Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭାରେ ତୁମୁଳ କାଣ୍ଡ, ଶାସକ ବିରୋଧୀଙ୍କ ମଧ୍ୟରେ ଧକ୍କା ମରାମରି, ସାତଦିନ ପାଇଁ ନିଲମ୍ବିତ ହେଲେ ତାରା

ଭୁବନେଶ୍ବର: ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରସଂଗକୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ଘଟିଯାଇଛି। ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ମଧ୍ୟରେ ଧକ୍କା ମରାମରି ସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଗୃହରେ ବଡ ଉତ୍ତେଜନ ସୃଷ୍ଟି ହୋଇଛି। ଜୟନାରାୟଣ ମିଶ୍ର ଓଡିଶାକୁ କଣ ଭାଗଭାଗ କରିବେ କି ବୋଲି ବିଜେଡି ସଦସ୍ୟ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଗୃହରେ ହାଙ୍ଗାମା ସୃଷ୍ଟି ହୋଇଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟଗଣ ରାଜ୍ୟରେ ନାରୀ ନିର୍ଯ୍ୟାତନ ବୃଦ୍ଧିକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ହାତରେ ପ୍ଲାକାର୍ଡ ଧରି ସେମାନେ ଗୃହ ମଧ୍ୟକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। କଂଗ୍ରେସ ବିଧାୟକ ତାରାବାହିନୀ ପତି ବାରମ୍ବାର ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ଗୃହରେ ହାଙ୍ଗାମା କରିଥିଲେ।

ସେହିପରି ବିଜେଡି ସଦସ୍ୟଗଣ ଜୟନାରାୟଣ ମିଶ୍ରଙ୍କ କୋଶଳ ବିବୃତିକୁ ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖନ୍ତୁ ବୋଲି ଦାବୀ କରିଥିଲେ। ଗୃହ ମଧ୍ୟଭାଗକୁ ଆସି ସେମାନେ ମଧ୍ୟ ହାଙ୍ଗାମା କରିଥିଲେ। ଏହାପରେ ମଧ୍ୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ବାଚସ୍ପତି ଜାରୀ ରଖିଥିଲେ। ଏହି ସମୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖୁଥିଲେ। ହେଲେ ତାଙ୍କୁ ବିରୋଧୀ ସଦସ୍ୟ କହିବାକୁ ଦେଇ ନ ଥିଲେ।

ତାଙ୍କ ପାଖରେ ବସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସଦସ୍ୟଙ୍କୁ ଆଗରୁ ଉଠିଯିବାକୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହା ଭିତରେ ଉଭୟ ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମନ୍ତ୍ରୀ ମୁକେଶ କିଛି ବିଜେପି ବିଧାୟକଙ୍କ ସାହାଯ୍ୟ କରିବା ପାଇଁ ହାତରେ ଇସାରା ଦେଇଥିଲେ। ଫଳରେ ବାବୁ ସିଂ ପରି କେତେକ ବିଧାୟକ ବିରୋଧୀ ସଦସ୍ୟଙ୍କ ଆଗକୁ ଆସି ପ୍ରତିରୋଧ କରିଥିଲେ।

ଏହା ଭିତରେ ଜୟନାରାୟଣ ମିଶ୍ର ତାରା ବାହିନୀ ପତିଙ୍କୁ ଧକ୍କା ମାରିଥିବାରୁ ଅଭିଯୋଗ ହୋଇଛି। ଯାହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ହେଲେ ପରେ ବାଚସ୍ପତି ତାରା ବାହିନୀପତିଙ୍କୁ ସାତଦିନ ପାଇଁ ଗୃହରୁ ନିଲମ୍ବିତ କରିଥିଲେ। ତେବେ ତାଙ୍କ ଗତକାଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ ଅଭିଯୋଗରେ ଏହି ନିଲମ୍ବନ କରାଯାଇଥିଲା। ଯାହାକୁ ନେଇ ଗୃହ କାର୍ଯ୍ୟ ଶେଷ ହେବା ପରେ ମଧ୍ୟ ତାରାବାହିନୀ ପତି ଗୃହ ଭିତରେ ପ୍ରତିବାଦ କରିଥିଲେ।

ବିଧାନସଭାରେ ଏପରି ଅବସ୍ଥା ଦେଖି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଆରମ୍ଭ ହେବା ମାତ୍ରେ ଗୃହରେ ହାଙ୍ଗାମା, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଗଲେ ବିରୋଧୀ

ଭୁବନେଶ୍ବର: ଆଜି ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ବିରୋଧୀ କଂଗ୍ରେସ ଓ ବିଜେଡି ଗୃହ ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ସଦସ୍ୟମାନେ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ଗୃହ ମଧ୍ୟ ଭାଗରେ ହାଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦୁଇଥର ମୁଲତବି ରଖିଛନ୍ତି।

ଆଜି ଗୃହରେ ବିରୋଧୀ ବିଜେଡି ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନ ପ୍ରସଂଗରେ ସରକାରୀ ଦଳକୁ ଘେରିଥିଲେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ ପଞ୍ଚାୟତିରାଜ ଦିବସ ଘୁଞ୍ଚାଇବା ପ୍ରଭୃତି ପ୍ରସଂଗ ଗୃହରେ ଉତଥାପନ କରି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ପ୍ରଥମେ ଦିନ 12 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହାପରେ ବିଜେଡି ସଦସ୍ୟଗଣ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣରେ ବସିଥିଲେ।

ସେହିପରି କଂଗ୍ରେସ ସଦସ୍ୟଗଣ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ ହାଙ୍ଗାମା କରିଥିଲେ। ସଦସ୍ୟଗଣ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ବାଚସ୍ପତି ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ 12 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହାପରେ ଦିନ 12 ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପରିସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ପୂର୍ବ ପରି ସଦସ୍ୟଗଣ ସେହି ସମାନ ପ୍ରସଂଗରେ ଗୃହ ମଧ୍ୟ ଭାଗକୁ ଆସି ବିକ୍ଷୋଭ କରିଥିଲେ। ପୁଣି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ଫଳରେ ବାଚସ୍ପତି ପୁଣି ଥରେ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସେ ଅଷ୍ଟ୍ରେଲିଆ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲିପିକାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଥିଲେ।

ସଫଳତାର ସହ ଅଷ୍ଟ୍ରେଲିଆର ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ତୁମେ ନିଜ ପାଇଁ ଓ ସାରା ରାଜ୍ୟ ପାଇଁ ନିଶ୍ଚୟ ସୁନାମ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଥିଲେ। ଆଗାମୀ ଦିନରେ ବିଶ୍ଵର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ତୁମେ ସଫଳତାର ଶୀର୍ଷକୁ ଯାଅ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶିର୍ବାଦ କରି କହିଥଲେ।

ସୂଚନା ଯୋଗ୍ୟ ଯେ, ଲିପିକା ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଡାଲବ୍ ଗାଁ’ର ବାସିନ୍ଦା। ସେ ଭାରତ ବର୍ଷର ଅନେକ ଛୋଟ ବଡ ପର୍ବତ ସମେତ ଆଫ୍ରିକାର ମାଉଣ୍ଟ କିଲିମାଁନଜାରୋ ଏବଂ ଇଉରୋପ ଓ ରୁଷିଆର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍ ସଫଳତାର ସହ ଆରୋହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ଚାଲିଲା ହୋ ହାଲ୍ଲା, ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟ ହୋ ହାଲ୍ଲା କରିଛନ୍ତି। ଫଳରେ ବାଚସ୍ପତି ପ୍ରଥମେ ଏକ ଘଣ୍ଟା ପାଇଁ ଏବଂ ପରେ ପୁରା ଅପରାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଫଳରେ ଗୃହରେ ଅଚଳ ଅବସ୍ଥା ସୃଷ୍ଟି ହୋଇଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ କଲେଜ ନିର୍ବାଚନ ନେଇ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲା। କାହିଁକି ରାଜ୍ୟ ସରକାର କଲେଜ ନିର୍ବାଚନ କରିଲେ ନାହିଁ ସେ ନେଇ ହାଙ୍ଗାମା କରିଥିଲେ। ସେହିପରି ବିରୋଧୀ ବିଜେଡି ମଧ୍ୟ ରାଜ୍ୟପାଳ ପୁଅଙ୍କ ମାଡ ପ୍ରସଂଗ ନେଇ ହଟ୍ଟଗୋଳ କରିଥିଲା। ଫଳରେ ଆଜି ଗୃହରେ ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି।

ଆଜିଠାରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଯାହା ସେପ୍ଟମ୍ବର 13 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଜୁଲାଇ 22 ରୁ ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହି ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ ଉପସ୍ଥାପନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବ ନିର୍ବାଚିତ ସଦସ୍ୟମାନଙ୍କ ନିମନ୍ତେ “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ” ଗଣତନ୍ତ୍ର ପାଇଁ ଶୁଭଙ୍କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଗତକାଲି ଠାରୁ ୨ ଦିନ ଧରି ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ”, ଗଣତନ୍ତ୍ର ପାଇଁ ଶୁଭଙ୍କର। ୨୪ ବର୍ଷ ତଳେ ମୁଁ ଯେତେବେଳେ ବିଧାନସଭାକୁ ନିର୍ବାଚିତ ହୋଇ ପ୍ରଥମଥର ପାଇଁ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଂସଦୀୟ ପରମ୍ପରାର ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲି। ତେଣୁ ଆଜିର ଶିକ୍ଷଣୀୟ କାର୍ଯ୍ୟକ୍ରମ ମୋତେ ବହୁତ ଆନନ୍ଦିତ କରିଛି।”

ଏହି କାର୍ଯ୍ୟକ୍ରମର ଆଲୋଚନା ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜ୍ଜୁ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡ଼ିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ସୁରମା ପାଢୀ

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାକୁ ନୂଆ ବାଚସ୍ପତି ମିଳିଛନ୍ତି। ବରିଷ୍ଠ ବିଜେପି ବିଧାୟିକା ସୁରମା ପାଢ଼ୀ ଆଜି ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ରଣପୁର ବିଧାୟିକା ସୁରମା ଆଜି ଓଡିଶା ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତିକ୍ରମେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ବାଚସ୍ପତି ଭାବେ ସୁରମ ନିର୍ବାଚିତ ହେବା ପରେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭାର ବାଚସ୍ପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସୁରୁମା ପାଢୀ

ଭୁବନେଶ୍ଵର: ରାଜ୍ୟରେ ନୂତନ ସରକାର ଗଠନ ପରେ ଗତକାଲି ଓଡିଶା ବିଧାନସଭାରେ ବିଧାୟକମାନେ ଶପଥ ଗ୍ରହଣ କରିଥିଲେ। କାମ ଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମସ୍ତ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ।

ତେବେ ଆଜି ବିଜେପି ବିଧାୟକ ଦଳର ବୈଠକରେ ବିଧାୟିକା ସୁରୁମା ପାଢିଙ୍କୁ ଓଡିଶା ବିଧାନସଭାର ବାଚସ୍ପତି ଭାବେ ମନୋନୀତ କରାଯାଇଛି। ଏହାପରେ ରଣପୁର ବିଧାୟିକା ବାଚସ୍ପତି ପଦବୀ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାର ବାଚସ୍ପତି ହେବେ ରଣପୁର ବିଧାୟିକା ସୁରମା ପାଢ଼ୀ

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଆଜି ୧୬ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ନୂଆ ସରକାରରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି।

ମୋହନ୍‌ ସରକାରରେ ୮ ଜଣ କ୍ୟାବିନେଟ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ ପରେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଘୋଷଣା କରାଯାଇଛି। ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବାଚସ୍ପତି ଭାବେ ମନୋନୀତ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଧାନସଭା ଆସନରେ ପୁଣି ବିଜେପି ଆଗରେ ରହିଛି, ପଛରେ ପଡିଛି ବିଜେଡି

ଭୁବନେଶ୍ବର: ଓଡିଶା ବିଧାନସଭାରେ ବର୍ତ୍ତମାନ ଗଣନା ଅନୁସାରେ ବିଜେପି ଆଗରେ ରହିଛି। ପଛରେ ପଡିଯାଇଛି ବିଜେଡି। ସେହିପରି କଂଗ୍ରେସର ପ୍ରଦର୍ଶନ ଭଲ ନାହିଁ। ବର୍ତ୍ତମାନ ଗଣନା ଅନୁସାରେ ବିଭିନ୍ନ ଦଳର ଆଗୁଆ ସ୍ଥିତି ରହିଛି ତାହା ହେଲା

