Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ହେରାଫେରି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିବା ସହିତ କୃଷି କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ରିହାତି ମୂଲ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହାର ସୁଯୋଗ ନେଇ କଳାହାଣ୍ଡିର ନୀରିହ ଚାଷୀମାନଙ୍କ ସରଳତାର ସୁଯୋଗ ନେଇ କେତେକ ଅସାଧୁ ଡିଲର ଚାଷୀଙ୍କୁ କୌଣସି କୃଷି ଯନ୍ତ୍ରପାତି ଯୋଗାଇ ନଦେଇ ଚାଷୀଙ୍କ ନାମରେ ସବସିଡି ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି। ଅନେକ ଚାଷୀ ନିଜ ନାମରେ କୌଣସି କୃଷି ଯନ୍ତ୍ରପାତି ଆଣିନଥିବାର ପ୍ରକାଶ କରିଛନ୍ତି।

ଇନ୍ଦ୍ରାବତୀ ଜଳ ସେଚନ ଯୋଜନାରୁ ବ୍ୟାପକ ଭାବେ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଧାନ ଚାଷ ବୃଦ୍ଧିପାଇବାରେ ଲାଗିଛି। ଏହାର ସୁଯୋଗ ନେଇ ଜିଲ୍ଲା ସାରା ଅଣଓଡିଆ ଚାଷୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଧାନ ଅମଳ କରିବା ପାଇଁ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଶ୍ରମିକ ମିଳୁନଥିବାରୁ ଧାନ ଅମଳରେ ଅସୁବିଧା ହେଉଥିବା କାରଣରୁ ଧାନ ଅମଳ ପାଇଁ କମ୍ବାଇନ ହାରଭେଷ୍ଟର ଭଲି ମୂଲ୍ୟବାନ ଯନ୍ତ୍ରଚାଲିତ ମେସିନର ଆବଶ୍ୟକ ପଡିଥାଏ। ପ୍ରାୟ ଚବିଶ ରୁ ଛବିଶ ଲକ୍ଷ ଟଙ୍କାର ଏହି କମ୍ବାଇନ ହାରଭେଷ୍ଟର ପାଇଁ ସରକାର ପକ୍ଷରୁ ଛଅ ଲକ୍ଷ ଟଙ୍କା ହିତାଧିକାରୀ ଚାଷୀଙ୍କୁ ସବସିଡି ଆକାରରେ ଯୋଗାଇ ଦିଆଯାଇଥାଏ। ଏହାର ସୁଯୋଗ ନେଇ କିଛି ଅସାଧୁ ଡିଲର ନିଜର କେତେକ ଏଜେଂଟ ମାଧ୍ୟମରେ ଗରିବ ନୀରିହ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ କାଗଜାତ ସଂଗ୍ରହ କରିବା ସହିତ ଫୁସୁଲାଇ ଆଧାର କାର୍ଡ, ଚେକ ସହିତ ବ୍ୟାଙ୍କ ପାଶବୁକ, ଜମି ସଂକ୍ରାନ୍ତୀୟ କାଗଜାତର କପି ଇତ୍ୟାଦି ସଂଗ୍ରହ କରି ସଂପୃକ୍ତ ଚାଷୀଙ୍କ ନାମରେ କମ୍ବାଇନ ହାରଭେଷ୍ଟର ମେସିନ ଆଣିଥିବା ଦର୍ଶାଇ ଚାଷୀଙ୍କ ବେଙ୍କ ପାଶବୁକରେ ସବସିଡି ଟଙ୍କା ପଡିଗଲେ ଚେକ ମାଧ୍ୟମରେ ଟଙ୍କା ଉଠାଣ କରିନେଇ ଚାଷୀଙ୍କୁ ଦଶ ହଜାରରୁ କୋଡିଏ ହଜାର ଟଙ୍କା ଧରାଇ ଦେଇ ସବସିଡି ହରିଲୁଟ କରିଥିବା ଅଭିଯୋଗ ମାନ ହୋଇଛି।

