Categories
ଆଞ୍ଚଳିକ

ଦଶହରା ଉପଲକ୍ଷେ ମା’ ଭଗବତୀ ମନ୍ଦିର ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର ଦଶହରା ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଶକ୍ତିପିଠ ପରିଦର୍ଶନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡ଼.ବାଦଲ କୁମାର ମହାନ୍ତି। ଆଜି ଅପରାହ୍ନରେ ଉଭୟ ଅଧିକାରୀ ବାଣପୁର ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସି ମା’ଙ୍କ ଆଶୀର୍ବାଦ ନେଇଥିଲେ।

ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଥିବାରୁ ଭକ୍ତଙ୍କ ଦର୍ଶନ ସୁବିଧା ଦୃଷ୍ଟିରୁ ବେଢାରେ କିଛି ସମୟ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ ଜିଲ୍ଲାପାଳ। ଏହି ସମୟରେ ସେବାୟତମାନେ ମନ୍ଦିର ଉନ୍ନୟନ କାର୍ଯ୍ୟ ବିଷୟରେ ଜିଲ୍ଲାପାଳଙ୍କୁ ପଚାରିଥିବା ବେଳେ ମନ୍ଦିର ଉନ୍ନୟନ ପାଇଁ ବାରମ୍ବାର ଟେଣ୍ଡର ଡକାଯାଉଥିଲେ ସୁଦ୍ଧା କେହି ଆବେଦନ ନକରିବାରୁ ତାହା ବାତିଲ ହେଉଯାଉଥିବା ଜିଲ୍ଲାପାଳ କହିବା ସହ ଦୁଃଖପ୍ରକାଶ କରିଥିଲେ।

ତେବେ ମା’ଙ୍କ ଆଶୀର୍ବାଦରୁ ଖୁବ ଶୀଘ୍ର ମନ୍ଦିର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରିଛନ୍ତି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ। ଏଥିସହିତ ମା’ ଭଗବତୀ ମନ୍ଦିରରେ କୁକୁର ବୁଲୁଥିବା ବିଷୟରେ ପୁର୍ବରୁ ଖବର ପ୍ରକାଶ ପାଇଥିବା ବେଳେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉକ୍ତ ବିଷୟରେ ତାଗିଦ କରିଥିଲେ ଜିଲ୍ଲାପାଳ।

ଅନୁରୂପ ଭାବେ ଆସନ୍ତା ୨୬ ତାରିଖରେ ପଲଟନ ପଡିଆରେ ବାଣପୁର ବ୍ଲକ ଆନୁକୂଲ୍ୟରେ ହେବାକୁ ଥିବା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ସ୍ଥଳ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ଟାଙ୍ଗୀ ଉଗ୍ରତାରା ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ।