Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ବିରୋଧରେ ରଣପୁର ଏନଏସି କାର୍ଯ୍ୟାଳୟ ଆଗରେ ବିଜେଡ଼ିର ଧାରଣା

ରଣପୁର: କେନ୍ଦ୍ର ସରକାର ଗରିବଙ୍କୁ ମିଳୁଥିବା ୫ କି.ଗ୍ରା. ରାସନ ଚାଉଳ ହ୍ରାସ କରିବା ବିରୋଧରେ ସୋମବାର ରଣପୁର ବିଜ୍ଞାପିତ ଅଞ୍ଚଳରେ ଏକ ଆନ୍ଦୋଳନ କରାଯାଇଛି। ଆଜି ରଣପୁର ନିର୍ବାଚନ ମଣ୍ଡଳୀର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ରଣପୁର ନଗର ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ଆନ୍ଦୋଳନରେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ବିଜେଡି ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବରିଷ୍ଠ ଆଇନୀଜୀବୀ ସୁରେଶ ମିଶ୍ର, ସୁଶାନ୍ତ ମିଶ୍ର ଏବଂ କାଉନସିଲର କମଳାକ୍ଷୀ ଦେବୀଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଠିକା ସଫେଇ କର୍ମଚାରୀଙ୍କ ଦ୍ଵାରା ବାଲୁଗାଁ ଏନଏସି କାର୍ଯ୍ୟାଳୟ ଘେରାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଶତାଧିକ ଠିକା ସଫେଇ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଯାହାଫଳରେ ଏନଏସି କାର୍ଯ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି।

ପରିମଳ ବ୍ୟବସ୍ଥା ନେଇ ସହରର ସ୍ଵଚ୍ଛତା ଓ ବିକଶିତ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଏହାର ଘୋର ଅନିୟମିତତା ବାଲୁଗାଁ ଏନଏସିରେ ଦେଖିବାକୁ ମିଳୁଛି। ସ୍ଵଚ୍ଛତା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ଅନେକ କର୍ମଚାରୀ ନିୟୋଜିତ କରିଆସୁଛନ୍ତି। ଏପରିକି ଆଧୁନିକିକରଣ ଉପାୟରେ ଲୋକଙ୍କ ଘରୁ ସଫେଇ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ଓଦା ଏବଂ ଶୁଖିଲା ଅଳିଆ ଆବର୍ଜନା ଆଣି ତାହାକୁ ଏକତ୍ର କରି କମ୍ପୋଷ୍ଟ କରିବାପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କିନ୍ତୁ ଏ ସବୁର ଘୋର ବ୍ୟାଘାତ ସୃଷ୍ଟି ହୋଇଛି ବାଲୁଗାଁ ଏନ୍ଏସିରେ, ଯାହାକି ସିଧାସଳଖ ପ୍ରଭାବ ପଡୁଛି ବାଲୁଗାଁ ବାସିନ୍ଦାଙ୍କ ଉପରେ।

ସୂଚନା ମୁତାବକ ବାଲୁଗାଁ ଏନ୍ଏସି ଅଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଏନ୍ଏସି ଏବଂ ଏଲ୍ ଆଣ୍ଡ କେ ସର୍ଭିସ ନାମକ ଏକ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତି ପତ୍ର ହୋଇଛି। ଚୁକ୍ତି ଅନୁସାରେ ଉକ୍ତ କମ୍ପାନୀ ବାଲୁଗାଁ ସହରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଦୈନିକ ୩୨୬ ଟଙ୍କା ଦେୟରେ ସମୁଦାୟ ୬୫ଜଣ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଏବଂ ଏମାନଙ୍କୁ ତଦାରଖ କରିବା ପାଇଁ ଦୁଇ ଜଣ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି।

ସଫେଇ କର୍ମଚାରୀଙ୍କ କହିବା ମୁତାବକ ଆମେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆମକୁ କୌଣସି ପ୍ରକାରର ସଫେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଦିଆଯାଉ ନାହିଁ। ୱାର୍ଡ ୱାର୍ଡ ବୁଲି ଖାଲି ହାତରେ ଅଳିଆ ଆବର୍ଜନା ଗୋଟାଉଛୁ।ଏପରିକି ଠେଲା ଗାଡିର ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ।

ଏସବୁ ଅଭିଯୋଗ ନେଇ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରିଣୀଙ୍କୁ ଏସମ୍ବନ୍ଧରେ ଏବଂ ମାସିକ ପ୍ରାପ୍ୟ ବିଷୟରେ ଗୁହାରି କରିବାକୁ ଯାଇଥିବା ବେଳେ ଆମକୁ ଜାତିଆଣ ଆକ୍ଷେପ କରି କାର୍ଯ୍ୟାଳୟରୁ ଫେରାଇ ଦେଉଛନ୍ତି। ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ କେହି କାମ କରିବାକୁ ଯିବେ ନାହିଁ ବୋଲି ସଫେଇ କର୍ମଚାରୀମାନେ ରୋକଠୋକ ମନା କରିଦେଇଛନ୍ତି।

ଏସମ୍ବନ୍ଧରେ ବାଲୁଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନା ରାଣି ପାଢୀଙ୍କୁ ଯୋଗାଯୋଗ କରିବାରେ କୌଣସି ଜାତିଗତ ଆକ୍ଷେପ କରିନଥିବା କହିଛନ୍ତି। ଏଥିସହିତ ଆଜି ଯେଉଁ ସମସ୍ୟା ଉପୁଜିଛି ସେନେଇ ଏନ୍ଏସି ତରଫରୁ ଉକ୍ତ କମ୍ପାନୀକୁ ତାଗିଦ କରିଛନ୍ତି। ଏବଂ ଏହାର ଯଥାଶୀଘ୍ର ସମାଧାନ କରାଯିବା ସହ ଆଗାମି ଦିନରେ ଏପରି ବିଶୃଙ୍ଖଳା ସୃଷ୍ଟି ନହେବା ଦିଗରେ ଧ୍ୟାନ ଦେବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।