Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ ୧୦୦ ପ୍ରତିଶତ ଖାଦ୍ୟଶସ୍ୟ ଓ ୨୦ ପ୍ରତିଶତ ଚିନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଝୋଟ ବର୍ଷ ୨୦୨୩-୨୪ (ଜୁଲାଇ ୧, ୨୦୨୩ରୁ ୩୦ ଜୁନ୍, ୨୦୨୪) ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ପାଇଁ ସଂରକ୍ଷଣ ନିୟମକୁ ଅନୁମୋଦନ କରିଛି। ଝୋଟ ବର୍ଷ ୨୦୨୩-୨୪ ପାଇଁ ଅନୁମୋଦିତ ହୋଇଥିବା ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ଅନୁଯାୟୀ ଖାଦ୍ୟଶସ୍ୟର ଶତ ପ୍ରତିଶତ ସଂରକ୍ଷଣ ଏବଂ ୨୦ ପ୍ରତିଶତ ଚିନିକୁ ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ।

ବର୍ତ୍ତମାନର ପ୍ରସ୍ତାବରେ ସଂରକ୍ଷଣ ନିୟମ ଭାରତରେ କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନର ହିତକୁ ଆହୁରି ସୁରକ୍ଷିତ କରିବ, ଯାହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅନୁରୂପ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ। ଝୋଟ ପ୍ୟାକେଜିଂ ସାମଗ୍ରୀରେ ପ୍ୟାକେଜିଂ ପାଇଁ ସଂରକ୍ଷଣ ଦେଶରେ ଉତ୍ପାଦିତ କଞ୍ଚା ଝୋଟର ପ୍ରାୟ ୬୫% (୨୦୨୨-୨୩ରେ) ବ୍ୟବହାର କରାଯାଏ । ଜେପିଏମ୍ ଆଇନର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ସରକାର ଝୋଟ ମିଲ୍ ଓ ଆନୁସଙ୍ଗିକ ୟୁନିଟ୍‌ରେ ନିୟୋଜିତ ୪ ଲକ୍ଷ ଶ୍ରମିକଙ୍କୁ ଆଶ୍ୱସ୍ତି ଦେବା ସହ ପ୍ରାୟ ୪୦ ଲକ୍ଷ କୃଷକ ପରିବାରର ଜୀବିକା ନିର୍ବାହରେ ସହାୟକ ହେବେ। ଏହାବ୍ୟତୀତ ଏହା ପରିବେଶ ସୁରକ୍ଷାରେ ସହାୟକ ହେବ କାରଣ ଝୋଟ ପ୍ରାକୃତିକ, ଜୈବ-ଅବକ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାରଯୋଗ୍ୟ ଫାଇବର ଏବଂ ତେଣୁ ଏହା ସମସ୍ତ ସ୍ଥାୟିତା ମାନଦଣ୍ଡ ପୂରଣ କରେ।

ଝୋଟ ଶିଳ୍ପ ସାଧାରଣତଃ ଭାରତର ଜାତୀୟ ଅର୍ଥବ୍ୟବସ୍ଥା ଏବଂ ବିଶେଷ କରି ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ପୂର୍ବାଞ୍ଚଳ, ବିଶେଷ କରି ପଶ୍ଚିମବଙ୍ଗରେ ଏହା ଅନ୍ୟତମ ପ୍ରମୁଖ ଶିଳ୍ପ ।

ଜେପିଏମ୍ ଆଇନ ଅଧୀନରେ ସଂରକ୍ଷଣ ନିୟମ ଅନୁଯାୟୀ ଝୋଟ କ୍ଷେତ୍ରରେ ୪ ଲକ୍ଷ ଶ୍ରମିକ ଏବଂ ୪୦ ଲକ୍ଷ କୃଷକଙ୍କୁ ସିଧାସଳଖ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଜେପିଏମ୍ ଆଇନ ୧୯୮୭ ଝୋଟ କୃଷକ, ଶ୍ରମିକ ଏବଂ ଝୋଟ ସାମଗ୍ରୀ ଉତ୍ପାଦନରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିଥାଏ। ଝୋଟ ଶିଳ୍ପର ମୋଟ ଉତ୍ପାଦନର ୭୫% ହେଉଛି ଝୋଟ ବସ୍ତା, ଯେଉଁଥିରୁ ୮୫% ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ରାଜ୍ୟ କ୍ରୟ ଏଜେନ୍ସି (ଏସପିଏ)କୁ ଯୋଗାଣ କରାଯାଏ ଏବଂ ଅବଶିଷ୍ଟ ସିଧାସଳଖ ରପ୍ତାନି/ବିକ୍ରୟ କରାଯାଏ।

ଭାରତ ସରକାର ପ୍ରତିବର୍ଷ ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ପ୍ରାୟ ୧୨,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣନ୍ତି, ଯାହା ଫଳରେ ଝୋଟ କୃଷକ ଏବଂ ଶ୍ରମିକଙ୍କ ଉତ୍ପାଦ ପାଇଁ ନିଶ୍ଚିତ ବଜାର ସୁନିଶ୍ଚିତ ହୋଇଥାଏ।