ବିଜେପି- 60

ବିଜେଡି- 45

କଂଗ୍ରେସ- 10

ସିପିଆଇଏମ- 01

ଜେଏମଏମ- 01

ସ୍ବାଧୀନ- 01

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ବୁଲି ଦେଖିଲେ କଲିକତାର ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଲିକତାର ଲର୍ଡ ସିହ୍ନା ରୋଡସ୍ଥିତ ଶ୍ରୀ ଶିକ୍ଷାୟତନ ସ୍କୁଲର ଦ୍ୱାଦଶ ଶ୍ରେଣୀ (ରାଜନୀତି ବିଜ୍ଞାନ) ଛାତ୍ରଛାତ୍ରୀମାନେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ଦେଖିଛନ୍ତି। ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ।

ଛାତ୍ରଛାତ୍ରୀମାନଙ୍କ ଓଡ଼ିଶା ବିଧାନସଭା ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଓ ଏ ସମ୍ବନ୍ଧୀୟ ବିଶଦ ତଥ୍ୟ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବିଧାନସଭା ଗୃହ ଓ ପରିସରରେ ଥିବା ଓଡ଼ିଶାର ବରପୁତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିମାନ ଛାତ୍ରଛାତ୍ରୀମାନଙ୍କୁ ଅଭିଭୂତ କରିଥିଲା।

ସୂଚନାଯୋଗ୍ୟ ଯେ କଲିକତାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସେପେଫମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅବସ୍ଥାନ କରି ପିପିଲି, କୋଣାର୍କ, ଖଣ୍ଡଗିରି, ଉଦୟଗିରି ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି। ଓଡ଼ିଶା ବିଧାନସଭା ବୁଲି ଦେଖିବା ସେମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀଙ୍କୁ ଜଣାଇଥିଲେ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶ୍ରୀ ଶିକ୍ଷାୟତନ ସ୍କୁଲର ଛାତ୍ରଛାତ୍ରୀ, ସେମାନଙ୍କର ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଫଟୋ ଉଠାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ମାସ ୨୨ ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ, ୨୧ ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ଵର: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ଏକ ବଡ ଖବର ଆସିଛି। ରାଜ୍ୟରେ ମୌସୁମୀ ଅଧିବେଶନ କେବେ ହେବ, ତାକୁ ନେଇ ବଡ ଖବର ହସ୍ତଗତ ହୋଇଛି। ଆସନ୍ତା ମାସ ୨୨ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି। ହେଲେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ଆମେନିଟିଜ୍‌ କମିଟି ସଦସ୍ୟଙ୍କ ନେଭା ଆପ୍ଲିକେସନ୍‌ର ପ୍ରୟୋଗ ସଂପର୍କିତ ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଆମେନିଟିଜ୍‌ କମିଟିର ସଦସ୍ୟ ଥିବା ବିଧାୟକମାନେ ନେଭା ଆପ୍ଲିକେସନ୍‌ର ପ୍ରୟୋଗ ସଂପର୍କିତ ଆବଶ୍ୟକୀୟ ପ୍ରଶିକ୍ଷଣ ନେଇଛନ୍ତି। ପ୍ରକାଶଯୋଗ୍ୟ ଯେ ଭାରତ ସରକାରଙ୍କ ଏହା ହେଉଛି ଏକ ମିଶନ ମୋଡ୍‌ ପ୍ରକଳ୍ପ। ଖୁବ୍‌ ଶୀଘ୍ର ଏହା ମାଧ୍ୟମରେ ଦେଶରେ ସଂସଦ ସମେତ ସମସ୍ତ ବିଧାନସଭାକୁ ପେପରଲେସ୍‌ ପ୍ରକ୍ରିୟାରେ ପରିଚାଳନା କରାଯିବ।

ଆଜି ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ନେଭା କାର୍ଯ୍ୟକ୍ରମ କିଭଳି ଭାବେ ଓଡ଼ିଶା ବିଧାନସଭାରେ ସଫଳ ଭାବେ କାର୍ଯ୍ୟକାରୀ ହେବ ସେ ସଂପର୍କିତ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବିଶଦ ଆଲୋଚନା ହୋଇଥିଲା। ପ୍ରଶିକ୍ଷଣ ଗ୍ରହଣ କରୁଥିବା ବିଧାୟକମାନଙ୍କୁ ଶ୍ରୀ ସିଂହ କହିଥିଲେ ଯେ ଏହି ଆପ୍ଲିକେସନ୍‌ର ସଫଳ ପ୍ରୟୋଗରେ ସାଧାରଣ ଜନତାଙ୍କ ପାଖରେ ସରକାରଙ୍କ ଆଭିମୁଖ୍ୟ ପହଞ୍ଚିପାରିବ ଏବଂ ଏହି ଆପ୍ଲିକେସନ୍‌ ଆପଣମାନଙ୍କ କାର୍ଯ୍ୟପ୍ରଣାଳୀକୁ ଆହୁରି ସରଳ କରିବ।

ବିଧାନସଭା ପକ୍ଷରୁ ନେଭାର ସଫଳ କାର୍ଯ୍ୟକାରିତା ପାଇଁ ତିନୋଟି କମିଟି ଗଠନ କରାଯାଇଛି। ଅଳ୍ପଦିନ ମଧ୍ୟରେ ଯେଭଳି ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକ ନେଭା ଆପ୍‌ ସହ ଅଭ୍ୟସ୍ତ ହୋଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ନେଭା କର୍ମକର୍ତ୍ତା ଏବଂ ବିଧାନସଭା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍‌ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଧାନସଭା ଆମେନିଟିଜ୍‌ କମିଟିର ସଦସ୍ୟବୃନ୍ଦ, ବିଧାନସଭା ସଚିବ ଦାଶରଥି ଶତପଥୀ, ଏନ୍‌ଆଇସି, ଭୁବନେଶ୍ୱରର ରାଜ୍ୟ ସୂଚନା ଅଧିକାରୀ ଅଶୋକ କୁମାର ହୋତାଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାରେ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ: ନେଭା ସେବାକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନେଭା (ନ୍ୟାସନାଲ୍‌ ଇ-ବିଧାନ) ଜରିଆରେ ପେପରଲେସ୍‌ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ ଏବଂ ଡିଜିଟାଲ ମାଧ୍ୟମରେ କରାଯିବ। ଏଥି ପାଇଁ ପର୍ଯ୍ୟାୟ କ୍ରମେ ଓଡ଼ିଶା ବିଧାନସଭାର ସମସ୍ତ ପଦାଧିକାରୀ ଏବଂ ମାନ୍ୟବର ସଦସ୍ୟମାନଙ୍କୁ ଏନ୍‌ଆଇସି ଏବଂ ଓକାକ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ପରିସରରେ ନେଭା ସେବା କେନ୍ଦ୍ର ଉଦ୍‌ଘାଟିତ ହେବା ସହ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟରତ ସମସ୍ତ ସହକାରୀ ଉପବିଭାଗ ଅଧିକାରୀ ଏ ସମ୍ବନ୍ଧରେ ତାଲିମ ଗ୍ରହଣ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ କହିଲେ ଯେ ନେଭାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭା ଦେଶରେ ଅଗ୍ରଣୀ। ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଓସ୍ୱାସ୍‌ରେ କାର୍ଯ୍ୟ କରିବାରେ ଅଭ୍ୟସ୍ତ ଥିବାରୁ ଧାର୍ଯ୍ୟ ଜୁଲାଇ ମାସ ମଧ୍ୟରେ ତାଲିମ ସମାପ୍ତ କରି ନେଭା ଆପ୍ଲିକେସନ୍‌ ପ୍ରୟୋଗରେ ସଫଳ ହେବେ ବୋଲି ଶ୍ରୀ ସିଂହ ଆଶାପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଧାନସଭା ପ୍ରଶ୍ନଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ ଇ-ବିଧାନ ମାଧ୍ୟମରେ ସଂପନ୍ନ କରିବା ପାଇଁ ବିଧାନସଭାର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ପ୍ରକାଶଯୋଗ୍ୟ ଯେ ୨୦୧୮ ମସିହାରେ ଦେଶରେ ‘ୱାନ୍‌ ନେସନ୍‌, ୱାନ୍‌ ଆପ୍ଲିକେସନ୍‌’ ପଦ୍ଧତି ଆରମ୍ଭ କରିବା ପାଇଁ ନ୍ୟାସନାଲ୍‌ ଇ-ବିଧାନ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା। ସମଗ୍ର ଦେଶରେ ବିଧାନସଭାର କାର୍ଯ୍ୟାବଳୀକୁ ଡିଜିଟାଲ୍‌ ପ୍ରଣାଳୀରେ ସଂପନ୍ନ କରିବା ଇ-ବିଧାନର ଉଦ୍ଦେଶ୍ୟ। ଏହି ଆପ୍ଲିକେସନ୍‌ ଦ୍ୱାରା ବିଧାନସଭା କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ ତଥ୍ୟ ଗୋଟିଏ ମଞ୍ଚରେ ଉପଲବ୍ଧ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଇସ୍ତଫା ଦେଲେ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଉପ-ବାଚସ୍ପତିଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବ୍ୟକ୍ତିଗତ କାରଣରୁ ସେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଆଗକୁ ଦଳ ଯେଉଁ ଦାୟିତ୍ଵ ଦେବ, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି।

ତେବେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ବିକ୍ରମ କେଶରୀଙ୍କୁ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ: ନବ ଦାସଙ୍କ ଝିଅ ଦୀପାଳି

ଭୁବନେଶ୍ବର: ଆଜିଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ବିରୋଧୀ କକ୍ଷରେ ହଟ୍ଟଗୋଳ କରିଛି। ଯାହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

ତେବେ ଏହାପରେ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଗଣମାଧ୍ୟମରେ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାନଯାଉ ବୋଲି ସମସ୍ତ ରାଜନୈତିକ ଦଳକୁ ନିବେଦ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, “ତାଙ୍କର ମୁଖ୍ୟମନ୍ତ୍ରୀ ଓ କ୍ରାଇମବ୍ରାଞ୍ଚ ଉପରେ ସଂପୂର୍ଣ୍ଣ ବିଶ୍ଵାସ ଅଛି। ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ପ୍ରଥମ ଦିନରୁ ହୋହାଲ୍ଲା, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜିଠୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିଛନ୍ତି। କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କକ୍ଷରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ହଟ୍ଟଗୋଳ କରିଥିବା ବେଳେ ବିଜେପି ଦଳ କକ୍ଷ ତ୍ୟାଗ କରିଥିଲେ। କିଛି ସମୟ ପରେ କଂଗ୍ରେସ ମଧ୍ୟ କକ୍ଷ ତ୍ୟାଗ କରିଥିଲା।

ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ପରେ ଉଭୟ ବିରୋଧୀ ଦଳ ଶୋକ ପ୍ରସ୍ତାବ ପାଇଁ କକ୍ଷକୁ ଆସିଥିଲେ। ଶୋକ ପ୍ରସ୍ତାବ ପରେ ପୁଣି ଥରେ ବିରୋଧୀ ଦଳ କକ୍ଷରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଯାହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ତେବେ ଆସନ୍ତାକାଲି ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ହଟ୍ଟଗୋଳ ହେବ ବୋଲି ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୨୧ ରୁ ଆରମ୍ଭ ହେବ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ ଅଧିବେଶନକୁ ନେଇ ବଡ ଖବର ମିଳିଛି। ଗତକାଲି କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଥିବା ବେଳେ ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡିଛି। ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ବିଧାନସଭା ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ବସିଲା ପ୍ରଥମ ବୈଠକ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦେଶର ଉପାନ୍ତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରପ୍ରସାର ନିମନ୍ତେ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇ ଏହି ବୈଠକରେ ଆଲୋଚନା ହୋଇଯାଇଛି।

କମିଟିର ସଦସ୍ୟମାନେ ବୈଠକରେ ପଡ଼ୋଶୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଭାଷା-ସଂସ୍କୃତିର ସୁରକ୍ଷା ଦିଗରେ ରହିଥିବା ସମସ୍ୟାଗୁଡ଼ିକ ବାବଦରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ପ୍ରତିକାର ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ କମିଟିରେ ଉପସ୍ଥାପନ କରିଥିଲେ ।

ପଡୋଶୀ ରାଜ୍ୟମାନଙ୍କରେ ଆମ ଶିକ୍ଷା-ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକ ସାମ୍‌ନା କରୁଥିବା ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବା ସହ ସଂପୃକ୍ତ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରୋତ୍ସାହନକୁ ଗୁରୁତ୍ୱ ଦେଇ ଯନିର ସହିତ କାର୍ଯ୍ୟକରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସଂସ୍କୃତି ବିଭାଗକୁ ବାଚସ୍ପତି ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଏସବୁ ପଡ଼ୋଶୀ ରାଜ୍ୟମାନଙ୍କୁ ଗସ୍ତ କରି ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା ଅନୁଧ୍ୟାନ କରି ଏହାର ପ୍ରତିକାର ପାଇଁ ମୁଖ୍ୟ କମିଟିକୁ ସୁପାରିଶ କରିବା ନିମନ୍ତେ ସବ୍‌କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା । ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ସେସବୁ ସ୍ଥାନକୁ ପଠାଇ ସ୍ଥିତି ଅନୁଧ୍ୟାନ ସହ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ବାଚସ୍ପତି
କହିଥିଲେ ।

ଆଜିର ଏହି ବୈଠକରେ ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ମାନ୍ୟବର ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମାନ୍ୟବର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ସମେତ ବରିଷ୍ଠ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ବଦ୍ରୀନାରାୟଣ ପାତ୍ର ଯୋଗ ଦେଇଥିଲେ।

ସେହିପରି ଶ୍ରୀ ଭାସ୍କର ମଢ଼େଇ, ଶ୍ରୀ ସାଲୁଗା ପ୍ରଧାନ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀମତୀ ଲତିକା ପ୍ରଧାନ ଓ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ରାଜ୍ୟ ବିଦ୍ୟାଳୟ ଓ ଗଣଣିକ୍ଷା ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍‌., ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ପାଇଁ ମିଜୋରାମ ବିଧାନସଭାରେ କରାଗଲା ସ୍ବତନ୍ତ୍ର ଅଧିବେସନ, ହେଲେ ଓଡିଶା ଚୁପ୍

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ସେ ଶ୍ରୀମନ୍ଦିର ଦର୍ଶନରେ ଆସୁଛନ୍ତି। ହେଲେ ସମ୍ବିଧାନର ମୁଖ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଓଡିଶା ବିଧାନସଭା ପୁରା ଚୁପ। କାରଣ ତାଙ୍କର ଗସ୍ତ ସୂଚିରେ ରାଷ୍ଟ୍ରପତିଙ୍କୁ ଗୃହ ଭିତରେ ସ୍ବାଗତ କରିବାର କୌଣସି କାର୍ଯ୍ୟକ୍ରମ ନାହିଁ।

ହେଲେ ମିଜୋରାମ ପରି ରାଜ୍ୟ ବିଧାନସଭାରେ କରାଯାଇଥିଲା ଏକ ସ୍ବତନ୍ତ୍ର ଅଧିବେସନ। ଗତ ତିନି ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିିନଆ ମିଜୋରାମ ଗସ୍ତରେ ଯାଇଥିଲେ ଦ୍ବିତୀୟ ଦିନରେ ତାଙ୍କୁ ମିଜୋରାମ ବିଧାନସଭା ତରଫରୁ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ମିଜୋରାମ ଗସ୍ତରେ ଆସୁଥିବାରୁ ରାଜ୍ୟ ବିଧାନସଭା ତରଫରୁ ଏକ ସ୍ବତନ୍ତ୍ର ଅଧିବେସନ ଡକାଯାଇଥିଲା। ଯାହା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଏହି ଅଧିବେସନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏହା ଥିଲା ପ୍ରଥମ ବିଧାନସଭା ଗୃହ ଭିତରେ ସମ୍ମାନ ପ୍ରଦାନ କରିବା।

