ ଜାତୀୟ ମିଶନକୁ ସମର୍ଥନ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସକ୍ରିୟ ସହଯୋଗ କରିଆସୁଛି। ସେହିପରି ଜଳବାୟୁ ପରିବର୍ତନ, ୱେଷ୍ଟ ଟୁ ୱେଲଥ, ବିକଳ୍ପ ସବୁଜ ଇନ୍ଧନ ଏବଂ ଅର୍ଥନୀତି ପାଇଁ ନୂଆ ବିଜନେସ ମଡ଼େଲ ବିକଶିତ କରିବା ପାଇଁ କୁଶଳ ଏବଂ ସ୍ୱଳ୍ପ ବ୍ୟୟସାପେକ୍ଷ ସମାଧାନ ଅନ୍ୱେଷଣ କରିବାକୁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ଭାରତକୁ ଅନେକ ସୁଯୋଗ ପ୍ରଦାନ କରିବ। ଡ୍ରୋନ ସହ ଜଡ଼ିତ ଅର୍ଥନୀତି ଏବଂ ଚିପ୍ ଇକୋସିଷ୍ଟମରେ ଦକ୍ଷତା ବୃଦ୍ଧି ବିକାଶ କରିବା ଦିଗରେ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲକ୍ଷ୍ୟ ରଖିବା ଦରକାର। ଅମୃତ କାଳରେ ଆମକୁ ଏମିତି ଏକ ପିଢି ଗଢ଼ିବାକୁ ହେବ, ଯେଉଁମାନେ ସମାଜ ଓ ରାଷ୍ଟ୍ର କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବେ। ଏହି ମର୍ମରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତାକୁ ମୁଳଦୁଆ କରି ଆଇଆଇଟି କାନପୁର ଲୋକଙ୍କ ଜୀବନକୁ ସୁଗମ କରିବା ସହ ମାନବ କଲ୍ୟାଣ ପାଇଁ ବିଭିନ୍ନ ସମସ୍ୟାର ସମାଧାନର ରାସ୍ତା ବାହାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଆଇଆଇଟି କାନପୁର ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନ୍ୟାସନାଲ ସେଂଟର ଫର୍ ଫ୍ଲେକ୍ସିବଲ୍ ଇଲେକ୍ଟ୍ରୋନିକ୍ସ ପରିଦର୍ଶନ କରିବା ସହ ଆଇଆଇଟି କାନପୁର ସହଯୋଗରେ ଆରମ୍ଭ ହୋଇଥିବା ଷ୍ଟ୍ରାଟଅପ ବୁଲି ଦେଖିଥିଲେ।

Categories
ବିଶେଷ ଖବର

ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗେଦେଲେ ପ୍ରଧାନମନ୍ତ୍ରୀ

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ  ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି।

ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କାନପୁର ନିମନ୍ତେ ଏକ ମହାନ୍ ଦିବସ  କାରଣ ଆଜି କାନପୁର ନଗରୀ ମେଟ୍ରୋ ସୁବିଧା ମଧ୍ୟ ପାଉଛି। ଆହୁରିମଧ୍ୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଜରିଆରେ କାନପୁର ବିଶ୍ୱକୁ ମୂଲ୍ୟବାନ ଉପହାର ଦେଇଛି। ଛାତ୍ରଛାତ୍ରୀଙ୍କ ଏହି ସମ୍ମାନଜନକ ଅନୁଷ୍ଠାନରେ ରହଣି ମଧ୍ୟରେ ବିଶେଷକରି ଏଠାରେ ଯୋଗଦେବା ଓ ଉତ୍ତୀର୍ଣ୍ଣ ହେବା ମଧ୍ୟରେ “ଆପଣମାନେ ଏକ ବିରାଟ ପରିବର୍ତ୍ତନ ନିଜ ମଧ୍ୟରେ ଅନୁଭବ କରିପାରୁଥିବେ।” ଏଠାକୁ ଆସିବା ପୂର୍ବରୁ ମନରେ ଅନେକ ଆଶଙ୍କାର ପ୍ରଶ୍ନବାଚୀ ଥିବ। ହେଲେ ଏବେ ଅଜଣାର କୌଣସି ଭୟ ନ ଥିବ ଓ ଏବେ ସମଗ୍ର ବିଶ୍ୱରେ କିଛି ନା କିଛି ନୂତନ ଆବିଷ୍କାର ପାଇଁ ମନରେ ସାହସ ମଧ୍ୟ ଆସିଯାଇଥିବ। କୌଣସି ଅଜଣା ପ୍ରଶ୍ନବାଚୀ ନ ଥିବ। ବର୍ତ୍ତମାନ ଥିବା କେବଳ ସବୁଠାରୁ ଉତ୍ତମ ଅନୁସନ୍ଧାନ ଓ ସମଗ୍ର ବିଶ୍ୱରେ ଅଗ୍ରଣୀ ହେବାର ସ୍ୱପ୍ନ” ବୋଲି ସେ କହିଥିଲେ। କାନପୁର ଐତିହାସିକ ଓ ସାମାଜିକ ଇଚ୍ଛାପତ୍ର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାନପୁର ବିବିଧତା ଦୃଷ୍ଟିରୁ ସମଗ୍ର ଦେଶରେ କେତେକ ନଗରୀ ମଧ୍ୟରେ ଅନ୍ୟତମ।  “ସତୀଚଉରା ଘାଟରୁ ମଜାରୀ ପଶି, ନାନା ସାହେବଠାରୁ ବଟୁକେଶ୍ୱର ଦତ୍ତ ପର୍ଯ୍ୟନ୍ତ ଯେତେବେଳେ ଆମେ ନଗରୀ ପରିକ୍ରମା କରୁ ସେତେବେଳେ ଆମେ ଗୌରମମୟ ଅତୀତ ଓ ଆମ ସ୍ୱାଧୀନତା ସଂଗ୍ରାମର ତ୍ୟାଗ ନେଇ ଅବଗତ ହେଉ” ବୋଲି ସେ  ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଜୀବନରେ ବର୍ତ୍ତମାନର ଗୁରୁ୍‌ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ବିଂଶ ଶତାବ୍ଦୀର ତିରିଶ ଦଶକ ଉପରେ ସବିଶେଷ କହିଥିଲେ। “ଯେଉଁମାନେ ସେତେବେଳେ ୨୦ରୁ ୨୫ବର୍ଷ ମଧ୍ୟରେ ଥିଲେ ନିଶ୍ଚିତ ସେମାନେ ୧୯୪୭ ସ୍ୱାଧୀନତା ହାସଲ ସମୟ ଅତିବାହିତ କରିଥିବେ। ସେତେବେଳେ ତାହା ସେମାନଙ୍କ ଜୀବନର ସ୍ୱର୍ଣ୍ଣିମ ସମୟ ରହିଥିବ। ଆଜି ତୁମେମାନେ ମଧ୍ୟ ସେହିଭଳି ଏକ ସ୍ୱର୍ଣ୍ଣିମ ଯୁଗ ଆଡେ ପାଦ ଥାପିଛି। ଯେମିତି ବର୍ତ୍ତମାନ ଦେଶ ପାଇଁ ଅମୃତକାଳ ସେହିପରି ତୁମ ଜୀବନର ମଧ୍ୟ ଅମୃତକାଳ’ ବୋଲି ସେ କହିଥିଲେ।

ଆଇଆଇଟି କାନପୁରର ସଫଳତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆଜି ବୈଷୟିକ ଦୃଶ୍ୟପଟ କେବଳ ପେଶାଦାରମାନଙ୍କ ପାଇଁ। କୃତ୍ରିମ ମେଧା, ଶକ୍ତି, ଜଳବାୟୁ ସମସ୍ୟା, ସ୍ୱାସ୍ଥ୍ୟବସ୍ଥା ସମାଧାନରେ ବୈଷୟିକ ଜ୍ଞାନ ଓ ବିପର୍ଯ୍ୟୟ ପରିଚାଳନା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏଗୁଡିକ କେବଳ ତମମାନଙ୍କର ଦାୟିତ୍ୱ ନୁହଁ ଏଗୁଡିକ ବଂଶାନୁକ୍ରମିକ ସ୍ୱପ୍ନ ଯାହାକୁ ତୁମେମାନଙ୍କ ସୌଭାଗ୍ୟ ଯେ ସେଗୁଡିକୁ ସାକାର କହିବ। ବର୍ତ୍ତମାନ ସମୟ ହେଉଛି ଜୀବନର ଲକ୍ଷ୍ୟ ଓ ନିଜର ସମସ୍ତ ଶକ୍ତି ଘଟାଇ ତୁମକୁ ତାହା ହାସଲ କରିବାକୁ ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛିି ସମ୍ପୂର୍ଣ୍ଣଭାବେ ବୈଷୟିକ ଜ୍ଞାନଯୁକ୍ତ। ଏହି ଯୁଗରେ ପ୍ରଯୁକ୍ତି ବିଦ୍ୟା ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବ। ଗୋଟିଏ ଦୃଷ୍ଟିରୁ କହିଲେ ବିନା ପ୍ରଯୁକ୍ତିରେ ଜୀବନର କୌଣସି ମାନେ ନାହିଁ। ପ୍ରଧାନମନ୍ତ୍ରୀ ଜାତୀୟ ଭାବଧାରା ଛାତ୍ରଛାତ୍ରୀଙ୍କୁ ଜଣାଇ ଦେଇଥିଲେ।