ଗତ ୨୦୧୮ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଗ୍ରାମପଂଚାୟତ ର ପଣ୍ଡରାପଲା ଗ୍ରାମର ନେତ୍ର ମୋହନ ମାଝୀ ପି. ଦକ୍ଷିଣ ମାଝୀ ଙ୍କ ନାମରେ ୟନମାର କରମଣ୍ଡଳ ଏଗ୍ରୋ ଟୁଲ୍ସ କମ୍ପାନୀର ଏକ କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ସରକାରୀ ରେକର୍ଡରେ ଥିବା ବେଳେ ତାଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ନଥିବାର ପ୍ରକାଶ କରିଛନ୍ତି। ଏପରିକି ନେତ୍ର ମୋହନ ଙ୍କୁ ତିରୁମାଳା ଏଗ୍ରୋ ଏଜେନ୍ସିର ଜନୈକ କର୍ମଚାରୀ ଡାକି ନେଇ ଧର୍ମଗଡ ନିକଟସ୍ଥ ବସୁଲ ଗ୍ରାମରେ ଏକ ଧାନ କ୍ଷେତରେ ଥିବା ହାରଭେଷ୍ଟର ସାମନାରେ ଠିଆ କରାଇ ଦେଇ ଫଟୋ ଉଠାଇ ନେଇଥିବା ନେତ୍ରାନନ୍ଦ ପ୍ରକାଶ କରିଛନ୍ତି। ନେତ୍ର ମୋହନ ମାଝୀଙ୍କ ବେଙ୍କ ଚେକ ନଂ.୫୨୪୯୮୧ ଓ ୫୨୪୯୮୨ ଯୋଗେ ୧୮.୦୧.୨୦୧୯ ଦିନ ଏବଂ ଚେକ ନଂ. ୫୨୪୯୮୩ ଯୋଗେ ଏନଇଏଫଟି କରି କମ୍ପାନୀ କର୍ମଚାରୀ ସମସ୍ତ ସବସିଡି ଟଙ୍କା ଉଠାଣ କରିନେଇଥିବା ଜଣାପଡିଛି। ଏସଂପର୍କରେ ନେତ୍ର ମୋହନ ଜିଲ୍ଲାପାଳ ଓ କୃଷିବିଭାଗ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି।
ସେହିପରି ଗତ ୨୦୧୮-୧୯ ମସିହାରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମୋହନଗୁଡା ଗ୍ରାମର ଅର୍ଜୁନ ମାଝୀ ନିଜ ନାମରେ କମ୍ବାଇନ ହାରଭେଷ୍ଟର ମେସିନ ଆସିନଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ନିକଟସ୍ଥ ବିମଳା ଗ୍ରାମରେ ରହୁଥିବା ଜୁନାଗଡିଆ ଚିରିକୁରୁ ନାମକ ଜଣେ ଅଣଓଡିଆ ଚାଷୀ ଅର୍ଜୁନ ମାଝୀକୁ ଆଶା ଦେଖାଇ ଭବାନୀପାଟଣାସ୍ଥିତ କ୍ଲାସ ସୋରୁମକୁ କୁ ଡାକିନେଇ କମ୍ବାଇନ ହାରଭେଷ୍ଟର କିଣିବା ପାଇଁ କହିଥିଲେ। କ୍ଲାସ ସୋରୁମର ମାଲିକ ସହ ଚିରିକୁରୁ କଥା ହୋଇ ସେଠାରେ କେତେକ କାଗଜାତରେ ସ୍ୱାକ୍ଷର କରାଇବା ସହିତ ଅର୍ଜୁନକୁ ନିକଟରେ ଥିବା ଏକ ପ୍ରାଇଭେଟ ବେଙ୍କକୁ ଡାକିନେଇ ସେଠାରେ ଋନ କରିବା ପାଇଁ କେତେକ କଲାଗଜାତରେ ସ୍ୱାକ୍ଷର କରାଇବା ସହିତ ମୋର ପିଏନବିର ପାଶବୁକ ର ସାତଟି ଖାଲି ଚେକ ରେ ସ୍ୱାକ୍ଷର କରାଇନେଇଥିଲେ। କିଛିଦିନପରେ କମ୍ବାଇନ ହାରଭେଷ୍ଟର ଆସିଯିବ ବୋଲି କହି ସେଠାରୁ ମୋତେ ଘରେ ଛାଡିଦେଇଥିଲେ। ପଚାରିଲେ ତୋର କୌଣସି ହାରଭେଷ୍ଟର ମଂଜୁରୀ ହୋଇପାରିଲା ନାହିଁ ବୋଲି ଅର୍ଜୁନକୁ କହୁଥିବା ଅର୍ଜୁନ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ସବସିଡି ମଂଜୁର ହୋଇଥିବା ସରକାରୀ ରେକର୍ଡରେ ଏଭଲି ଅନେକ ଚାଷୀ ଙ୍କ ନାମରେ କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ତଥ୍ୟ ମିଳିଥିବା ବେଳେ ତନ୍ମଧ୍ୟରୁ ଅଧିକାଂଶ ଚାଷୀଙ୍କୁ କୌଣସି କମ୍ବାଇନ ହାରଭେଷ୍ଟର ଯୋଗାଇ ନଦେଇ କମ୍ପାନୀ ମାଲିକ ଓ ଏଜେନ୍ସି ମାଲିକ ମାନେ ଦଲାଲ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ସବସିଡି ହରିଲୁଟ କରିଥିବା ଅଭିଯୋଗମାନ ହୋଇଛି।

ଗତ ୨୦୧୮-୧୯ ମସିହାରେ ଜୁନାଗଡ ବ୍ଲକର ଗୌଡଛେଣ୍ଡିଆ ଗ୍ରାମର ସରୋଜ ସୁନାନିଙ୍କ ନାମରେ ୟାନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ପାଇଁ ଛଅ ଲକ୍ଷ ଟଙ୍କା ସବସିଡି ମିଳିଥିବା ବେଳେ ତାଙ୍କ ପାଖରେ କୌଣସି ହାରଭେଷ୍ଟର ନଥିବା ଜଣାପଡିଛି। ସେହିପରି ୟନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଇଦେବା ପାଇଁ ଅସ୍ଥାୟୀ ଭାବେ ଚାରବାହାଲ ଠାରେ ଏକ ଚେଆର ଟେବୁଲ ପକାଇ ତିରୁମାଳା ଏଗ୍ରୋ ଏଜେନ୍ସି ମାଧ୍ୟମରେ କେତେକ ଦଲାଲ ଏଭଲି ଭାବେ ନୀରିହ ଚାଷୀଙ୍କ ନାମରେ ସବସିଡି ହରିଲୁଟ ଯୋଜନା କରିଥିବା କୁହାଯାଉଛି। ବର୍ତମାନ ଚାରବାହାଲ ଠାରେ ଏହି ଏଜେନ୍ସି ହିଁ ନଥିବା ଜଣାପଡିଛି। କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମର ପେଶାରେ ଜଣେ ମେକାନିକ ଧନଂଜୟ ମାଝୀଙ୍କ ନାମରେ କ୍ଲାସ କମ୍ପାନୀର ପ୍ରାୟ ୨୭ ଟକ୍ଷ ଟଙ୍କାର କ୍ଲାସ କମ୍ବାଇନ ହାରଭେଷ୍ଟର ବାବଦକୁ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ଧନଂଜୟ ପାଖରେ କୌଣସି ହାରଭେଷ୍ଟର ନଥିବାର ପ୍ରକାଶ।

