Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ: ବରିଷ୍ଠ ଆଇନ୍‌ଜୀବି

ଭୁବନେଶ୍ୱର: ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ। ଆଇନ୍‌ଜୀବିଙ୍କ ବୃତିରେ ଅନେକ ପରିବର୍ତ୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍‌ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଗୋପାଳ କୃଷ୍ଣ ମହାନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ)ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବି ଶାଶ୍ୱତ କୁମାର ଆଚାର୍ଯ୍ୟ ଆଇନ୍‌ଗତ ପେସାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ନିକଟରେ ବର୍ତମାନ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଯୁବାବସ୍ଥା ଓ ସମୟ। ତେଣୁ ଯୁବାବସ୍ଥାରେ ନିଜର ସମସ୍ତ ଶକ୍ତି ଓ ହାତରେ ଥିବା ସମୟର ଉପଯୁକ୍ତ ବିନିଯୋଗ କରିବାର ଆବଶ୍ୟକତା ରହିଛି।

ସେହିପରି ମୁଟ୍ କୋର୍ଟ, ଇନ୍‌ଟର୍ଣ୍ଣସିପ୍‌, ମକ୍ ଟ୍ରାଏଲ୍‌ ଓ ପାର୍ଲାମେଂଟାରୀ ଡିବେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ବର୍ତ୍ତମାନ ସମୟରେ ଆଇନ୍ ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସେ ଅବଗତ କରାଇଥିଲେ।

ସେହିପରି ନିଜ କ୍ୟାରିୟର ଗଢ଼ିବା ପାଇଁ ଉପଯୁକ୍ତ ପ୍ରସ୍ତୁତି, କଠିନ ପରିଶ୍ରମ, ଜ୍ଞାନ ଆହରଣ ନିମନ୍ତେ ଇଚ୍ଛାଶକ୍ତି ଓ କୋର୍ଟରେ ବିଚାରପତି ଓ ଯେଉଁ ପକ୍ଷଙ୍କ ନିମନ୍ତେ ମାମଲା ଲଢ଼ୁଛନ୍ତି ସେମାନଙ୍କ ପ୍ରତି ଅନୁରକ୍ତି ରହିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌. ଏ. କେ. ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଉପଦେଶ ଦେବା ସହ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ସେହିପରି ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ନିଲ୍‌ର ଉପଦେଷ୍ଟା ତଥା ସିନିୟର ପ୍ରଫେସର (ଡକ୍ଟର) ଜୟଦେବ ପତି, ସିନିୟର ପ୍ରଫେସର (ଡକ୍ଟର) ପ୍ରବୀର କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ: ବିଶେଷଜ୍ଞ

ଭୁବନେଶ୍ୱର: ଆଇନ୍ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ ହେବାରେ ଲାଗିଛି। ତେବେ ଏହି ସୁଯୋଗକୁ ଛାତ୍ରଛାତ୍ରୀମାନେ କିଭଳି ହାସଲ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ ଏବଂ ଏ ନେଇ ସେମାନେ ଶିକ୍ଷା ଗ୍ରହଣ କରୁଥିବା କଲେଜ ଏବଂ ବିଶ୍ୱବିଦ୍ୟାଳୟ ଦାୟିତ୍ୱବାନ ହେବା ଉଚିତ୍ ବୋଲି କହିଛନ୍ତି ଭାରତର ଆଗଧାଡିର ଆଇନ୍ ସେବା ପ୍ରଦାନ କରୁଥିବା ସଂସ୍ଥା ଅନୁଷ୍ଠାନ ୱାଡିଆ ଗାନ୍ଧି ଆଣ୍ଡ କମ୍ପାନୀର ପାର୍ଟନର ଜଶ ଅଗ୍ରୱାଲ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଲ କନ୍‌କ୍ଲେଭ୍ “ସୋଆ ଲେକ୍ସ କନ୍‌ସିଲିୟମ୍‌” ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଶ୍ରୀ ଅଗ୍ରୱାଲ୍।

ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ଦେଶରେ ପ୍ରାୟ ୧୭୦୦ ଆଇନ୍ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ୪ ଲକ୍ଷ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ସମାପ୍ତ କରି ବାହାରୁଛନ୍ତି। କେବଳ ଆଇନ୍ ଛାତ୍ରଛାତ୍ରୀ ଯେ କୋର୍ଟରେ ଓକିଲାତି କରିବେ କିମ୍ବା ବିଚାରପତି ହେବା ନିମନ୍ତେ ପ୍ରଚେଷ୍ଟା କରିବେ ତା ନୁହେଁ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବାରେ ଲାଗିଛି। ତେବେ ଏତେ ସଂଖ୍ୟାରେ ଚାକିରି ପାଇବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ହାତକୁ ଆସୁଥିବା ସୁଯୋଗକୁ ବୁଦ୍ଧିମତାର ସହ ଗ୍ରହଣ କରିବା ଉଚିତ୍। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କୁ କିଭଳି ଅନ୍ୟମାନଙ୍କ ଠାରୁ ଅଧିକ ସଫଳ କରାଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

