Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଆଗୁଆ ନିର୍ବାଚନ !! ଓଡିଶା ଆସିବେ ଭାରତ ନିର୍ବାଚନ କମିଶନଙ୍କ ଏକ ବରିଷ୍ଠ ଟିମ୍

ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିଶନଙ୍କ ଏକ ବଡ ଟିମ। ଏହି ଟିମ ଓଡିଶାରେ ସବୁ ଜିଲ୍ଲାପାଳଙ୍କ ସହିତ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସେ ବିସ୍ତୁତ ଆଲୋଚନା କରିବେ। ଏହିପରି ଏକ ସୂଚନା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିବା ପରେ ଓଡିଶା ରାଜନୀତିରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠିଛି ଯେ, ସତରେ କଣ ଆଗୁଆ ନିର୍ବାଚନ ହେବ କି ?

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଭାରତ ନିର୍ବାଚନ କମିଶନରଙ୍କ ଏକ ବରିଷ୍ଠ ଅଧିକାରୀ ଦଳ ଓଡିଶା ଆସିବେ। ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ଯେତେ ପରିମାଣର ଇଭିଏମର ଆବଶ୍ୟକ ତାହା ପହଞ୍ଚି ସାରିଛି। ସେହିପରି ଭିଭିପାଟ ମଧ୍ୟ ମହଜୁଦ ରହିଛି। କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ମଧ୍ୟ ଜାରୀ ରହିଛି।

ତେବେ ସେ ଆଉ ଏକ ଗୁରୁତ୍ବ ପୂର୍ଣ୍ଣ କଥା କହିଲେ। ତାହା ହେଲା ଯେ, ନଭେମ୍ବର ୧୫ ତାରିଖ ପରେ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ଆମେ ପ୍ରସ୍ତୁତ। କାରଣ ନଭେମ୍ବର ସୁଦ୍ଧା ଆମର ସମସ୍ତ ପ୍ରସ୍ତୁତି ଶେଷ ହେବ। ଏହି ଉକ୍ତି ପରେ ଓଡିଶାରେ ଡିସେମ୍ବର ମାସରେ ନିର୍ବାଚନ ହେବାର ସମ୍ଭାବନାକୁ ଆହୁରି ଦୃଢିଭୂତ କରିବାରେ ଲାଗିଛି।

ଚର୍ଚ୍ଚା ଅନୁସାରେ ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗିବ ଏବଂ ଡିସେମ୍ବରରେ ଅନ୍ୟ ପାଞ୍ଚ ରାଜ୍ୟ ସହିତ ଓଡିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେବେ ଓଡିଶାରେ ଡିସେମ୍ବରରେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଧଳ କହିଛନ୍ତି। ତେବେ ନିର୍ବାଚନ କମିଶନରଙ୍କ ଟିମ ଏବେ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିବା ପରେ ସେ କହିଥିଲେ ଯେ ଏହା ନିୟମିତ କାର୍ଯ୍ୟ। ନିର୍ବାଚନ ପ୍ରସ୍ତୁତି ତଦାରଖ କରିବାକୁ ଆସୁଛନ୍ତି।

ରାଜ୍ୟ ନିର୍ବାଚନ କମିଶନର ଯେପରି ପ୍ରସ୍ତୁତ ହେଉଛନ୍ତି, ସେହିପରି ରାଜ୍ୟର ସମସ୍ତ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତ ବୋଲି ସ୍ବୀକାର କରିଛନ୍ତି। କଂଗ୍ରେସ କହିଛି ଯେ, ବର୍ତ୍ତମାନ ତାଙ୍କ ଦଳ ରାଜ୍ୟର ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛି। କର୍ମିମାନେ ଲୋକ ସଂପର୍କ ଯୋଡିବାରେ ଲାଗିଛନ୍ତି। ତେଣୁ ଓଡିଶାରେ ଯେଉଁ ମୂର୍ହୁତରେ ନିର୍ବାଚନ ହେଲେ ମଧ୍ୟ ଆମେ ସମ୍ମୁଖୀନ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସେହିପରି ବିଜେଡି ଏବଂ ବିଜେପି ତରଫରୁ ମଧ୍ୟ ବିଭିନ୍ନ ସମୟରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଆସୁଛନ୍ତି। ବିଜେଡି କହିଛି ଯେ, ଓଡିଶାରେ ବିଜୁ ଜନତା ଦଳ ଲୋକଙ୍କର ସେବା କରିଆସିଛି, ଲୋକଙ୍କ ପ୍ରିୟଭାଜନ ହୋଇଛି, ସେଥିପାଇଁ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟ ଲାଭ କରି ପୁଣି ରାଜ୍ୟର ଶାସନ ଭାର ଗ୍ରହଣ କରିବ। ସେହିପରି ବିଜେପି ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ସଭାପତି ମନମୋହନ ସାମଲ କହିଛନ୍ତି।

ସବୁ ରାଜନୈତିକ ଦଳ, ନିର୍ବାଚନ କମିଶନର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବେଳେ ଭୋଟରମାନେ କାହାକୁ ଭୋଟ ଦେବେ ସେଥିପାଇଁ ସେମାନେ ପ୍ରସ୍ତୁତ ହୋଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ନିର୍ବାଚନ, କେଉଁ ଦଳ କେତେ ପ୍ରସ୍ତୁତ, କଣ କହୁଛନ୍ତି ଦଳର ନେତା

ଭୁବନେଶ୍ବର: ଓଡିଶାରେ ହେବ ଆଗୁଆ ନିର୍ବାଚନ। ଏ ନେଇ ରାଜନୈତିକ ଦଳଠାରୁ ଆରମ୍ଭ କରି ସାଧାରଣ କର୍ମିଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଆଗୁଆ ନିର୍ବାଚନ ନେଇ ରାଜ୍ୟର ରାଜନୈତିକ ଦଳଗୁଡିକ ମଧ୍ୟ ବୟାନବାଜୀ ଆରମ୍ଭ କରିଦେଇଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ବୋଲି ମିଡିଆରେ କହିସାରିଲେଣି।

ଏ ନେଇ ଖୋଦ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ଯେତେବେଳେ ବି ନିର୍ବାଚନ ହେଲେ କଂଗ୍ରେସ ସବୁବେଳ ପ୍ରସ୍ତୁତ ରହିଛି। ସେଥିରେ କିଛି ଆସୁବିଧା ହେବ ନାହିଁ। ବହୁଦିନରୁ କଂଗ୍ରେସ ତୃଣମୂଳ ସ୍ତରରୁ କାମ ଆରମ୍ଭ କରିଦେଇଛି। ଲୋକଙ୍କର ଆସ୍ଥାଭାଜନ ପାଇଁ ଦଳର ନେତାମାନେ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକ୍ରମ କରିସାରିଛନ୍ତି। ସେଥିପାଇଁ ଏବେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ।

ସେହିପରି ବିଜେପି ତରଫରୁ ମଧ୍ୟ ଏ ନେଇ ମତ ରଖାଯାଇଛି। ଦଳ କହିଛି ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ ବୋଲି ସୂଚନା ରହିଛି। ସେହି ଅନୁସାରେ ଦଳ ତରଫରୁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା ହୋଇ ସାରିଲାଣି। ତେଣୁ ଆଗୁଆ ହେଉ କି ଆଜି, ବିଜେପି ସବୁବେଳେ ନିର୍ବାଚନକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି। ଓଡିଶାରେ ବିଜେପି ଏକା ଲଢିବ, କାହା ସହିତ ମେଣ୍ଟ କରିବ ନାହିଁ।

ସେହିପରି ବିଜେଡି ତରଫରୁ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖାଯାଇଛି। ଯଦି ଆଗୁଆ ନିର୍ବାଚନ ହେବ ତେବେ ବିଜେଡି ହିଁ କରିବ। ତେବେ ଏ ନେଇ ବିଜେଡି ସାଂସଦ ମୁନ୍ନା ଖାନ କହିଛନ୍ତି ଯେ, ବିଜେଡି ଓଡିଶାରେ ଭଲସ୍ଥିତିରେ ରହିଛି। ଆଗ ଅପେକ୍ଷା ବିଜେଡି ଏଥର ଆହୁରି ଅଧିକ ଆସନରେ ଜିତିବ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଜେଡି କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ମୁନ୍ନା ଖାନ୍ କହିଛନ୍ତି।

ତେବେ ଏପରି ଘଟଚପଟ ମଧ୍ୟରେ ବର୍ତ୍ତମାନ ଓଡିଶା ରାଜନୀତି ବେଶ ସରଗରମ ହୋଇ ଉଠିଛି। କର୍ମି ତଥା ନେତାଙ୍କ ମନରେ ଏହି ଆଗୁଆ ନିର୍ବାଚନ ଖବର ବାଉଳା କରିସାରିଲାଣି। ସେମାନେ କଣ କରିବେ, ଦଳ ଟିକେଟ ଦେବ କି ନାହିଁ, କେତେବେଳେ ସଂଗଠନ ହେବ ସେ ନେଇ ସେମାନେ ଚିନ୍ତାରେ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବ ବୋଲି କାହିଁକି ହେଉଛି ଚର୍ଚ୍ଚା, କଣ ଅଛି ପ୍ରମାଣ?

