Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ସବୁଥିରେ ସ୍ୱତନ୍ତ୍ର।ତାଙ୍କର କାର୍ଯ୍ୟଧାରା,ତ୍ୟାଗ,ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡ଼ା ହୋଇ ନିଜର ଶ୍ରେଷ୍ଠତ୍ବ ସେ ପ୍ରତିପାଦନ କରିପାରିଥିଲେ।ତାଙ୍କ ଭଳି ଜଣେ ମହାପୁରୁଷଙ୍କ ଜନ୍ମଦିନକୁ ଆମେ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛୁ। ଭୁବନେଶ୍ୱର ଓକିଲ ସଂଘ ତରଫରୁ ଜୟଦେବ ଭବନରେ ଆୟୋଜିତ ‘ସ୍ୱାଭିମାନ ଦିବସ’ ଓ ‘ଆଇନଜୀବୀ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ  ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ।

ଏଥିସହ ଜଷ୍ଟିସ ଷଡଙ୍ଗୀ କହିଥିଲେ ମଧୁବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ।ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି  ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର ଶୀଳଭଦ୍ର ଶାସ୍ତ୍ରୀ।

ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମହାତ୍ମାଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ ଗାଁ ସତ୍ୟଭାମାପୁର ଆସିଥିବା ପ୍ରସଙ୍ଗ ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କ ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ। ମୁଖ୍ୟବକ୍ତା  ଅବସରପ୍ରାପ୍ତ ଆଇଏଫଏସ, ପୂର୍ବତନ ରାଷ୍ଟ୍ରଦୂତ ସଞ୍ଜୟ କୁମାର ପଣ୍ଡା ଓଡ଼ିଶାର ଗୌରବମୟ ଇତିହାସ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ବିଷୟରେ କହିବା ସହ ପିଲାଦିନର କଥା ମନେପକାଇ ପାଠ ପଢିବି,ଓକିଲ ହେବି,କଳା ଘୋଡାରେ ଚଢିବି,ମଧୁବାବୁ ସାଙ୍ଗେ ଲଢ଼ିବିର ଅସଲ ସାରମର୍ମ କହିଥିଲେ।

ଏଥିରେ ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ ନିଜର ଅଭିଭାଷଣ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ଓକିଲ ସଂଘ ଉପସଭାପତି ଅଞ୍ଜନ କୁମାର ସାମନ୍ତରାୟ। ସହଯୋଗ କରିଥିଲେ ଓକିଲ ସଂଘର ଯୁଗ୍ମ ସଂପାଦକ ସୁକାନ୍ତ କୁମାର ସାହୁ, ସହାୟକ ସମ୍ପାଦକ ପୁଲିନ କୁମାର ମାର୍ଥା ଏବଂ ସମସ୍ତ କର୍ମକର୍ତ୍ତା ବୃନ୍ଦ।

ଉତ୍ସବରେ ଓକିଲ ସଂଘ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରା ଯିବା ସହ ୮ ଜଣ ଆଇନଜୀବୀ ଯଥା ରାଜେନ୍ଦ୍ର କୁମାର ମହାନ୍ତି, ସିଦ୍ଧାର୍ଥ କୁମାର ଦାସ, ଅଜୟ ମହାନ୍ତି, ଶ୍ୟାମସୁନ୍ଦର କବି, ମୀନତି ପଟ୍ଟନାୟକ, ଦିଲ୍ଲିପ କୁମାର ମହାନ୍ତି, ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ମଧୁସୂଦନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସଂଗ୍ରାମ କେଶରୀ ପ୍ରଧାନଙ୍କୁ ଓକିଲାତିରେ ଜୀବନ ବ୍ୟାପି ସାଧନା ପୁରସ୍କାର ପ୍ରଦାନ ଯାଇଥିଲା ।