ଝୋଟ ବସ୍ତାର ହାରାହାରୀ ଉତ୍ପାଦନ ପ୍ରାୟ ୩୦ ଲକ୍ଷ ବେଲ୍ସ (୯ ଲକ୍ଷ ମେଟ୍ରିକ୍ ଟନ୍) ଏବଂ ଝୋଟ କୃଷକ, ଶ୍ରମିକ ଓ ଝୋଟ ଶିଳ୍ପରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଝୋଟ ବସ୍ତାର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘କୋଇଲା ଓ ଲିଗ୍ନାଇଟ ଅନ୍ବେଷଣ ଯୋଜନା’ କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି 2980 କୋଟି ଟଙ୍କାର ଆନୁମାନିକ ବ୍ୟୟ ସହିତ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା, ‘କୋଇଲା ଏବଂ ଲିଗ୍ନାଇଟ୍ ଅନ୍ବେଷଣ ଯୋଜନା’ କୁ 2021-22 ରୁ 2025-26 ପର୍ଯ୍ୟନ୍ତ ଅର୍ଥାତ୍ 15 ତମ ଅର୍ଥ ଆୟୋଗ ଚକ୍ର ସହିତ ସହ-ସମାପ୍ତି ପର୍ଯ୍ୟନ୍ତ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।
ଏହି ଯୋଜନା ଅଧୀନରେ କୋଇଲା ଏବଂ ଲିଗ୍ନାଇଟ୍ ପାଇଁ ଅନ୍ବେଷଣ ଦୁଇଟି ବ୍ୟାପକ ପର୍ଯ୍ୟାୟରେ କରାଯାଏ: (i) ପ୍ରମୋସନାଲ୍ (ଆଞ୍ଚଳିକ) ଅନ୍ବେଷଣ ଏବଂ (ii) ଅଣ କୋଲ ଇଣ୍ଡିଆ ଲିମିଟେଡ୍ ବ୍ଲକରେ ବିସ୍ତୃତ ଅନ୍ବେଷଣ।
ଏହି ମଞ୍ଜୁରି ଅଣ-ସିଆଇଏଲ୍‌ କ୍ଷେତ୍ରରେ ପ୍ରଚାର ସମ୍ବନ୍ଧୀୟ (କ୍ଷେତ୍ରୀୟ) ଅନ୍ବେଷଣ ପାଇଁ 1650 କୋଟି ଟଙ୍କା ଓ ବିସ୍ତୃତ ଡ୍ରିଲିଂ ପାଇଁ 1330 କୋଟି ଟଙ୍କାର ବ୍ୟୟ ପ୍ରଦାନ କରିବ। କ୍ଷେତ୍ରୀୟ ଅନ୍ବେଷଣ ଅନ୍ତର୍ଗତ ପ୍ରାୟ 1300 ବର୍ଗ କିମି କ୍ଷେତ୍ର ଏବଂ ବିସ୍ତୃତ ଅନ୍ବେଷଣ ଅନ୍ତର୍ଗତ ପ୍ରାୟ 650 ବର୍ଗ କିମି କ୍ଷେତ୍ରକୁ କଭର କରାଯିବ।
କୋଇଲା ଏବଂ ଲିଗ୍ନାଇଟ୍ ପାଇଁ ଅନ୍ବେଷଣ ଦେଶରେ ଉପଲବ୍ଧ କୋଇଲା ସମ୍ବଳକୁ ପ୍ରମାଣିତ କରିବା ଏବଂ ଆକଳନ କରିବା ଆବଶ୍ୟକ ଯାହାକି କୋଇଲା ଖଣି ଆରମ୍ଭ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଏହି ଅନ୍ବେଷଣ ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଭୂତତ୍ତ୍ବିକ ରିପୋର୍ଟଗୁଡିକ ନୂତନ କୋଇଲା ବ୍ଲକଗୁଡିକର ନିଲାମ ପାଇଁ ବ୍ୟବହୃତ ହୁଏ ଏବଂ ପରବର୍ତ୍ତୀ ସମୟରେ ସଫଳ ଆବଣ୍ଟନକାରୀଙ୍କ ଠାରୁ ଏହି ମୂଲ୍ୟ ରିକଭର କରାଯାଇଥାଏ।
Categories
ବିଶେଷ ଖବର ବ୍ୟବସାୟ

ଘରୋଇ ଅଶୋଧିତ ତୈଳ ବିକ୍ରି ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ‘ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର’ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅଶୋଧିତ ତୈଳ ଏବଂ କଣ୍ଡେନସେଟ୍‌ ଆବଣ୍ଟନକୁ ବନ୍ଦ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ନିଷ୍ପତ୍ତି ୧ ଅକ୍ଟୋବର ୨୦୨୨ ଠାରୁ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ସମସ୍ତ ଅନ୍ବେଷଣ ଏବଂ ଉତ୍ପାଦନ (ଇଏଣ୍ଡପି) ଅପରେଟରଙ୍କ ପାଇଁ ସ୍ବାଧୀନ ବିପଣନ ସୁନିଶ୍ଚିତ ହୋଇପାରିବ। ସରକାର, କିମ୍ବା ତାଙ୍କ ନୋମିନୀ ଅଥବା ସରକାରୀ କମ୍ପାନୀଗୁଡ଼ିକୁ ଅଶୋଧିତ ତୈଳ ବିକ୍ରି କରିବା ଲାଗି ଉତ୍ପାଦନ ସହଭାଗିତା ଚୁକ୍ତିନାମା (ପିଏସସି)ର ସର୍ତ୍ତକୁ ତଦନୁଯାୟୀ କୋହଳ କରାଯିବ। ସବୁ ଇଏଣ୍ଡପି କମ୍ପାନୀଙ୍କୁ ଏବେ ଘରୋଇ ବଜାରରେ ନିଜ କ୍ଷେତ୍ରରୁ ଅଶୋଧିତ ତୈଳ ବିକ୍ରି କରିବା ନିମନ୍ତେ ସ୍ବାଧୀନତା ମିଳିପାରିବ। ସବୁ ଚୁକ୍ତିନାମାରେ ରୟାଲିଟି, ଉପକର, ଆଦି ଭଳି ରାଜସ୍ବର ଗଣନା ଏକସମାନ ଆଧାରରେ ହିସାବ କରାଯିବ। ତେବେ ପୂର୍ବ ବ୍ୟବସ୍ଥା ଭଳି, ରପ୍ତାନି ନିମନ୍ତେ ଅନୁମତି ମିଳିବ ନାହିଁ।

