Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭଗବତୀ: ଶାରଦୀୟ ପର୍ବ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର ଶକ୍ତିପୀଠମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାବେଳେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠି ଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଭାଗ୍ୟର ଦେବୀ ଷଠୀ ମା’ଙ୍କୁ ଘରେ ଘରେଏହି ଦିନ ପୂଜାର୍ଚ୍ଚନା କରାଯାଉଥିବାବେଳେ ମା’ଙ୍କ ପୀଠରେ ଭଗବତୀଙ୍କୁ ଭାଗ୍ୟର ଦେବୀ ଭାବରେ ବିଶ୍ୱାସ କରାଯାଇ ସଂମ୍ପୁର୍ଣ୍ଣ ନିଆରା ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ।

ପ୍ରତ୍ୟୁଷରୁ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ପରେ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବନଦୁର୍ଗା ବେଶରେ ଘଣ୍ଟ ଘଣ୍ଟା, କାହାଳୀ , ମର୍ଦ୍ଦଳ, କରତାଳ, ଢୋଲ ମହୁରୀ, ବାଦ୍ୟର ତାଳେ ତାଳେ, ଚାମର ଆଲଟ, ଛତ୍ର ତରାଶ ସହିତ ଛତିଶା ସେବାୟତଙ୍କ ଗହଣରେ ମନ୍ଦିରକୁ ବିଜେ କରିଥିଲେ। ପରେ ପରିଛା ସାମନ୍ତଙ୍କ ଦ୍ୱାରା ଷଷ୍ଠୀ ଦେବୀଙ୍କୁ ଆବାହନ, ସଂସ୍ଥାପନ, ସହସ୍ର କୁମ୍ଭାଭିଷେକ, ବଲ୍ଲଭ ମଙ୍ଗଳାର୍ପଣ, ବଜ୍ର ସୂତ୍ରଧାରଣ, ଶଙ୍କୁଡ଼ି ଧୁପରେ ଖେଚ଼ଡ଼ି,ଡାଲି, ମାଛ ମହୁର, ଆମ୍ବିଳ, ଶାଗ, ମାଛ ଗୁଣ୍ଡି ଭଜା, ମଣ୍ଡା, ଖିରି,ଏଣ୍ଡୁରୀ ଇତ୍ୟାଦି ଲାଗି ହେବାପରେ ଆଳତି ହୋଇ ଦିବା ପହୁଡ଼ ହୋଇ ମା’ ସଂଧ୍ୟାରେ ଖଜା, ସରପୁଳି, ମାଠପୁଳି, କାକରା, କାନ୍ତି ଧୁପବଢି ବଡ଼ସିଂହାର ପରେ ପିତ୍ରାଳୟକୁ ଫେରିଥିଲୋ ମା’କାଠି ଠାକୁରାଣୀ ମଧ୍ୟାହ୍ନରେ ମନ୍ଦିରକୁ ବିଜେ କଲା ପରେ ହିଁ ବାଣପୁର ଅଞ୍ଚଳରେ ଘରମାନଙ୍କରେ ଷଷ୍ଠି ଓଷା ପାଳନ କରାଯିବାର ବିଧି ପରମ୍ପରା ଚ଼ଳିଆସୁଛି।

ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲାବେଳେ ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଥାନାଧିକାରୀ ଜୟପ୍ରକାଶ ପରିଡ଼ା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମାଁ ଙ୍କ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ମାଁ ଙ୍କୁ ଦର୍ଶନ କରିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା।