Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଜିଗଡ଼ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଆଜି ସ୍ଥାନୀୟ ଲାଞ୍ଜିଗଡ଼ବ୍ଲକ ବିଶ୍ଵନାଥପୁର ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପି ଡି, ଡି ଆର୍ ଡି ଏ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୯୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୪୦ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୫୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୬୨ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ, ରାସନ୍ କାର୍ଡ, ଭତ୍ତା, ପାନୀୟ ଜଳ ଉପରେ ଥିବାର ଜଣା ପଡ଼ିଛି।

Categories
ଆଞ୍ଚଳିକ

ସମାଜରୁ କୁସଂସ୍କାର ବିଲୋପ ଓ ଶୃଙ୍ଖଳିତ ଜୀବନଯାପନ ମୂଳ ଲକ୍ଷ୍ୟ: କଳାହାଣ୍ଡି ମେହେର ସମାଜ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଳାସ ଗ୍ରାମରେ କଲାହାଣ୍ଡି ଜିଲ୍ଲା ମେହେର (ଭୁଲିଆ )ସମାଜର ଏକ ମହା ସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ମହାସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀବତ୍ସ ମେହେର ରହିଥିଲେ।  ଏଥିରେ ସମାଜର ଉଦ୍ୟେଶ୍ୟ ଶୃଙ୍ଖଳିତ ଜୀବନ ଯାପନ ଓ କୁସଂସ୍କାର ଦୂରୀଭୂତ ପାଇଁ ସମାଜର ପ୍ରତ୍ୟେକ ସଦସ୍ୟ ଯତ୍ନବାନ ହେବାକୁ ଆହ୍ୱାନ କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ଦିଲୀପ କୁମାର ମେହେର, ଉପସଭାପତି ସନ୍ତୋଷ କୁମାର ମେହେର, ଗଙ୍ଗାଧର ମେହେର, ଶ୍ରୀବତ୍ସ ମେହେର ରାଜ୍ୟ କମିଟି ସଦସ୍ୟ, ସମ୍ପାଦକ ଭାବେ ବିଦ୍ୟାଧର ମେହେର ଓ ସହ ସମ୍ପାଦକ ଶାନ୍ତନୁ ମେହେର, କୋଷାଧକ୍ଷ ଭାବେ ଗୋପୀନାଥ ମେହେର ପ୍ରମୁଖ ରହିଥିଲେ।

ସେହିପରି ବିଭୁତି ଭୂଷଣ ମେହେର ଓ କବିରାଜ ମେହେର ନିର୍ବାଚନ ଦାୟିତ୍ୱ ତୁଲାଇ ଥିଲେ।  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଧୀରଜ କୁମାର ମେହେର ଓ ସୁଜିତ କୁମାର ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀବତ୍ସ ମେହେର ଓ ଶାନ୍ତନୁ ମେହେର ମଞ୍ଚ ପରିଚାଳନା କରିଥିଲେ।

ସେହିପରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର ପ୍ରମୁଖ ସକ୍ରିୟ ସଦସ୍ୟ ରହିଥିଲେ। ଏହି ମହାସଭା ରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ମେହେର ସମାଜ ସଦସ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁସୁଡ଼ିବାରେ ଲାଗିଛି କଳାହାଣ୍ଡି ଆଦିବାସୀ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମି

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦେଦର ଏକ ଆଦିବାସୀ ବହୁଳ ଅନଗ୍ରସର ପଞ୍ଚାୟତ ଅଟେ। ଏହି ପଞ୍ଚାୟତର ଗୋଳମୁଣ୍ଡା ଗ୍ରାମର ଏକ ପଡା ଶବର ପଡା। ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଖରେ ରହିଛି ଶବର ପଡା ପ୍ରାଥମିକ ବିଦ୍ୟାଳୟ। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଳିଶ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ତିନିଜଣ ଶିକ୍ଷକ।

୨୦୦୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକ ବିପଦସଂକୁଳ ଅବସ୍ଥାରେ ପହଂଚିଲାଣି। ଶ୍ରେଣୀ ଗୃହ ଗୁଡିକର ଛାତରେ ସିମେଣ୍ଟ ଢଳେଇ ଫାଟି ଆଁ କଲାଣି।ଶ୍ରେଣୀ ଗୃହରେ ପାଠ ପଢିବା ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିପଦ ଆଶଙ୍କାରେ ରହୁଛନ୍ତି।ଇନ୍ଦ୍ରାବତୀ ଦକ୍ଷିଣ କେନାଲକୁ ଏହି ବିଦ୍ୟାଳୟଟି ଲାଗି ରହିଛି। କେନାଲରେ ଜଳ ପ୍ରଭାହିତ ସମୟରେ କୋମଳମତି ଛାତ୍ରଛାତ୍ରୀ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।

ଏହି ପରିପ୍ରେକ୍ଷୀରେ ସ୍କୁଲ ଚାରିପଟେ ପାଚେରୀ ନିର୍ମାଣ ଅନିବାର୍ଯ୍ୟ ହୋଇ ପଡିଛି। ସ୍କୁଲର ବହୁବିଧ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେ ହେଁ ଅଦ୍ୟାବଧି ସୁଫଳ ପାଇ ପାରି ନାହାନ୍ତି। ଏହି ବିଦ୍ୟାଳୟର ଆନୁସଙ୍ଗିକ ଭିତ୍ତିଭୂମି ଯଥା ନୂତନ ସ୍କୁଲଗୃହ, ପାଚେରୀ, ଶୌଚାଳୟ ଆଦି ନିର୍ମାଣ ଦିଗରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ମାଓବାଦୀଙ୍କ ସହ ସମ୍ପର୍କ ଓ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମାଓବାଦୀଙ୍କ ସହ ଯୋଗାଯୋଗ ଓ ସେମାନଙ୍କୁ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ ଗାଁର ପ୍ରବୀଣ ରାଉତ ଓରଫ କବି, ପ୍ରତିଦାନ ରାଉତ ଏବଂ ଅନୁଗୁଳ ଜିଲ୍ଲାର ଶକ୍ତି ସାମନ୍ତ ଦଳ ବେହେରା। ଏମାନେ କେକେବିଏନ ଡିଭିଜନ ମାଓ ସଂଗଠନକୁ ୱାକିଟକି, ମୋବାଇଲ ଫୋନ୍ ଆଦି ସାମଗ୍ରୀ ଯୋଗାଇ ଆସୁଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ପ୍ରବୀଣ ରାଉତ ଓରଫ କବି ମାଓ ସଂଗଠନର ଜଣେ ସକ୍ରିୟ ମିଲିସିଆ ସଦସ୍ୟ। ସେପଟେ ଶକ୍ତି ସାମନ୍ତ ଦଳ ବେହେରା ଅନୁଗୁଳ ଜିଲ୍ଲାରୁ ଆସି ଲାଞ୍ଜିଗଡ଼ ରୋଡରେ ରହୁଥିଲା। ଏମାନେ ମାଓ ସଂଗଠନକୁ ସୁଦୃଢ କରିବା ପାଇଁ ଅନୁଦାନ ସଂଗ୍ରହ ସହ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ମାଓ ସଂଗଠନକୁ ଯୋଗାଇ ଆସୁଥିବା ନେଇ ଅଭିଯୋଗ ରହିଛି।

ଏନେଇ ନର୍ଲା ଥାନାରେ ୩ ଅଭିଯୁକ୍ତଙ୍କ ନାଁ ରେ ମାମଲା ରୁଜୁ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କଳାହାଣ୍ଡି ପୋଲିସ। ଏହାକୁ ନେଇ କଳାହାଣ୍ଡି ପୋଲିସ ଏସପି ସୂଚନା ଦେଇଛନ୍ତି। ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରଖିଛି ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ମୃଦୁ ଭୂମିକମ୍ପ ଅନୁଭୂତ, କିଛି ସ୍ଥାନରେ ଫାଟିଲା ଘରର କାନ୍ଥ

ଭୁବନେଶ୍ବର: ଓଡିଶାରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଆଜି ମୃଦୁ ହୁମିକମ୍ପ ଅନୁଭୂତ ହୋଇଛି। ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି। ରିକ୍ଟର ସ୍କେଲରେ ୩.୪ ତୀବ୍ରତାର ଭୂମିକମ୍ପ ହୋଇଥିବା କୁହାଯାଇଛି। ପ୍ରାୟ ୬ ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ କିଛି ସ୍ଥାନରେ ଘରର କାନ୍ଥ ଫାଟିଯାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ମୃତ ସାମ୍ବାଦିକ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର ହୋଇଥିଲେ। ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କଳାହାଣ୍ଡି ଜୁନାଗଡ଼ ପୋଲିସ୍ ର ସଫଳତା, ୮ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସ ହାବୁଡ଼ରେ ଆଜି ଗଞ୍ଜେଇମାଫିଆ ମାନେ ଧରାପଡିଛନ୍ତି। ଆଜି ପାହାନ୍ତିଆରେ ଜୁନାଗଡ଼ ପୁଲିସ କୌଣସି ଖବର ପାଇ ଏକ ଯାତ୍ରୀ ବିହୀନ ବସକୁ ଅଟକାଇ ଥିଲେ। ବସକୁ ଥାନାକୁ ଆଣି ଯାଞ୍ଚ କରାଯିବା ସମୟରେ ଏହି ବସରେ ଥିବା ଚୋରି ଡିକିରେ ବିପୁଳ ପରିମାଣରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିଲା। ଯେହେତୁ ବସଟି ଗାଡି ନଂ ୟୁପି ୭୦ ଏଫଟି ୩୯୬୯ ଗାଡି ମାଲକାନଗିରିରୁ ଉତ୍ତର ପ୍ରଦେଶ ଯାଉଥିବା ସନ୍ଧେହ ହେଉଛି।