ସେ କହିଥିଲେ ଯେ “ଆଜି ଦେଶର ଭାବନା ଓ ମତିଗତି ଆପଣମାନଙ୍କ ସହ ସମାନ। ଆଗରୁ ଭାବନା ଉପର ଠାଉରିଆ କାମ ଭଳି ଥିବାବେଳେ, ଆଜିର ଚିନ୍ତାଧାରା କାର୍ଯ୍ୟ ଓ ଫଳ ପ୍ରଦାନକାରୀ ଭିତିକ। ଆଗରୁ ଯେତେବେଳେ ଗୋଟେ ସମସ୍ୟାରୁ ମୁକୁଳିବା ପାଇଁ ବାଟ ଖୋଜା ଯାଉଥିଲା, ଆଜି ସମସ୍ୟା ସମାଧାନ ନିମନ୍ତେ ସଂକଳ୍ପ ନିଆଯାଉଛି।”

ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରି କହିଥିଲେ ଯେ ଆମେ ଅନେକ ସମୟ ହରାଇଛୁ। ସ୍ୱାଧୀନତାର ୨୫ତମ ବାର୍ଷିକୀଠାରୁ ଦେଶ ଗଠନ ପାଇଁ ଅନେକ କିଛି କରାଯାଇପାରିଥାନ୍ତା। “ଯେତେବେଳେ ଦେଶ ସ୍ୱାଧୀନତାର ୨୫ବର୍ଷରେ ପଦାର୍ପଣ କଲା, ସେତେବେଳେ ଆମେ ନିଜ ପାଦରେ ଠିଆ ହେବା ପାଇଁ ଅନେକ କିଛି କରିପାରିଥାନ୍ତୁ। ସେବେଠାରୁ ଅନେକ ବିଳମ୍ବ ହୋଇଛି ଓ ଦେଶ ବହୁ ମୂଲ୍ୟବାନ ସମୟ ହରାଇଛି। ୟା ମଧ୍ୟରେ ଦୁଇଟି ବଂଶ ଅତିକ୍ରମ ହୋଇଯାଇଛି ଓ ଆମେ ଆଉ ଦୁଇ କ୍ଷଣ ମଧ୍ୟ ଅପଚୟ କରିବ ନାହିଁ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋ କଥା ଯଦି ଅଧୈର୍ଯ୍ୟପୂର୍ଣ୍ଣ ଲାଗୁଛି ତେବେ ଏଇଥିପାଇଁ ଯେ ମୁଁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ “ଏକ ଆତ୍ମନିର୍ଭର ଭାରତ ପାଇଁ ଏହିପରି ଅଧୈର୍ଯ୍ୟ ହେବାକୁ ଚାହୁଁଛି। ଆତ୍ମନିର୍ଭରତ ଭାରତ ହେଉଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ମୌଳିକ ଢାଂଚା, ଯେଉଁଠି ଆମକୁ ଆଉ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ପ୍ରତ୍ୟେକ ଦେଶକୁ ଏକ ବାର୍ତ୍ତା ଦେବାର ଅଛି, ଏକ ଲକ୍ଷ୍ୟ ସାଧନ କରିବାର ଅଛି। ଭାଗ୍ୟ  ଯେଉଁଆଡେ ନେବ ସେଠାରେ ପହଂଚିବାର ଅଛି । ଆମେ ଯଦି ଆତ୍ମନିର୍ଭର ନହେବା, ଆମ ଦେଶ କିପରି ଏହାର ଲକ୍ଷ୍ୟ ହାସଲ କରିବ, ଆମେ ଆମର ଲକ୍ଷ୍ୟସ୍ଥଳରେ ପହଚିଂବା କିପରି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଇନୋଭେସନ ମିଶନ, ପ୍ରଧାନମନ୍ତ୍ରୀ  ଗବେଷଣା ଫେଲୋସିପ୍ ଏବଂ ଜାତୀୟ ଶିକ୍ଷାନୀତି ପାଇଁ ନୂତନ ବାତାବରଣ ଓ ସୁଯୋଗ ସୃଷ୍ଟି ହେଉଛି। ବ୍ୟବସାୟରେ ସୁଗମତା ଓ ନୀତିଗତ ବାଧାବିଘ୍ନ ହଟିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଏହି ୭୫ତମ ସ୍ୱାଧୀନତା ଦିବସ ବର୍ଷରେ ଭାରତରେ ୭୫ରୁ ଅଧିକ ୟୁନିକର୍ଣ୍ଣ, ୫୦ହଜାରରୁ ଅଧିକ ଷ୍ଟାର୍ଟଅପ୍ ଓ ସେଥିରୁ ଦଶହଜାର କେବଳ ଗତ ଛଅମାସ ମଧ୍ୟରେ ଆସିଛି । ଆଜି ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଷ୍ଟାର୍ଟଅପ  ପେଣ୍ଠଭାବେ ଉଭା ହୋଇଛି। ଆଇଆଇଟି ର ଛାତ୍ରଛାତ୍ରୀ ଏହା ଆରମ୍ଭ କରିଛନ୍ତି। ବିଶ୍ୱରେ  ଭାରତର ଟେକ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦେଇଛନ୍ତି, “ଭାରତୀୟ କମ୍ପାନୀ ଓ ଭାରତୀୟ ସାମଗ୍ରୀ ବିଶ୍ୱବିଦିତ ହେବାକୁ କେଉଁ ଭାରତୀୟ ନ ଚାହିଁବ? ଯେ ଆଇଆଇଟିକୁ ଚିହ୍ନିଛି ସେ ମେଧା ଶକ୍ତି କ’ଣ ଜାଣିଛ ପ୍ରଫେସରମାନଙ୍କ ଅକ୍ଲାନ୍ତ ପରିଶ୍ରମ କ’ଣ ଜାଣିଛ ଏହି ଆଇଆଇଟି ଯୁବା ସବୁକିଛି କରିପାରିବେ ବୋଲି ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଆଗରେ ଆରାମକୁ ତ୍ୟାଗ  କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ତୁମେ ଚାହିଁ  କି ନ ଚାହଁ ଜୀବନରେ ଆହ୍ୱାନ ନିଶ୍ଚୟ ଆସିବ। ଯେଉଁମାନେ ସେଥିରୁ ଦୂରେଇ ଯାଆନ୍ତି, ସେମାନେ ତାହାର ଶିକାର ହୁଅନ୍ତି। ଯଦି ତୁମେ ଆହ୍ୱାନର ସମ୍ମୁଖୀନ ହେଉଛ, ତୁମେ ତାହାହେଲେ ଶିକାରୀ ଓ ଆହ୍ୱାନ ତା’ର ଶିକାର।”

ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସମ୍ବେଦନଶୀଳତା, ଅନୁସନ୍ଦିତ୍ସ୍‌ୁ ମନୋଭାବ, କଳ୍ପନା ଓ ସୃଜନଶୀଳତା ମନୋଭାବ ଉଦ୍‌ଜୀବିତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅଣ ବୈଷୟିକ ଦିଗ ପ୍ରତି ମଧ୍ୟ ସମ୍ବେଦନଶୀଳ  ହେବାକୁ କହିଥିଲେ। “ଯେତେବେଳେ ଆନନ୍ଦ ଓ ଦୟାର ଅଂଶୀଦାର ହେବାର ସମୟ ଆସେ, ସେତେବେଳେ କୌଣସି ପାସୱାର୍ଡ ନ ରଖି ଜୀବନକୁ ଖୋଲା ହୃଦୟରେ ଉପଭୋଗ କର।”