Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସୁସ୍ଥତା ହାରରେ ଭାରତର ଆଉ ଏକ ରେକର୍ଡ, ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୨,୨୮୨ ରୋଗୀ

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୮୨ ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି। ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ଦୃଷ୍ଟିରୁ ମୋଟ ଆରୋଗ୍ୟ ସଂଖ୍ୟା ୨୧.୫ ଲକ୍ଷ ଅର୍ଥାତ ୨୧,୫୮,୯୪୬କୁ ଅତିକ୍ରମ କରିଛି। ଆଜି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୬୬,୯୧୮ ହୋଇଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ତଥା ଏହି ଧାରା ଅବ୍ୟାହତ ରହିବା ଫଳରେ ସକ୍ରିୟ ରୋଗୀଙ୍କ ହାରାହାରି ସଂଖ୍ୟା ମଧ୍ୟ ହ୍ରାସ ପାଇଛି।

ଦେଶରେ ସୁସ୍ଥତା ହାର ଶତକଡା ୭୪ରୁ ବୃଦ୍ଧି ପାଇ ଆଜି ୭୪.୨୮ ପ୍ରତିଶତରେ ପହଞ୍ଚିଛି, ଯାହା ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ସୁନିଶ୍ଚିତ କରିଛି। ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଶତକଡା ୫୦ରୁ ଅଧିକ ହୋଇଛି। ବର୍ତ୍ତମାନ ୬,୯୨,୦୨୮ ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ଏହା ଦେଶର ସମୁଦାୟ ସଂକ୍ରମିତ ରୋଗୀ ସଂଖ୍ୟାର ଶତକଡା ୨୩.୮୨ ବୋଲି ଜଣାପଡିଛି। ସମସ୍ତ ସକ୍ରିୟ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସକ୍ରିୟ ଉପଚାର, ଉତ୍କୃଷ୍ଟ ଆମ୍ବୁଲାନ୍ସ ସେବା ଓ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଉଚିତ ପରାମର୍ଶ ଇତ୍ୟାଦି ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ଭ୍ରାସ ପାଇଛି।

ବିଶ୍ଵରେ ଅନ୍ୟାନ୍ୟ ଦେଶ ତୁଳନାରେ ଏହା କମ ଥିବା ବେଳେ ହାରାହାରି ମୃତ୍ୟୁହାର ୧.୮୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮,୦୫,୯୮୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୩,୦୩,୪୬୭,୨୩୭ରେ ପହଞ୍ଚିଛି। ସେହିପରି ନମୁନା ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୧୫୦୪ଟି ପରୀକ୍ଷାଗାରେ ରହିଛି। ସେଥିମଧ୍ୟରୁ ୯୭୮ଟି ସରକାରୀ ଓ ୫୨୬ଟି ଘରୋଇ ପରୀକ୍ଷାଗାରଗୁଡିକରେ ନମୁନା ପରୀକ୍ଷଣ କରାଯାଉଛି।