Categories
ବିଶେଷ ଖବର ରାଜ୍ୟ ଖବର

ଉତ୍କଳ ଦିବସରେ ଉତ୍କଳ ଗୌରବଙ୍କ ଜନ୍ମସ୍ଥାନରେ ୫ଟି ସଚିବ, ତିଆରି ହେଲା ବିକାଶ ନକ୍ସା

ଭୁବନେଶ୍ବର: ଆଜି ଉତ୍କଳ ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପିଠ ସତ୍ୟଭାମାପୁର ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଆଜି ସକାଳୁ ସେ କଟକ ମଧୁପୁର ଏବଂ ସତ୍ୟଭାମାପୁର ଗସ୍ତ କରିଥିଲେ। ମଧୁବାବୁଙ୍କ ଜନ୍ମପିଠରେ ଥିବା ସଂଗ୍ରହାଳୟ ବୁଲି ଦେଖିବା ସହ ମଧୁବାବୁଙ୍କ ସ୍ମୃତିର ସଂରକ୍ଷଣ ଉପରେ ମଧ୍ୟ ପଚାରି ବୁଝିଥିଲେ।

ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ଅବସ୍ଥାନ ସ୍ଥାନ ମଧ୍ୟ ତଦାରଖ କରିଥିଲେ। ଏଥିସହିତ ସେଠାରେ ଥିବା ବିଭିନ୍ନ ବିରଳ ଫଟୋର ସଂରକ୍ଷଣ ସଂପର୍କରେ ୫ଟି ସଚିବ ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ। ଏହି ପିଠର ବିକାଶ ପାଇଁ ସେ ବିଭିନ୍ନ ପ୍ରସଂଗରେ ଆଲୋଚନା କରି ଯାହା ନିଷ୍ପତି ନେଲେ ତାହା ହେଲା..

୧- ସତ୍ୟଭାମାପୁରରେ ଖଣ୍ଡାଲାଇଟ ପଥରରେ ସ୍ଵାଗତ ତୋରଣ କରାଯିବ। ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ହେବ।

୨- ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମ ପୀଠ ଓ କର୍ମ ଭୂମିକୁ ଏକକ ସଂଗ୍ରହାଳୟ କଂପ୍ଲେକ୍ସ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ।

୩- ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ।

୪- ଏଠାରେ ‘ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତି ର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକ ମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନ ର ବ୍ୟବସ୍ଥା ରହିବ।

୫- ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟ ର ବିକାଶ କରାଯିବ।

୬- ଏହି କାମ ର ମାନ କୁ ଅତ୍ୟନ୍ତ ଉଚ୍ଚ କୋଟିର କରିବା ପାଇଁ ଯୋଜନା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି।

୭- ମଧୁବାବୁଙ୍କ କର୍ମଭୂମୀ ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ।

୮- ଆଗାମୀ ଅପ୍ରେଲ ୧୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ସେଠାରେ ଉପସ୍ଥିତ ଅଧିକାରୀମାନେ ଏହି ପିଠର ନବକଳେବର ପାଇଁ ପ୍ରସ୍ତୁତ କରିଥିବା ଏକ ନକ୍ସାକୁ ମଧ୍ୟ ପାଣ୍ଡିଆନଙ୍କୁ ଦେଖାଇଥିଲେ। ସେହିପରି ସେଠାରେ ଉପସ୍ଥିତ ଥିବା ମିସନ ଶକ୍ତି ମା ମାନଙ୍କ ସହିତ ମଧ୍ୟ ପାଣ୍ଡିଆନ ଆଲୋଚନା କରିଥିଲେ।

ଏହି ଅବସରରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା। ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଗସ୍ତ ସମୟରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ୫ଟି ସଚିବ ଭି କେ ପାଣ୍ଡିଆନ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ପରିଦର୍ଶନ କାର୍ଯ୍ୟ ଆରମ୍ଭ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇନ୍‌ଜୀବୀ କିଶୋର କରଙ୍କୁ ‘ଉତ୍କଳ ଗୌରବ’ ସମ୍ମାନ

