Categories
ଆଜିର ଖବର ରାଜ୍ୟ ଖବର

ଦରମାରୁ ଇପିଏଫ ପଇସା ହରିଲୁଟ ଅଭିଯୋଗ, ରାସ୍ତା ଅବରୋଧ କଲେ ବାଣପୁର ଏନଏସି ସଫେଇ କର୍ମଚାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏନଏସି ର ସଫେଇ କର୍ମଚାରୀ ମାନେ ଆନ୍ଦୋଳନରେ ବସିବା ସହ ବାଣପୁର ମେଡିକାଲ ରାସ୍ତାକୁ ଅବରୋଧ କରିଛନ୍ତି। ସଫେଇ କର୍ମଚାରୀଙ୍କ ଦରମାରୁ ଇପିଏଫ ପଇସା ହରିଲୁଟ ହେଉଥିବାର କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୧୪ ମାସ ହେଲା ସେମାନଙ୍କ ମାସିକ ଦରମାରୁ ଇପିଏଫ ଏବଂ ଏସଆଇ ଅଂଶ ପାଖାପାଖି ୧୨୦୦ ଟଙ୍କା କଟାଯାଉଥିବା ବେଳେ ତାହାର ପ୍ରମାଣ ସେମାନଙ୍କ ପାଖେ ନାହିଁ।

ତେବେ ଆଜିକୁ ଚାରି ଦିନ ହେଲା ଇପିଏଫ ପଇସା କାଟର ରସିଦ ଏବଂ ଅନ୍ୟାନ କାଗଜପତ୍ର ଦେଖେଇବା ଦାବିରେ କର୍ମଚାରୀମାନେ ସଫେଇ ବନ୍ଦ ରଖିଛନ୍ତି। କିନ୍ତୁ ଆଜି ତହସିଲଦାର ଏବଂ ପୋଲିସର ଉପସ୍ଥିତିରେ ଏନଏସି ପ୍ରଶାସନ ଅନ୍ୟ ସଫେଇ କର୍ମଚାରୀଙ୍କୁ ଆଣି ସହରରେ ସଫେଇ କାର୍ଯ୍ୟ ଆରମ୍ଭ କରାଇଥିଲା। ତେବେ ଏହାକୁ ବିରୋଧ କରି ମୂଳ ସଫେଇ କର୍ମଚାରୀ ମାନେ ଉତ୍ତ୍ୟକ୍ତ ହୋଇ ବାଣପୁର ମେଡିକାଲ ରାସ୍ତାରେ ଧାରଣ ଦେବାସହ ରାସ୍ତା ଅବରୋଧ କରିଛନ୍ତି।

ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ତହସିଲଦାର, ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତି ରହିବା ସହ ଉତ୍ତ୍ୟକ୍ତ ସଫେଇ କର୍ମଚାରୀଙ୍କୁ ବୁଝସୁଝା କରୁଛନ୍ତି।

ଅପରପକ୍ଷେ ଏ ନେଇ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଉକ୍ତ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଏବଂ ସଫେଇ କର୍ମଚାରୀଙ୍କ ମାସିକ ଇପିଏଫ ପଇସା କାଟ ର ସମସ୍ତ ପ୍ରମାଣ ସେମାନଙ୍କୁ ଦେଖାଇଦିଆଯାଇଛି ବୋଲି କହିଛନ୍ତି।