Categories
ଆଜିର ଖବର ଖେଳ ଜାତୀୟ ଖବର

ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜ: ଉମେଶ ଯାଦବଙ୍କ ସ୍ଥାନରେ ସାମିଲ ହେବେ ଟି.ନଟରାଜନ

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଉଭୟ ଦଳର ଖେଳାଳି ମଧ୍ୟରେ ଆହତ ସମସ୍ୟା ଦେଖାଯାଇଛି। ଅଷ୍ଟ୍ରେଲିଆ ଦଳର ଅନେକ ଖେଳାଳି ଆହତ ହେବା କାରଣରୁ ସିରିଜରୁ ବାଦ ପଡିଥିବା ବେଳେ ଭାରତୀୟ ଦଳର ଖେଳାଳି ମଧ୍ୟ ଆହତ ହେଉଛନ୍ତି। ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ବର୍ତ୍ତମାନ ଦ୍ରୁତ ବୋଲର ଉମେଶ ଯାଦବ ଆହତ ହୋଇଛନ୍ତି। ୩୩ ବର୍ଷୀୟ ଏହି ଅନୁଭବୀ ପେସ୍ ବୋଲ୍ ଉମେଶ ଯାଦବ ଅନ୍ୟ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ଟି.ନଟରାଜନଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି। ଏହା ସହିତ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଟେଷ୍ଟ ଟିମରେ ସାମିଲ କରାଯାଇଛି।

ସିରିଜର ତୃତୀୟ ଟେଷ୍ଟ ୭ ଜାନୁଆରୀରୁ ସିଡନୀରେ ଖେଳାଯିବ। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ବାମହାତୀ ଦ୍ରୁତ ବୋଲର ଟି.ନଟରାଜନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ଗୋଟିଏ ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚରେ ଖୁବ୍ ଭଲ ପ୍ରଦର୍ଶନ କରି ମୋଟ ୮ ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ୱାର୍ନରଙ୍କ ସମେତ ବିଶ୍ଵର ବହୁ ପୁରୁଖା ଖେଳାଳି ପ୍ରଶଂସା କରିଥିଲେ।