Categories
ବିଶେଷ ଖବର

ରାଜ ଠାକରେଙ୍କ ଉଦ୍ଧବ ସରକାରଙ୍କୁ ଚେତାବନୀ: ମସଜିଦରୁ ଲାଉଡ ସ୍ପିକର ହଟାଇବା ନେଇ କହିଲେ ଏଭଳି କଥା

ମୁମ୍ବାଇ: ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ନେଇ ଦେଇଥିବା ବିବୃତ୍ତି ସମ୍ପର୍କରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ପୁଣି ଥରେ ଏହା ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ରାଜ ଠାକରେ କହିଛନ୍ତି ଯେ, ମୁଁ ଦେଶର ସମସ୍ତ ହିନ୍ଦୁଙ୍କୁ ପ୍ରସ୍ତୁତ ହେବାକୁ ଅନୁରୋଧ କରୁଛି। ଯଦି ମସଜିଦ ଉପରେ ଥିବା ଲାଉଡ ସ୍ପିକରଗୁଡିକ ମେ ୩ ତାରିଖ ସୁଦ୍ଧା ଅପସାରିତ ନହୁଏ, ତେବେ ଏକ ଉପଯୁକ୍ତ ଜବାବ ଦେବାର ଆବଶ୍ୟକତା ଅଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରାଯିବା ଉଚିତ୍।

ସେ କହିଛନ୍ତି ଯେ, ମହାରାଷ୍ଟ୍ର ଦିବସ ଅର୍ଥାତ୍ ମେ ୧ ତାରିଖରେ ମୁଁ ଔରଙ୍ଗାବାଦରେ ଏକ ବଡ ସମାବେଶକୁ ସମ୍ବୋଧିତ କରିବି। ମୁଁ ଜୁନ୍ ୫ ତାରିଖରେ ଅଯୋଧ୍ୟା ପରିଦର୍ଶନ କରିବାକୁ ଯାଉଛି। ସେଠାରେ ମୋର ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଦର୍ଶନ କରିବି। ଏହା ପରେ, ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ କାର୍ଯ୍ୟ କରାଯିବ।

ନିକଟରେ, ରାଜ ଠାକରେ ମସଜିଦରେ ଥିବା ଲାଉଡ ସ୍ପିକରକୁ ହଟାଇବା ପାଇଁ ଏକ ଅଲ୍ଟିମେଟମ୍ ଦେଇ କହିଥିଲେ, “ନମାଜ ପାଇଁ ଆପଣମାନଙ୍କୁ ରାସ୍ତା ଏବଂ ଫୁଟପାଥ୍ କାହିଁକି ଦରକାର? ସମସ୍ତେ ଘରେ ପଢନ୍ତୁ। ପ୍ରାର୍ଥନା ଆପଣଙ୍କର, ଆପଣ କାହିଁକି ଆମକୁ ଶୁଣାଉଛନ୍ତି? ଯଦି ଏକଥା ସେମାନଙ୍କୁ ବୁଝାପଡୁ ନାହିଁ?, ତେବେ ଆପଣଙ୍କ ମସଜିଦ ସାମ୍ନାରେ ହନୁମାନ ଚଲିସା ବାଜିବ। ଆମେ ରାଜ୍ୟ ସରକାରଙ୍କୁ କହୁଛୁ ଯେ, ଆମେ ଏହି ପ୍ରସଙ୍ଗରୁ ପଛଘୁଞ୍ଚା ଦେବୁ ନାହିଁ। ଆପଣ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ। “ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏଭଳି କେଉଁ ଧର୍ମ ଅଛି, ଯାହା ଅନ୍ୟ ଧର୍ମକୁ ଆଘାତ ଦେଇଥାଏ। ଆମେ ଗୃହ ବିଭାଗକୁ କହିବାକୁ ଚାହୁଁଛୁ ଯେ ଆମେ ଦଙ୍ଗା ଚାହୁଁନାହୁଁ। ମେ ୧ ତାରିଖ ସୁଦ୍ଧା ସମସ୍ତ ଲାଉଡ ସ୍ପିକର ମସଜିଦରୁ ହଟାଯିବା ଉଚିତ, ଆମ ପକ୍ଷରୁ କୌଣସି ଅସୁବିଧା ହେବ ନାହିଁ। ”