Categories
ଆଜିର ଖବର ରାଜ୍ୟ ଖବର

୩ ଟି ଓୟୋ ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ ଘୋଷଣା କଲା ବିଏମସି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ଆଜି ରାଜ୍ୟରେ ୧୭୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ବିଭିନ୍ନ ରାଜ୍ୟରୁ କିମ୍ବା ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିଏମସି ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି। ସବୁ ଯାତ୍ରୀଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହୋଇଛି। ଯେଉଁ ଯାତ୍ରୀଙ୍କ ପାଖରେ ଏସବୁ ପ୍ରମାଣପତ୍ର ନଥାଏ, ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ହୋଇଛି।

Image

ସେଥିପାଇଁ ଭୁବନେଶ୍ବରରେ ୩ ଟି ଓୟୋ ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ ଭାବେ ଘୋଷଣା କରାଯାଇଛି। ପଟିଆ, ଘାଟକିଆ ଓ ଗଜପତି ନଗରରେ ତିନୋଟି ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ର ଭାବେ ବିଏମସି ଘୋଷଣା କରିଛି। ପଟିଆର କିମ୍ସ ହସ୍ପିଟାଲ ନିକଟସ୍ଥ ମା’ ଗେଷ୍ଟ ହାଉସ, ଘାଟିକିଆର ମା’ ସମ ପ୍ୟାଲେସ, ଗଜପତି ନଗରର କଳିଙ୍ଗ ହସ୍ପିଟାଲ ନିକଟସ୍ଥ ମା’ ଗେଷ୍ଟ ହାଉସକୁ ଦେୟଯୁକ୍ତ ସଙ୍ଗରୋଧ ଭାବେ ବିଏମସି ଚିହ୍ନଟ କରିଛି। ଏଥିପାଇଁ ମୋଟ ୪୦ ଟି ଗୃହର ବ୍ୟବସ୍ଥା କରାଯାଇଛି। ବିନା ଶୀତତାପ ନିୟନ୍ତ୍ରଣରେ ରହିଲେ ଯାତ୍ରୀଙ୍କୁ ୧୦୯୯ ଟଙ୍କା ଦେୟ ଦେବାକୁ ପଡ଼ିବ ଏବଂ ଶୀତତାପ ନିୟନ୍ତ୍ରଣ ଗୃହରେ ରହିଲେ ୧୪୯୯ ଟଙ୍କା ଦେବା ପାଇଁ ନିର୍ଦ୍ଧାରଣ ହୋଇଛି।