ଭୁବନେଶ୍ୱର: ଆଇନ୍ ସେବାରେ ବିଶେଷ ଅବଦାନ ପାଇଁ ବରିଷ୍ଠ ଆଇନ୍‌ଜୀବୀ କିଶୋର ଚନ୍ଦ୍ର କରଙ୍କୁ ‘ଉତ୍କଳ ଗୌରବ ମଧୁସୂଦନ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରୀ କରଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ଓ ଭି. ନରସିଂହ ଏହି ସମ୍ମାନ ପ୍ରଦାନ କରିଥିଲେ।

ଏବେ ଉତ୍କଳ ଚାମ୍ବର ଅଫ୍ କମର୍ସର କାର୍ଯ୍ୟନିବାହୀ ସଦସ୍ୟ ଥିବା କିଶୋର ଚନ୍ଦ୍ର କର ପୂର୍ବରୁ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି, ଭୁବନେଶ୍ୱର ଲାୟନ୍ସ କ୍ଲବର ସଭାପତି ଏବଂ ହାଇକୋର୍ଟରେ ଆଇନ୍‌ଜୀବୀ ଭାବେ କାର୍ଯ୍ୟରତ ଥିଲେ। ଜଣେ ବରିଷ୍ଠ ଦିୱାନ ଆଇନ୍‌ଜୀବୀ ଭାବେ ସେ ସାରା ଓଡ଼ିଶାରେ ପରିଚିତ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ବର: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ( Museum & Interpretation Centre ) ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧୁ ବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନ ର ଗୌରବମୟ ଗାଥା।

ଭିଡିଓ କନ୍ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର। ଏହି ସଂଗ୍ରହାଳୟରେ ସମସ୍ତଙ୍କୁ ବିଶେଷ କରି ଯୁବ ପିଢିଙ୍କୁ ଓଡିଆ ସ୍ବାଭିମାନର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ ବୋଲି ସେ କହିଥିଲେ।

ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଗ୍ରାମକୁ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ।

ମଧୁବାବୁଙ୍କ ଆଦର୍ଶରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ କରିବାପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇ କହିଲେ ଯେ ମଧୁବାବୁଙ୍କ ଜାତି ପ୍ରୀତି ଓ ତ୍ୟାଗର ତୁଳନା ନାହିଁ। ଓଡ଼ିଆ ଜାତି ପାଇଁ ମଧୁବାବୁ ତାଙ୍କର ସବୁ କିଛି ତ୍ୟାଗ କରିଯାଇଛନ୍ତି। ତାଙ୍କ ପାଇଁ ଓଡ଼ିଆ ସ୍ୱାଭିମାନ ଥିଲା ସବୁଠୁ ଉପରେ। ତା ସହ ସେ କେବେବି ସାଲିସ କରିନାହାନ୍ତି। ଏ ଜାତି ପାଇଁ ତାଙ୍କର ଅବଦାନ ତାଙ୍କୁ ଓଡ଼ିଆ ଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଅମର କରି ରଖିବ।

ଓଡିଶାକୁ ମଧୁବାବୁଙ୍କ ଅବଦାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତିକରି ରାଜ୍ୟ ଗଠନ ପାଇଁ ମଧୁ ବାବୁଙ୍କ ଉଦ୍ୟମ, ତାଙ୍କର ଦୂର ଦୃଷ୍ଟିର ପରିଚୟ ଦିଏ। ସ୍ବାଧୀନତା ପରେ ଭାଷା ସୂତ୍ରରେ ହିଁ ଭାରତର ଅନେକ ରାଜ୍ୟ ଗଠିତ ହୋଇଛି। କିନ୍ତୁ ସେତେବେଳେ ଓଡିଶା ଥିଲା ଭାଷା ଭିତିରେ ଭାରତର ପ୍ରଥମ ରାଜ୍ୟ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ମଧୁ ବାବୁ ଥିଲେ ଓଡ଼ିଆ ଜାତିର ମୂଖ୍ୟ ପୁରୋଧା। ତାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଆଜି ମଧୁ ସଂଗ୍ରହାଳୟ ଲୋକାର୍ପିତ କରିଛନ୍ତି। ଆଜି ସାରା ବିଶ୍ୱରେ ଥିବା ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସତ୍ୟଭାମାପୂର ଗାଁ ର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସତ୍ୟଭାମାପୂର ର ଉନ୍ନତି ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