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଏକ ବଡ ଚର୍ଚ୍ଚା ଚାଲିଛି। ତାହା ହେଲା ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବ। ଚର୍ଚ୍ଚା ଅନୁସାରେ ନବୀନ ପଟ୍ଟନାୟକ କୁଆଡେ ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭା ଭଙ୍ଗ କରିବେ। ଏହାପରେ ଡିସେମ୍ବରରେ ଦେଶରେ ହେବାକୁ ଥିବା ପାଞ୍ଚୋଟି ବିଧାନସଭା ନିର୍ବାଚନ ସହିତ ଓଡିଶା ନିର୍ବାଚନ ମଧ୍ୟ ହେବ।

ତେବେ ଏହି ଚର୍ଚ୍ଚା ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସରକାର ଭାଙ୍ଗିବାକୁ ଘୋଷଣା କରିବେ। ତେବେ ଏ ନେଇ କେନ୍ଦ୍ର ସରକାର କୁଆଡେ ଚାପ ପକାଉଛନ୍ତି ବୋଲି କୁହାଯାଉଛି। କାରଣ କେନ୍ଦ୍ର ସରକାରଙ୍କ କୌଣସି ପ୍ରକାରରେ ରାଜ୍ୟ ବିଧାନସଭା ସହ ଦେଣନେଣ ନାହିଁ। ସେମାନଙ୍କର ସାଂସଦ ଦରକାର, ଲୋକସଭାରେ ସଂଖ୍ୟା ଗରିଷ୍ଠ ଦରକାର।

ହେଲେ ଓଡିଶାରେ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେଉଥିବାରୁ ରାଷ୍ଟ୍ରୀୟ ବିଜେପିକୁ ଅଡୁଆ ହେଉଛି। ନବୀନ ପଟ୍ଟନାୟକଙ୍କ ହାୱାରେ ବିଧାନସଭାରେ ସବୁ ଭୋଟ ବିଜେଡି ପୋଛି ନେବା ସହିତ ଲୋକସଭା ଭୋଟ ମଧ୍ୟ ନେଇଯାଉଛନ୍ତି। ସେଥିପାଇଁ ଅମିତ ସାହା ଓଡିଶା ଗସ୍ତବେଳେ କୁଆଡେ ନବୀନ ଏବଂ ପାଣ୍ଡିଆନଙ୍କ ସହିତ ଆଲୋଚନା କରି ଆଗୁଆ ନିର୍ବାଚନ କରିବା ପାଇଁ ଚାପ ପକାଇଛନ୍ତି।

ଘଟଣାଟି ଏବର ନୁହେଁ, ବହୁ ପୂର୍ବରୁ କୁଆଡେ କେନ୍ଦ୍ର ସରକାର ବିଜେଡି ଉପରେ ଚାପ ପକାଇ ଆସୁଛନ୍ତି। ସେଥିପାଇଁ କେନ୍ଦ୍ରରୁ ଆସୁଥିବା ବିଜେପି ନେତାମାନେ କୌଣସି ପ୍ରକାରରେ ବିଜେଡି ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରକାଶ କରୁ ନାହାଁନ୍ତି। ବିଜେଡି ମଧ୍ୟ କେନ୍ଦ୍ର ବିରୋଧରେ କୌଣସି ପ୍ରକାରର ଆଭିମୁଖ୍ୟ ପ୍ରକାଶ କରୁ ନାହିଁ। ବଂର ସବୁ ପ୍ରକାରର ସହାୟତା ପ୍ରଦାନ କରିବାରେ ଲାଗିଛି।

ଅନ୍ୟପକ୍ଷରେ ବର୍ତ୍ତମାନ ବିଜେଡି ସରକାରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ନିଶ୍ଚିତ ଆଗୁଆ ନିର୍ବାଚନ ହେବ। ବିଜେଡି ସରକାରର ପ୍ରଚାର ପ୍ରସାର କରିବା ପାଇଁ 5ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନବୀନ ସରକାର କିପରି ଭଲ କାମ କରୁଛନ୍ତି ତାହାକୁ ଜିଲ୍ଲାୱାରୀ ବୁଲି ବୁଲି ସେ ଲୋକ ସମର୍ଥନ ଜୁଟାଇବାରେ ଲାଗିପଡିଛନ୍ତି।

ସେହିପରି ବିଜେଡି ଦଳ ଭିତରେ ମଧ୍ୟ ବେଶ ତତ୍ପରତା ପ୍ରକାଶ ପାଇଛି। କିଛି ମାସ ଧରି ଦଳର ଛାମୁଆ ସଂଗଠନଗୁଡିକ ସଜାଡିବା ସହିତ ଜିଲ୍ଲାରେ ନୂଆନୂଆ ମୁଖିଆ ନିଯୁକ୍ତି ହେବାରେ ଲାଗିଛନ୍ତି। ସେହିପରି ବିଜେଡି ନେତାମାନେ ମଧ୍ୟ ବର୍ତ୍ତମାନ ତୃଣମୂଳ ସ୍ତରରେ ନିଜର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିସାରିଛନ୍ତି।

କାହାକୁ ଟିକେଟ ମିଳିବ ତାହା ଜଣାପଡି ନ ଥିଲେ ମଧ୍ୟ ଆଶାୟୀମାନେ ଗାଁକୁ ଗାଁ ବୁଲିବାରେ ଲାଗିଛନ୍ତି। ବିଜେଡି ଦଳ ଏବଂ ବିଜେଡି ସରକାରର ଏପରି ତତ୍ପରତା ଯୋଗୁଁ ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ଅଧିକ ଦୃଢିଭୂତ କରିବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ନିର୍ବାଚନ, ଏହା କେବଳ ଚର୍ଚ୍ଚା ନା କିଛି ରହିଛି ସମ୍ଭାବନା??

ଭୁବନେଶ୍ବର: କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଆମେ ଶୁଣୁଛୁ ଓଡିଶାରେ କୁଆଡେ ଆଗୁଆ ନିର୍ବାଚନ ହେବ। ଏହି ମନ୍ତବ୍ୟ ପରେ ଓଡିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି। କେବଳ ଧର୍ମେନ୍ଦ୍ର ନୁହଁନ୍ତି, ବହୁ ପୂର୍ବରୁ ଓଡିଶାରେ ଏହି ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ଏହିପରି ଏକ ସୂଚନା ପ୍ରଦାନ କରି ରାଜ୍ୟ ରାଜନୀତିକୁ ତାଜା କରି ଦେଇଛନ୍ତି। ସେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପାଖରେ ଭିତିରି ଖବର ସଂଗ୍ରହ କରିବାର ଏକ ଲୋକବଳ କାମ କରୁଛି। ତେଣୁ ସେ ସେହିପରି କିଛି ସୂରାକ ପାଇଥିବାରୁ ଏପରି ଏକ ବିବୃତି ମିଡିଆ ଆଗରେ କହିଲେ ବୋଲି ଧରାଯିବ। ତେବେ କେବଳ ଓଡିଶାର ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି କୁଆଡେ ଆଗୁଆ ନିର୍ବାଚନ କରିବ ବୋଲି ଚର୍ଚ୍ଚା ଚାଲିଛି। ଯାହା ଧର୍ମେନ୍ଦ୍ର କହି ନାହାଁନ୍ତି ବା କହିପାରି ନାହାଁନ୍ତି।

ସେ ଯାହା ହେଉ ନା କାହିଁକି ଏବେ ପ୍ରଶ୍ନ ଉଠିଛି ଯେ, ପ୍ରକୃତରେ ଓଡିଶାରେ ଆଗୁଆ ନିର୍ବାଚନ ହେବ କି ? ଯଦି ହେବ ତେବେ କାହିଁକି ହେବ ? ଏଥିରେ କେଉଁ ଦଳ ଲାଭବାନ ହେବ ଏବଂ କେଉଁ ଦଳର କ୍ଷତି ହେବ ? ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ତେବେ ଓଡିଶାରେ ମଧ୍ୟ ଏକାସାଥୀରେ ନିର୍ବାଚନ ହେବ କି ?

ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନକୁ ନେଇ ସୃଷ୍ଟି ହେବାରେ ଲାଗିଛି। ତେବେ ଏହାରି ଭିତରେ ଆଉ ଏକ ପ୍ରସଂଗ ରହିଛି ତାହା ହେଲା ଓଡିଶାରେ ବିଜେଡି ବର୍ତ୍ତମାନ ଯେପରି ସ୍ଥିତିରେ ରହିଛି ସେ କାହିଁକି ଆଗୁଆ ନିର୍ବାଚନ ପାଇଁ ଇଚ୍ଛା ପ୍ରକାଶ କରିବ। କାରଣ ବିଗତ ଦିନର ରାଜ୍ୟ ରାଜନୀତି ବା ଉପନିର୍ବାଚନର ପରିସ୍ଥିତକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ବିଜେଡି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକ ନମ୍ବର। ଯାହାର ସ୍ଥିତି ସୁଦୃଢ ରହିଛି।

ସେଥିପାଇଁ ଗୋଟିଏ ସୁଦୃଢ ସରକାରଙ୍କୁ ଭାଙ୍ଗି ଆଗୁଆ ନିର୍ବାଚନ କରିବା ପାଇଁ ବିଜେଡି କେବେ ବି ଚାହିଁବ ନାହିଁ। ଅନ୍ୟପକ୍ଷରେ ଓଡିଶାରେ ଆଗୁଆ ନିର୍ବାଚନ କଲେ ବିଜେଡି ଏକ ବଡ ଭୁଲ କରି ବସିବ। କାରଣ ଓଡିଶା ବିଧାନସଭା ନିର୍ବାଚନ ହେଲେ ବିଜେପିର ମୋଦୀ ସାହାଙ୍କ ଠାରୁ ଆରମ୍ଭ କରି ଡଜନ ଡଜନ କେନ୍ଦ୍ରୀୟ ନେତା ଓଡିଶାରେ ପଡି ରହିବେ। ଫଳରେ ବିଜେଡିକୁ ଏହି କେନ୍ଦ୍ରୀୟ ମହାଶକ୍ତିକୁ ମୁକାବିଲା କରିବା ପାଇଁ କାଠିକର ପାଠ ହୋଇପଡିବ। ତେଣୁ ବିଜେଡି କାହିଁକି ଆଗୁଆ ନିର୍ବାଚନ କରି କାଦୁଅରେ ପଶିବ।

ତେବେ ଅନ୍ୟ ପ୍ରସଂଗ କଥା ଚିନ୍ତା କରାଯାଏ ତେବେ ବିଜେଡି ଆଗୁଆ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରିବାର ସମ୍ଭାବନା ଯଥେଷ୍ଠ ରହିଛି। ତାହା ହେଲା, ଯଦି କେନ୍ଦ୍ରରେ ବିଜେପି ସରକାର ଆଗୁଆ ନିର୍ବାଚନ ପାଇଁ ଘୋଷଣା କରନ୍ତି ତେବେ ବିଜେଡି ଆଗୁଆ ନିର୍ବାଚନ ଚିନ୍ତା କରିବ।  କାରଣ ଏହାଦ୍ବାରା ବିଜେଡି ଲାଭରେ ରହିବ। କେନ୍ଦ୍ରୀୟ ନେତୃତ୍ବ ସାରା ଦେଶରେ ନିର୍ବାଚନ ପାଇଁ ମାତିବେ। ଓଡିଶା ନିର୍ବାଚନରେ ସେମାନେ ପୁରା ଶକ୍ତି ଅପଚୟ କରିପାରିବେ ନାହିଁ। ଫଳରେ ଓଡିଶା ବିଜେପି ନେତାଙ୍କୁ ଏକା ନବୀନ ସମ୍ଭାଳି ନେଇ ନେବେ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ କେନ୍ଦ୍ରୀୟ ପାଣିପାଗକୁ ଅପେକ୍ଷା କରି ରହିଛି। ସେଠାରେ କଣ ଘଟୁଛି ବା ଆଗକୁ ଘଟିବାର ସମ୍ଭାବନା ରହିଛି ତାହାକୁ ପୁରା ତୀକ୍ଷ୍ମ ଦୃଷ୍ଟିରେ ଅନେଇ ରହିଛି। ସେତେବେଳର ପାଣିପାଗ ଦେଖି ବାତ୍ୟା ମୁକାବିଲାରେ ପାରଙ୍ଗମ ଥିବା ବିଜେଡି ସରକାର ନିର୍ବାଚନ ମହାବାତ୍ୟାକୁ ମୁକାବିଲା କରିବାକୁ ପଦକ୍ଷେପ ନେବ।