Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ନିର୍ବାଚନରେ ହାରିଛନ୍ତି ବୋଲି ମାନିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ସେ ଯାହା କହିଲେ ତାକୁ ନେଇ ଚାରିଆଡେ ଚର୍ଚ୍ଚା

ୱାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିଛନ୍ତି ବୋଲି ରବିବାର ଦିନ ସ୍ବୀକାର କରିଛନ୍ତି। ହେଲେ ସେ କହିଛନ୍ତି ଯେ ଡେମୋକ୍ରାଟିକ ଦଳର ଜୋ ବିଡନେ ଭୋଟ ଜାଲିୟାତି କରି ଜିତିଛନ୍ତି। ତାଙ୍କର ଜିତିବା ଆମେରିକା ବାସୀଙ୍କ ପାଇଁ ଏକ ଧକ୍କା ବୋଲି ଟ୍ରମ୍ପ କହିଛନ୍ତି। ଏହାକୁ ନେଇ ଆମେରିକା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି।

ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାରେ ଏକ ବଡ ରାଲି କରିଥିଲେ। ଏହି ରାଲିରେ ତାଙ୍କ ସମର୍ଥକମାନେ ବିଡେନଙ୍କୁ ଦୋଷାରୋପ କରିଥିଲେ। ଜୋ ବିଡେନଙ୍କୁ ଚୋରୀ କରିବା ପରିତ୍ୟାଗ କରନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ। ତେବେ ଏହି ରାଲିକୁ ନିଜେ ରାଷ୍ଟ୍ରପତି ଅନୁମତି ପ୍ରଦାନ କରିବାକୁ ନେଇ ଡେମୋକ୍ରାଟିକ ଦଳ ସମାଲୋଚନା କରିଛି।

ଆମେରିକାର ନିର୍ବାଚନ ଫଳାଫଳ ଗତ ଶୁକ୍ରବାର ଦିନ ଘୋଷଣା କରାଯାଇଥିଲା। ଏଥିରେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ 306 ଭୋଟ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ପାଇଥିଲେ ମାତ୍ର 232 ଖଣ୍ଡ ଭୋଟ। ନିର୍ବାଚନ ଜିତିବା ପାଇଁ 270 ଭୋଟର ଆବଶ୍ୟକ ଥିବା ବେଳେ ବିଡେନ ତାଠାରୁ ଯଥେଷ୍ଠ ଅଧିକ ଭୋଟ ହାସଲ କରିଛନ୍ତି। ବିଡେନଙ୍କୁ ସରକାରୀ ଭାବେ ବିଜୟ ଘୋଷଣା ମଧ୍ୟ କରାଗଲା। ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶ୍ବ ନେତାମାନେ ବିଡେନଙ୍କୁ ଅଭିନନ୍ଦନ ମଧ୍ୟ ଦେଲେ।

ହେଲେ ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏହି ଘୋଷଣାକୁ ମାନିବାକୁ ନାରାଜ ରହିଲେ। ବିଡେନଙ୍କ ବିଜୟ ବିରୋଧରେ ଟ୍ରାମ୍ପ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ଦାୟର କଲେ। ଫଳରେ ଆମେରିକାରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ନେଇ ଦ୍ବନ୍ଦ ସୃଷ୍ଟି ହେଲା। ଏପରିକି ଟ୍ରମ୍ପ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ମଧ୍ୟ କୌଣସି ଲକ୍ଷଣ ପରିଲକ୍ଷିତ ହେଲା ନାହିଁ।

ବର୍ତ୍ତମାନ ଟ୍ରମ୍ପ ପରାଜୟକୁ ସ୍ବୀକାର ସିନା କରିଛନ୍ତି ହେଲେ ସେ ଦାୟିତ୍ବ ହସ୍ତାନ୍ତର କରିବେ କି ନାହିଁ ଘୋଷଣା କରି ନାହାଁନ୍ତି। ଏପରିକି ବିଡେନଙ୍କ ବିଜୟ ବିରୋଧରେ କରିଥିବା ମାମଲାକୁ ପ୍ରତ୍ୟାହର କରିବେ କି ନାହିଁ ଜଣାପଡି ନାହିଁ। ତେବେ ସୋମବାର ଦିନ ଏହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।