ସେହିପରି ଦୁଲକିବନ୍ଧ ଗ୍ରାମର ବିଜୁପକ୍କାଘର ହିତାଧିକାରୀ ଈଶ୍ୱର ଭୋଇ ନାମରେ କ୍ଲାସ କମ୍ବାଇନ ହାରଭେଷ୍ଟର ପାଇଁ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ଈଶ୍ୱର ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ନଥିବା ତାଙ୍କ ପରିବାର ଲୋକଙ୍କଠାରୁ ପ୍ରକାଶ। ଜୟପାଟଣା ବ୍ଲକର ଭଇଁରୀପାଲି ଗ୍ରାମର ବେଦାନ୍ତ ମାଝୀଙ୍କୁ ମାଁ ସନ୍ତୋଷି ଇଂଜିନିୟରିଂ ଜୟପାଟଣା ତରଫରୁ କର୍ତାର ଏଗ୍ରୋ କମ୍ପାନୀର କମ୍ବାଇନ ହାରଭେଷ୍ଟ ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥରବା ବେଳେ ବେଦାନ୍ତକୁ କୌଣସି ହାରଭେଷ୍ଟର ଦିଆଯାଇନଥିବା ଜଣାପଡିଛି। ଭଇଁରୀପାଲି ଗ୍ରାମର ଉପେନ୍ଦ୍ର ମାଝୀ ଓ ମୋହନଗୁଡା ଗ୍ରାମର ବିଜୟ କୁମାର ମାଝୀଙ୍କ ନାମରେ କ୍ଲାସ କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଣ କରାଯାଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ ହୋଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ସେହିପରି ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡବସୁଲ ଗ୍ରାମର ପର୍ଶୁରାମ ଶବର ଓ ରାମେଶ୍ୱର ଶବର ଙ୍କ ନାମରେ ୟନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ଦର୍ଶାଇ ଛଅଲକ୍ଷ ଟଙ୍କା ଲେଖାଏ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ଗତ ୨୦୧୯-୨୦ ମସିହାରେ କ୍ଲାସ ଇଣ୍ଡିଆ କମ୍ପାନୀ ର କମ୍ବାଇନ ହାରଭେଷ୍ଟର ଭବାନୀପାଟଣାସ୍ଥିତ ନର୍ମଦା ଇଣ୍ଢଷ୍ଟ୍ରୀଜ ପକ୍ଷରୁ ଭବାନୀପାଟଣା ବ୍ଲକ ତୁର୍ପି ଗ୍ରାମର ବିଶ୍ୱନାଥ ପାତ୍ର, ଗୋଲାମୁଣ୍ଡା ବ୍ଲକ ତୁମୁରା ଗ୍ରାମର ଦୁଯ୍ୟୋଧନ ମାଝୀ, ଜୟପାଟଣା ବ୍ଲକର ଭଇଁରୀପାଲି ଗ୍ରାମର ଦୁର୍ଜନ ବାଗ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇ ଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ। ସେହିପରି ୟନମାର କରମଣ୍ଡଳ ଏଗ୍ରି ସଲୁ୍ୟସନ କମ୍ପାନୀର କମ୍ବାଇନ ହାରଭେଷ୍ଟର ତିରୁମାଳା ଏଗୋ୍ର ଏଜେନ୍ସି ପକ୍ଷରୁ ନର୍ଲା ବ୍ଲକର କୁଟେନ ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ, ଜୟପାଟଣା ବ୍ଲକ ବଡଟେମରୀ ଗ୍ରାମର ରବିନ୍ଦ୍ର ମାଝୀ, କଲମପୁର ବ୍ଲକର ପରୁଆଗୁଡା ଗ୍ରାମର ତୋପିନ୍ଦ୍ର ସୁନାନୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇ ଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ସେହିପରି ଏକସନ କନଷ୍ଟ୍ରକସନ ଇକୁ୍ୟପମେଂଟ କମ୍ପାନୀର କମ୍ବାଇନ ହାରଭେଷ୍ଟର ଅସ୍ଥା ଏଗୋ୍ର ଟୁଲ୍ସ ପକ୍ଷରୁ ଜୁନାଗଡ ବ୍ଲକର କର୍ଲାକୋଟ ଗ୍ରାମର ଡେଙ୍ଗା ମାଝୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ। ସେହିପରି କରତାର ଏଗ୍ରୋ ଇଣ୍ଡଷ୍ଟ୍ରିଜ କମ୍ପାନୀର କମ୍ବାଇନ ହାରଭେଷ୍ଟର ମାଁ ସନ୍ତୋଷୀ ଇଂଜିନିୟରିଂ ପକ୍ଷରୁ ଜୁନାଗଡ ବ୍ଲକର ଦାସିଗାଁ ଗ୍ରାମର ଡେଙ୍ଗା ମାଝୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ବିଗତ ବର୍ଷ ମାନଙ୍କରେ କୃଷି ଯନ୍ତପାତି ଯୋଗାଣ ପାଇଁ ସରକାରୀ ସବସିଡି ଯୋଗାଣ କରାଯାଇଥିବା ସଂପର୍କରେ ଅନୁସନ୍ଧାନ କରାଗଲେ ଏଭଲି ଅନେକ ତାଲିକା ବାହାରିବ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ବିଭିନ୍ନ କୃଷିଯନ୍ତ୍ରପାତିର ଏଜେନ୍ସି ମାଲି ମାନେ ଦଲାଲ ଲଗାଇ ନୀରିହ ଚାଷିମାନଙ୍କୁ ଅଲ୍ପ କିଛି ଟଙ୍କା ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ଏଭଲି ଅନେକ କମ୍ବାଇନ ହାରଭେଷ୍ଟର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ନାମରେ ସବସିଡି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ଅଭାବି ଚାଷୀ ଅଳ୍ପ କିଛି ଟଙ୍କା ଲାଲସାରେ ନିଜସ୍ୱ କାଗଜାତ ଦେଇଦେଉଥିବା ବେଳେ କେତେକ ଚାଷୀଙ୍କ ଅଜାଣତରେ ଏଭଲି ଭାବେ ସବସିଡି ହରିଲୁଟ ହୋଇଥିବା ଅଭିଯୋଗ ହେଉଛି। ନିଜ ପକେଟରୁ କିଛି ଖର୍ଚ୍ଚ କରାନଯାଇ କାଗଜାତ କପି ଓ ପାଶ ବୁକ ବ୍ୟବହାର କରି କିଛି ଟଙ୍କା ପାଇ ଚାଷି ଖୁସ ରହୁଥିବା ବେଳେ ଚଂଚକତା କରି ଦଲାଲ ଓ ଏଜେନ୍ସି ମାଲିକ ମାନେ ମାଲେମାଲ ହେଉଥିବା ଜଣାପଡିଛି।

