Categories
ଆଞ୍ଚଳିକ

ନୂଆଁଗଡ଼ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା:(ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ଦୁଇ ଦିନିଆ ଖେଳଣା ପ୍ରସ୍ତୁତି କର୍ମଶାଳା ‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହା ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖ ଦିନ ଶେଷ ହେବ ବୋଲି ସୂଚନା ମିଳିଛି।

ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସୁମନ୍ତରାୟ, ମୁଖ୍ଯବକ୍ତା ଭାବେ ଶିକ୍ଷକ ପ୍ରକାଶ ଚନ୍ଦ୍ର ଭୂୟାଁ, ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ନାରାୟଣ ସେଠୀ, ଜଗନ୍ନାଥ ବାରିକ, ହରମୋହନ ଜେନା, ବାଳକୃଷ୍ଣ ମହାନ୍ତି, ପ୍ରଧାନ ଶିକ୍ଷକ ହରିହର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ। ଏଥିରେ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ନୂଆଁଗଡ଼ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା: କତା, କାଗଜ, ସଢ଼େଇ, ତୁଳା, ଫୋମରେ ତିଆରି ହେଲା ପାଠ୍ୟ ଉପକରଣ

ରଣପୁର: ଶିକ୍ଷା ବିଭାଗର ନିର୍ଦ୍ଦେଶରେ ସାରା ଓଡିଶାର ବିଭିନ୍ନ କ୍ଲଷ୍ଟରରେ “ଆମ ସଂସ୍କୃତି ଆମ ଖେଳଣା” କର୍ମଶାଳା ଉଦଘାଟିତ ହୋଇ ଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଦୁଇ ଦିନ ଚାଲୁ ରହିବ।

ଏହି ପରିପ୍ରେକ୍ଷୀରେ ରଣପୁର ଶିକ୍ଷା ବ୍ଲକ ନରସିଂହପୁର କ୍ଲଷ୍ଟରରେ ଏହି କର୍ମଶାଳା ମଧ୍ୟ ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ମୁଖ୍ୟ ବକ୍ତା ଭାବେ ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ତଥା ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ବ୍ରଜ ରଣସିଂହ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାରର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝାଇ ଥିଲେ। ମୁଖ୍ୟ ବକ୍ତା ଶ୍ରୀ ଦାଶ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜ ବିଦ୍ୟାଳୟରେ ଏହି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷଣୀୟ ତଥା ଅଭିନବ ଉପାୟରେ ଶିକ୍ଷା ଦାନ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଶ୍ରୀ ରଣସିଂହ ଶିକ୍ଷା ଦାନକୁ ଏକ ବ୍ରତ ଭାବେ ଗ୍ରହଣ କରି କୁନି କୁନି ପିଲାମାନଙ୍କର ସଠିକ ଭାବରେ ଉନ୍ନତି କରିବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରଥମ ଦିନରେ ପ୍ରଶିକ୍ଷକ ନୃସିଂହ ଚରଣ ଚୌଧୁରୀ ପପେଟ, ଫୋମ କଣ୍ଢେଇ, ବିଭିନ୍ନ ମୁଖା ମୁଖା ତିଆରି କରିବା କୌଶଳ , ପ୍ରଶିକ୍ଷକ କମଳକାନ୍ତ ସ୍ୱାଇଁ ନଡ଼ିଆ ସଢ଼େଇରେ ବିଭିନ୍ନ ପାଠ୍ୟ ଉପକରଣ ଓ ଘର ସାଜସଜ୍ଜା ଉପକରଣ ପ୍ରସ୍ତୁତି କୌଶଳ, ପ୍ରଶିକ୍ଷକ ଶରତ କୁମାର ମହାରଣା ନଡ଼ିଆ କତାରେ କଇଁଛ, ଘୋଡା, ହାତୀ ଆଦି ତିଆରି କରିବା କୌଶଳ ଏବଂ ପ୍ରଶିକ୍ଷକ ସଞ୍ଜୟ କୁମାର ସାହୁ ଓ ଉର୍ମିଳା ଦେଇ ଅଦରକାରୀ କାଗଜରେ ବିଭିନ୍ନ ପାଠ୍ୟ ଉପକରଣ ତିଆରି କରିବା କୌଶଳ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶିଖାଇ ଥିଲେ। ଏଥିରେ ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇ ପାଠ୍ୟ ଉପକରଣ ପ୍ରସ୍ତୁତି କୌଶଳ ଶିଖୁ ଥିବା ଜଣା ପଡିଛି। ଏହି କାର୍ଯ୍ୟକ୍ରମ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଏବଂ ରମେଶ ଚନ୍ଦ୍ର ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ପରିଚାଳିତ ହେଉଥିବା ଜଣା ପଡିଛି।

ସେହିପରି ଜ୍ୟୋତି ରଞ୍ଜନ କରଙ୍କ ତତ୍ୱାବଧାନରେ ରଣପୁର କ୍ଲଷ୍ଟର, ସୁଧାକର ମିଶ୍ରଙ୍କ ତତ୍ୱାବଧାନରେ ଗୌରାଙ୍ଗପୁର କ୍ଲଷ୍ଟର, ପବିତ୍ର ମୋହନ ସାମନ୍ତରାୟଙ୍କ ତତ୍ୱାବଧାନରେ ସୁନାଖଳା କ୍ଲଷ୍ଟର, ସଞ୍ଜୟ ବରାଡ଼ଙ୍କ ତତ୍ୱାବଧାନରେ କୁଳାସର କ୍ଲଷ୍ଟର, ସୁବାଷ ମହାପାତ୍ରଙ୍କ ତତ୍ୱାବଧାନରେ କାଶନ୍ଦା କ୍ଲଷ୍ଟର, ଅକ୍ଷୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଗୋପାଳପୁର କ୍ଲଷ୍ଟର, ପଦ୍ମଚରଣ ସେଠିଙ୍କ ତତ୍ୱାବଧାନରେ ଡାମସାହି କ୍ଲଷ୍ଟର,ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଝାଡ଼ାପଡା କ୍ଲଷ୍ଟର, ଦୀନବନ୍ଧୁ ଜେନାଙ୍କ ତତ୍ୱାବଧାନରେ କାଣ୍ଡପଡା କ୍ଲଷ୍ଟର, ବିଶ୍ୱଭୂଷଣ ବେହେରାଙ୍କ ତତ୍ୱାବଧାନରେ ମଝିଆଖଣ୍ଡ କ୍ଲଷ୍ଟରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ଜଣାପଡିଛି।