ଜିଲ୍ଲାପାଳ ଭବାନୀ ଚରଣ ଚଇନି ସ୍ବାଗତ ଭାଷଣ ଦେଇଥିଲେ ଏବଂ ସତ୍ୟଭାମାପୁର ମଧୁସୂଦନ ସାଂସ୍କୃତିକ ସଂଘର ସଭାପତି ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଏହି ସଂଗ୍ରହାଳୟରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢ଼ିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନ ପାଇଛି।

Categories
ବିଶେଷ ଖବର

ଉତ୍କଳ ଗୌରବ ମଧୁବାବୁ

ବିଶ୍ବବିଜୟୀ ଦାଶ

ଉତ୍ଥାନ, ପତନ ଗୋଟିଏ ଜାତିର ଇତିହାସରେ କିଛି ନୂଆ କଥା ନୁହେଁ। ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ କ୍ଷଣଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ।ଆମ ଓଡ଼ିଶାର ପ୍ରଥମ ଓଡ଼ିଆ ବି.ଏ, ପ୍ରଥମ ଓଡ଼ିଆ ଏମ୍.ଏ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ସ୍ବାଧିନତା ସଂଗ୍ରାମୀ, ଯିଏକି ଓଡ଼ିଶାକୁ ନିଜର ପ୍ରାଣ ଦେଇ ଭଲ ପାଉଥିଲେ ଓ କାମ କରୁଥିଲେ ତଥା ଓଡ଼ିଆ ଜାତିର ଚ଼ିର ନମସ୍ୟ, ପ୍ରାତଃ ସ୍ମରଣୀୟ, ଚ଼ିର ବରଣୀୟ କୂଳବୁଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ।

ଉତ୍କଳଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ।

ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ।ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି)। ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ। କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା। ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।

ସେଠାରେ ମଧୁବାବୁ ଏମ୍.ଏ. ପାସ୍ କରିଥିଲେ। ତା’ପରେ ମଧୁବାବୁ କଲିକତା ବିଶ୍ବବିଦ୍ୟାଳୟ ବି.ଏଲ୍. ପାସ କରି ସାରିଥିଲେ। ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେଠାରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଉନ୍ନତି ପଥରେ ମଧୁବାବୁ ଲାଗିପଡ଼ିଥିଲେ। ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ।

୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ। ବିଚ଼କ୍ଷଣ ବୁଦ୍ଧି ବଳରେ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ ଓ ମଧୁବାରିଷ୍ଟର ଭାବେ ପରିଚ଼ିତ ହୋଇଥିଲେ। ତାଙ୍କର ଓକିଲାତି ଜୀବନକାଳରେ ସେ ବହୁ ଜନହିତକର କାର୍ଯ୍ୟ କରିଥିଲେ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ। ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା। ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ। ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଓଡ଼ିଶାରେ ଚ଼ମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।

ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ ଏକ ବିପର୍ଯ୍ୟନ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ବିଶାଳ ଓଡ଼ିଶା। ଉତ୍କଳ ଜନନୀର ପୂର୍ଣ୍ଣାଙ୍ଗ ରୂପ ପ୍ରତିଷ୍ଠା ପାଇଁ ଜାତୀୟ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ମଧୁବାବୁଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଦୁର୍ବାର ଅଭିଯାନ।ଉତ୍କଳୀୟ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଗଢ଼ିଥିଲେ ଜାତୀୟ ମହାମଞ୍ଚ ଉତ୍କଳ ସମ୍ମିଳନୀ। ଜାତୀୟତାର ମହାପ୍ରବାହ ସୃଷ୍ଟି କରିବାର ଆକାଂକ୍ଷା ନେଇ ଲେଖିଥିଲେ ପ୍ରାଣ ନିଗିଡ଼ା କବିତା।ଜାତୀୟ ବିକାଶ, ଜାତୀୟ ସମସ୍ୟା, ଜାତୀୟ ଚ଼ରିତ୍ର, ଜାତୀୟ ଅସ୍ମିତା ଓ ଜାତୀୟ ସ୍ବାଭିମାନ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡ଼ିବାର ସଂକଳ୍ପ ନେଇ ସମ୍ମିଳନୀ ମଣ୍ଡପରୁ ଗାଇଥିଲେ “ଏଇ ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ,ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ”।

ଗଭୀର ଜାତୀୟତାବୋଧର ଉଦବେଳନ ନେଇ ଭାବିଲେ ମନେହୁଏ ଏହା କେବେବି ଜଣେ ସାଧାରଣ କବିର ଆହ୍ବାନ ନୁହେଁ,ବରଂ ଜଣେ ମହାମାତ୍ନିକ ସଞ୍ଜିବନୀ ମତ୍ନ, ଯେଉଁ ମତ୍ନ ର ଯାଦୁକରୀ ମାୟାରେ ଦିନେ ଚ଼େଇଁ ଉଠିଥିଲା ସମଗ୍ର ଓଡ଼ିଆ ଜାତି।

ତାଙ୍କରି ଲେଖନୀ ନିସୃତ କବିତା ଏବେ ବି ଓଡ଼ିଆଙ୍କ କାନରେ ଠାଇ ଠାଇ ହୋଇ ବାଜେ-
“ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହାସ
ପଡି଼ବକି କେବେ ମନେ ?”

ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି। ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା”। ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ।

ଏହି ମହାପୁରୁଷ, ଓଡ଼ିଆ ମାଟି ର ସ୍ବାଭିମାନ କୂଳବୁଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ୧୯୩୪ ମସିହା ଫେବୃଆରୀ ୪ ତାରିଖ ରେ ଓଡ଼ିଶା ବାସୀଙ୍କୁ ଶୋକସାଗରରେ ଭସାଇ ଚ଼ାଲିଗଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ମୋର ଭୂମିଷ୍ଠ ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍- ୭୫୨୦୩୫

ମୋବାଇଲ ନଂ- ୬୩୭୦୨୦୮୪୨୮

Categories
ଆଜିର ଖବର ରାଜ୍ୟ ଖବର

ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ସତ୍ୟଭାମାପୁର ଏନ୍ତୁଡ଼ିଶାଳରୁ ଦସ୍ତଖତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଆଇନ୍‌ଜୀବୀ, ବାରିଷ୍ଟର ତଥା ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ଦାବିରେ ସତ୍ୟଭାମାପୁର ଏନ୍ତିଡ଼ିଶାଳରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା। ପ୍ରଥମେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଅଲ ଲୟର୍ସ ଗ୍ରୁପ୍ ଓଡ଼ିଶା ପକ୍ଷରୁ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବହୁ ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ।

ଏଥିରେ ଦସ୍ତଖତ ସଂଗ୍ରହ ଅଭିଯାନର ଅବାହକ ଲିଙ୍ଗରାଜ ସାହୁ, ହାଇକୋର୍ଟର ଆଇନଜୀବୀ ସରୋଜ ସାହୁ, ବାଳକୃଷ୍ଣ ରାଉତ, ଭାରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶଥାଉକି, ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ୯ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ, ଆଣ୍ଡାମାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିୟାନା ଆଦି ରାଜ୍ୟରୁ ଦସ୍ତଖତ ଅଭିଯାନ କରାଯାଇଛି। ରାଜ୍ୟର ସମସ୍ତ ଆଇନଜୀବୀ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ସେହିପରି ସରକାର ଏହି ସତ୍ୟଭାମାପୁର ପୀଠକୁ ଜାତୀୟ ସ୍ମାରକୀ କରି ଏହାର ଅଧିକ ବିକାଶ କରିବା, କୋର୍ଟ ନିକଟ ରାସ୍ତାଗୁଡ଼ିକ ମଧୁବାବୁଙ୍କ ନାମରେ କରିବାକୁ ଦାବି କରାଯାଇଛି।