Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଚମକିଲେ ବାଣପୁର ଛାତ୍ରୀ ସାଇସ୍ୱପ୍ନା: ଓଜେଇଇ ଏମ.ଟେକରେ ହେଲେ ଓଡ଼ିଶା ଟପ୍ପର

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାରେ ଚମକିଲେ ବାଣପୁରର ଛାତ୍ରୀ। ସାରା ରାଜ୍ୟରେ ହେଲେ ଟପ୍ପର। ନିକଟରେ ୨୦୨୧ ଶିକ୍ଷାବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇଛି। ଯେଉଁଥିରେ ପ୍ଲାଷ୍ଟିକ ଇଂଜିନିୟରିଙ୍ଗରେ ଏମ.ଟେକ ବିଭାଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଛାତ୍ରୀ ସାଇସ୍ୱପ୍ନା ରାଉତରାୟ ଓଡ଼ିଶା ଟପ୍ପର ହୋଇଛନ୍ତି।

ସାଇସ୍ୱପ୍ନା ହେଉଛନ୍ତି ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଧମୁଣ୍ଡେଇ ଗ୍ରାମର ଶିକ୍ଷକ ରାଜକିଶୋର ରାଉତରାୟ ଏବଂ ବିନୋଦିନୀ ରାଉତରାୟଙ୍କର ଝିଅ। ସାଇସ୍ୱପ୍ନା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନ (ସମ୍ମାନ ) ରେ ସ୍ନାତକ କରିଥିବାବେଳେ ଭୁବନେଶ୍ୱର ସ୍ଥିତ ସିପେଟ-ଆଇପିଟି କଲେଜରୁ ପଲିମର ସାଇନ୍ସରେ ସ୍ନାତକୋତ୍ତର କରିଛନ୍ତି। ସାଇସ୍ୱପ୍ନା ପିଲାଟିଦିନରୁ ମେଧାବୀ ଛାତ୍ରୀ ରହିଥିବା ବେଳେ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଆସୁଛନ୍ତି।

ତେବେ ସ୍ନାତକୋତ୍ତର ପରେ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ ବିଷୟରେ ଉଚ୍ଚଶିକ୍ଷା ନିମନ୍ତେ ସାଇସ୍ୱପ୍ନା ଏମ.ଟେକ (ଓଜେଇଇ) ରେ ସଫଳ ହେବା ପାଇଁ ବହୁ ପରିଶ୍ରମ କରିଥିବାର ପ୍ରକାଶ କରିଛନ୍ତି। ପରିଶ୍ରମର ଫଳ ସଦାବେଳେ ସୁଧମୂଳ ସହ ମିଳିଥାଏ ବୋଲି ସାଇସ୍ୱପ୍ନା କହିଛନ୍ତି। ବର୍ତ୍ତମାନ ସେ ତାଙ୍କ ମନପସନ୍ଦ ଶିକ୍ଷାନୁଷ୍ଠାନରୁ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ କିମ୍ବା କେମିକାଲ ଇଞ୍ଜିନିଅରିଙ୍ଗରେ ଏମ.ଟେକ କରିବେ ଏବଂ ଭବିଷ୍ୟତରେ ଏ କ୍ଷେତ୍ରରେ ଅଧିକ ଗବେଷଣା କରିବା ସହ ନିଜକୁ ଜଣେ ସଫଳ ରିସର୍ଚ୍ଚ ସ୍କଲାର ଭାବେ ସମଗ୍ର ଦେଶ ସାମ୍ନାରେ ଉପସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଥିବାର ପ୍ରକାଶ କରିଛନ୍ତି ସାଇସ୍ୱପ୍ନା।

ତେବେ ଏ ଖବର ପ୍ରଚାର ହେବାପରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଥିବାବେଳେ ସାଇସ୍ୱପ୍ନାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।