ଏଭଳି କନ୍‌କ୍ଲେଭ୍‌ର ଆୟୋଜନ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ।

କନ୍‌କ୍ଲେଭ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ସୋଆରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ଏଠାରେ ୩୫ ପ୍ରତିଶତ ମହିଳା ଅଧ୍ୟାପିକା କାର୍ଯ୍ୟରତ ବୋଲି କହିଥିଲେ। ଏହା ଦ୍ୱାରା ସୋଆ ମହିଳା ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ଗବେଷଣାକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ବକ୍ତବ୍ୟ ରଖିଥିବା ବେଳେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ବିଭାଗର ମୁଖ୍ୟ ରିପ୍ତି ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଶିକ୍ଷା ଏବଂ ଆଇନ ସେବା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହ ଛାତ୍ରଛାତ୍ରୀମାନଙ୍କର ଆଲୋଚନା ଏବଂ ଆଇନ୍ ସହ ଅତ୍ୟାଧୁନିକ ଜ୍ଞାନ କୌଶଳର କିଭଳି ସମ୍ପର୍କ ରହିଛି ସେ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ହିଁ ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ଦାଶ କହିଥିଲେ।

ଏହି ଅବସରରେ “ଆଇନ ବୃତିର ଭବିଷ୍ୟତ” ଏବଂ “ଆଇନ୍ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରିବା” ଭଳି ଦୁଇଟି ପ୍ରସଙ୍ଗରେ କନ୍‌କ୍ଲେଭ୍‌ରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କନ୍‌କ୍ଲେଭ୍‌ରେ ମାଇଣ୍ଡକ୍ରେଷ୍ଟର ଭାଇସ୍ ପ୍ରେସିଡେଂଟ (ଏଚ୍‌ଆର୍‌) ପ୍ରମୋଦ ଆବୁଜ, ଆକ୍ଟସ୍ ଲିଗାଲ ଆସୋସିଏଟ୍ସ ଆଣ୍ଡ ଆଡଭୋକେଟ୍ସର ଫାଉଣ୍ଡିଙ୍ଗ ପାର୍ଟନର ରଜନୀଶ କୁମାର ଝା, କଶ୍ୟପ ପାର୍ଟନର୍ସ ଆଣ୍ଡ ଆସୋସିଏଟ୍‌ସ ଏଲ୍‌ଏଲ୍‌ପିର ପ୍ରତିଷ୍ଠାତା ଓ ମ୍ୟାନେଜିଙ୍ଗ ପାର୍ଟନର୍ ଆଭା ଅଭୟ କଶ୍ୟପ, ଇଣ୍ଡସ୍ ଲ’ର ପ୍ରାକ୍ଟିସ୍ ଡେଭଲପ୍‌ମେଂଟ ଗ୍ରୁପ୍ରର ୟଭନିକା ଶାହ, ଆର୍‌କେ ଦିୱାନ ଆଣ୍ଡ କୋର୍ ଲିଗାଲ୍ ଆସୋସିଏଟ ଇନ୍ଦ୍ରଜୀତ ମିତ୍ର, ମୋରେ ଗ୍ଲୋବାଲ୍‌ର ସିନିୟର ଡାଇରେକ୍ଟର ବିକାଶ କୁମାର ଓ ଡାଇରେକ୍ଟର ସାହିଦୁଲା ଏନ୍‌, ଲେକ୍ସ କ୍ରେଡେନ୍ସର ମ୍ୟାନେଜିଙ୍ଗ ପାର୍ଟନର ଏସ୍‌.ଭି ଅଭଙ୍ଗ୍‌, ଲକ୍ଷ୍ମୀକୁମାରନ୍ ଆଣ୍ଡ ଶ୍ରୀଧରନ୍‌ର ସିନିୟର ମ୍ୟାନେଜର ଏଚ୍‌ଆର୍ ବ୍ରଜେଶ କୁମାର ମଣ୍ଡଲ ଏବଂ ଲେକ୍ସଅର୍ବିଶର ପ୍ୟାଟେଂଟ ଆସୋସିଏଟ ସନ୍ତ୍ରିପ୍ତୀ ଖଣ୍ଡାଇ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇ ବିଭିନ୍ନ ଆଇନଗତ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ମୁଟ୍ କୋଟର ମଧ୍ୟ ଆୟୋଜନ କରାଯାଇଥିଲା।

ଏହି କାର୍ଯକ୍ରମରେ ସ୍ନିଲ୍‌ର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ଏବଂ ଆସୋସିଏଟ୍ ପ୍ରଫେସର ଚିନ୍ମୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।