Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଜ ବୋମାରେ ଆହତ ହେଲା ଆକ୍ରମଣକାରୀ ଯୁବକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ନୁଆ ଯୋଗିଆପଲୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ବୋମାମାଡ ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଶତ୍ରୁତା ଯୋଗୁଁ ଏହି ଘଟଣା ଘଟିଛି। ଏହି ବୋମାମାଡରେ ଭାବିନିପୁର ଗ୍ରାମର କାଳିଆ ପାତ୍ର ଓ ତାର ସହଯୋଗୀ ଏନ୍ ମହେଶ ଦୋରାଙ୍କ ସହ ଯୋଗିଆପଲି ଗ୍ରାମର କାର୍ତ୍ତିକ ପାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଯୋଗ୍ୟ ଯେ, କାଳିଆର ମାମୁଁ ଘର ଉକ୍ତ ଗ୍ରାମର ହୋଇଥିବା ବେଳେ କାର୍ତ୍ତିକ ସହ ପୁର୍ବରୁ ଶତ୍ରୁତା ଥିଲା। ଗତକାଲି କାଳିଆ ଓ ତା’ର ସହଯୋଗୀ ତାରାତାରିଣୀ ପୀଠରୁ ଭୋଜି ଖାଇ ମାମୁଁ ଘରକୁ ଗଲାବେଳେ ଛକରେ କାର୍ତ୍ତିକ ସହ ମୁହାଁମୁହିଁ ହୋଇ ଝଗଡ଼ା ହୋଇଥିଲା ଓ ସଙ୍ଗେ ସଙ୍ଗେ କାଳିଆ ଏକ ହାତ ବୋମା ଆଣି କାର୍ତ୍ତିକ ଉପରେ ପକାଇବା ବେଳକୁ ନିଜ ହାତରେ ଫୁଟି ଯାଇଥିଲା। ଯାହା ଫଳରେ କାଳିଆର ଡ଼ାହାଣ ହାତରେ ଗଭୀର କ୍ଷତ ହୋଇଥିବା ବେଳେ କାର୍ତ୍ତିକର ପିଠି ଓ ସହଯୋଗୀର ମୁହଁକୁ ମାଡ଼ ହୋଇଥିଲା।

ଖବର ପାଇ ନିମଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।