Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ଧୂମଧାମରେ ପାଳିତ ହେବ ବାଣପୁରର ଐତିହାସିକ ପଞ୍ଚଦୋଳ!: ଆରମ୍ଭ ହେଲାଣି ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତ ବର୍ଷ ଜମିବ ବାଣପୁର ଐତିହାସିକ ପଞ୍ଚଦୋଳ। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ କେବଳ ବିଧି ଅନୁଯାୟୀ ବିମାନ ପୂଜା କରାଯାଇଥିବା ବେଳେ ଭକ୍ତଙ୍କୁ ପଲଟନ ପଡିଆ ବାରଣ ଥିଲା। ଫଳରେ ହଜାର ହଜାର ଭକ୍ତ ଐତିହାସିକ ପଞ୍ଚଦୋଳ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଆତସବାଜି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା।

ତେବେ ଚଳିତ ବର୍ଷ ଏହାକୁ ପୁନର୍ବାର ଧୁମଧାମରେ ପାଳନ କରାଯିବ ବୋଲି ଜଣାପଡିଛି।  ଏଥି ନିମନ୍ତେ ଏବେଠାରୁ ପ୍ରସ୍ତୁତ ହେଉଛି ପଲଟନ ପଡିଆ। ଚଳିତ ମାର୍ଚ୍ଚ ୧୩ ତାରିଖରେ ପଞ୍ଚଦୋଳ ମେଳଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୨ ତାରିଖ ବିଳମ୍ବିତ ରାତିରେ ସମସ୍ତ ବିମାନ ପଡିଆ ମଧ୍ୟକୁ ଓହ୍ଲାଇବେ। ଇତି ମଧ୍ୟରେ ବାଣପୁର ବ୍ଲକ ଓ ଏନଏସି ରେ ଦୁଇ ନୂତନ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଉଭୟ କିପରି ଚଳିତ ବର୍ଷ ପଞ୍ଚଦୋଳ ଧୁମଧାମରେ ପାଳିତ ହେବ ତାହାକୁ ଗୁରୁତ୍ୱ ଦେଉଛନ୍ତି।

ପଡିଆରେ ଅବସ୍ଥିତ ବିମାନ ପିଣ୍ଡି ସବୁ ଏନଏସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ହେବ ବୋଲି ଜଣାପଡିଛି। ଅନୁରୂପ ଭାବେ ବହୁ ଉଠା ଦୋକାନୀ ଗତ ଦୁଇ ବର୍ଷ ହେଲା ବାଣପୁର ପଞ୍ଚଦୋଳରେ ନିଜ ଦୋକାନ ପକାଇବା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ଜଣାପଡିଛି।

ବିଗତ ଦୁଇ ବର୍ଷ ହେଲା ଜନସାଧାରଣଙ୍କୁ କୋଭିଡ ଦାଉରୁ ବଞ୍ଚାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶକୁ ମୁଣ୍ଡପାତି ସହିନେଇ ଅନିଚ୍ଛାସତ୍ତ୍ୱେ ପଞ୍ଚଦୋଳ କମିଟି ବହୁ କଠୋର ପଦକ୍ଷେପ ହାତକୁ ନେଇଥିଲା, ଏପରିକି ଭକ୍ତଙ୍କୁ ପଡିଆ ମଧ୍ୟକୁ ନଆସିବା ପାଇଁ ବାରଣ କରିବାକୁ ବାଧ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଉକ୍ତ କମିଟିର ସମ୍ମାନ ନିଶ୍ଚିତ ରଖିବା ସହ ଐତିହାସିକ ପଞ୍ଚଦୋଳକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ବାଣପୁରବାସୀ ଆଶା ରଖିଛନ୍ତି।