Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେଲେ ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବ ଡିଭିଜନରେ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏସଡିପିଓ ଭାବେ ଶ୍ରୀ ମିଶ୍ର କାର୍ଯ୍ୟରତ ଥିଲେ। ଭଞ୍ଜନଗର ପୋଲିସ ସବ ଡିଭିଜନରେ ତିନି ବର୍ଷରୁ ଊର୍ଦ୍ଧ୍ଵ ସମୟ କାର୍ଯ୍ୟକାଳରେ ଶ୍ରୀ ମିଶ୍ର ଅନେକ ଜନହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଥିଲେ। ତତସହିତ ଭଞ୍ଜନଗର ପୋଲିସ ଉପଖଣ୍ଡରେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଆଜି କାର୍ଯ୍ୟରେ ଯୋଗଦେବା ପରେ ବହୁ ପୋଲିସ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

ତେବେ ବାଲୁଗାଁ ପୋଲିସ ଉପଖଣ୍ଡରେ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା, ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବାଣପୁର ଓ ବାଲୁଗାଁ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ନୂତନ ଏସଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି ବାଲୁଗାଁ ପୂର୍ବତନ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତାଳଚେର ଏସଡିପିଓ ଭାବେ ନିକଟରେ ବଦଳି ହେବା ପରେ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ନୂତନ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଲେ ଓପିଏସ ଅଧିକାରୀ ଦିଲ୍ଲୀପ କୁମାର ଦାସ

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସ ଉପଖଣ୍ଡର ନୂତନ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓପିଏସ ଅଧିକାରୀ ଦିଲ୍ଲୀପ କୁମାର ଦାସ। ଶ୍ରୀ ଦାସ ଏହା ପୁର୍ବରୁ କମିଶନେରେଟ ପୋଲିସ ଅଧୀନରେ କଟକ ଟ୍ରାଫିକ ଏସିପି ଭାବେ କାର୍ଯ୍ୟରତ ଥିଲେ। ୨୦୧୫ ବ୍ୟାଚର ଉକ୍ତ ଓପିଏସ ଅଧିକାରୀ ଅପରାଧୀଙ୍କୁ ସାବଡ଼ କରିବାରେ ବେସ ସିଦ୍ଧହସ୍ତ। ପୁର୍ବରୁ ବ୍ରଜରାଜନଗର ଏସଡିପିଓ ଭାବେ କାର୍ଯ୍ୟରତ ଥିବା ବେଳେ ମଧ୍ୟ ବେସ ପ୍ରଶଂସା ସାଉଁଟିଛନ୍ତି ଏହି ଅଧିକାରୀ।

ତେବେ ଖୋର୍ଦ୍ଧା ପୋଲିସ ଉପଖଣ୍ଡରେ ବ୍ରାଉନ ସୁଗାର କାରବାର ହୁ ହୁ ହୋଇ ବଢୁଥିବା ବେଳେ ତାହାକୁ କିପରି ରୋକାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଏସଡିପିଓ ଶ୍ରୀ ଦାସ। ଅନୁରୂପ ଭାବେ ଉପଖଣ୍ଡରେ ଖଣି ଲୁଟ, ଡକାୟତି, ଜାତୀୟ ରାଜପଥରେ ରାହାଜାନି ଏବଂ ବିଶେଷ କରି ସାଇବର ଅପରାଧର ମୁଳୋତ୍ପାଟନ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି ନିକଟରେ ଓପିଏସ ଦିଲ୍ଲୀପ କୁମାର ଦାସଙ୍କ କମିଶନେରେଟ ପୋଲିସ କଟକରୁ ଖୋର୍ଦ୍ଧା ଏସଡିପିଓ ଭାବେ ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କର ଘଟଗାଁ ଏସଡିପିଓ ଭାବେ ବଦଳି ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଅଲେଖ ଚନ୍ଦ୍ର ପହି ହେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ: ଏହି ସବୁ କାର୍ଯ୍ୟ ଉପରେ ରହିବ ପ୍ରାଥମିକତା

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା/ଚିଲିକା: ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ଅଲେଖ ଚନ୍ଦ୍ର ପହି ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପହି ଏହା ପୂର୍ବରୁ କଟକ ଜିଲ୍ଲାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଥିଲେ। ନିକଟରେ ପୂର୍ବତନ ଏସପି ରାଜକିଶୋର ଦୋରା ଅବସର ଗ୍ରହଣ କରିବା ପରେ ଜିଲ୍ଲା ପୋଲିସ ମୁଖିଆ ପଦବୀ ଖାଲି ପଡିଥିଲା।

ତେବେ ପଞ୍ଚାୟତ ନିର୍ବାଚନ ତାରିଖ ନିକଟ ଥିବାରୁ ଜିଲ୍ଲାରେ ଆଇନ ଶୃଙ୍ଖଳାର ସୁପରିଚାଳନା ନିମନ୍ତେ ନିର୍ବାଚନ କମିଶନରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ଶ୍ରୀ ପହିଙ୍କୁ ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଅବସ୍ଥାପିତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଚିଲିକା ପାଇଁ କଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ଜିଲ୍ଲାରେ ନିର୍ବାଚନ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି ଭାରପ୍ରାପ୍ତ ଏସପି ଶ୍ରୀ ପହି କହିଛନ୍ତି।

ତତସହିତ ଜିଲ୍ଲାରେ ବଢୁଥିବା ଅପରାଧିକ ମାମଲା ଯେପରି ଗୋରୁ ଚାଲାଣ, ଖଣି ମାଫିଆ ଏବଂ ବ୍ରାଉନସୁଗାର ବେପାର ଆଦିକୁ ରୋକ ଲଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ପହି କହିଛନ୍ତି।