Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ପାଇଁ ଉଦଘାଟିତ ହେଲା ଇ-ପାଠଶାଳା ସହିତ ଇ-ମୂଲ୍ୟାଙ୍କନ

ଭୁବନେଶ୍ୱର,  ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ୱାରା ପ୍ରସ୍ତୁତ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମକ ଦୁଇଟି ପୋର୍ଟାଲକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି କହିଛନ୍ତି ଯେ କୋଭିଡ୍‌ ସମୟରେ ଶିକ୍ଷାଦାନ ଓ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନରେ ଏହି ପୋର୍ଟାଲ ବହୁ ସହାୟକ ହେବ ।

ସଂପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଆଯାଇଥିବା ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଶିକ୍ଷାକ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନରେ ଯଥା ଡିଜିଟାଲ୍‌ ଶିକ୍ଷା ଓ ସ୍ମାର୍ଟ କ୍ଲାସରେ ବିଶେଷ ସହାୟକ ହେବ । ଏହି ପୋର୍ଟାଲ ଦ୍ୱାରା ଉଭୟ ଜିଲ୍ଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷଣ ଅଗ୍ରଗତିର ସମୀକ୍ଷା କରିପାରିବେ ।

ଏହି ଅବସରରେ କୋଭିଡ୍‌ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମିତ୍ତ ବିଭାଗର ପ୍ରସ୍ତୁତିକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ମନ୍ତ୍ରୀ ଗତବର୍ଷ ଆମର ବିଭିନ୍ନ ପ୍ରୟାସ ସତ୍ବେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ଶେଷ ପ୍ରାନ୍ତରରେ ଥିବା ପିଲାଟି ପାଖରେ କିପରି ଶିକ୍ଷା ପହଞ୍ଚାଇବା ବୋଲି ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା ସମୟରେ ବିଦ୍ୟାଳୟ ଛାଡ଼ିଥିବା (ଡ୍ରପ୍‌ଆଉଟ୍‌) ପିଲା ଏବଂ ପ୍ରବାସୀ(ମାଇଗ୍ରାଣ୍ଟ) ପିଲାଙ୍କୁ ସର୍ଭେ ମାଧ୍ୟମରେ ଠାବ କରି ତାଙ୍କୁ ଶିକ୍ଷାଦାନ କରି ମୁଖ୍ୟସ୍ରୋତକୁ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟରେ ଶିକ୍ଷାଦାନ ନିମିତ୍ତ କେତେକ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନେଉଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ସଂପ୍ରତି ଦୂରଦର୍ଶନରେ ‘ଶିକ୍ଷାଦର୍ପଣ’, ରେଡିଓ ପାଠଶାଳା, ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ ଓ ବିଭିନ୍ନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଅନ୍‌ଲାଇନ୍‌ ପାଠପଢ଼ା ହେବ । ବିଶେଷ କରି ଜୁନ୍‌ ୨୧ ତାରିଖଠାରୁ ୟୁଟୁ୍ୟବ୍‌ ମାଧ୍ୟମରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଉଥିବା କଥା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରକାଶ କରିଥିଲେ ।

ଏହି ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, ଶିକ୍ଷକ ନିଯୁକ୍ତି, ଆସବାବ କ୍ରୟ, ପାଣ୍ଠି ବିନିଯୋଗ ସାର୍ଟିଫିକେଟ୍‌ ଓ ଉନ୍ନତ ଶିକ୍ଷାଦାନ ଆଦି ଉପରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଅର୍ଥରାଶି ଠିକ୍‌ ସମୟରେ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କେତେକ ବିଦ୍ୟାଳୟରେ ହୋଇଥିବା ପୁଷ୍ଟି ବଗିଚା ଦେଖି ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ବିଦ୍ୟାଳୟମାନଙ୍କରେ ବର୍ଷା ଋତୁ ଆରମ୍ଭରୁ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ମୂଳଦୁଆ ହେଉଛି ମୌଳିକ ଭାଷା ଓ ସାଂଖିକ ଜ୍ଞାନ । ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସମୃଦ୍ଧ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ସେଣ୍ଟର ସ୍କ୍ୱାର ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

କରୋନା ସମୟରେ ଛାତ୍ରଛାତ୍ରୀ ଘରେ ରହୁଥିବାରୁ ପିତାମାତାଙ୍କ ସହଯୋଗ ନିମିତ୍ତ ଇ-ପିଟିଏମ୍‌(ଭର୍ଚୁଆଲ୍‌ ମାଧ୍ୟମ)ରେ ଶିକ୍ଷକ ଓ ଅଭିଭାବକ ବୈଠକ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଆଦର୍ଶ ବିଦ୍ୟାଳୟ ଲିଙ୍ଗରାଜ ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।