ଏସବୁ ଅଭିଯୋଗ ଯଦିଓ ସତ୍ୟ ତେବେ ସରକାରୀ ସବସିଡି ଅର୍ଥ ସଠିକ ମାର୍ଗରେ ଖର୍ଚ୍ଚ ହୋଇପାରୁନଥିବାରୁ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏଜେନ୍ସି ମାଲିକ ମାନଙ୍କ ଏଭଲି କାରବାରରେ ସାଧାରଣ ଚାଷୀ ସବସିଡି ପାଇପାରୁନାହିଁ। କେତେକାଂଶରେ ଅଣଓଡିଆ ଚାଷିମାନେ ଏଜେନ୍ସି ମାଲିକଙ୍କ ସହ ସଲାସୁତୁରା କରି ସ୍ଥାନୀୟ ନୀରିହ ଗରିବ ଚାଷୀ ନାମରେ କୃଷିଯନ୍ତ୍ରପାତି ଉଠାଣ କରି ପଡୋଶୀ ରାଜ୍ୟକୁ ଚାଲାଣ କରୁଥିବା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଲା ଗ୍ରାମରେ ଥିବା ଜନୈକ ଅଣ ଓଡିଆ ଚାଷୀ ପ୍ରାୟ ପନ୍ଦର ଗୋଟି ବିଭିନ୍ନ କମ୍ପାନୀର କମ୍ବାଇନ ହାରଭେଷ୍ଟର ରଖି ବ୍ୟବସାୟ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ କୃଷିଯନ୍ତ୍ରପାତି ସବସିଡି ମାମଲରେ ପୂର୍ବ ଭଲି କୃଷି ଅଧିକାରି ମାନଙ୍କୁ ସାମିଲ କରାଯାଉ ନଥିବାରୁ ଏଜେନ୍ସି ମାଲିକ ମାନେ ସହଜରେ ଏଭଲି ଚଂଚକତା କରିବାରେ ସକ୍ଷମ ହେଉଥିବା ଜନୈକ ବରିଷ୍ଠ କୃଷିପଦାଧିକାରୀ ପ୍ରକାଶ କରିଛନ୍ତି। ଏହି କମ୍ବାଇନ ହାରଭେଷ୍ଟର ସବସିଡି ଯୋଗାଣ ସଂପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଚାଷିମହଲରେ ଦୃଢ ଦାବୀ ହେଉଛି।

Categories
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସମିକ୍ଷା ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ନର୍ଲା, କେସିଙ୍ଗା, ମ;ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ ର ବ୍ରାହ୍ମଣ ମାନଙ୍କୁ ନେଇ ଗଠିତ ହୋଇଥିବା ଯୋରାଡବରା ମଣ୍ଡଳ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ମାସିକ ସମିକ୍ଷା ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ରବି ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ମାନବ ସମ୍ବଳ ଅଧିକାର କର୍ମୀ ତଥା ମନ୍ଦିର ସେବକ ସଂଘର ଓଡିଶା ରାଜ୍ୟ କମିଟି ସଦସ୍ୟ ଶ୍ରୀ ସୁକାନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସଭାର ପ୍ରାରମ୍ଭ କରିଥିଲେ।

ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ରୋକିବା ପାଇଁ ଘୋଷିତ ହୋଇଥିବା ଲକଡାଉନ୍ ପାଇଁ ସାରା ରାଜ୍ୟର ବିଷେଶ କରି ବ୍ରାହ୍ମଣ, ପୂଜକ, ମନ୍ଦିର ସେବକ ତଥା ସଂକୀର୍ତ୍ତନ କଳାକାର ମାନଙ୍କ ଆୟପନ୍ଥା ସଂପୂର୍ଣ୍ଣ ଭାବରେ ଦୋହଳି ଯାଇଥିବାବେଳେ ଏମାନେ କିପରି ଭାବରେ ପୁଣିଥରେ ସ୍ୱାବଲମ୍ବି ହୋଇପାରିବେ ସେଦିଗରେ ଏବଂ ମାନବ ସମ୍ବଳ ଅଧିକାର ସଂସ୍ଥା ର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରାଯାଇଥିଲା।

ମନ୍ଦିର ସେବକ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ, ମାସିକ ସହାୟତା ରାଶି ପ୍ରଦାନ, ବୟୋଜ୍ୟେଷ୍ଠଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ମନ୍ଦିର ସେବକ କାର୍ଡ ପ୍ରଦାନ ବ୍ୟବସ୍ଥା, ସନ୍ତାନ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ।, ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ନିଜର ହକ୍, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ମନ୍ଦିର ସେବକ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ,ଗୃହହୀନ ମାନଙ୍କ ପାଇଁ ନୂତନ ଗୃହର ବ୍ୟବସ୍ଥା,ରୋଜଗାର ପାଇଁ ଋଣ ବ୍ୟବସ୍ଥା ,କନ୍ୟା ବିବାହ ଓ ପୁତ୍ର ବ୍ରତପୋନୟନ ପାଇଁ ସହାୟତା ବ୍ୟବସ୍ଥା ଆଦି ବିଷୟରେ। ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ସମାଜର ସଂପାଦକ ଶ୍ରୀ ଡୋଲାମଣି ରଥ, ଯୁଗ୍ମ ସଂପାଦକ ଶ୍ରୀ ଉମା ଶଙ୍କର ମିଶ୍ର ,କୋଷାଧ୍ୟକ୍ଷ ଶ୍ରୀ ଅରୁଣ ଦାଶ ଶର୍ମା, ମାନବ ସମ୍ବଳ ଅଧିକାର ସଂସ୍ଥାର କଳାହାଣ୍ଡି ପ୍ରଭାରୀ ଶ୍ରୀ ଚିତ୍ରସେନ୍ ଦାଶ ଓ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ନନ୍ଦ ତଥା ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାଜ୍ୟ ଛାତ୍ର ବିଜେଡି କମିଟିରେ କଳାହାଣ୍ଡିକୁ ଗୁରୁତ୍ୱ, ଅବିନାଶ ଠାକୁର ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୁନର୍ବିନ୍ୟାସ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ପ୍ରତି ଗୁରୁତ୍ୱ ଦିଆଯାଇଛି।

କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କୁ ଏଥର ପଦୋନ୍ନତି କରି ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି। ସହିପରି ବୈଶାଖୀ ନନ୍ଦ ଙ୍କୁ ଉପ ସଭାପତି, ଅଭିଷେକ ମହାପାତ୍ର ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ଆଶିଷ ମହାପାତ୍ର, ସହ ସମ୍ପାଦକ ଭାବେ ଅମରଦୀପ ସିଂହ, ଜୋନ ସଭାପତି ଭାବେ ଚିରାଗ ସିଂହ ଦେଓ ପ୍ରମୁଖ ଙ୍କୁ ଦାୟିତ୍ୱ ମିଳିଛି। କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ବହୁ ବର୍ଷ ଧରି ଜିଲ୍ଲା ଛାତ୍ର ରାଜନୀତିରେ ସକ୍ରୀୟ ରହି ଛାତ୍ର ମାନଙ୍କୁ କ୍ରିୟାଶୀଳ କରିବାରେ ପ୍ରମୁଖ ଭୁମିକା ନେଇଛନ୍ତି। ସେ ୨୦୦୯ ମସିହାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୦ ଠାରୁ ଜିଲ୍ଲା ଛାତ୍ର ବିଜେଡି ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ। ତାଙ୍କର ଦଳ ପ୍ରତି ଆନୁଗତ୍ୟ, ଦକ୍ଷତା, ପାରଦର୍ଶିତା ଓ କଠିନ ପରିଶ୍ରମ ଯୋଗୁଁ ଆଜି ପ୍ରଥମ ଥର ପାଇଁ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ପଦ ମିଳି ପାରିଛି।

ତାଙ୍କ ନିଯୁକ୍ତି ଖବର ଜାଣିବା ପରେ ଵିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାସଂଦ ସୁଜିତ କୁମାର, ଛାତ୍ର ବ୍ୟାପାର ଦାୟିତ୍ୱ ରେ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁରକ୍ଷା ବଳ ଏବଂ ମାଓବାଦୀ ମଧ୍ୟରେ ସଂଘର୍ଷ: ଟଳିପଡିଲେ ୪ ମାଓବାଦୀ

କଳାହାଣ୍ଡି: ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କୀ ଜଙ୍ଗଲରେ ଏହି ସଂଘର୍ଷ ଚାଲିଥିଲା। ଏଥିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ କେତେଜଣ ମାଓବାଦୀ ସେଠାରେ ଉପସ୍ଥିତ ଥିଲେ ତାହା ସ୍ପଷ୍ଟ ହୋଇନି।

Categories
ଫଟୋ ଖବର

କଳାହାଣ୍ଡିରେ 26 ପୋଲିସ ଅଧିକାରୀ ପଜେଟିଭ ମୁକ୍ତ ହେବା ପରେ ସ୍ବାଧୀନତା ଦିବସରେ ଯୋଗଦାନ

କଳାହାଣ୍ଡି, ଏହି ଦିନ ଆମକୁ କରୋନାକୁ ପରାସ୍ତ କରିବାକୁ ଏକ ପ୍ରତିବଦ୍ଧ ସଂଗ୍ରାମ କରିବାକୁ ପ୍ରେରଣା ଦିଏ |ଏହି ଅବସରରେ ଆମେ ୨୬ ପୋଲିସ୍ କର୍ମଚାରୀଙ୍କୁ ସୁବିଧା କରିଛୁ ଯେଉଁମାନେ COVID ପଜିଟିଭଥିଲେ ଏବଂ ସୁସ୍ଥ ହେବା ପରେ ଡ୍ୟୁଟି ପାଇଁ ଫେରି ଆସିଥିଲେ।