କ୍ୟାବିନେଟର ଏହି ନିଷ୍ପତ୍ତି ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ଦେବ, ଅପଷ୍ଟ୍ରିମ୍‌ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ୨୦୧୪ ଠାରୁ ଆରମ୍ଭ କରାଯାଇଥିବା ବିଭିନ୍ନ ପରିବର୍ତ୍ତନକାରୀ ସଂସ୍କାରକୁ ତ୍ବରାନ୍ବିତ କରିବ। ବ୍ୟବସାୟିକ ସୁଗମତା ଏବଂ ଅପରେଟର/ଉଦ୍ୟୋଗମାନଙ୍କୁ ଆବଶ୍ୟକତା ଅନୁଯାୟୀ ପରିଚାଳନା ସମ୍ବନ୍ଧୀୟ ସୁବିଧା ଯୋଗାଇ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଏଥିପାଇଁ ତୈଳ ଏବଂ ଗ୍ୟାସ ଉତ୍ପାଦନ, ମୌଳିକ ଭିତ୍ତିଭୂମି ଓ ବିପଣନ ସହ ଜଡ଼ିତ ନୀତିକୁ ଆହୁରି ଅଧିକ ସ୍ବଚ୍ଛ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅସ୍ଥାୟୀ ବୃହତ ଶକ୍ତି ପ୍ରକଳ୍ପ ପାଇଁ ବୃହତ ଶକ୍ତି ନୀତି ୨୦୦୯ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା) ପ୍ରାମାଣିକ ପ୍ରକଳ୍ପକୁ ଚିହ୍ନଟ କରିବାର ସମୟସୀମାକୁ ୩୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି। ଏଥିପାଇଁ ବୃହତ ଶକ୍ତି ନୀତି (ମେଗା ପାୱାର ପଲିସି) ୨୦୦୯ରେ ସଂଶୋଧନ କରାଯିବ।

ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ସମୟସୀମା ସମ୍ପ୍ରସାରଣ କରାଯିବା ଫଳରେ ଡେଭଲପର୍ସମାନେ ଭବିଷ୍ୟତରେ ପିପିଏ ପାଇଁ ପ୍ରତିଯୋଗିତାମୂଳକ ନିଲାମୀ ଡାକିବା ଏବଂ ନୀତିଗତ ସର୍ତ୍ତ ଅନୁସାରେ ରିହାତି ପାଇବାକୁ ସକ୍ଷମ ହୋଇପାରିବେ। ଏଥିଯୋଗୁ ନଗଦ ପରିମାଣ ବଢ଼ିବା ଫଳରେ ଦେଶର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ମିଳିପାରିବ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପୁ ପୁଣିଥରେ ଚାଲୁ କରିବା ସୁନିଶ୍ଚିତ ହେବ।

ଟିକସ କର୍ତ୍ତୃପକ୍ଷଙ୍କୁ ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ମଞ୍ଜୁରି/ଆଂଶିକ ମଞ୍ଜୁରି ମିଳିଥିବା ୧୦ଟି ଅସ୍ଥାୟୀ (ପ୍ରୋଭିଜନାଲ) ମେଗା ପ୍ରକଳ୍ପର ସମୟ ଅବଧିକୁ ଆମଦାନୀ ତାରିଖ ଠାରୁ ୧୨୦ ମାସ ପରିବର୍ତ୍ତେ ୧୫୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମ୍ପ୍ରସାରିତ ଅବଧି କାଳରେ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଏବଂ ସୌର ଶକ୍ତି କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ (ଏସଇସିଆଇ)ର ସହଯୋଗରେ ସ୍ଥିର ଶକ୍ତି (ଅନିୟମିତ ଅକ୍ଷୟ ଶକ୍ତି, ସଂରକ୍ଷଣ ଏବଂ ପାରମ୍ପରିକ ଶକ୍ତିର ମିଶ୍ରଣ)କୁ ଆକୃଷ୍ଟ କରାଯିବ। ଯାହାଫଳରେ ପିପିଏକୁ ସୁରକ୍ଷିତ ରଖିବା ଲାଗି ଏସବୁ ମେଗା ପ୍ରକଳ୍ପ ଏପରି ନିଲାମୀରେ ଭାଗ ନେବେ ବୋଲି ଆଶା କରାଯାଉଛି। ଶକ୍ତି ମନ୍ତ୍ରଣାଳୟ ଏହି ଅବଧିରେ ବର୍ତ୍ତମାନର ବିଦ୍ୟୁତ ବଜାର ଆଧାରରେ ଏକ ବିକଳ୍ପ ମଧ୍ୟ ବିକଶିତ କରିବ। ଏଥିସହିତ ଉପଭୋକ୍ତାମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ଢଙ୍ଗରେ ଲାଭ ପ୍ରଦାନ କରିବା ସୁନିଶ୍ଚିତ ହୋଇପାରିବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଯୋଗାଣ କରାଯିବାକୁ ଥିବା ସଂଶୋଧିତ ଇଥାନଲ ବ୍ୟବସ୍ଥାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଖୁର ବିଭିନ୍ନ ପ୍ରକାରର କଞ୍ଚାମାଲରୁ ଉତ୍ପାଦିତ ହୋଇଥିବା ଇଥାନଲର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ଏ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଡିସେମ୍ବର ୨୦୨୧ ଠାରୁ ୩୦ ନଭେମ୍ବର ୨୦୨୨ ଯର୍ଯ୍ୟନ୍ତ ପରବର୍ତ୍ତୀ ୨୦୨୧-୨୨ ଚିନି ଋତୁରେ ଏହାକୁ ଲାଗୁ କରାଯିବ।

ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଛନ୍ତି :