ସେଠାରେ ରାଷ୍ଟ୍ରପତିଙ୍କୁ ପ୍ରଥମେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ରାଜ୍ୟପାଳ, ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଧାନସଭା ପରିସରକୁ ପାଛୋଟି ନେଇଥିଲେ। ଗୃହରେ ବାଚସ୍ପତିଙ୍କ ଆସନରେ ରାଷ୍ଟ୍ରପତି ବସିଥିବା ବେଳେ ତାଙ୍କ ଦୁଇ ପାର୍ଶରେ ରାଜ୍ୟପାଳ ଏବଂ ବାଚସ୍ପତି ବସିଥିଲେ।

ମିଜୋରାମ ବିଧାନସଭାର ବାଚସ୍ପତି ର୍ଲାରିନିଲା ସାଓଲୋ ରାଷ୍ଟ୍ରପତିଙ୍କ ପାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେହିପରି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସହିତ ଅନ୍ୟ ବିଧାୟକମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ପରିଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଥିଲେ। ଯାହା ସେହି ବିଧାନ ସଭା ବିବରଣୀରେ ଲିପିବଦ୍ଧ ହୋଇ ରହିଲା।

ହେଲେ ଦୁଃଖର କଥା ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଅଧିବେସନ କରିବା ପାଇଁ ଓଡିଶା ବିଧାନସଭାର କୌଣସି ଆଗ୍ରହ ପ୍ରକାଶ କରାଯାଇ ନାହିଁ। ଅନ୍ୟ କେଉଁ ରାଜ୍ୟରେ ହେଉ କି ନାହିଁ ଭିନ୍ନ କଥା ହେଲେ ଓଡିଶା ଝିଅ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କ ପାଇଁ ଓଡିଶା ବିଧାନସଭା ଏକ ସ୍ବତନ୍ତ୍ର ଅଧିବେସ ଡାକି ଅଭିନନ୍ଦନ କରିବାର ଆବଶ୍ୟକତା ଥିଲେ ମଧ୍ୟ ତାହା କେହି ଅନୁଭବ କଲେ ନାହିଁ।

ଅବଶ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବିଧାୟକ ଦଳ ନୂଆଦିଲ୍ଲୀ ଯାଇଥିଲେ। ହେଲେ ତାହା ଗୃହର ବିବରଣୀରେ ସ୍ଥାନିତ ହେବ ନାହିଁ। ଓଡିଶା ଝିଅ ରାଷ୍ଟ୍ରପତି ହେବା ଘଟଣାକୁ ଗୃହ ବିବରଣୀରେ ସ୍ଥାନିତ କରିବା ପାଇଁ ଏକ ସ୍ବତନ୍ତ୍ର ଅଧିବେଶନର ଆବଶ୍ୟକତା ଥିଲେ ମଧ୍ୟ ସମସ୍ତେ ଚୁପ୍।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୪ ତାରିଖରୁ ଓଡିଶା ବିଧାନସଭା, ଆସିବ ଅତିରିକ୍ତ ବଜେଟ

ଭୁବନେଶ୍ୱର,  ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏ ନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ସେହିପରି ବ୍ୟୟମଞ୍ଜୁରୀ ବିଲ୍ ଡିସେମ୍ବର ୨ତାରିଖରେ ଉପସ୍ଥାପିିତ ହେବ ।  ଏହି ୩୩ଦିନିଆ କାର୍ଯ୍ୟଦିବସରେ ନଭେମ୍ବର ୨୫, ଡିସେମ୍ବର ୯, ୧୬, ୨୩ ,୨୮ ଓ ୩୦ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବଡ଼ ଭାଇ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା। ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି। ଜଣେ ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ଭାବେ ବିଷ୍ଣୁ ଭାଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ବିଧାନସଭାରେ ଶାଣିତ ସ୍ୱରରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବାରେ ତାଙ୍କର ଶୈଳି ଥିଲା ନିଆରା। ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ। ଦକ୍ଷ ସଂଗଠକ ଭାବରେ ଆମ ଦଳର ସଂଗଠନକୁ ମଜଭୂତ୍ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣ୍ୟ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଏହି କଠିନ ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।