Categories
ଆଞ୍ଚଳିକ

କର୍ଲାମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କର୍ଲାମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ମ ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିର ଚନ୍ଦ୍ର ବିଶ୍ୱାସ,ଫାଣ୍ଡି କର୍ମଚାରୀ ନିଲୁ ରଥ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ଏହି ଶିବିରରେ କର୍ଲାମୁଣ୍ଡା ଅଞ୍ଚଳର ସମାଜସେବୀ ଜଗନ୍ନାଥ ଚୌଧୁରୀ, ନନ୍ଦକିଶୋର ଭୋଇ, ଭବାନୀ ଶଙ୍କର କୁମାର, ସୁମନ୍ତ ସାହୁ, କିଶୋର ସୁନାନୀ, ଗଣେଶ୍ୱର କୁମାର, ଭାରତ ଭୂଷଣ ଷଡ଼ଙ୍ଗୀ, ପ୍ରଶାନ୍ତ ସାହୁ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡିରେ ୧୨ ପଜିଟିଭ ଚିହ୍ନଟ: ଭବାନୀପାଟଣା ସଟଡାଉନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ସୂଚନା ମିଳିଛି। ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଥିବା ବେଳେ ଅଧିକ ପରୀକ୍ଷଣ ଚାଲିଥିବା ଜଣାପଡିଛି। ସଂପୃକ୍ତ କରୋନା ଯୋଦ୍ଧା ମାନେ ଟାଉନଥାନାରୁ ଜଣେ ଏବଂ ୯ ଜଣ ପୋଲିସ ବେରେକରୁ ବୋଲିି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ନର୍ଲା ବ୍ଲକ ଅନ୍ତର୍ଗତ ରେକପୁର ଗ୍ରାମର ଜଣେ ସଂକ୍ରମଣ ହୋଇଥିବା ବେଳେ ଆର ଜଣକ ବରଗଡସ୍ଥିତ ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି। ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଭବାନୀପାଟଣା ସହର ମଧ୍ୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଭବାନୀପାଟଣା ସହରକୁ ଆଦେଶ ନଂ.୯୭୦ ତା.୨୪.୦୭.୨୦୨୦ ଅନୁସାରେ ସଟଡାଉନ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଡାକ୍ତରଖାନା ଏବଂ ଦାୟୀତ୍ୱରେ ଥିବା ପଦାଧିକାରୀଙ୍କୁ ବାଦ ଦିଆଯାଇଥିବା ପ୍ରକାଶ।

ଏଥିପୂର୍ବରୁ ଜୟପାଟଣା ବ୍ଲକର ମୁଖିଗୁଡା ଓ ବାନେର ପଂଚାୟତ ତଥା କଲମପୁର ବ୍ଲକର ବିଜମରା ଗ୍ରାମପଂଚାୟତକୁ ସଂପୃକ୍ତ ସରପଂଚମାନେ ସଟଡାଉନ ଘୋଷଣା କରିଥିବା ଜଣାପଡିଛି।

ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପାଇଁ କ୍ୱାରେନଟାଇନରେ ରହିବା ବାଧ୍ୟତା ମୂଳକ ବୋଲି ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଥିଲେ। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଳନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ ତଥା ସରପଂଚ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି। ସେହିପରି ଜନସାଧାରଣଙ୍କ ଭିଡ ହେଉଥିବା ଦୃଷ୍ଟିରୁ ଜିଲ୍ଲାସାରା ସମସ୍ତ ସାପ୍ତାହିକ ବଜାରକୁ ମଧ୍ୟ ବାରଣ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଏନସିଇଆରଟି ବିରୋଧରେ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଆଜି ଭବାନୀପାଟଣା କଲେଜ ଛକ ଠାରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ ସିଇ ଆର୍ ଟି) ବିପକ୍ଷରେ ବିକ୍ଷୋଭ କରାଯାଇଛି। ଏନ୍ ସିଇ ଆର୍ ଟି ଦ୍ବାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ବିଜ୍ଞାନ(ଇଭିଏସ୍) ପୁସ୍ତକ ଓ ନବମ ଶ୍ରେଣୀର ଅର୍ଥଶାସ୍ତ୍ର ର ଫୁଡ ସିକ୍ୟୁରିଟି ଅଫ୍ ଇଣ୍ଡିଆ ବିଷୟରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲ ତଥ୍ୟ ଦେଇ ଅନାହାର ର ଭୂଖଣ୍ଡ ସ୍ବରୂପ ଚିତ୍ରଣ ଘଟଣା କୁ ନେଇ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୄତ୍ୱରେ ତିବ୍ର ପ୍ରତିବାଦ ଜଣାଇବା ସହ ଏହି ପାଠ୍ୟ ପୁସ୍ତକ ଗୁଡିକରେ କଳାହାଣ୍ଡି ସମ୍ପର୍କରେ ରଚିତ ଅଧ୍ୟାୟ କୁ ଶିଘ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏ ନେଇ ସମସ୍ତ ତଥ୍ୟ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦଙ୍କ ଜରିଆରେ ପ୍ରେରିତ କରାଯାଇଛି। ଏ ନେଇ ଜିଲ୍ଲାର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ଼ ରମେଶ ପୋଖରିଆଲ୍ ଙ୍କ ସହ ଆଲୋଚନା କରି ବିଭ୍ରାନ୍ତିକର ତଥ୍ୟ କୁ ହଟାଇବା ପାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମେଗାସେସେ ଆଓ୍ବାଡି ସାମ୍ବାଦିକ ପାଲାଗୁମ୍ମି ସାଇନାଥ ୮୦ ଦଶକରୁ ୯୦ ଦଶକ ମଧ୍ୟରେ ଓଡ଼ିଶା ସମେତ ଭାରତ ର ବିଭିନ୍ନ ପଛୁଆ ଅଞ୍ଚଳ ବୁଲି ପରବର୍ତ୍ତୀ ସମୟରେ ‘ଏଭ୍ରିବଡି ଲଭ୍ସ ଏ ଗୁଡ ଡ୍ରଟ’ ପୁସ୍ତକ ଲେଖିଥିଲେ। ସେହି ପୁସ୍ତକରୁ ଏନସିଆରଟି ଜଣେ ବଣ୍ଡା ଜନଜାତି ର ମହିଳାଙ୍କ ଫଟୋକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଛି ବୋଲି ଅଭିଯୋଗ ଆସିଛି। ବହୁ ପୁରୁଣା ଫଟୋକୁ ଛାପି କଳାହାଣ୍ଡି ର ଦାରିଦ୍ର୍ୟ ଓ ଅନାହାର କୁ ଚିତ୍ରଣ ହୋଇଥିବାରୁ ଫଟୋ କୁ ନେଇ ଏବେ ବିବାଦ ଦେଖାଦେଇଛି। ସିବିଏସସି ଓ ଏନସିଆରଟି ସମସ୍ତ ତଥ୍ୟ ରଖିବାକୁ ଏବେ ଜିଲ୍ଲା ଛାତ୍ର ଜନତା ତରଫରୁ ଦାବି ହୋଇଛି। ଏହି ବିକ୍ଷୋଭ ରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ମହାପାତ୍ର, ଅଜିତ ସାହୁ, ଛାତ୍ର ନେତା ଅମରଦୀପ ସିଂହ, ଅଭିଷେକ ମହାପାତ୍ର, ମହମ୍ମଦ ଇସମାଇଲ, ସୁଜାନ ନାଏକ, ରୋମାଞ୍ଚଳ ମେହେର, ଲବଣୀ ନାଏକ, ରବି ପଟ୍ଟନାୟକ, ଇଂ ବ୍ୟଶାଖୀ ନନ୍ଦ, ବ୍ରାହ୍ମର୍ଷୀ ନାୟକ, ଅଭିଜିତ ମିଶ୍ର, ନିଳାମ୍ବର ସାହୁ, ସିନୁ ବେହେରା, କାମାକ୍ଷ ସିଂହଦେଓ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଇକ ଡିକିରୁ ଗୋମାଂସ ଜବତ ଅଭିଯୋଗ, ଛତିଶଗଡ ଚାଲାଣ ହେଉଥିବା ସନ୍ଦେହ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଛତିଶଗଡ଼ ସୀମାବର୍ତ୍ତୀ ସେମଲା ଗାଁରେ ଏକ ବାଇକ ଡିକିରେ ପ୍ରାୟ ୩୦ କେଜିରୁ ଅଧିକ ଗୋମାଂସ ଚାଲାଣ ହେଉଥିବା ନେଇ ଧର୍ମଗଡ ଥାନାରେ ଅଭିଯୋଗ ହୋଇଛି। ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲାର ସେମଲା ଗାଁରେ ଥିବା ଗ୍ରାମରକ୍ଷୀର ପୁଅ ଏକ ବାଇକରେ ଯାଉଥିବା ଦୁଇଜଣ ଲୋକଙ୍କ ସହିତ ମୂଲଚାଲ କରି ଛାଡି ଦେଉଥିବା ବେଳେ ସେହି ଗାଁକୁ ଯାଇଥିବା ଯଶୋବନ୍ତ ନାଏକ ନାମକ ବ୍ୟକ୍ତି ବାଇକ ସହ ସେମାନଙ୍କୁ ଅଟକାଇଥିଲେ।

