Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଟୁଇଟର ପରେ ଇନଷ୍ଟାଗ୍ରାମ ନେଲା କାର୍ଯ୍ୟାନୁଷ୍ଠାନ: କଙ୍ଗନା କହିଲେ ଏଥିରେ ମଧ୍ୟ ଅଛନ୍ତି କରୋନାପ୍ରେମୀ

ନୂଆଦିଲ୍ଲୀ: କିଛି ଦିନ ହେଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଔତ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ କଙ୍ଗନା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ଅଭିନେତ୍ରୀ କଙ୍ଗନାଙ୍କର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଏହାକୁ ନେଇ ଇନଷ୍ଟାଗ୍ରାମ ଉପରେ କଙ୍ଗନା ଏକ ବ୍ୟଙ୍ଗାତ୍ମକ ଷ୍ଟୋରି ସେୟାର କରିଛନ୍ତି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ କଙ୍ଗନାଙ୍କ ଏହି ଷ୍ଟୋରି ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିବା ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହାସହ କରୋନାକୁ ଖୁବଶୀଘ୍ର ହରାଇଦେବେ ବୋଲି ସେ ଏହି ପୋଷ୍ଟରେ ଲେଖିଥିଲେ। ହେଲେ କଙ୍ଗନାଙ୍କର ଏହି ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି।

ଫଳରେ ଏହାକୁ ନେଇ କଙ୍ଗନା ଲେଖିଛନ୍ତି ଯେ, କରୋନା ଉପରେ ଲେଖିଥିବା ମୋର ଏକ ପୋଷ୍ଟକୁ ଇନଷ୍ଟାଗ୍ରାମ ହଟାଇଦେଇଛି। ଯେଉଁଥିରେ ମୁଁ କରୋନାକୁ ହରାଇଦେବି ବୋଲି କହିଥିଲି। କାରଣ ଏଥିରେ ବହୁତ ଲୋକଙ୍କୁ ଆଘାତ ଲାଗିଛି। ଏହାସହିତ ସେ ଆହୁରି ଲେଖିଛନ୍ତି ଯେ, ଟ୍ବିଟର ଆତଙ୍କବାଦୀ ଏବଂ କମ୍ୟୁନିଷ୍ଟଙ୍କ ଉପରେ ସହାନୁଭୁତି ଦେଖାଉଛି। ହେଲେ ଏଥିରେ ତ କରୋନାପ୍ରେମୀ କ୍ଲବ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ଇନଷ୍ଟାଗ୍ରାମ ପୂର୍ବରୁ ଟ୍ବିଟର ମଧ୍ୟ କଙ୍ଗନାଙ୍କ ଆକାଉଣ୍ଟକୁ ରଦ୍ଦ କରିଦେଇଥିଲା। ସେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କିଛି ବିବାଦୀୟ ପୋଷ୍ଟ କରିଥିବା ନେଇ ଅଭିଯୋଗ ହୋଇଥିଲା।