Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ପରୀକ୍ଷାରେ ଆସିଲା ଭିନ୍ନ ଭିନ୍ନ ରିପୋର୍ଟ: ଉତ୍ୟକ୍ତ ଲୋକେ ସ୍ଵାସ୍ଥ୍ୟକର୍ମୀଙ୍କୁ ରଖିଲେ ଅଟକ

ଚାନ୍ଦପୁର /ନୟାଗଡ: କୋଭିଡ ପରୀକ୍ଷାରେ ଭିନ୍ନ ଭିନ୍ନ ରିପୋର୍ଟ ଆସିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପରୀକ୍ଷା କରିବାକୁ ଯାଇଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝଲିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଗତ ୩ ଦିନ ତଳେ ମୟୁରଝଲିଆ ଗ୍ରାମର ୨୪ ଜଣଙ୍କର ଆରଟିପିସିଆର ପରୀକ୍ଷା କରାଯାଇଥିଲା। କୋଭିଡ ଟେଷ୍ଟ ବେଳେ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା।

କିନ୍ତୁ ରିପୋର୍ଟକୁ ସନ୍ଦେହ କରି ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତି ପୁନର୍ବାର ରଣପୁରରେ କୋଭିଡ ପରୀକ୍ଷା କରିଥିଲେ। ସେଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଣ୍ଟିଜେନ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଉତ୍ତେଜିତ ହୋଇ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ବନ୍ଧକ କରିଥିଲେ। ଏପରିକି ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାୟଙ୍କୁ ମଧ୍ୟ ଅଟକ ରଖିଥିଲେ।

ତେବେ ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ତହସିଲଦାର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ।

ଅପରପକ୍ଷେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବିଶ୍ୱଜିତ ମହାପାତ୍ରଙ୍କ ଲିଖିତ ଅଭିଯୋଗ କ୍ରମେ ଚାନ୍ଦପୁର ପୋଲିସ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କେସ ନମ୍ବର ୭୨/୨୧ ରେ ମାମଲା ରୁଜୁ ହୋଇଛି। ଏନେଇ  ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।