ଗ୍ରାମରକ୍ଷୀର ପୁଅ ଯଶୋବନ୍ତ ସହ ଝଗଡା କରିବାର ସୁଯୋଗ ନେଇ ସଂପୃକ୍ତ ଦୁଇଜଣ ବ୍ୟକ୍ତି ବାଇକ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ ହିନ୍ଦୁ ଜାଗରଣ ସାମୁଖ୍ୟ ପକ୍ଷରୁ ଧର୍ମଗଡ ଥାନାରେ ଏତାଲା ଦାଖଲ କରାଯିବା ପରେ ବାଇକ ସହିତ ଡିକିରେ ଥିବା ଗୋମାଂସକୁ ପରୀକ୍ଷା ପାଇଁ ପଠାଯାଇ ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧର୍ମଗଡ ଥାନା ପକ୍ଷରୁ କୁହାଯାଇଛି। ହେଲେ କେଉଁ କେଉଁ ଅଂଚଳରୁ ବାହାରକୁ କେଉଁଠିକି ଗୋମାଂସ ଚାଲାଣ ହେଉଛି ଏବଂ କେଉଁ ମାନେ ଏଥିରେ ସଂଶ୍ଲିଷ୍ଟ ସେସବୁର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ଗସ୍ତରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ , ସଂଗଠନ ମଜବୁତ କରିବା ଉପରେ ଗୁରୁତ୍ୱ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି, ରାଜ୍ୟ ଶାସକ ଦଳ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଦିନରେ ବିଜେଡି ସଂଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବା ସହ ନିର୍ବାଚିତ ପ୍ରତିନିଧି ତଥା ସ୍ଥାନୀୟ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ମଙ୍ଗଳବାର ଦିନ ସକାଳେ ଜୁନାଗଡ ବିଧାୟକ ତଥା ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଜୁନାଗଡ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଜୁନାଗଡ ସହରର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ସତ୍ୟମ ସିନେମା ହଲ ପାଖରେ ବିଜେଡି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଉଦଗାଟନ କରିଥିଲେ।

ରାଜ୍ୟସଭା ସଦସ୍ୟ ସୂଜିତ କୁମାର, ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ମହିଳା ବିଜେଡି ସଭାପତି କଲ୍ୟାଣୀ ନାଏକ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଉପସଭାପତି ଭବାନୀ ଶଙ୍କର ମିଶ୍ର,  ପ୍ରଦୀପ ମୁଣ୍ଡ,  ଜିତେନ୍ଦ୍ର ମହାନ୍ତି,  ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ସଂଗୀତ ନାଟକ ଏକାଡେମୀ ସଂପାଦକ ପ୍ରବୋଧ ରଥ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଚିତରଂଜନ ମଣ୍ଡଳ ପ୍ରମୂଖଙ୍କ ଉପସ୍ଥିତିରେ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୃତ ରହିବାକୁ ତାଗିଦ କରିଥିବା ଜଣାପଡିଛି। ଏଥି ସହିତ ଜାତୀୟ ରାଜପଥ କଡରେ ଥିବା ରିଷିଗାଁ ପାଖରେ ପ୍ରଣବ ପ୍ରକାଶ ଦାସ ଜିଲ୍ଲା କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହିଦଙ୍କୁ ସଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଗାନ୍ଧିପାର୍କଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହିଦ ଙ୍କୁ ସଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଗଲୱାନ ଘାଟିରେ ଚୀନ ସୈନ୍ୟ ଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ ଅମର ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ପ୍ରଜ୍ବଳନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶ୍ରୀଦାସ ଏହି ଅବସରରେ ଦେଶବାସୀ ନିକଟରେ ସହିଦ କୋଡିଏ ଜଣ ଅମର ଯବାନଙ୍କ ସହିଦ ଘଟଣା ରେ ପ୍ରଧାନମାନ୍ତ୍ରୀ ଦେଶବାସୀଙ୍କୁ ବିଭ୍ରାନ୍ତ ନ କରି ସତ୍ୟ ତଥ୍ୟ ଉପସ୍ଥାପନ କରିବା ପାଇଁ ଦାବି କରିବା ସହ ଦେଶର ରକ୍ଷା ବିଶେଷଜ୍ଞଙ୍କ ମତ ଓ ଗଣମାଧ୍ୟମର ରିପୋର୍ଟ ସମ୍ପର୍କରେ ଉଲ୍ଲେଖ କରି ଦେଶର ପ୍ରତ୍ୟେକ ନାଗରିଙ୍କୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଉତ୍ତର ଦେବାକୁ ଦାବି କରିଥିଲେ।

ଏହି ଅବସରରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଶାନ୍ତନୁ ବେହେରା, ମହମ୍ମଦ ଅଲ୍ଲୀ, ଉଛବ ସାହୁ, ବ୍ରଜ ସାହୁ, ପରମାନନ୍ଦ ମାଝୀ, ସୁରେଶ ପଟନାୟକ, ଭାଗବତ ୟାଦବ, ଶ୍ରୀମତୀ ମାଣିକ୍ୟ ସୁନା, ସିଦ୍ଧାର୍ଥ ନାୟକ, ରାଜଗୁରୁ ପାଣିଗ୍ରାହୀ, ଶରତ ନାଏକ ମହମ୍ମଦ ସାହେବ, ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟନାୟକ, ଋଷିରାଜ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବରେ ମନୋନୀତ ହେଲେ ଦେବେନ୍ଦ୍ର ମହାନ୍ତି

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଜେପିର ସଭାପତି ଭାବେ ପୂର୍ବତନ ସଭାପତି ତଥା ବରିଷ୍ଠ ଓକିଲ ଦେବେନ୍ଦ୍ର ମହାନ୍ତିଙ୍କୁ ମନୋନୀତ କରାଯାଇଛି । ଶ୍ରୀ ମହାନ୍ତି ଏହାପୂର୍ବରୁ କଳାହାଣ୍ଡି ଜିଲ୍ଲା ବିଜେପିର ଏକକ ସାଧାରଣ ସଂପାଦକ ଭାବେ 1997-2000 ପର୍ଯ୍ୟନ୍ତ ଦାୟିତ୍ୱ ତୁଳାଇଥିଲେ ଏବଂ 2012-15 ପର୍ଯ୍ୟନ୍ତ ବିଜେପି ଜିଲ୍ଲା ସଭାପତି ଭାବେ ସଫଳତାର ସହ ଦାୟିତ୍ୱ ତୁଳାଇ ସାରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ନିଷ୍ଠାର ସହ 2009ରୁ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇନଜୀବି ଦେବେନ୍ଦ୍ର ମହାନ୍ତିଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ରାଜ୍ୟ ସଭାପତି ସମୀର ମହାନ୍ତି ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ପରେ ଶ୍ରୀ ମହାନ୍ତିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀ ମହାନ୍ତି କଳାହାଣ୍ଡି ଜିଲ୍ଲା ବାର ସଂଘର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଳାଇବାର ଅଭିଜ୍ଞତା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ଆରୋଗ୍ୟ ହେଲେ ୧୧ ଆକ୍ରାନ୍ତ : ପୁଷ୍ପ ଗୁଚ୍ଛ ଦେଇ ବିଦାୟ ଦିଆଗଲା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ-୧୯ ସ୍ୱତନ୍ତ୍ର ହସପିଟାଲ ରେ ଚିକିତ୍ସିତ ହେଉଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରୁ ୧୧ ଜଣ ଆରୋଗ୍ୟ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ରିଲିଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି କୋଭିଡ ହସପିଟାଲରେ କଳାହାଣ୍ଡିର ୧୮ ଜଣ ଓ ନୂଆପଡାର ୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ ଆରୋଗ୍ୟ ହେବା ପରେ ବଳକା ୯ ଜଣ ଚିକିତ୍ସିତ ହେଉଛନ୍ତି ।

ଏମାନଙ୍କ ବ୍ୟତୀତ ୪୧ ଜଣ ସନ୍ଦିଗ୍ଧ ସ୍ୱତନ୍ତ୍ର ନୀରିକ୍ଷଣରେ ରହିଥିଲେ । ଚିକିତ୍ସିତ ହେବା ପରେ ସେମାନଙ୍କ ମଧ୍ୟରୁ ୨୦ ଜଣ ଆରୋଗ୍ୟ ହୋଇ ରିଲିଭ ହୋଇଥିବା ଜଣାପଡିଛି । ଏହି କୋଭିଡ ହସ୍ପିଟାଲରେ ୨୦୦ ଶଯ୍ୟା ଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ୧୧ ପଜିଟିଭ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରୁ ନୂତନ ୧୧ ପଜିଟିଭ ବାହାରିଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ଏଇ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ରହିