Categories
ଆଜିର ଖବର ରାଜ୍ୟ ଖବର

ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କଲେ ପ୍ରୋଦେବ

ଖୋର୍ଦ୍ଧା/ରଣପୁର: ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କଲେ ପ୍ରୋଦେବ, ଯାହାର ବୟସ ମାତ୍ର ୨ ବର୍ଷ ୬ ମାସ। ଏହି କୁନି ବିସ୍ମୟ ବାଳକଙ୍କ ପାଟିରୁ ଅନର୍ଗଳ ବାହାରୁଛି ସଂସ୍କୃତ ଶ୍ଳୋକ। କୁନି ବାଳକଙ୍କର ଏହି ଭଳି ବିଭିନ୍ନ ବିସ୍ମୟକର କାର୍ଯ୍ୟ ଦକ୍ଷତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ସେ ହେଉଛନ୍ତି ପ୍ରୋଦେବ ଚନ୍ଦ୍ର ତ୍ରିପାଠୀ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ଗ୍ରାମ ପଂଚାୟତ ଗୋପୀନାଥପୁର ଗ୍ରାମର ସ୍ବର୍ଗତ ଉଦୟନାଥ ତ୍ରିପାଠୀଙ୍କ ନାତି ତଥା ଦେବୀପ୍ରସାଦ ତ୍ରିପାଠୀ ଏବଂ ପୌର୍ଣ୍ଣମାସୀ ଆଚାର୍ଯ୍ୟଙ୍କର ଏକମାତ୍ର ପୁତ୍ର ପ୍ରୋଦେବ ଚନ୍ଦ୍ର ତ୍ରିପାଠୀ।

ଏହି କୁନି ବାଳକଙ୍କ ଜନ୍ମ ଏପ୍ରିଲ ମାସ ୨୧ ତାରିଖ ୨୦୨୧ ମସିହାରେ। ସେ ମଣିଷ ଶରୀରର ୧୬ଟି ଅଂଶ, ୧୬ଟି ଫଳର ନାମ, ୧୪ଟି ପନିପରିବାର ନାମ, ୧୫ଟି ଫୁଲର ନାମ, ୧୫ଟି ପକ୍ଷୀର ନାମ, ୧୨ଟି ପଶୁର ନାମ, ୧୦ଟି ଯାନବାହାନ, ୭ଟି ବୈଦ୍ୟୁତିକ ଉପକରଣ, ୧୨ଟି ରଙ୍ଗ, ୧୨ଟି ଇଂରାଜୀ ମାସ, ସାପ୍ତାହିକ ଇଂରାଜୀ ୭ ଦିନ, ୬ଟି ଋତୁ, ୯ଟି ଜାତୀୟ ସଙ୍କେତର ନାମ ନିର୍ଭୁଲ ଭାବେ କହୁଛନ୍ତି।

ଏଥି ସହିତ ୧ ରୁ ୫୦ ପର୍ଯ୍ୟନ୍ତ ଗଣନା, ୧୬ ରୁ ଅଧିକା ଶିଶୁ ବାଟିକା ପଦ୍ୟ, ୨୬ଟି ଇଂରାଜୀ ବର୍ଣ୍ଣମାଳାର ପ୍ରତୀକ, ୮ ଗୋଟି ସଂସ୍କୃତ ଶ୍ଲୋକ ଗାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ହାସଲ କରି ପାରିଛନ୍ତି। ତାଙ୍କର ଏହି ରେକର୍ଡ ହାସଲ ଖବରରେ ପ୍ରୋଦେବଙ୍କ ଅଜା ରଣପୁର ବ୍ଲକ ଲତାର ଗ୍ରାମର ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ ଓ ଆଇ ନିରୁପମା ଆଚାର୍ଯ୍ୟ ଖୁବ ଖୁସି ହେବା ସହ ନାତି ପାଇଁ ଗର୍ବ ଅନୁଭବ କରୁଥିବା ମତ ପ୍ରକାଶ କରିଛନ୍ତି। ତାଙ୍କ ଅଲୌକିକ ପ୍ରତିଭାକୁ ନେଇ ତାଙ୍କ ପରିବାରକୁ ପ୍ରଶଂସାର ସୁଅ ଛୁଟି ଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଜୁନାଗଡର ପ୍ରଚେତା ପଣ୍ଡା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପ୍ରଭୁ ବଳଭଦ୍ର ମା’ ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁଙ୍କର ଉଚ୍ଚତମ ସୁନ୍ଦର ପଟ୍ଟ ଚିତ୍ର ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଜୁନାଗଡ଼ର ପ୍ରଚେତା ପ୍ରଜ୍ଞା ପଣ୍ଡା (ଶ୍ରେୟା )। ସେ ୧୪ ଇଞ୍ଚ ଲମ୍ବ ଓ ୧୮ ଇଞ୍ଚ ଚଉଡା ବିଶିଷ୍ଟ ଏହି ପଟ୍ଟ ଚିତ୍ର ଆଙ୍କିଛନ୍ତି, ଯାହା କି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସବୁଠୁ ଉଚ୍ଚତମ ପଟ୍ଟ ଚିତ୍ର।

ପ୍ରଚେତା ହେଉଛନ୍ତି ପୂର୍ବତନ ଇ ଟିଭି ଜ଼ିଲ୍ଲା ପ୍ରତିନିଧି ତଥା ବର୍ତ୍ତମାନ ବଡ଼ ଖବର ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ଏକମାତ୍ର କନ୍ୟା। ସୁନ୍ଦର ପଟ୍ଟ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିବାରୁ ତାଙ୍କୁ ଜ଼ିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି।

ଭବିଷ୍ୟତରେ ଏହିଭଳି ପଟ୍ଟ ଚିତ୍ର ଆଙ୍କି ଗିନିସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଏହି ରେକର୍ଡର ଅଧିକାରୀ ହୋଇଥିବାରୁ ପ୍ରଚେତାଙ୍କୁ ଜୁନାଗଡ଼ ସାମ୍ବାଦିକ ସଂଘ ମଧ୍ୟ ଶୁଭେଚ୍ଛା ଜଣେଇଛି।