ଅନ୍ୟ ପକ୍ଷରେ ବସ ଡ୍ରାଇଭର ଅର୍ଜୁନ ବଗର୍ତି ଓ ହେଲପର ନକୁଳ ପ୍ରଧାନ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଧର୍ମଗଡ଼ ଏସଡିପିଓ ଧୀରୋଜ କୁମାର ଚୋପଦାର, ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ତଦନ୍ତ ଆରମ୍ଭ କରିଥିଲେ। ବସରୁ ଏକ କଟର ସାହାଯ୍ୟରେ କାଟି ଗଞ୍ଜେଇ ବାହାର କରାଯାଇଥିଲା। ଚୋରା ଚାଲାଣ ହେଉଥିବା ଗଞ୍ଜେଇ ୮ କୁଇଣ୍ଟାଲ ହୋଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ବୋଲି ପୁଲିସ କହିଛି। ଅନ୍ୟ ପକ୍ଷରେ ଆଜି ପୁଲିସ ୨ ଜଣଙ୍କୁ ଗିରଫ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡିର ମା ମାଣିକେଶ୍ବରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ୫-ଟି ଉପକ୍ରମ ଅଧୀନରେ ମାଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାଣେକେଶ୍ବରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି। କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା – ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି ।

କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତ୍ତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜି କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି । ବିଜୁଳି ଯୋଗାଣରେ ମଧ୍ୟ ଉନ୍ନତି ଆସିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ସବୁବେଳେ ତାଙ୍କର ଲକ୍ଷ୍ୟ ହୋଇ ରହିଛି । କଳାହାଣ୍ଡିକୁ ସେ ସ୍ବତନ୍ତ୍ର ଗୁରୁତ୍ବ ଦେଇଆସିଛନ୍ତି ଏବଂ ଚଳିତ ବର୍ଷ ଦୁଇ ଦୁଇ ଥର କଳାହାଣ୍ଡି ଯାଇ ବିକାଶ ଓ କଲ୍ୟାଣ କାମ ଆରମ୍ଭ କରିଛନ୍ତି । ବିକାଶ ପ୍ରତି କଳାହାଣ୍ଡିବାସୀଙ୍କର ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସାଥିରେ ଧରି ବିକାଶ ଧାରା ଆଗକୁ ବଢିବ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସ୍ବାସ୍ଥୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ବରଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କଳାହାଣ୍ଡି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଲାଞ୍ଜିଗଡ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

କଳାହାଣ୍ଡି: ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା ରକ୍ଷକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବାରେ ତାଲିମ ଦିଆଯାଇଥିବା “ରକ୍ଷକ” ସଦସ୍ୟମାନଙ୍କୁ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ  ରକ୍ଷକର ରାଷ୍ଟ୍ରୀୟ ପ୍ରଶିକ୍ଷକ ଅଙ୍କୁର ଶର୍ମା ରକ୍ଷକ ପ୍ରକଳ୍ପ ମାଧ୍ୟମରେ ଦୁର୍ଘଟଣା ମାତ୍ରା ହ୍ରାସ କରିବା ସହ ଅମୂଲ୍ୟ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ପୋଲିସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ର ଶେଖର ଶବର ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରୀକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପ୍ରଶିକ୍ଷକ ରତିକାନ୍ତ ନାଥଙ୍କ ତତ୍ତ୍ବାବଧାନରେ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ପ୍ରଶିକ୍ଷାର୍ଥୀ ଭାବେ ସଂଜିବ କୁମାର ସାହୁ, ଶାନ୍ତନୁ କୁମାର ପରିଡା, ଦଇତାରି ପୁଜାରୀ, ରାମ ନାରାୟଣ ଦାଶ,ନାରାୟଣ ପ୍ରଧାନ, ମଦନ ମୋହନ ପ୍ରଧାନ,ଶିବ ପ୍ରସାଦ ସା, ପଲ୍ଲୀଶ୍ରୀ ପଟ୍ଟନାୟକ, ରଜନୀକାନ୍ତ ଜେନା, ରାଧାରାଣୀ ନାୟକ, ଭବାନୀ ଶଙ୍କର ପଣ୍ଡା, ସଂଜୟ କୁମାର ପୁରୋହିତ, ଗିରିରାଜ ଗହୀର, ସୁଧିର କୁମାର ପଣ୍ଡା, ବିଶ୍ବ ରଂଜନ ବେହେରା, ସୁଶାନ୍ତ କୁମାର ସାହୁ, ଅନୀଲ କୁମାର ମାଝୀ, ଗୋବିନ୍ଦ ବ୍ରହ୍ମା, ସୁଦାମ ଚରଣ ମିଶ୍ର, ମିଲନ କିଶୋର କୁମାର, ଦୁର୍ଯୋଧନ ପଶାୟତ, ରଶ୍ମୀ ରାଣୀ ଦାଶ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦା, ଅନିଲ କୁମାର ସା, ବିରଞ୍ଚି ନାରାୟଣ ଦାଶ, ଜୟଦେବ ବେହେରା, ଡମ୍ବରୁ ଧର ମାଝୀ, ନେତ୍ରାମ ହଂସ, ମୋହନ ଚରଣ ବିଷି ପ୍ରମୁଖ ରେଡକ୍ରସ ପରାମର୍ଶଦାତା, ପୋଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନର ଅଧିକାରୀମାନଙ୍କୁ  ରକ୍ଷକ ତାଲିମ ପ୍ରମାଣ ପତ୍ର ଓ ପ୍ରାଥମିକ ଚିକିତ୍ସା କିଟ୍ ପ୍ରଦାନ କରାଯାଇଥିଲା।

ଏହି ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ଆଗାମୀ ଦିନରେ ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ପ୍ରଦାନ କରିବେ ଓ ସେମାନେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ ସୁରକ୍ଷା ପ୍ରଦାନ କରି “ରକ୍ଷକ” ସାଜିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡି: ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୋଟର ସାଇକଲ ରେ ବୁହା ହେଲା ଶବ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କିଛି ବର୍ଷ ତଳେ ଦାନ ମାଝୀ ନିଜ ସ୍ତ୍ରୀ ଶବ କୁ କାନ୍ଧରେ ବୋହି ନେବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ପୁଣି ସେହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଳାହାଣ୍ଡିରେ, ମେଡ଼ିକାଲ ରେ ଶବ ନେବା ପାଇଁ କୌଣସି ବ୍ୟବସ୍ଥା ନ ହେବାରୁ ମୋଟର ସାଇକଲ ରେ ବୁହା ହେଲା ଶବ ,ଏଭଳି ଏକ ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି ପର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ।

ସୁଚନା ମତେ ଆଜି ସକାଳୁ ବେହେରା ଗୁଡା ଗ୍ରାମର କରନ ବେମାଲ ନାମକ ବୃଦ୍ଧ ମହିଳା ଅସୁସ୍ଥ ହେବାରୁ ନିକଟସ୍ଥ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପରିବାର ଲୋକେ ଆଣି ଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଶବ ଆଣିବା ପାଇଁ ମେଡ଼ିକାଲ ରେ କୌଣସି ସୁବିଧା ନାହିଁ ବୋଲି କହିବାରୁ ଏକ ମୋଟର ସାଇକଲ ଯୋଗେ ଦୀର୍ଘ ଦଶ କିଲୋମିଟର ପର୍ଯ୍ୟନ୍ତ ବେହେରାଗୁଡ଼ା ଗ୍ରାମକୁ ଆଣିଥିଲେ ,ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବାରୁ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ଏକ ମୋଟର ସାଇକଲ ଯୋଗେ ଶବ ଆଣିଥିବା ପ୍ରକାଶ କରିଛନ୍ତି। ଏନେଇ ଡକ୍ଟର ଆଶୁତୋଷ ପଟନାଏକଙ୍କ ପ୍ରତିକ୍ରିୟା ନେଇଥିଲୁ। ସେ କହିଲେ ଶବ ବାହକ ଗାଡିକୁ ଯୋଗାଯୋଗ କଲି। କିନ୍ତୁ ସେହି ନମ୍ୱର ସ୍ୱିଚ ଅଫ ଥିଲା। ପରେ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗାଡି ଡ୍ୟୁଟି ଯାଇଥିଲା ବୋଲି ସେ କହିଥିଲେ।

କିନ୍ତୁ ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏତେ ମେଡ଼ିକାଲ ଷ୍ଟାପ ରହିଥିବା ସତ୍ତ୍ୱେ ଶବ ବାଇକରେ ଯିବା ପରିତାପର ବିଷୟ। ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Categories
ଆଜିର ଖବର ରାଜ୍ୟ ଖବର

ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡିର ୨୯ ଟି ସ୍ମାର୍ଟ ସ୍କୁଲ ଉଦଘାଟିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାରୀ ସ୍କୁଲ ଗୁଡିକୁ ଆଧୁନିକ ଶୈଳୀରେ ରୂପରେଖ ଦେବା ସହିତ ଶିକ୍ଷାର ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ସ୍ମାର୍ଟ ସ୍କୁଲ ଯୋଜନା ପ୍ରଣୟନ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ୨୯ ଟି ସ୍ମାର୍ଟ ସ୍କୁଲ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଶିକ୍ଷା ମାଧ୍ୟମରେ ଓଡିଶାର ପ୍ରଗତି ହେଉଛି ଓଡିଶାର ମୂଳ ମନ୍ତ୍ରୀ ବୋଲି ଭବାନୀପାଟଣାସ୍ଥିତ ମାଣିକେଶ୍ୱରୀ ହାଇସ୍କୁଲ ପରିସରରେ ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଏବଂ କଳାହାଣ୍ଡି ପ୍ରତି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ହେତୁ କଳାହାଣ୍ଡି ଆଜି ଭୋକର ଭୂଗୋଳରୁ ସବୁଜ ସଫଳ ଆଲୋକିତ ଉଜ୍ୱଳ ହୋଇପାରିଛି ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଭିଡିଓ କନଫରନେସିଂ ମାଧ୍ୟମରେ ଜିଲ୍ଲାର ୨୯ଟି ସ୍ମାର୍ଟ ସ୍କୁଲକୁ ମୂଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାପାଳଙ୍କ ପରିଚାଲନାରେ ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ ମାଣୀକେଶ୍ୱରୀ ହାଇସ୍କୁଲରେ ନିଜ ଛାତ୍ର ଜୀବନର ଅଭିଜ୍ଞତା ବଖାଣିବା ସହିତ ଶିକ୍ଷକ ରାମେଶ୍ୱର ଠାକୁରଙ୍କ ସଂପର୍କରେ ଉପସ୍ଥାପନ କରିଥିଲେ।

ଏହି ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମରେ ମାଣିକେଶ୍ୱରୀ ହାଇସ୍କୁଲ ସମେତ ବିଏମ ହାସ୍କୁଲ ଓ ଟାଉନ ହାଇସ୍କୁଲ, ଥୁଆମୂଲ ରାମପୁର ବ୍ଲକର ସିରମସ୍କା ହାଇସ୍କୁଲ ଓ ପାଡେପଦର ହାଇସ୍କୁଲ, ନର୍ଲା ବ୍ଲକର ତୁଳାପଡା ଦାମୋଦର ହାଇସ୍କୁଲ ଓ ନର୍ଲା ପଂଚାୟତ ହାଇସ୍କୁଲ, ମଦନପୁର ରାମପୁର ବ୍ଲକର ଦୁର୍ଗାମାଧବ ହାଇସ୍କୁଲ ଓ ଅଲାତରା ପଂଚସଖା ହାଇସ୍କୁଲ, ଲାଂଜିଗଡ ବ୍ଲକର ଲାଂଜିଗଡ ରୋଡ ସରକାରୀ ହାଇସ୍କୁଲ ଓ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ, କେସିଙ୍ଗା ବ୍ଲକର କେସିଙ୍ଗା ହାଇସ୍କୁଲ, ବେଲଖଣ୍ଡି ହାଇସ୍କୁଲ ତୁୁଣ୍ଡଲା ହାଇସ୍କୁଲ ଓ କଶୃପଡା ହାଇସ୍କୁଲ, କର୍ଲାମୁଣ୍ଡା ବ୍ଲକର ରିଷିଡା ହାଇସ୍କୁଲ ଓ ଗଜବାହାଲ ହାଇସ୍କୁଲ, ଜୁନାଗଡ ବ୍ଲକର ଜୁନାଗଡ ହାଇସ୍କୁଲ ଓ ମହିଚଲା ବାଲାଜୀ ହାଇସ୍କୁଲ, କୋକସରା ବ୍ଲକର କୋକସରା ଜବାହର ହାଇସ୍କୁଲ ଓ ଲଡୁଗାଁ ହାଇସ୍କୁଲ, ଜୟପାଟଣା ବ୍ଲକର ଉମାଶଂକର ହାଇସ୍କୁଲ ଓ ହୀରାପୁର ହାଇସ୍କୁଲ, କଲମପୁର ବ୍ଲକର ଦୁର୍ଗାମାଧବ ହାଇସ୍କୁଲ ଓ ବୀଜମରା ସ୍ୱାମୀ ବିବେକାନନ୍ଦ ହାଇସ୍କୁଲ, ଗୋଲାମୁଣ୍ଡା ବ୍ଲକର ଫରଙ୍ଗ ହାଇସ୍କୁଲ ଓ ଗୋଲାମୁଣ୍ଡା ହାଇସ୍କୁଲ, ଧର୍ମଗଡ ବ୍ଲକର ଧର୍ମଗଡ ହାଇସ୍କୁଲ ଓ ବ୍ରାହ୍ମଣଛେଣ୍ଡିଆ ରାମକୃଷ୍ଣ ହାଇସ୍କୁଲ ଆଦି ୨୯ ଟି ହାଇସ୍କୁଲ କୁ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଭାବେ ଉଦଘାଟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ମୂଖ୍ୟମନ୍ତ୍ରୀ ବାଂଟିଲେ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ମନ୍ତ୍ରୀ ବଖାଣିଲେ ବିକାଶର ଗାଥା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଓୟୁଏଟି ପଡିଆଠାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ବଂଟନ କରିଛନ୍ତି। ଏନେଇ ଆୟୋଜିତ ଏକ ସାଧାରଣ ସଭାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଅର୍ଥମନ୍ତ୍ରୀ ନିରଂଜନ ପୂଝାରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିଲେ।

ଆକାଶ ଦାଶ ନାୟକ ଓ ସୁଲତା ଦେଓଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ମହିଳା ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା କାର୍ଡ ବଂଟନ କରି ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଟୁକୁନି ସାହୁ ସ୍ୱାଗତ ଭାଷଣ ଦେଇ ନବୀନ ସରକାର ତରଫରୁ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଦଶ ଲକ୍ଷ ଟଙ୍କା ଆର୍ôଥକ ସାହାଯ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଥିବା ବିଷୟ ଉପସ୍ଥାପନ କରିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମଗ୍ର ଓଡିଶାର କଣ ଅନୁକୋଣରେ ସମସ୍ତ ପରିବାର ଯେପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ସରକାର ସର୍ବଦା ଚେଷ୍ଟିତ ଥିବା ପ୍ରକାଶ କରିଥିଲେ। ଅର୍ଥମନ୍ତ୍ରୀ ନିରଂଜନ ପୂଝାରୀ ସରକାରଙ୍କ ବିକାଶ ର ଗାଥା ପ୍ରକାଶ କରିଥିବା ବେଳେ ସରକାରଙ୍କ ବିକାଶୋନ୍ମୂଖି କାର୍ଯ୍ୟକ୍ରମକୁ ବିରୋଧି ସହ୍ୟ କରିପାରୁନଥିବା ପ୍ରକାଶ କରିଥରଲେ। ଗୃହ ରାଷ୍ଟ୍ର ମନ୍ତ୍ରୀ ବିଗତ ଦିନର କଳାହାଣ୍ଡି ଓ ଆଜିର ଉନ୍ନତି ପଥର କଳାହାଣ୍ଡି ସଂପର୍କରେ ଅବଲୋକନ କରି ସରକାର କଳାହାଣ୍ଡିର ବିକାଶ ପାଇଁ ସର୍ବଦା ଚେଷ୍ଟା କରିଆସୁଥିବା ପ୍ରକାଶ କରିଥିଲେ। ସେଥିପାଇଁ ମୂଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ କଳାହାଣ୍ଡିର ବିକାଶ ଯୋଜନା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ମୂଖ୍ୟମନ୍ତ୍ରୀ ପ୍ରାୟ ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେଇଥିବା ବେଳେ କଳାହାଣ୍ଡି ବାସୀଙ୍କୁ ପ୍ରାୟ ୯୦୦ କୋଟୀ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି। କଳାହାଣ୍ଡି ଆଜି ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜଳସେଚନ, କୃଷି କ୍ଷେତ୍ରରେ ବିକାଶ ଆଡକୁ ମୁହାଇଛି ଏବଂ ମୋର ପ୍ରତ୍ୟକ୍ଷ ନଜର ରହିଥିବା ମୂଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ମମିତା ମିଷ୍ଟ୍ରୀ: ଅଭିଯୁକ୍ତ ଗୋବିନ୍ଦର ସହେଯାଗୀ ଡ୍ରାଇଭରକୁ ଗିରଫ ପରେ କୋର୍ଟ ଚାଲାଣ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି। ଏସଂପର୍କରେ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ନେତୃତ୍ୱରେ ବଲାଙ୍ଗୀର ପୋଲିସ ତରଫର ତନାଘନା ତଦନ୍ତ ଚାଲିଛି।

