Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ମିଶନଶକ୍ତି ପଦବୀ ଚୟନରେ ମହା ଘୋଟାଲା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାର ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ସମଗ୍ର ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି। ସେଥିପାଇଁ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ରାଜ୍ୟ ସରକାର ମଧ୍ୟ ନୂତନ ଭାବେ ମିଶନ ଶକ୍ତି ବିଭାଗ ଆରମ୍ଭ କରି ସେହି ବିଭାଗ ଅଧୀନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରିଚାଳନା କରୁଥିବା ଜଣାପଡିଛି। ଆଗରୁ ଚାଲିଥିବା ଓଡ଼ିଶା ଜୀବିକା ମିଶନ ମଧ୍ୟ ଏହି ମିଶନ ଶକ୍ତି ବିଭାଗ ଅଧିନକୁ ଚାଳିଆସିଥିବା ପ୍ରକାଶ।

ମିଶନ ଶକ୍ତି ବିଭାଗ ଆରମ୍ଭ କରିବା ଆଗରୁ କେବଳ ସମାଜ କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ହେଉଥିବା ସମନ୍ଵିତ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଉଥିଲା। ଏବେ ସେହି ଅଙ୍ଗନୱାଡି କର୍ମୀ ମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରିଚାଳନାରେ ଅଲୋଡା ହୋଇ ପଡିଛନ୍ତି।

ମିଶନ ଶକ୍ତି ବିଭାଗ ଗଠନ ହେବା ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ମିଶନ ଶକ୍ତି ବିଭାଗ ଅଧୀନରେ ପରିଚାଳିତ ହେବା ସହ ଜିଲ୍ଲାରେ ପ୍ରକଳ୍ପ ସଂଯୋଜକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଏବଂ ବ୍ଲକ ସ୍ତରରେ ବ୍ଲକ ସଂଯୋଜକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ପରିଚାଳିତ ହେଉଥିବା ଜଣାପଡିଛି। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ନେଇ ପ୍ରତି ଗ୍ରାମ ସ୍ତରରେ କ୍ଲଷ୍ଟର, ଗ୍ରାମ ପଞ୍ଚାୟତ ସ୍ତରରେ ପଞ୍ଚାୟତ ସ୍ତରୀୟ ମହାସଂଘ, ବ୍ଲକସ୍ତରରେ ବ୍ଲକସ୍ତରୀୟ ମହାସଂଘ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ସ୍ତରୀୟ ମହାସଂଘ ଗଠିତ କରାଯାଇଥିବା ବିଭାଗୀୟ ସୂତ୍ର ରୁ ପ୍ରକାଶ।

କଳାହାଣ୍ଡି ଜିଲ୍ଲାରେ ଥିବା ୨୨୫୩ ଖଣ୍ଡ ଗ୍ରାମରେ ମୋଟ ୨ ଲକ୍ଷ ୧୨ ହଜାର ୧୫୬ ଜଣ ମହିଳା ସଂଶ୍ଳିଷ୍ଟ ହୋଇ ୨୦ ହଜାର ୫୪୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠିତ ହୋଇ ଥିବା ବେଳେ ସେହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ନେଇ ୨୨୫୩ ରୁ ଅଧିକ କ୍ଲଷ୍ଟର, ୩୧୦ ଗୋଟି ଗ୍ରାମ ପଞ୍ଚାୟତରେ ୩୧୦ ଗୋଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ, ଜିଲ୍ଲାର ୧୩ ଟି ବ୍ଲକ ଓ ଗୋଟିଏ ସହରାଞ୍ଚଳରେ ୧୪ ଗୋଟି ବ୍ଲକ ସ୍ତରୀୟ ମହାସଂଘ ଗଠିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ସରକାରଙ୍କ ଯୋଜନା ଅନୁସାରେ ପ୍ରତି କ୍ଲଷ୍ଟର ମଧ୍ୟରେ ଗୋଷ୍ଠୀଗତ ସହଯୋଗ ପାଇଁ ବ୍ଲକ ସ୍ତରୀୟ ମହାସଂଘ ତରଫରୁ ସିଆରପି, ମାଷ୍ଟର ବୁକ କିପର ଓ ବ୍ୟାଙ୍କ ମିତ୍ର ଭଳି ବିଭିନ୍ନ ପଦବୀ ଗୁଡିକରେ ନିଯୁକ୍ତି ଦେବାକୁ ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନ ତରଫରୁ ପତ୍ର ସଂଖ୍ୟା ୧୩୪୩ ତା ୨୧.୧୦.୨୦୨୨ ଯୋଗେ ବ୍ୟବସ୍ଥା ଥିବା ବେଳେ ସେସବୁ ପଦବୀ ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରାର୍ଥୀ ଚୟନରେ ବ୍ୟାପକ ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ କାରବାର ହୋଇଥିବା ଅଭିଯୋଗ ହେଉଛି।

ପ୍ରତି ପଦବୀ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିବା ଜରୁରୀ ଥିବା ବେଳେ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ଦେଖା ଯାଉଥିବା ବେଳେ ଅନେକ କ୍ଷେତ୍ରରେ ଅର୍ଥ କାରବାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ବ୍ଲକ ସ୍ତରୀୟ ମହାସଂଘରେ ବିଭିନ୍ନ ଅଞ୍ଚଳରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା କାର୍ଯ୍ୟ ନିର୍ବାହୀ ସଦସ୍ୟା ମାନେ ପ୍ରାର୍ଥୀ ମାନଙ୍କ ପାଖକୁ ଯାଇ ଅର୍ଥ ଦାବି କରୁଥିବା ଅନେକ ଅଭିଯୋଗ ହୋଇଛି।

ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ ଦିଆଯାଇଥିବା ବେଳେ କମ ଦିନରେ ପୁରୁଣା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରେ ସଦସ୍ୟା ହୋଇ ପଦବୀ ହାତେଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ବ୍ଲକ ସ୍ତରୀୟ ମହାସଂଘ ରେ ଥିବା ସଭାପତି ଓ ସମ୍ପାଦକ ଙ୍କ ସ୍ବାକ୍ଷର ରେ ସମୁଦାୟ କାର୍ଯ୍ୟ ହେଉଥିବା କୁହାଯାଉଥିବା ବେଳେ ସେମାନଙ୍କୁ ଢାଳ କରି ବ୍ଲକ ସଂଯୋଜକ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ସେସବୁ କାରବାର କରୁଥିବା ଅଭିଯୋଗ ହେଉଛି। କେବଳ ନାମକୁ ମାତ୍ର ଇଂରାଜୀ ରେ ଦସ୍ତଖତ କରୁଥିବା ସେହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ବ୍ଲକ ସ୍ତରୀୟ ମହାସଂଘ ରେ ଥିବା ସଭାପତି ଓ ସମ୍ପାଦକ କିପରି ଭାବେ ଏଟତେ ଗୁଡାଏ ଇଂରାଜୀ କାଗଜାତ ପ୍ରସ୍ତୃତ କରିବା ସହିତ ଯୁକ୍ତ ଦୁଇ ଓ ବିଏ ଇତ୍ୟାଦି ଉଚ୍ଚ ଶିକ୍ଷା ର ସାର୍ଟିଫିକେଟ ଗୁଡିକ ଯାଞ୍ଚ କଲେ ଏବଂ ପ୍ରାର୍ଥୀ ମାନଙ୍କ ଚୟନ ପ୍ରକ୍ରିୟା ସାରିଲେ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଏସବୁ ପ୍ରକ୍ରିୟାରୁ ସ୍ପଷ୍ଟ ଯେ, ଯାହା ସବୁ ଅଭିଯୋଗ ହେଉଛି ସେସବୁ ଯଦିଓ ସତ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ ବ୍ଲକ ସ୍ତରୀୟ ମହାସଂଘର ସଭାପତି ଓ ସମ୍ପାଦକ କେବଳ ସ୍ବାକ୍ଷର ଦେଇଥିବା ବେଳେ ବ୍ଲକ ସଂଯୋଜକ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ସେସବୁ କାରବାର କରୁଥାଇପାରନ୍ତି। ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି କରଣ କରିବାକୁ ଯୋଜନା କରୁଥିବା ବେଳେ କେତେକ ସ୍ଵାର୍ଥବାଦୀ ପଦଧିକାରୀଙ୍କ ଲାଭ ଖୋର ମନୋବୃତି ଯୋଗୁ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନଥିବା ବୁଦ୍ଧିଜୀବି ମହଲରେ ଅଭିଯୋଗ ହେଉଛି।

Categories
ଆଜିର ଖବର ବ୍ୟବସାୟ

ଓଡିଶା ଜୀବିକା ମିଶନ କଣ, କେମିତି ହାସଲ କରିବେ ଏହାର ଫାଇଦା

ସୁନ୍ଦରଗଡ଼: ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ କରୁଛନ୍ତି।

ଆଗରୁ ଆଦିବାସୀ ବର୍ଗର ଚାଷୀମାନେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ଚାଷ କରୁଥିଲେ। ତେଣୁ ସେମାନେ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଦୀର୍ଘସ୍ଥାୟୀ ଜୀବିକା ପାଇପାରିବେ ସେଥିପାଇଁ ଏକ ୩ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁନ୍ଦରଗଡ଼ ଆଇଟିଡିଏର ୯ଟି ବ୍ଲକରେ ଏହା ଲାଗୁ କରାଯାଇଛି।

ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ “ମିଶନ ଜୀବିକା” କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

“ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବନ ଜୀବିକାକୁ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମିଶନ ଜୀବିକା ମାଧ୍ୟମରେ ସେମାନେ ବିଭିନ୍ନ ଲାଭଜନକ ଫସଲ କରୁଛନ୍ତି। ୧୩ଟି ଫସଲ ଲାଗି ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ଚାଷୀମାନେ ଲାଭବାନ ହେଉଛନ୍ତି”, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

“ମିଶନ ଜୀବିକା” କାର୍ଯ୍ୟକ୍ରମ ଅଧୀନରେ ଚାଷୀମାନେ ଉନ୍ନତ ପଣାଳୀରେ ୧୩ଟି ଫସଲର ଚାଷ କରୁଛନ୍ତି। ସେଥିମଧ୍ୟରେ ରହିଛି ମକା, ମାଣ୍ଡିଆ, ହରଡ଼, ବାଦାମ, ସୋରିଷ ସହିତ ବାଇଗଣ, ଫୁଲ କୋବି, ସିମଲା ଲଙ୍କା, କଞ୍ଚା ଲଙ୍କା, ଛତୁ ଏବଂ ତରଭୁଜ ଆଦି ଫସଲ। ଏହି ଚାଷ ପାଇଁ ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତ କିସମର ବିହନ ଏବଂ ଜୈବିକ ସାର ଦିଆଯାଉଛି।

ସୁନ୍ଦରଗଡ଼ର ୯ଟି ବ୍ଲକର ୪ ହଜାର ୫୦୦ ଏକର ଜମିରେ ଏହିସବୁ ଚାଷ କରାଯାଇଛି। ଏଥିରେ ୬ ହଜାରରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଜୈବିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ବଜାରରେ ଭଲ ରହିଛି।

“ଆଗରୁ ବଜାରରୁ ବିହନ କିଣି ତରଭୁଜ ଚାଷ କରୁଥିଲୁ। ହେଲେ ଗତ ତିନି ବର୍ଷ ହେଲା ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଆମକୁ ଉନ୍ନତମାନର ବିହନ ମିଳୁଛି। ଫସଲରେ ଜୈବିକ ସାର ବ୍ୟବହାର କରୁଥିବାରୁ ଆଗ ଅପେକ୍ଷା ଚଳିତ ବର୍ଷ ଭଲ ତରଭୁଜ ଅମଳ ହେଉଛି”, କହିଛନ୍ତି ବଡ଼ଗାଁ ବ୍ଲକ ଫୁଲବାରୀ ଗ୍ରାମର ଜଣେ ମହିଳା ଚାଷୀ ପବିତା କିସାନ।

“ଆଇଟିଡିଏର ଅଧିକାରୀମାନଙ୍କ ପରାମର୍ଶକ୍ରମେ ମୁଁ ୧ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରୁଛି। ଗତ ବର୍ଷ ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ୫୦ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥିଲି”, କହନ୍ତି ସୁନ୍ଦରଗଡ଼ର ଯୁବ ଚାଷୀ ରବି ବାର୍ଲା।

ସୁନ୍ଦରଗଡ଼ର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଜୀବିକା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।

Categories
ଆଞ୍ଚଳିକ

ଆର.ଉଦୟଗିରିରେ ଓଡିଶା ଜୀବିକା ମିଶନ ପକ୍ଷରୁ ପୃଷ୍ଟି ମହୋତ୍ସବ ପାଳିତ

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଓଡିଶା ଜୀବିକା ମିଶନ ପକ୍ଷରୁ ବିପିଏମ ଇନଚାର୍ଜ ରଜନୀକାନ୍ତ ପଣ୍ଡାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସାଧନ କର୍ମି ପ୍ରେମଲତା ରଇତ ସହଯୋଗ କରିଥିବାବେଳେ ଓଡିଶା ଜୀବିକା ମିଶନ ପଞ୍ଚାୟତ ଫେଡେରେସନ ସଦସ୍ୟର ସଭାପତି, ସମ୍ପାଦକ ଯୋଗ ଦେଇଥିଲେ। ଏବଂ ନିଜ ଘର ପାଖରେ କରିଥିବା ଛୋଟ ଛୋଟ ବଗିଚାମାନଙ୍କରେ ପୃଷ୍ଟିକର ଜାତୀୟ ବିଭିନ୍ନ ପନିପରିବା ଓ ସମସ୍ତ ଶସ୍ୟ ଜାତୀୟ ଖାଦ୍ୟକୁ ଏହି ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା। ଯାହାକି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି, ଖୁବ କମ ପରିଶ୍ରମ ଏବଂ ସରକାରୀ ଅନୁଦାନ ଦ୍ୱାରା ବିନା ଅର୍ଥର ଖର୍ଚ୍ଚରେ ଖୁବ କମ ସମୟରେ କିପରି ପରିବା ଚାଷ ହୋଇପାରିବ।

ତେବେ ଏହି କାର୍ଯ୍ୟକ୍ରମ ୨୭ତାରିଖ ଠାରୁ ୩୦ ତାରିଖ ଯାଏଁ  ଚାରିଦିନ ଧରି ଆର.ଉଦୟଗିରି ପଞ୍ଚାୟତ, ଶବରପଲ୍ଲୀ, ଅବାରସିଂ ଓ ଛେଳିଗଡ଼ ପଞ୍ଚାୟତରେ ଗୋଟିଏ ଦିନ ଲେଖାଏଁ ଏହି ମହୋତ୍ସବ ପାଳନ କରିବେ ବୋଲି ଓଡିଶା ଜୀବିକା ମିଶନ ବିଭାଗର ବିପିଏମ ଇନଚାର୍ଜ ରଜନୀକାନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।