– ସି ହେଭି ମୋଲାସେସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ମୂଲ୍ୟ ଲିଟର ପିଛା ୪୫ ଟଙ୍କା ୬୯ ପଇସାରୁ ୪୬ ଟଙ୍କା ୬୬ ପଇସାକୁ ବୃଦ୍ଧି କରାଯାଇଛି।

– ବି ହେଭୀ ମୋଲାସେସ ମାର୍ଗରେ ଉତ୍ପାଦିତ ଇଥାନଲ ମୂଲ୍ୟ ଲିଟର ପିଛା ୫୭ ଟଙ୍କା ୬୧ ପଇସାରୁ ବୃଦ୍ଧି କରି ୫୯ଟଙ୍କା ୮ ପଇସା ନିର୍ଦ୍ଧାରଣ କରାଯାଇଛି।

– ଆଖୁ ରସ, ଚିନି/ଚିନି ରସରୁ ଉତ୍ପାଦିତ ଇଥାନଲ ମୂଲ୍ୟ ଲିଟର ପିଛା ୬୨ ଟଙ୍କା ୬୫ ପଇସାରୁ ୬୩ ଟଙ୍କା ୪୫ ପଇସା କରି ଦିଆଯାଇଛି।

– ଏହା ଅତିରିକ୍ତ, ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗୁ କରାଯିବ।

ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗଗୁଡ଼ିକୁ ଟୁ ଜି ଇଥାନଲର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ସ୍ୱାଧୀନତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କାରଣ ଏହା ଦେଶରେ ଅତ୍ୟାଧୁନିକ ଜୈବଇନ୍ଧନ ବିଶୋଧନାଗାର ପ୍ରତିଷ୍ଠା କରିବା କ୍ଷେତ୍ରରେ ସହାୟକ ହେବ। ସୂଚନାଯୋଗ୍ୟ ଯେ ଶସ୍ୟ ଆଧାରିତ ଇଥାନଲ ମୂଲ୍ୟ ବର୍ତ୍ତମାନ କେବଳ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ଦ୍ଧାରଣ କରାଯାଉଛି।

ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିବା ଫଳରେ ନିରନ୍ତର ମୂଲ୍ୟ ସ୍ଥିରତା ଯୋଗାଇ ଦେବା ଲାଗି ସରକାରଙ୍କ ଲକ୍ଷ୍ୟ ପୂରଣ ହେବା ସହିତ ଇଥାନଲ ଯୋଗାଣକାରୀମାନଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ। କେବଳ ସେତିକି ନୁହେଁ ଆଖୁ ଚାଷୀଙ୍କ ବକେୟା ପାଉଣା ମଧ୍ୟ ମିଳିପାରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ବୈଦେଶିକ ମୂଦ୍ରା ସଞ୍ଚୟରେ ସହାୟକ ହେବ ଏବଂ ପରିବେଶକୁ ମଧ୍ୟ ଲାଭାନ୍ୱିତ କରିପାରିବ।

ଏହି ନିଷ୍ପତ୍ତି ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଟୁଜି ଇଥାନଲ ମୂଲ୍ୟ ନିର୍ଦ୍ଧାରଣ କରିବାରେ ସ୍ୱାଧୀନତା ଦେବ ଯାହାକି ଦେଶରେ ଅତ୍ୟାଧୁନିକ ଜୈବ ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ସୁବିଧା ପ୍ରଦାନ କରିବ।

ସମସ୍ତ ଡିଷ୍ଟିଲେରୀ ଏହି ଯୋଜନାର ଲାଭ ନେବାରେ ସକ୍ଷମ ହୋଇପାରିବେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନଲ ଯୋଗାଣ କରିପାରିବେ ବୋଲି ଆଶା କରାଯାଉଛି।

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଆସୁଛନ୍ତି ଯେଉଁଥିରେ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିପାରିବେ। ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନ ଉପଯୋଗକୁ ପ୍ରୋତ୍ସାହନ ନିମନ୍ତେ ଆଣ୍ଡାମାନ ନିକୋବର ଓ ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ପ୍ରଦେଶକୁ ଛାଡ଼ି ୧ ଏପ୍ରିଲ ୨୦୧୯ ଠାରୁ ସାରା ଦେଶରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯାଇଛି। ଏହି ହସ୍ତକ୍ଷେପ ଇନ୍ଧନ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇ ଦେବ।

୨୦୧୪ ଠାରୁ ସରକାର ଇଥାନଲର ପ୍ରଭାବୀ ମୂଲ୍ୟ ବିଜ୍ଞପିତ କରିଛନ୍ତି। ୨୦୧୮ରେ ପ୍ରଥମ ଥର ସରକାରଙ୍କ ପକ୍ଷରୁ ଇଥାନଲ ଉତ୍ପାଦନ ଲାଗି ଉପଯୋଗ କରାଯାଉଥିବା କଞ୍ଚା ମାଲ ଆଧାରରେ ଇଥାନଲର ବ୍ୟବଧାନ ମୂଲ୍ୟ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତି ଇଥାନଲ ଯୋଗାଣରେ ଯଥେଷ୍ଟ ସୁଧାର ଆଣିଛି। ଯାହାଫଳରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଇଥାନଲ କ୍ରୟ ପରିମାଣ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ)୨୦୧୩-୧୪ରେ ୩୮ କୋଟି ଲିଟରରୁ ବୃଦ୍ଧି ପାଇ ୨୦୨୦-୨୧ ଇଏସୱାଇ ବର୍ଷରେ ୩୫୦ କୋଟି ଲିଟରରେ ପହଞ୍ଚିଛି।

ଅଂଶୀଦାରମାନଙ୍କୁ ଦୀର୍ଘକାଳିନ ଦୃଷ୍ଟିକୋଣ ପ୍ରଦାନ କରିବା ଉଦ୍ଦେଶ୍ୟରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ‘ଇବିପି କାର୍ଯ୍ୟକ୍ରମ ଅଧୀନରେ ଦୀର୍ଘକାଳୀନ ଆଧାରରେ ଇଥାନଲ କ୍ରୟ ନୀତି’ ପ୍ରକାଶ କରିଛି। ଏହାର ଅନୁରୂପ, ଇଥାନଲ ଯୋଗାଣକାରୀମାନଙ୍କ ଏକକାଳୀନ ପଞ୍ଜିକରଣ ଓଏମସିଗୁଡ଼ିକ ସମ୍ପୂର୍ଣ୍ଣ କରିସାରିଛନ୍ତି । ତୈଳ ବିପଣନ କମ୍ପାନୀଗୁଡ଼ିକ ସେହି ଯୋଗ୍ୟ ପ୍ରକଳ୍ପ ସମର୍ଥକମାନଙ୍କ ନାମ ମଧ୍ୟ ପ୍ରକାଶିତ କରିଛନ୍ତି ଯେଉଁମାନଙ୍କ ସହିତ ଇଥାନଲର ଅଭାବ ଥିବା ରାଜ୍ୟମାନଙ୍କରେ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଦୀର୍ଘକାଳୀନ ଚୁକ୍ତି କରାଯିବ। ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ ଦୀର୍ଘକାଳୀନ ଦୃଷ୍ଟିକୋଣ ପ୍ରଦାନ କରିବା ଏବଂ ନିବେଶକୁ ଆକୃଷ୍ଟ କରିବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକୁ ଆଗାମୀ ୨୦୨୧-୨୨ ଇଏସୱାଇ ଶେଷ ସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରିତ କରିବା ଏବଂ ୨୦୨୫-୨୬ ଇଏସୱାଇ ଶେଷ ସୁଦ୍ଧା ୨୦ ପ୍ରତିଶତ ମିଶ୍ରଣ ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେବା ସାମିଲ ରହିଛି। ଏ ଦିଗରେ ଏକ ପଦକ୍ଷେପ ସ୍ୱରୂପ, ମାନନୀୟ ପ୍ରଧାନମନ୍ତ୍ରୀ ବିଶ୍ୱ ପର୍ଯ୍ୟାବରଣ ଦିବସ – ୫ ଜୁନ, ୨୦୨୧ରେ “ଭାରତରେ ଇଥାନଲ ସମ୍ମିଶ୍ରଣ ଲାଗି ରୋଡମ୍ୟାପ ୨୦୨୦-୨୫” ଉପରେ ବିଶେଷଜ୍ଞ ସମିତିର ରିପୋର୍ଟ ଜାରି କରିଛନ୍ତି। ଏସବୁ ପଦକ୍ଷେପ ଦ୍ୱାରା ବ୍ୟବସାୟ କରିବା ସହଜ ହେବ ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପ ସାକାର ହୋଇପାରିବ।

କ୍ରମାଗତ ଭାବେ ବଳକା ଚିନି ଉତ୍ପାଦନ ହେଉଥିବାରୁ ଚିନି ମୂଲ୍ୟ ହ୍ରାସ ପାଉଛି। ଯାହାଫଳରେ ଚିନି ଉଦ୍ୟୋଗରେ ଥିବା କୃଷକମାନଙ୍କୁ ଅର୍ଥ ପଇଠ କରିବା କ୍ଷମତା ହ୍ରାସ ପାଉଛି। ଏଥିଯୋଗୁ ଆଖୁ ଚାଷୀଙ୍କ ବକେୟା ବୃଦ୍ଧି ପାଇଛି। ଆଖୁ ଚାଷୀଙ୍କ ବକେୟା ପାଉଣା କମାଇବା ଲାଗି ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚିନି ଉତ୍ପାଦନକୁ ସୀମିତ କରିବା ଏବଂ ଇଥାନଲର ଘରୋଇ ଉତ୍ପାଦନ ବଢ଼ାବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ଏଥିରେ ଇଥାନଲ ଉତ୍ପାଦନ ପାଇଁ ବି-ହେଭୀ ମୋଲାସେସ, ଆଖୁ ରସ, ଚିନି ଏବଂ ଚିନି ରସକୁ ବଦଳାଇବା ଲାଗି ଅନୁମତି ଦେବା ସାମିଲ ରହିଛି। ବର୍ତ୍ତମାନ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ଏବଂ ଚିନିର ପୂର୍ବ-ମିଲ୍ ମୂଲ୍ୟରେ ପରିବର୍ତ୍ତନ ହୋଇଛି, ସେଥିପାଇଁ ବିଭିନ୍ନ ଆଖୁ ଆଧାରିତ କଞ୍ଚା ମାଲରୁ ପ୍ରାପ୍ତ ଇଥାନଲର ପୂର୍ବ-ମିଲ୍ ମୂଲ୍ୟକୁ ସଂଶୋଧନ କରିବାର ଆବଶ୍ୟକତା ରହିଛି।

ଏହାବ୍ୟତୀତ, ଦ୍ୱିତୀୟ ପିଢ଼ି (ଟୁ-ଜି) ଇଥାନଲ କାର୍ଯ୍ୟକ୍ରମ (ଯାହା କୃଷି ଏବଂ ବନ୍ୟଜାତୀୟ ଅବଶେଷ, ଯଥା ଚାଉଳ ଏବଂ ଗହମର ନଡ଼ା/କର୍ଣ୍ଣ କବ୍, ଷ୍ଟୋଭର/ଆଖୁ ଗଛର ଅବଶେଷ, ଉଡୀ ବାୟୋମାସ ଆଦିରୁ ଉତ୍ପାଦନ କରାଯାଇଥାଏ) ଆରମ୍ଭ କରିବା ଲାଗି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କେତେକ ପ୍ରକଳ୍ପ ପ୍ରତିଷ୍ଠା କରାଯାଉଛି। ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନା’ରେ ଆର୍ଥିକ ସହାୟତା ପାଉଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ପୂର୍ବରୁ ସିସିଇଏ ଦ୍ୱାରା ଅନୁମୋଦିତ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ଲାଗୁ ହେବାର ସମ୍ଭାବନା ରହିଛି। ତେଣୁ ଟୁ-ଜି ଇଥାନଲର ମୂଲ୍ୟ ନିର୍ଦ୍ଧାରିତ ହେବା ବାଞ୍ଛନୀୟ।

Categories
ଆଜିର ଖବର ଜାତୀୟ ଖବର

ଏମଏସପି ପରିଚାଳନା ଅଧୀନରେ ହୋଇଥିବା କ୍ଷତି ଭରଣା ନିମନ୍ତେ ବ୍ୟୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଭାରତୀୟ କପା ନିଗମ (ସିସିଆଇ)କୁ ୧୭,୪୦୮.୮୫ କୋଟି ଟଙ୍କାର ପ୍ରତିଶ୍ରୁତିବଦ୍ଧ ମୂଲ୍ୟ ସମର୍ଥନ ଯୋଗାଇ ଦେବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୨୦୧୪-୧୫ ଠାରୁ ୨୦୨୦-୨୧ କପା ବର୍ଷ ପର୍ଯ୍ୟନ୍ତ କପା ଋତୁ (୩୦.୦୯.୨୦୨୧) ପାଇଁ ସିସିଆଇକୁ ଏହି ସହାୟତା ପ୍ରଦାନ କରାଯିବ।

ଏମଏସପି ମୂଲ୍ୟ ସହିତ କପା ମୂଲ୍ୟ ସମାନ ହେବା କାରଣରୁ କପା ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ୨୦୧୪-୧୫ରୁ ୨୦୨୦-୨୧ କପା ବର୍ଷ ପର୍ଯ୍ୟନ୍ତ ମୂଲ୍ୟ ସମର୍ଥନ ପରିଚାଳନା କରିବାର ଆବଶ୍ୟକତା ରହିଥିଲା। ଏହାର କାର୍ଯ୍ୟକାରିତା ଦେଶର ଆର୍ଥିକ ଗତିବିଧିରେ କପା ଚାଷୀଙ୍କ ସମାବେଶୀତାକୁ ବୃଦ୍ଧି କରିଥାଏ। ମୂଲ୍ୟ ସହାୟତା ପରିଚାଳନା କରାଯିବା କାରଣରୁ କପା ମୂଲ୍ୟ ସ୍ଥିର ରହିଥାଏ ଏବଂ ଚାଷୀଙ୍କ ସମସ୍ୟା ଦୂର ହୋଇଥାଏ।

କପା ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥକରୀ ଫସଲ ମଧ୍ୟରୁ ଅନ୍ୟତମ। ଏହା ପାଖାପାଖି ୫୮ ଲକ୍ଷ କପା ଚାଷୀ ଏବଂ କପା ପ୍ରକ୍ରିୟାକରଣ ଓ ବାଣିଜ୍ୟରେ ନିୟୋଜିତ ରହିଥିବା ୪ରୁ ୫ କୋଟି ଲୋକଙ୍କୁ ଦୀର୍ଘସ୍ଥାୟୀ ଜୀବିକା ପ୍ରଦାନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ।

୨୦୨୦-୨୧ କପା ଋତୁରେ, ୧୩୩ ଲକ୍ଷ ହେକ୍ଟରରେ କପା ଚାଷ କରାଯାଇଥିଲା। ଏଥିରୁ ଆନୁମାନିକ ୩୬୦ ଲକ୍ଷ ବେଲ୍ସ କପା ଉତ୍ପାଦନ କରାଯାଇଥିଲା । ବିଶ୍ୱସ୍ତରରେ ଉତ୍ପାଦିତ ହେଉଥିବା କପାର ଏହା ଥିଲା ୨୫ ପ୍ରତିଶତ। ସିଏସିପିର ସୁପାରିସକୁ ଆଧାର କରି ଭାରତ ସରକାର କପା ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ନିର୍ଦ୍ଧାରଣ କରିଥିଲେ।

ଭାରତ ସରକାର ସିସିଆଇକୁ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ନିୟୋଜିତ କରିଥିଲେ। କପା ମୂଲ୍ୟ ଏମଏସପି ସ୍ତର ଠାରୁ ତଳକୁ ଖସିଯିବା ପରେ ବିନା କୌଣସି ଧାର୍ଯ୍ୟ ସୀମାରେ ଚାଷୀଙ୍କ ଠାରୁ ସମସ୍ତ ଏଫଏକ୍ୟୁ ମାନର କପା କିଣିବା ଲାଗି ସିସିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୂଲ୍ୟହ୍ରାସ ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀଙ୍କୁ ଅଭାବୀ ବିକ୍ରିରୁ ସୁରକ୍ଷା ଦେବା ଲାଗି ଏମଏସପି ପରିଚାଳନା ଜରୁରି ଥିଲା।

ଏମଏସପି ସ୍ୱାୟତ୍ତ ପରିଚାଳନା ପ୍ରକୃତିର ହୋଇଥିବାରୁ ଏହା କପା ଚାଷ ଲାଗି ଦେଶର କପା ଚାଷୀମାନଙ୍କୁ ଦୀର୍ଘସ୍ଥାୟିତ୍ୱ ଭିତ୍ତିରେ ଅନୁପ୍ରାଣିତ କରିଥାଏ। ସୂତା ବୁଣିବା ଉଦ୍ୟୋଗ ପାଇଁ କପା ଏକ କଞ୍ଚାମାଲ ହୋଇଥିବାରୁ ଉନ୍ନତ ଗୁଣବତ୍ତାର କପା ଉତ୍ପାଦନ କରି ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହା ସହାୟକ ହେବ। ଅଧିକ କପା ଉତ୍ପାଦନ କରୁଥିବା ୧୧ଟି ବୃହତ ରାଜ୍ୟର ୧୪୩ଟି ଜିଲ୍ଲାରେ ୪୭୪ଟି କ୍ରୟ କେନ୍ଦ୍ର ପ୍ରତିଷ୍ଠା କରି ସିସିଆଇ ଭିତ୍ତିଭୂମି ପ୍ରସ୍ତୁତ ରଖିଛି।

ବିଶ୍ୱ ମହାମାରୀ ସମୟରେ ଗତ ଦୁଇଟି କପା ଋତୁ (୨୦୧୯-୨୦ ଏବଂ ୨୦୨୦-୨୧)ରେ ସିସିଆଇ ଦେଶରେ ଉତ୍ପାଦିତ କପାର ପ୍ରାୟ ଏକ ତୃତୀୟାଂଶ କପା କିଣିଥିଲା। ଏହା ପ୍ରାୟ ୨୦୦ ଲକ୍ଷ ବେଲ୍ସ ଥିଲା ଏବଂ ଏ ବାବଦରେ  ଦେଶର ୪୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିସିଆଇ ସିଧାସଳଖ ୫୫,୦୦୦ କୋଟି ଟଙ୍କା ହସ୍ତାନ୍ତର କରିଥିଲା।

ଚଳିତ ୨୦୨୧-୨୦୨୨ କପା ଋତୁରେ ସିସିସଆଇ କପା ଉତ୍ପାଦନ କରୁଥିବା ୧୧ଟି ବୃହତ ରାଜ୍ୟରେ କପା କ୍ରୟ ପାଇଁ ଯଥେଷ୍ଟ ବ୍ୟବସ୍ଥା କରିଛି। ଏମଏସପି ପରିଚାଳନା ପାଇଁ ୪୫୦ଟି କପା କ୍ରୟ କେନ୍ଦ୍ରରେ ଶ୍ରମଶକ୍ତିଙ୍କୁ ନିୟୋଜିତ କରିଛି।

Categories
ଜାତୀୟ ଖବର ବିଶେଷ ଖବର

କ୍ୟାବିନେଟ ମଞ୍ଜୁରି ସହିତ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ପାଇଁ ହେଲା ମାର୍ଗପ୍ରଶସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ସହିତ ବହୁମୁଖି ଯୋଗଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା, ରୂପାୟନ, ଅନୁଧ୍ୟାନ ଏବଂ ସହାୟକ ବ୍ୟବସ୍ଥା ନିମନ୍ତେ ଏକ ସଂସ୍ଥାଗତ ଢାଞ୍ଚାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବର ୨୦୨୧ରେ ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ  ଅନୁମୋଦନ କରିଥିଲେ। ଏହାର କାର୍ଯ୍ୟକାରିତା ଢାଞ୍ଚାରେ ସାମିଲ ରହିଛି ସଚିବମାନଙ୍କର ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀ (ଇଜିଓଏସ), ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି), ଆବଶ୍ୟକ ବୈଷୟିକ ଦକ୍ଷତା ସହିତ ଏକ ବୈଷୟିକ ସହାୟତା ୟୁନିଟ (ଟିଏସୟୁ)।

ଇଜିଓଏସରେ କ୍ୟାବିନେଟ ସଚିବ ଅଧ୍ୟକ୍ଷତା କରିବେ ଏବଂ ଏଥିରେ ୧୮ ଟି ମନ୍ତ୍ରଣାଳୟର ସଚିବମାନେ ସଦସ୍ୟ ରହିବେ। ଗୋଷ୍ଠୀର ଆବାହକ ଭାବେ ଲଜିଷ୍ଟିକ୍ସ ଡିଭିଜନର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ। ସମନ୍ୱୟ ଦକ୍ଷତା ସୁନିଶ୍ଚିତ କରିବା ଲାଗି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା ଏବଂ ଅନୁଧ୍ୟାନ କରିବା ଇଜିଓଏସ ପାଇଁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ମାଷ୍ଟର ପ୍ଲାନରେ କୌଣସି ପ୍ରକାରର ପରବର୍ତ୍ତୀ ସଂଶୋଧନ ଲାଗୁ କରିବା ଲାଗି ଢାଞ୍ଚା ଓ ମାନଦଣ୍ଡ ସମ୍ପର୍କରେ ସୁପାରିସ କରିବା ନିମନ୍ତେ ଇଜିଓଏସକୁ କ୍ଷମତା ପ୍ରଦାନ କରାଯାଇଛି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ସମକାଳୀନ କରିବା ଲାଗି ଏହି ଗୋଷ୍ଠୀ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ ନିର୍ଦ୍ଧାରିତ ଢାଞ୍ଚା ପ୍ରସ୍ତୁତ କରିବ। ଏହାଛଡ଼ା ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନାଗୁଡ଼ିକ ଯେପରି ଗୋଟିଏ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମର ଅଂଶବିଶେଷ ହୋଇପାରିବେ ଇଜିଓଏସ ତାହା ସୁନିଶ୍ଚିତ କରିବ। ଇସ୍ପାତ, କୋଇଲା, ସାର ଆଦି ବିଭିନ୍ନ ମନ୍ତ୍ରଣାଳୟର ଆବଶ୍ୟକତା ମୁତାବକ ଦକ୍ଷତାପୂର୍ଣ୍ଣ ଭାବେ ମୋଟ୍ ଆକାରର ସାମଗ୍ରୀ ପରିବହନ କ୍ଷେତ୍ରରେ, ଦେଖାଦେଉଥିବା ଚାହିଦା ପୂରଣ ଲାଗି ମଧ୍ୟ ଇଜିଓଏସ ହସ୍ତକ୍ଷେପ କରିପାରିବ।

ବିଭିନ୍ନ ଭିତ୍ତିଭୂମି ମନ୍ତ୍ରଣାଳୟର ନେଟୱର୍କ ଯୋଜନା ପ୍ରସ୍ତୁତି ବିଭାଗର ମୁଖ୍ୟମାନଙ୍କୁ ନେଇ ଏକ ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି)ର ଗଠନ, ଢାଞ୍ଚା ଓ ସନ୍ଦର୍ଭ ସର୍ତ୍ତାବଳୀକୁ ମଧ୍ୟ ସିସିଇଏ ଅନୁମୋଦନ କରିଛି। ଏହି ଗୋଷ୍ଠୀ ଇଜିଓଏସକୁ ସହାୟତା ଯୋଗାଇ ଦେବ।

ଆହୁରି, ନେଟୱର୍କଗୁଡ଼ିକର ସାମଗ୍ରିକ ଏକୀକରଣ ସହ ଜଡିତ ଜଟିଳତା, କୌଣସି କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ସମାନ ପ୍ରକାରର କାର୍ଯ୍ୟଗୁଡ଼ିକର ଦୋହରୀକରଣ ଏଡ଼ାଇବା ଏବଂ ସୂକ୍ଷ୍ମ ଯୋଜନା ବିବରଣୀ ମାଧ୍ୟମରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାକୁ ଦୃଷ୍ଟିରେ ରଖି ବୈଷୟିକ ସହାୟତା ୟୁନିଟ (ଟିଏସୟୁ)କୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ଟିଏସୟୁ ଆବଶ୍ୟକ ଦକ୍ଷତା ଯୋଗାଇ ଦେବ। ଟିଏସୟୁର ଢାଞ୍ଚାକୁ ମଧ୍ୟ ଅନୁମୋଦନ କରାଯାଇଛି। ଟିଏସୟୁରେ ବିମାନ ଚଳାଚଳ, ସାମୁଦ୍ରିକ କ୍ଷେତ୍ର, ଗଣ ପରିବହନ, ରେଳ, ସଡ଼କ ଓ ରାଜପଥ, ବନ୍ଦର ଆଦି ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରର ବିଶେଷଜ୍ଞମାନେ ରହିବେ। ଏହାବ୍ୟତୀତ ସହରାଞ୍ଚଳ ଓ ପରିବହନ ଯୋଜନା ପ୍ରସ୍ତୁତି, ଢାଞ୍ଚା (ସଡ଼କ, ସେତୁ ଓ ଅଟ୍ଟାଳିକା), ଶକ୍ତି, ପାଇପଲାଇନ, ଜିଆଇଏସ, ଆଇସିଟି, ଅର୍ଥ/ବଜାର, ପିପିପି, ଲଜିଷ୍ଟିକ୍ସ, ଡାଟା ଆନାଲିଟିକ୍ସ ଆଦି ବିଷୟ ବିଶେଷଜ୍ଞମାନେ ମଧ୍ୟ ଟିଏସୟୁରେ ସାମିଲ ରହିବେ।

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦ୍ଦେଶ୍ୟ ହେଉଛି ବିଭାଗୀୟ ବାଧାଗୁଡ଼ିକୁ ଦୂର କରିବା। ଏହାଛଡ଼ା ବହୁମୁଖି ଯୋଗାଯୋଗ (ମଲ୍ଟିମୋଡାଲ କନେକ୍ଟିଭିଟି) ଏବଂ ଅନ୍ତିମ ଦୂରତାରେ ଯୋଗାଯୋଗ (ଲାଷ୍ଟ ମାଇଲ୍ କନେକ୍ଟିଭିଟି) ପ୍ରଦାନ କରିବା ଲାଗି ସାମଗ୍ରିକ ଓ ସମନ୍ୱିତ ଦୃଷ୍ଟିକୋଣ ନେଇ ପ୍ରକଳ୍ପଗୁଡ଼ିକର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା। ଏହା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ। ଏହା ଉପଭୋକ୍ତା, ଚାଷୀ, ଯୁବକଙ୍କ ସହିତ ବ୍ୟବସାୟ କ୍ଷେତ୍ରକୁ ବ୍ୟାପକ ଆର୍ଥିକ ଲାଭ ପ୍ରଦାନ କରିବ।

କ୍ୟାବିନେଟ ଅନୁମୋଦନ ସହିତ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ଆହୁରି ତ୍ୱରାନ୍ୱିତ ହୋଇପାରିବ। ଯାହାଫଳରେ ଦେଶରେ ଭିତ୍ତିଭୂମି ବିକାଶ ପାଇଁ ଏକ ସାମଗ୍ରିକ ଏବଂ ସମନ୍ୱିତ ଯୋଜନା ପ୍ରସ୍ତୁତି ଢାଞ୍ଚା କାର୍ଯ୍ୟକାରୀ ହେବ।

ପିଏମ ଗତିଶକ୍ତି ଯୋଜନାକୁ ମଞ୍ଜୁରି ମିଳିବା ପରେ, ଏହା ବିଭିନ୍ନ ଅଂଶୀଦାରମାନଙ୍କୁ ଏକତ୍ରିତ କରିପାରିବ ଏବଂ ପରିବହନର ବିଭିନ୍ନ ମାଧ୍ୟମକୁ ସମନ୍ୱିତ କରିବାରେ ସହାୟକ ହେବ। ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏକ ସାମଗ୍ରିକ ପ୍ରଶାସନ ସୁନିଶ୍ଚିତ କରିବ ଯାହାର କେନ୍ଦ୍ରରେ ଭାରତର ଜନସାଧାରଣ, ଭାରତର ଉଦ୍ୟୋଗ ଜଗତ, ଭାରତର ଉତ୍ପାଦନକାରୀ ଏବଂ ଭାରତର ଚାଷୀମାନେ ରହିବେ।