ଏହି ଘଟଣାର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦର ୱାଗନ ଆର ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ କୁ ଏହି ଘଟଣାରେ ସହଯୋଗ କରିଥିବା ଅଭିଯୋଗରେ ଗୁରବାର ବଲାଙ୍ଗୀର ପୋଲିସ ଗିରଫ କରି ବଙ୍ଗୋମୁଣ୍ଡା ଜେମଏଫସି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି। ସେହିପରି ଗାତ ଖୋଲିଥିବା ଜେସିବିର ଡ୍ରାଇଭର ପୁଷ୍କର ତାଣ୍ଡି ଓ ଷ୍ଟାଡିୟମର ମୁନସି ଗୁପ୍ତେଶ୍ୱର ଭୋଇ ଙ୍କୁ ରାଜସାକ୍ଷୀ ଭାବେ ଗ୍ରହଣ କରି ପୋଲିସ ଛାଡିଦେଇଥିବା ଜଣାପଡିଛି।

ସେହିପରି ଗୁରବାର ଦିନ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ସମେତ ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ ତରଫରୁ ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ସମେତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ତଥା ହଷ୍ଟେଲ ଗୁଡିକ ପରିଦର୍ଶନ କରିଥିଲେ। ଛାତ୍ରୀ ମାନଙ୍କ ହଷ୍ଟେଲ ଭିତରେ ଏକ କୋଠରୀ ରହିଥିବା ଏବଂ ସେଠାକୁ ଅଭିଯୁକ୍ତ ଗୋବିନ୍ଦ ଅନାୟାସରେ ଯାତାୟତ କରୁଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଥିବା ପ୍ରକାଶ। ଅନ୍ୟପକ୍ଷରେ ସେହି କଲେଜରେ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶାରିରୀକ ଶୋଷଣ କରାଯାଉଥିବା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏସବୁ ସଂପର୍କରେ ପୋଲିସ ପକ୍ଷରୁ କେତେଜଣ ଛାତ୍ର ଛାତ୍ରୀ ମାନଙ୍କୁ ଜେରା କରୁଥିବା ପ୍ରକାଶ। ମମିତା ର ନିଖୋଜ ସଂପର୍କି ରେ ପରିବାର ଲୋକେ ଅଭିଯୋଗ ପତ୍ର ଦାଖଲ କରିଥିଲେ ହେଁ ତାହା ଗ୍ରହଣ ନକରି ଫେରାଇଦେଇଥିବା ଅଭିଯୋଗରେ କେଗାଁ ଥାନା ଇନିସପେକ୍ଟର ଡମୁ ପରଜା ଙ୍କୁ ନିଲମ୍ବନ କରାଯାଇଥିବା କଳାହାଣ୍ଡି ଏସପି ଶବଚ୍ଚ ବିବେକ ଙ୍କ ସୂତ୍ରରୁ ପ୍ରକାଶ।

ଅନ୍ୟ ପକ୍ଷରେ କେଗାଁ ଥାନାକୁ ଅଭିଯୁକ୍ତ ଗୋବିନ୍ଦ ସାହୁ ବାଇକ ରେ ଆସି ଆଇଆଇସିଙ୍କ ସହ କଥାବାର୍ତା ହେବାପରେ ମମିତାଙ୍କ ପରିବାର ଲୋକେ ଦେଇଥିବା ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହେଉଛି। ଏପରିକି ଯେଉଁମାନେ ଗୋବିନ୍ଦର କଳାକାରନାମାକୁ ବିରୋଧ କରୁଥିଲେ ସେମାନଙ୍କୁ ଗୋବିନ୍ଦର ଇଶାରାରେ କେଗାଁ ପୋଲିସ ପକ୍ଷରୁ ଧାରା ୪୧ ଅନୁସାରେ ନୋଟିସ ଦିଆଯାଇ ଛଡାଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

ସେହିପରି ମହାଲିଙ୍ଗ ସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ଯୁକ୍ତ ଦୁଇ କଲେଜ ର ପରିଚାଲନା କମିଟୀ ରେ ଗୋବିନ୍ଦ ସାହୁ ସଭାପତି ଥିବା ବେଳେ ପାଶ୍ୱର୍ରେ ଯୁକ୍ତ ତିନି କଲେଜ ସଂପୂର୍ଣ୍ଣ ବେସରକାରୀ ଭାବେ ଗୋବିନ୍ଦ ସାହୁଙ୍କ ଦ୍ୱାରା ପରିଚାଲିତ ହେଉଥିବା ବେଳେ ସେହି ଯୁକ୍ତ ତିନି କଲେଜ କୋଠାର ଉପର ଅଂଶରେ ସନସାଇନ ପବ୍ଲିକ ସ୍କୁଲ ଚାଲୁଥିବା ଜଣାପଡିଛି। କଲେଜ ପାଇଁ ଆସୁଥିବା ଅନୁଦାନ ଏବଂ ଏହାର ପାଶ୍ୱର୍ରେ ଥିବା ଖେଲପଡିଆକୁ ହିଁ ମିନିଷ୍ଟାଡିୟମ ଭାବେ ନିର୍ମାଣ କରିବା ପାଇଁ ଆସୁଥିବା ଅନୁଦାନ ସବୁ ଗୋବିନ୍ଦ ଦ୍ୱାରା ହିଁ ପରିଚାଲିତ ହେଉଥିବା ଜଣାପଡିଛି।

ମୋଟାମୋଟୀ ଭାବେ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଗୋବିନ୍ଦ ହିଁ ସର୍ବେସର୍ବା ମାଲିକ ଥିବା ବେଳେ ନିଜ ମନଇଚ୍ଛା ପରିଚାଲିତ କରିବା ସହିତ ଜନୈକା ଶିକ୍ଷୟିତ୍ରୀଙ୍କ ସହିତ ପରକୀୟା ପ୍ରେମ ସଂପର୍କ ଥିବା ଆଲୋଚନା ହେଉଛି। ସେହି ଶିକ୍ଷୟୀତ୍ରିଙ୍କ ମାଧ୍ୟମରେ ଗୋବିନ୍ଦ ବିଭିନ୍ନ ପ୍ରକାର ଅସାମାଜିକ କାରବାର ଚଳାଉଥିବା ଅଭିଯୋଗ ହେଉଛି ଏବଂ ସେସବୁ ର ପ୍ରମାଣ ଭିଡିଓ କ୍ଲିପିଂ ସବୁ ମମିତା ପାଖରେ ଥିବା ହେତୁ ର୍ପମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମମିତାକୁ ହତ୍ୟା କରିଦେଇଥିବା ପୋଲିସ ଆଗରେ ଗୋବିନ୍ଦ ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗୋବିନ୍ଦକୁ ବଲାଙ୍ଗୀର ପୋଲିସ ରିମାଣ୍ଡରେ ଆଣି ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ କରୁଥିବା ଜଣାପଡିଛି। ହେଲେ ମମିତାର ମୋବାଇଲ ଏବଂ ପେନଡ୍ରାଇଭ ମିଳୁନଥିବା କୁହାଯାଉଛି। କେତେକ ଆପତ୍ତିଜନକ ଭିଡିଓ ଥବା ସନ୍ଦେହରେ ସେସବୁ ଖୋଜା ପଡିଛି। ରିମାଣ୍ଡରେ ଆଣିଥିବା ଅଭିଯୁକ୍ତ ଗୋବିନ୍ଦ ଠାରୁ ସମସ୍ତ ତଥ୍ୟ ଆଦାୟ କରିବାକୁ ପୋଲିସ ଯୋରସୋରରେ ଲାଗିପଡିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ଦୁଇଟି ଗାଡି ସହ ୧ ହଜାର ୧୯୨ କେଜି ଗଞ୍ଜେଇ ଜବତ କଲା ପୋଲିସ, ୩ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜାତୀୟ ରାଜପଥ ୨୬ ଗଞ୍ଜେଇ ଚାଲାଣର ମୂଖ୍ୟ ରାଜପଥ ପାଲଟିଛି। ଗତକାଲି ବୋଇତି କଖାରୁ ବୋଝେଇ ସ୍ୱରାଜ ମଜଡା ମିନି ଟ୍ରକ ଭିତରେ ୫୭୩ କେଜି ଗଞ୍ଜେଇ ଉତ୍ତର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଦ୍ୱାରା ଜବତ କରାଯାଇ ସୁବାସ ଚୌଧୂରୀ ଓ ନିତିନ ଚୌଧୂରୀ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ରାୟଗଡା ଜିଲ୍ଲା ପଦମପୁର ଠାରୁ ଉତ୍ତରପ୍ରଦେଶ ସ୍ଥିତ ଗଜିଆବାଦକୁ ଯାଉଥିବା ବୋଇତିକଖାରୁ ଭର୍ତ୍ତି ମିନିଟ୍ରକ ଭିତରେ ୨୮୦ ପାକେଟରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚାଲାଣ କରାଯାଉଥିବା ବେଳେ ପୋଲିସ ଜବତ କରିଥିବା ପ୍ରକାଶ।

ସେହିପରି ଏକ ବୋଲେରୋ ପିକଅପ ଭେନରେ ମକା ବୋଝେଇ କରାଯାଇ ସେମଧ୍ୟରେ ୧୧୯ ଟି ପାକେଟ କରାଯାଇ ୬୧୯ କେଜି ଗଞ୍ଜେଇ ଚାଲାଣ ସମୟରେ କେସିଙ୍ଗା ପୋଲିସ ଜବତ କରିଥିବା ଜଣାପଡିଛି। ଏକ ଫର୍ଜୀ ନମ୍ବର ଲଗାଯାଇଥିବା ବୋଲେରୋ ପିକଅପ ଭ୍ୟାନ ଦ୍ଵାରା ମକା ବସ୍ତା ମଧ୍ୟରେ ଗଞ୍ଜେଇକୁ ପୋଲିଥିନ ଗୁଡାଇ ବିହାର ଚାଲାଣ କରାଯାଉଥିବା ସମୟରେ କେର୍ସି୍ଗା ପୋଲିସ ଜବତ କରି ଅଭିଯୁକ୍ତ ବିହାର ଗୋପାଲଗଞ୍ଜ ଜିଲ୍ଲାର ସୋନୁ ରୟ ନାମକ ବ୍ୟକ୍ତିକୁ ଗିରଫ କରିଥିବା ପୋଲି ଅଧିକ୍ଷକଙ୍କ ସୂତ୍ରରୁ ପ୍ରକାଶ।

ପୋଲିସ ନଜରରୁ ବଂଚିବା ପାଇଁ ଅଭିଯୁକ୍ତମାନେ ବିଭିନ୍ନ ଉପାୟରେ କଳାହାଣ୍ଡି ମଧ୍ୟ ଦେଇ ଏନଏଚ୨୬ ଉପରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କଳାହାଣ୍ଡି ଏସପି ଶ୍ରବଣ ବିବେକ ଙ୍କ କଡା ନିର୍ଦ୍ଦେଶରେ ସେସବୁ ଚୋରାଚାଲାନକୁ ପୋଲିସ ଝବତ କରି ଏନଡିପିଏସ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ତଦନ୍ତ ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କଳାହାଣ୍ଡି ସମେତ ଓଡିଶାର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପୂର୍ବ ପତ୍ର ସଂଖ୍ୟା ୧୯୧୬୬ ତା୨୯.୧୦.୨୦୨୦, ୨୨୪୨୨ ତା.୦୧.୧୨.୨୦୨୦, ୫୨୬ ତା.୨୧.୦୧.୨୦୨୧ ଏବଂ ୧୩୨୩୨ ତା.୧୯.୦୮.୨୦୨୧ ଆଧାରରେ ପତ୍ର ସଂଖ୍ୟା ୧୩୮୬୩ ତା.୨୮.୦୮.୨୦୨୧ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ତତ ସଂଲଗ୍ନିତ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ଦିଆଯାଇଥିବା ଜଣାପଡିଛି।

ମାନ୍ୟବର ଓଡିଶା ହାଇକୋର୍ଟ WP(C)18752/2018 ରେ ଜାଲ ଶିକ୍ଷକ ତଥା କର୍ମଚାରୀ ମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନେ ତଥ୍ୟ ଯୋଗାଇ ଦେବାରେ ବିଳମ୍ବ ହେଉଥିବା କାରଣରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଅସୁବିଧାର ସମ୍ମୁଖିନ ହେଉଥିବା ଦର୍ଶାଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଜାଲ ଶିକ୍ଷକ ମାନଙ୍କ ସଂପର୍କରେ ତଥ୍ୟ ଯୋଗାଇ ନଦେଲେ ସଂପୃକ୍ତ ଶିକ୍ଷାଧିକାରୀ ମାନଙ୍କ ଦରମା ବନ୍ଦ କରିଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ସରକାରଙ୍କ ଏହି ନିର୍ଦ୍ଦେଶ ଦେବାପରେ କଳାହାଣ୍ଡି ଜିଲ୍ଲାରେ ଜାଲିଆତିକରି ଶିକ୍ଷକତା କରୁଥିବା ଶିକ୍ଷକ ମହଲରେ ଭୟର ବାତାବରଣ ଖେଳିଯାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ବହୁ ସଂକ୍ୟାରେ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ କାର୍ଯ୍ୟରତ ଥିବା ବହୁଦିନରୁ ଅଭିଯୋଗ ହୋଇଆସୁଥିବା ବେଳେ ସେସବୁର ତନଖି କରାଯାଉନଥିବା ଜଣାପଡିଛି। ଅଧିକାଂଶ ପ୍ରାର୍ଥୀ ଦରଖାସ୍ତ ଦାଖଲ ସମୟରେ ଅଧିକ ମାର୍କ ପାଇଥିବା ଜାଲ ସାର୍ଟିଫିକେଟ ଦାଖଲ କରି ଚୟନ ହୋଇଯାଉଥିବା ଏବଂ ପୋଷ୍ଟିଂ ଅର୍ଡର ହାସଲ କରି କାର୍ଯ୍ୟରେ ଯୋଗ ଦେବା ସମୟରେ ସଠିକ ସାର୍ଟିଫିକେଟ ଦାଖଲ କରିଦେଇଥିବା କୁହାଯାଉଛି। ଫଳରେ ସେହି ଜାଲିଆତି ସଂପର୍କରେ ତଦନ୍ତକାରୀ ଅଧିକାରୀଙ୍କ ନଜରକୁ ଆସିପାରୁନଥିବା ଚର୍ଚ୍ଚା ହେଉଛି।

ତଦନ୍ତକାରୀ ଅଫିସର ସଂପୃକ୍ତ ଶିକ୍ଷକଙ୍କର ପଦବୀ ପାଇବା ପାଇଁ ଆବେଦନ ସମୟରେ କେଉଁ ସାର୍ଟିଫିକେଟ ଦାଖଲ କରିଥିଲେ ଏବଂ କେଉଁ ମାର୍କ ବଳରେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେଲେ ସେସଂପର୍କରେ ତଦନ୍ତ କଲେ ଆହୁରି ଅନେକ ଜାଲିଆତି ସଂପର୍କରେ ଜଣାପଡିଯାଇପାରେ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଶିକ୍ଷକ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭରୁ କାଗଜାତ ତଦନ୍ତ କରାଗଲେ ଜାଲ ସାର୍ଟୀପିକେଟ ସଂପର୍କରେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିଯାଇପାରିବ ବୋଲି ଆଲୋଚନା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସ କବଜାରେ ଜୀବନ୍ତ ବୋମା, ଗୁଳି ଓ ଦେଶି ବନ୍ଧୁକ ସହ ଅସାମାଜିକ ବ୍ୟକ୍ତି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୋଲିସ ସେହି ଅଂଚଳର ଜଣେ ହାଡକୋର ଅସାମାଜିକ ବ୍ୟକ୍ତି ହେମନ୍ତ ସାହୁ (୨୦) ଙ୍କୁ ଜୀବନ୍ତ ବୋମା, ଗୁଳି ସମେତ ଦେଶୀ ବନ୍ଧୁକ, ଭୂଜାଲି ସହିତ ଗିରଫ କରିଥିବା କଳାହାଣ୍ଡି ପୋଲିସ ଏସପି ଙ୍କ ସୂତ୍ରରୁ ପ୍ରକାଶ।

ଗତ ୨୦ ତାରିଖ ସକାଳେ ମ.ରାମପୁର ଥାନା ପୋଲିସ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ମୋହନଗିରି ପାଜିବାହାଲ ରାସ୍ତାରେ ଓଡି ୦୮ ଏମ ୩୬୩୨ ନମ୍ବର ବାଇକରେ ଜରି ବସ୍ତାରେ କିଛି ଜିନିଷ ବାନ୍ଧି ଯାଉଥିବା ପାଇଥିଲେ। ଅଟକିବାକୁ କହିବାପରେ ସଂପୃକ୍ତ ବ୍ୟକ୍ତି ଦୃତ ଗତିରେ ପଳାଇଯାଉଥିବା ବେଳେ ପୋଲିସ ପକ୍ଷରୁ ତାକୁ କବଜା କରାଯାଇଥିବା ପ୍ରକାଶ।

ସଂପୃକ୍ତ ହେମନ୍ତ ସାହୁଙ୍କ ନାମରେ ମ.ରାମପୁର ଥାନା, ଭବାନୀପାଟଣା ସଦର ଥାନା, ବାଲିଗୁଡା ଥାନା ରେ କେଶ ଥିବାର ଏବଂ ସେ ପୋଲିସର ୱାନଟେଡ ଥିବା ଜଣାପଡିଥିଲା। ସଂପୃକ୍ତ ହେମନ୍ତର ବାଇକରେ ଥିବା ବସ୍ତାରେ ଦେଶୀ ବନ୍ଧୁକ, ଗୁଳି, ବୋମା, ଭୂଜାଲି ତଥା ଦେଶୀ ପାଉଚ ମଦ ପୋଲିସ ଜବତ କରିବା ସହ ହେମନ୍ତକୁ ଗିରଫ କରିଥିବା ଜଣାପଡିଛି।

