ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କଲେ ପ୍ରୋଦେବ

Published: Nov 11, 2023, 5:57 pm IST

ଖୋର୍ଦ୍ଧା/ରଣପୁର: ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କଲେ ପ୍ରୋଦେବ, ଯାହାର ବୟସ ମାତ୍ର ୨ ବର୍ଷ ୬ ମାସ। ଏହି କୁନି ବିସ୍ମୟ ବାଳକଙ୍କ ପାଟିରୁ ଅନର୍ଗଳ ବାହାରୁଛି ସଂସ୍କୃତ ଶ୍ଳୋକ। କୁନି ବାଳକଙ୍କର ଏହି ଭଳି ବିଭିନ୍ନ ବିସ୍ମୟକର କାର୍ଯ୍ୟ ଦକ୍ଷତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ସେ ହେଉଛନ୍ତି ପ୍ରୋଦେବ ଚନ୍ଦ୍ର ତ୍ରିପାଠୀ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ଗ୍ରାମ ପଂଚାୟତ ଗୋପୀନାଥପୁର ଗ୍ରାମର ସ୍ବର୍ଗତ ଉଦୟନାଥ ତ୍ରିପାଠୀଙ୍କ ନାତି ତଥା ଦେବୀପ୍ରସାଦ ତ୍ରିପାଠୀ ଏବଂ ପୌର୍ଣ୍ଣମାସୀ ଆଚାର୍ଯ୍ୟଙ୍କର ଏକମାତ୍ର ପୁତ୍ର ପ୍ରୋଦେବ ଚନ୍ଦ୍ର ତ୍ରିପାଠୀ।

ଏହି କୁନି ବାଳକଙ୍କ ଜନ୍ମ ଏପ୍ରିଲ ମାସ ୨୧ ତାରିଖ ୨୦୨୧ ମସିହାରେ। ସେ ମଣିଷ ଶରୀରର ୧୬ଟି ଅଂଶ, ୧୬ଟି ଫଳର ନାମ, ୧୪ଟି ପନିପରିବାର ନାମ, ୧୫ଟି ଫୁଲର ନାମ, ୧୫ଟି ପକ୍ଷୀର ନାମ, ୧୨ଟି ପଶୁର ନାମ, ୧୦ଟି ଯାନବାହାନ, ୭ଟି ବୈଦ୍ୟୁତିକ ଉପକରଣ, ୧୨ଟି ରଙ୍ଗ, ୧୨ଟି ଇଂରାଜୀ ମାସ, ସାପ୍ତାହିକ ଇଂରାଜୀ ୭ ଦିନ, ୬ଟି ଋତୁ, ୯ଟି ଜାତୀୟ ସଙ୍କେତର ନାମ ନିର୍ଭୁଲ ଭାବେ କହୁଛନ୍ତି।

ଏଥି ସହିତ ୧ ରୁ ୫୦ ପର୍ଯ୍ୟନ୍ତ ଗଣନା, ୧୬ ରୁ ଅଧିକା ଶିଶୁ ବାଟିକା ପଦ୍ୟ, ୨୬ଟି ଇଂରାଜୀ ବର୍ଣ୍ଣମାଳାର ପ୍ରତୀକ, ୮ ଗୋଟି ସଂସ୍କୃତ ଶ୍ଲୋକ ଗାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ହାସଲ କରି ପାରିଛନ୍ତି। ତାଙ୍କର ଏହି ରେକର୍ଡ ହାସଲ ଖବରରେ ପ୍ରୋଦେବଙ୍କ ଅଜା ରଣପୁର ବ୍ଲକ ଲତାର ଗ୍ରାମର ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ ଓ ଆଇ ନିରୁପମା ଆଚାର୍ଯ୍ୟ ଖୁବ ଖୁସି ହେବା ସହ ନାତି ପାଇଁ ଗର୍ବ ଅନୁଭବ କରୁଥିବା ମତ ପ୍ରକାଶ କରିଛନ୍ତି। ତାଙ୍କ ଅଲୌକିକ ପ୍ରତିଭାକୁ ନେଇ ତାଙ୍କ ପରିବାରକୁ ପ୍ରଶଂସାର ସୁଅ ଛୁଟି ଥିବା ଜଣା ପଡିଛି।

Related posts