Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, କହିଲେ..

ନୂଆଦିଲ୍ଲୀ: ଶେଷରେ କଂଗ୍ରେସରେ ଯୋଗଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଏବଂ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ବିଜୟଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ଖାଡଗେ ଦଳକୁ ସ୍ବାଗତ କରିଥିଲେ।

ସେ କଂଗ୍ରେସରେ ଯୋଗ ଦେବା ପରେ କହିଛନ୍ତି ଯେ, ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛି। ମୋର ରାଜନୀତିରେ ଏହା ହେଉଛି ପ୍ରଥମ ପାଦ। ଓଡିଶାରେ ବର୍ତ୍ତମାନ କୁ ଶାସନ ଚାଲିଛି। ଲୋକଙ୍କ ପାଖରେ ଶାସନ ପହଞ୍ଚି ପାରୁ ନାହିଁ। ମୁଁ ଲୋକଙ୍କ ପାଇଁ କାମ କରିବି।

ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ବେଶ ସଫଳତା ହାସଲ କରିଛି। ସାରା ଭାରତରେ ଲୋକପ୍ରିୟ ହୋଇପାରିଛି। ମୋର ପ୍ରଶାସନିକ କ୍ଷେତ୍ରରେ ୪୦ ବର୍ଷର ଅଭିଜ୍ଞତା ରହିଛି। ତାହାକୁ ପାଥେୟ କରି ଓଡିଶାର ଲୋକଙ୍କ ସେବା କରିବି। ବର୍ତ୍ତମାନ ପ୍ରଶାସନ ଓଡିଶା ଲୋକଙ୍କଠାରୁ ବେଶ ଦୂରେଇ ଯାଇଛି।

ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ସେଠାରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ସେ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।

ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ଏ ନେଇ ଭୁବନେଶ୍ବରରେ ବିଜୟଙ୍କ ସହିତ ଏକାଧିକବାର ବୈଠକ ହୋଇଥିଲା। ଯାହା ଆଜି ସଫଳ ହୋଇଛି।