ହେମନ୍ତର ନାମରେ ମ.ରାମପୁର ଥାନାରେ କେଶ ନଂ.୧୩୦/୨୦୨୧ ଆଇପିସି ଧାରା୩୪୧,୩୨୩,୩୭୯,୫୦୬,୩୪ ଧାରା, କେଶ ନଂ.୭୨/୨୦୨୦ ଆଇପିସି ୨୯୪,୩୨୩,୩୫୩,୫୦୬,୩୪ ଧାରା ତଥା ୨୫ ଅର୍ମସ ଆକ୍ଟ, ଭବାନୀପାଟଣା ଥାନା କେଶ ନଂ. ୯୧/୨୦୧୮ ଆଇପିସି ୪୫୭,୩୮୦ ଧାରା ଓ ବାଲିଗୁଡା ଥାନା କେଶ ନଂ.୧୪୬/୨୦୧୯ ଆଇପିସି ୪୫୨,୩୪୧,୩୨୩,୩୯୨,୩୯୪,୩୫୪,୫୦୬,୩୪ ଆଇପିସି ତଥା ୨୫,୨୭ ଆର୍ମସ ଆକ୍ଟ ଏବଂ ଚାର୍ଜ ସିଟ ନଂ. ୮୧ ତା.୨୬.୦୫ ୨୦୨୦ ରେ କେଶ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ବକେୟା ସବସିଡି ପ୍ରଦାନ ଏବଂ ଏଫସିଆଇ ଦ୍ୱାରା ଧାନ ଉଠାଣ ଦାବୀରେ ବିଜେଡିର ଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଜୁନାଗଡ ଠାରେ ଥିବା ଏଫସିଆଇ ଅଫିସା ସାମନାରେ ଜିଲ୍ଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି। କେନ୍ଦ୍ର ସରକାର ଓଡିଶାକୁ ସବସିଡି ବାବଦକୁ ୬୫୦୦ କୋଟୀ ଟଙ୍କା ଦେବାକୁ ଥିବା ବେଳେ ଏଫସିଆଇ ମାଧ୍ୟମରେ ଚାଉଳ ଉଠାଣରେ ବିଲମ୍ବ କରୁଥିବା ଅଭିଯୋଗ କରାଯାଇଛି। କେସିଙ୍ଗା ଠାରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଙ୍କ ନେତୃତ୍ୱ ରେ ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଗୋବର୍ଦ୍ଧନ ଦାସ ପ୍ରମୂଖ ଙ୍କ ଉପସ୍ଥିତିରେ ବହୁ ବିଜେଡି କର୍ମୀ କେନ୍ଦ୍ର ଉପରେ ବର୍ଷିଥିଲେ। ସେହିପରି ଜୁନାଗଡସ୍ଥିତ ଏଫସିଆଇ କାର୍ଯ୍ୟାଲୟ ସମ୍ମୁଖରେ ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ସାମିଲ ହୋଇ କେନ୍ଦ୍ର ଉପରେ ବର୍ଷି ଥିଲେ। ଧାନ କିଣା ବାବଦକୁ କେନ୍ଦ୍ର ସରକାର ୬୫୦୦ କୋଟୀ ଟଙ୍କା ବାକି ରଖିଥିବା ବେଳେ କାଲି ବସ୍ତା ଯୋଗାଣ ରେ ଅସୁବିଧା ହେଉଥିବା କାରଣରୁ ଧାନ କିଣାରେ ବ୍ୟାପକ ଅସୁବିଧା ହେଉଥିବା ଦର୍ଶାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ତିନି ଦଫା ଦାବୀ ପତ୍ର ଦାଖଲ କରାଯାଇଥିଲା।

ଅନ୍ୟପକ୍ଷରେ ବିଜେଡିର ଏତାଦୃଶ ଧାରଣା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ଦେଶ୍ୟରେ କରାଯାଉଥିବା ବିଜେପି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି। ବିଜେପି କୃଷକ ସେଲ ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଧାନ କିଣା କାରବାରରେ ରାଜ୍ୟ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଥିବା ଜଣାପଡିଛି। ରାଜ୍ୟ ସରକାର ଚାଷୀଙ୍କ ଧାନକୁ ମଣ୍ଡିରେ କଟନୀ ଛଟନି ବନ୍ଦ କରିବା ସହିତ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା କରି ଚାଷିଙ୍କ ଠାରୁ ସିଧାସଳଖ ଧାନ କିଣନ୍ତୁ ବୋଲି ଦାବୀ କରିଛନ୍ତି। ଇପ୍ରକ୍ରୀୟା ମାଧ୍ୟମରେ ମଣ୍ଡି ଲେବର ଓ ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରି ମଣ୍ଡିୱାରୀ ସ୍ୱଚ୍ଛତା ସହ ଲୋକଲୋଚନକୁ ଆଣନ୍ତୁ ବୋଲି ଦାବୀ କରାଯାଇଛି। ମଣ୍ଡି ମାନଙ୍କରେ ପ୍ରକୃତ ପକ୍ଷେ କଣସବୁ ଘଟୁଛି ସେସବୁ ଚାଷୀମାନେ ଠିକ ଜାଣିଥିବା ପ୍ରକାଶ କରିଛନ୍ତି।

ଏଭଲି ଗୋଲକ ଧନ୍ଦା ଭିତରେ ନୀରିହ ଚାଷୀ ପେଷି ହୋଇଯାଉଥିବା କଳାହାନଯଡିର ଚାଷୀମାନଙ୍କ ମଧୟରେ ଆଲୋଚନା ହେଉଛି । ମଣ୍ଡି ବନ୍ଦ ଘୋଷଣା ହେବାପରେ ମଧ୍ୟ ଅଦ୍ୟାବଧି ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ ବିକ୍ରି ହୋନପାରି ପଡିରହିଥିବା ଅଭିଯୋଗ ହେଉଛି। ଗତ ଖରିଫରେ ମଧ୍ୟ ସେଭଲି ମଣ୍ଡି ବନ୍ଦ ହେବାପରେ ଚାଷୀଙ୍କ ଧାନକୁ କମ ମୂଲ୍ୟରେ ବିକ୍ରୀ କରାଯାଇଥିବା ବେଳେ ହେି ଧାନର ହିସାବ କିପରି କରାଗଲା ଏବଂ ସେହି ଧାନର ଚାଉଲ କିପରି ଉଠାଣ ହେଲା ସେସଂପର୍କରେ ତଦନ୍ତ ହେବା ଅବଶ୍ୟକ ବୋଲି ଚାଷି ମହଲରେ ଦାବୀ ହେଉଛି। ସେହିପରି ରବିର ଧାନ କୁ କିପରି ଉଠାଣ କରାଯିବ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ।

ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

କଳାହାଣ୍ଡି ରେ ପି.ସି.ଭି. ଟୀକାକରଣର କାର୍ଯ୍ୟକ୍ରମ ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି. କୁ ଯୋଡ଼ା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ। ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଡେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ। ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ନିମୋକୋକଲ ଜୀବାଣୁ ସଂକ୍ରମଣ ଫଳରେ, ନିମୋନିଆ ହେବା ଯୋଗୁଁ ପ୍ରତି ହଜାରେ ଶିଶୁ ମଧ୍ୟରେ ୫୪ ଶିଶୁ ମୃତ୍ୟୁବରଣ କରୁଥିଲେ। ତେବେ ଏହି ଟୀକାକରଣ ଦ୍ଵାରା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରେ ଶିଶୁମୃତ୍ୟୁ ହାର କମ କରିବାରେ ସରକାର ସଫଳ ହେବେ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନ୍ଫରେନ୍ସ ହଲ ଠାରେ ଆୟୋଜିତ ପ୍ରେସ କନ୍ଫରେନ୍ସରେ ବିବୃତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଜଳନ୍ଧର ମେହେର, ଏଡିପିଏଚଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶୀତଳ ଭଣ୍ଡାରରେ କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ତଦନ୍ତ: ଡିଲରମାନଙ୍କ ପକ୍ଷରୁ ଚପାଇଦେବାକୁ ଉଦ୍ୟମ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ଅଭିଯୋଗ ସଂପର୍କରେ ତଦନ୍ତ ଧିମେଇ ଯାଇଥିବା ଅଭିଯୋଗ ହେଉଛି। ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଅସାଧୁ ଡିଲର ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ କେବଳ କାଜପତ୍ର ପସ୍ତୃତ କରି ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏସଂପର୍କରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରୁଥିବା ମଧ୍ୟ କୁହାଯାଉଛି । ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।

ନେତ୍ରମୋହନ ମାଝୀ, ଅର୍ଜୁନ ମାଝୀ, ଟୋପିନ୍ଦ୍ର ସୁନାନୀ, ପରମେଶ୍ୱର ଶବର, ରାମେଶ୍ୱର ଶବର ଭଲି ନୀରିହ ବ୍ୟକ୍ତି ମାନଙ୍କୁ ସରକାରୀ ସହାୟତା ମିଳିବା ପ୍ରଲୋଭନ ଦେଖାଇ ହାରଭେଷ୍ଟର ଯୋଗାଇ ନଦେଇ ସେମାନଙ୍କ ସବସିଡି ଟଙ୍କା ଉଠାଣ କରିନେଇଥିବା ବେଳେ ସେମାନଙ୍କୁ ୬ଲକ୍ଷ ଟଙ୍କା ସରକାର ଦେଇଥିଲେହେଁ ପ୍ରକୃତ ହିତାଧିକାରୀ ସେହି ସୁବିଧାରୁ ବଂଚିତ ହୋଇଯାଇଥିବା ଜଣାପଡିଛି। ମାତ୍ର ୧୧ ଡିସମିଲ ଘରଡିହ ଥିବା ଜନଜାତି ବ୍ୟକ୍ତିଙ୍କ ନାମରେ ୨୪ଲକ୍ଷ ୬୦ହଜାର ଟଙ୍କାର ହାରଭେଷ୍ଟର ଯୋଗାଣ କରାଯାଇ ୬ଲକ୍ଷ ଟଙ୍କା ସବସିଡି ଦିଆଯାଇ ବାଟମାରଣା ହୋଇଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ମେକାନିକ କାମ କରୁଥିବା ଧନଂଜୟ ମାଝୀ, ବିଜୁପକ୍କାଘର ପାଇଥିବା ଈଶ୍ୱର ଭୋଇ ଏବଂ ବେଦାନ୍ତ ମାଝି, ଉପେନ୍ଦ୍ର ମାଝୀ, ବିଜୟ ମାଝୀ, ପବିତ୍ର ମାଝି ଭଲି ସରଳ ନୀରିହ ଏସ.ସି/ଏସ.ଟି ବ୍ୟକ୍ତିଙ୍କ ଖାତାରେ ସରକାରୀ ସବସିଡି ୬ ଲକ୍ଷ ଦିଆଯାଇଥିଲେହେଁ ସେମାନେ ଶୋଷିତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେସଂପର୍କରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। ଏସଂପର୍କରେ ଠୋସ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଏଭଲି ଶୋଷଣ ବୃଦ୍ଧିପାଇବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ।

ୟନମାର କମ୍ପାନୀ ତରଫରୁ ଦଲାଲ ମାଧ୍ୟମରେ କାଗଜାତ ସଂଗ୍ରହ କରାଯାଇ ସରଳ ନୀରିହ ଏସ.ସି/ଏସ.ଟି ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେମାନଙ୍କୁ ସରକାରୀ ସହାୟତା ଆଶା ଦେଖାଇ ଜମି ଓ ପାଶବୁକ/ଚେକ ଇତ୍ୟାଦି କାଗଜାତ ସଂଗ୍ରହ କରି ଫଟୋଉଠାଇ ନେଇ ହାରଭେଷ୍ଟର ଯୋଗାଣ କାଗଜାତ ପ୍ରସ୍ତୃତ କରାଯାଉଥିଲା ଓ ପାଶବୁକରେ ସବସିଡି ୬ ଲକ୍ଷ ଟଙ୍କା ପଡିଲା ପରେ ଟଙ୍କା ଉଠାଣ କରିଦେଲେ ତାହା ଡିପୋଜିଟ କରି ବେଙ୍କ ଋଣ କରାଇ ହାରଭେଷ୍ଟର ଯୋଗାଣ କରାଯିବା ବୋଲି ଆଶାଦେଖାଇ ମାତ୍ର ୨୦/୩୦ ହଜାର ଟଙ୍କା ଦେଇ ୬ଲକ୍ଷ ଟଙ୍କାର ସବସିଡି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ନେତ୍ର ମୋହନ ମାଝୀଙ୍କ ୁ ସେଭଲି ଠକେଇ କରାଯାଇଥିବା ଅଭିଯୋଗ ହେବା ପରେ ସଂପୃକ୍ତ ଦଲାଲ ନିଜେ ଉକ୍ତ ହାରଭେଷ୍ଟର କିଣିଥିବା ସଫେଇ ଦେଉଥିବା ବେଳେ ଟୋପିନ୍ଦ୍ର ସୁନାନୀ ଙ୍କ କାଗଜାତରେ ଅନ୍ୟ ଲୋକଙ୍କ ଫୋନ ନମ୍ବର ଦର୍ଶା ଯାଇଥିବା ଜଣାପଡିଛି। ଅଧିକାଂଶ ହାରଭେଷ୍ଟର ଯୋଗାଣ କରାନଯାଇ କେବଳ କାଗଜାତ ପ୍ରସ୍ତୃତ କରାଯାଇ ସବସିଡି ହଡପ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି।

କୃଷିବିଭାଗ ପକ୍ଷରୁ ହିତାଧିକାରୀ ପାଖରେ ହାରଭେଷ୍ଟର ଅଛି କି ନାହିଁ ସେବିଷୟରେ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ କିପରି ଭାବରେ କେଉଁ ବେଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଋଣ ହେଲା, ସବସିଡି ଟଙ୍କା ପାଶବୁକରେ ପଡିଲା ପରେ କାହା ପାଖକୁ ଟ୍ରାନସଫର ହେଲା, ହିତାଧିକାରୀ କଣ ପାଇଲା, ବର୍ତ୍ତମାନ ହାରଭେଷ୍ଟର କାହା ପାଖରେ ଅଛି, ଯଦି ଲିଜ ଦିଆଯାଇଛି ବୋଲି କୁହାଯାଉଛି ତେବେ କିପରି ଭାବେ ଲିଜ ଦିଆଯାଇଛି, ହିତାଧିକାରୀ କେତେ ଟଙ୍କା ପାଉଛି ଆଦି ବିଭିନ୍ନ ବିଷୟରେ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଏସଂପର୍କରେ ଉଚିତ ପଦକ୍ଷେପ ନିଆନଗଲେ ସରକାରୀ ସବସିଡି କେବଳ ଦଲାଲ ଓ ଡିଲରଙ୍କ ଦ୍ୱାରା ବାଟମାରଣା ହିଁ ସାର ହେବ ଏବଂ ସରକାରଙ୍କ କୃଷକ ପ୍ରୋତ୍ସାହନ ଯୋଜନା ସଫଳ ହୋଇପାରିବ ନାହିଁ ବୋଲି ଚାଷୀମହଲରେ ମତପ୍ରକାଶ ପାଇବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ରାଜରାସ୍ତା ଉପରେ ଅନ୍ନଦାତା: ଟୋକନ ଲାପ୍ସ ହେବାପରେ ଧାନ ବିକ୍ରି ନେଇ ଅନିଶ୍ଚିତତା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ଅନ୍ନଦାତାଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଥିବା ଜଣାପଡିଛି। ବାଧ୍ୟ ହୋଇ ଅନ୍ନଦାତା ଆଜି ରାଜରାସ୍ତାରେ ଧାନ ବସ୍ତା ସହ ଓହ୍ଲାଇଥିବା ଦେଖାଯାଇଛି। କଳାହାଣ୍ଡିରେ ପ୍ରତି ଖରିଫ ଓ ରବିରେ ମଣ୍ଡି ସମସ୍ୟା ର ସମାଧାନ ହୋଇପାରିନାହିଁ। ସରକାରଙ୍କ ଧାନକ୍ରୟ ନୀତି ବଦଳୁଥିଲେ ହେଁ ଚାଷିଙ୍କ ଧାନ ବିକ୍ରୀ ସମସ୍ୟା ସମାଧାନ ହୋଇପାରୁନାହିଁ।

ଚାଷିଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୀ କରିବା ପାଇଁ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଆପତି କରିଥିଲେ ହେଁ ସେସବୁ ସମସ୍ୟା ର ସମାଧାନ ହୋଇନପାରିବାରୁ ଶେଷରେ ବାଧ୍ୟ ହୋଇ ଚାଷି ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି। କୋକସରା ବ୍ଲକ ଅଂଚଳର କାଶୀବାହାଲ, ମୋଟେର, ଜୟପାଟଣା ବ୍ଲକର ବାନେର, ବିମଳା,ରଣମାଲ, ଭେଜିଗୁଡା, ବାଣ୍ଡିଗାଁ, ବଡଟେମରୀ ତଥା କଲମପୁର ବ୍ଲକ ଅଂଚଳର ବିଜମରା, ଦୁଲକିବନ୍ଧ ମଣ୍ଡି ଅଂଚଳର ଶତାଧିକ ଳ ଚାଷି ଶନିବାରଦିନ ମୋଟେର ଜୟପାଟଣା ରାସ୍ତା ଉପରେ ଧାନ ବସ୍ତା ସହ ଧାରଣା ଦେଇଥିଲେ। ଏହିସବୁ ମଣ୍ଡି ଗୁଡିକର ଚାଷୀମାନେ ସଂପୃକ୍ତ ମଣ୍ଡି ଗୁଡିକରେ ଧାନ ବିକ୍ରୀ କରିବା ପାଇଁ ନିର୍ଦ୍ଧାରିତ ଧାନକିଣା ସଂସ୍ଥା ଗୁଡିକରେ ଚାଷୀ ପଂଜିକରଣ କରାଇଥିଲେ। ତଦନୁସାରେ ଚାଷୀମାନେ ସଂପୃକ୍ତ ମଣ୍ଡିକୁ ଧାନ ନେଇଥିଲେହେଁ ସେମାନଙ୍କ ଧାନ ସବୁ ବିକ୍ରୀ ହୋଇନପାରି ଶେହରେ ସେମାନଙ୍କ ଟୋକନ ସବୁ ଲାପ୍ସ ହୋଇଯାଇଥିବା ହେତୁ ଧାନ ବିକି ପାରିନଥିବା ଚାଷିମାନେ ଧାନ ବିକି ପାରିନଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା, ଥାନାଧିକାରିଣୀ ରଶ୍ମିତା ପ୍ରଧାନ, ଧର୍ମଗଡ ଏଆରସିଏସ ଭୀକାରୀ ସେଠ, ଏସିଏସଓ ଖଗେଶ୍ୱର ପଣ୍ଡା ଚାଷି ମାନଙ୍କୁ ବୁଝାସୁଝା କରିଥିଲେହେଁ ଚାଷୀମାନେ ଲାପ୍ସ ହୋଇଥିବା ଟୋକନ ୱାପସ କରାଯାଇ ସେମାନଙ୍କ ଧାନ ବିକ୍ରି କରାଯିବା ବ୍ୟବସ୍ଥା କରିବାକୁ ଅଡିବସିଥିଲେ। ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ଆସି ଚାଷୀଙ୍କ ଧାନ ଉଠାଣ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେବାପରେ ଚାଷୀ ଧାରଣାରୁ ଉଠିଥିବା ଜଣାପଡିଛି।

ପ୍ରତିବର୍ଷ ଧାନ କିଣା ବ୍ୟବସ୍ଥାରେ ସମସ୍ୟା ଦେଖାଯାଉଥିବା ବେଳେ ପ୍ରଶାସନ ସେସବୁର ସମାଧାନ କରିପାରୁନଥିବା ଚାଷୀ ମହଲରେ ଆଲୋଚନା ହେଉଛି। ସମଗ୍ର କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୨ ଜଣ ମିଲର୍ସଙ୍କ ମର୍ଜିରେ ଧାନ କିଣା ବ୍ୟବସ୍ଥା ପରିଚାଲିତ ହେଉଥିବା ବେଳେ ପ୍ରାୟ ୫୮ହଜାର ଚାଷି ଶୋଷିତ ହୋଇଥାନ୍ତି ଏବଂ ପ୍ରଶାସନ କିଂକର୍ତବ୍ୟ ବିମୂଢଃ ହୋଇ ପଡୁଥିବା ଅଭିଯୋଗ ହେଉଛି। ସମସ୍ତ ପ୍ରକାର ସରକାରୀ ନିୟମ କାନୁନକୁ ଜଳାଂଜଳି ଦିଆଯାଇ ଚାଷୀଙ୍କ ଧାନକୁ ସିଧାସଳଖ ମଣ୍ଡିରେ ସଂଶ୍ଳିଷ୍ଟ ହୋଇଥିବା ରାଇସମିଲର୍ସଙ୍କ ପସନ୍ଦ ଅନୁସାରେ ଧାନ ଉଠାଣ କରାଯାଇଥାଏ ଏବଂ ସଂପୃକ୍ତ ଧାନକିଣା ସଂସ୍ଥା ପାକ୍ସ କିମ୍ବା ଏସଏଚଜି ରେ କେବଳ କାଗଜାତ ପ୍ରସ୍ତୃତ କରାଯାଇଥାଏ।

ଧାନ ବିକ୍ରିରୁ ଶତକଡା ଅଢେଇ ଟଙ୍କା କମିଶନ ପାଉଥିବା ଧାନକିଣା ସଂସ୍ଥା ମାନଙ୍କର କୌଣସି ଭିତିଭୂମି ନଥିବା ବେଳେ ଶତକଡା ଦୁଇ ଟଙ୍କା ମାର୍କେଟ ଫିଜ ନେଉଥିବା ଆରଏମସି ପକ୍ଷରୁ ଚାଷିଙ୍କୁ ଆବଶ୍ୟକୀୟ ସହେଯାଗ ଯୋଗାଇ ଦିଆଯାଉନାହିଁ କିମ୍ବା କୌଣସି ପ୍ରକାରେ ଚାଷୀ ସଚେତନତା କରାଯାଉନାହିଁ। ମଣ୍ଡି ମାନଙ୍କରେ ଚାଷୀ ଭିତିଭୂମି ଓ ଚାଷି ସଚେତନତା ଅଭାବରୁ ବାଧ୍ୟ ହୋଇ ପ୍ରଶାସନ ଜାଣତରେ ରାଇସ ମିଲର୍ସ ମାନେ ହିଁ ମଣ୍ଡିରେ ନିଜ ମର୍ଜିରେ ଧାନ ଉଠାଣ କରୁଥିବା ଅଭିଯୋଗ ହୋଇଥାଏ।

ଅନ୍ୟପକ୍ଷରେ ଯେଉଁସବୁ ମଣ୍ଡିରେ ସ୍ଥାନୀୟ ମିଲର୍ସ ଟେଗିଂ ହୋଇଥାଏ ସେସବୁ ମଣ୍ଡି ମାନଙ୍କରେ ଅସାଧୁ ମିଲର୍ସ ଙ୍କ ଲାଭଖୋର ମନୋବୃତି ଯୋଗୁଁ ଚାଷିଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡୁଥିବା ଚାଷି ମହଲରେ ଅଭିଯୋଗ ହୋଇଥାଏ। ଧାନ ଉଠାଣ ପାଇଁ ଟ୍ରାନସପୋର୍ଟିଂ ବାହାନାରେ କେତେକ ମିଲର୍ସ ଙ୍କୁ ଶହେ ରୁ ଅଧରକ କିମି ଦୂରର ମଣ୍ଡି ରେ ସଂଲଗ୍ନ କରାଯାଉଥିବା ବେଳେ କେତେକଙ୍କୁ ୨ରୁ ୩ କିମି ଦୂରତା ମଧ୍ୟରେ ସୀମିତ କରାଯାଉଥିବା ଚାଷି ହଇରାଣର ଏକ ମୂଖ୍ୟ କାରଣ ବୋଲି ଚାଷି ନେତାମାନେ ପ୍ରକାଶ କରନ୍ତି।

ଅତୀତରେ ଏଭଲି ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଅଦ୍ୟାବଧି ସେସବୁର ସମାଧାନ ହେଉନଥିବା ବେଳେ ପ୍ରତିବର୍ଷ ଧାନ କିଣା ବ୍ୟବସ୍ଥାରେ ସମସ୍ୟା ଉପରେ ସମସ୍ୟା ବଢିବାରେ ଲାଗୁଥିବା ଚାଷୀମହଲରେ ଅଭିଯୋଗ ହେଉଛି। ପାକ୍ସ ମାନଙ୍କରେ କିଛିଟା ଭିତିଭୂମି ବଢୁଥିବା ବେଳେ ଗତ ୨୦୧୮ ମସିହାରେ ସରକାର ମହିଳା ସଶକ୍ତିକରଣ ନାମରେ ଏସଏଚଜିଙ୍କୁ ଧାନକିଣା ଦାୟୀତ୍ୱ ଦେବାପରେ କମିଶନଟଙ୍କାର କୌଣସି ହିସାବ ରହୁନଥିବା ମଧ୍ୟ ଅଭିଯୋଗ ହେଉଛି। କେତେକ ରାଇସ ମିଲର୍ସ ଙ୍କ କବଜାରେ ଏସଏଚଜି ପରିଚାଲିତ ହେଉଥିବା ଏବଂ କମିଶନ ଟଙ୍କା ସିଧାସଳଖ ସେମାନଙ୍କ ପକେଟକୁ ଯାଉଥିବା ହେତୁ ଭିତିଭୂମି ବୃଦ୍ଧି କେବଳ ଦିବାସ୍ୱପ୍ନ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

ଏଭଳି ଅନେକ ସମସ୍ୟାର ସମାଧାନ କରାଯାଉନଥିବା ବେଳେ ମାର୍କେଟଫିଜ ନେଉଥିବା ଆରଏମସି ଚାଷି ସଚେତନତା ପାଇଁ କୌଣସି ବ୍ୟବସ୍ଥା କରୁନଥିବା ମଧ୍ୟ ଅନ୍ୟ ଏକ ପ୍ରମୂଖ କାରଣ ବୋଲି ମଧ୍ୟ ଆଲୋଚନା ହେଉଛି। ସରକାର ଏସବୁ ଦିଗପ୍ରତି ଦୃଷ୍ଟି ଦେବାକୁ ଚାଷୀମହଲରେ ଦାବୀ ହେଉଛି।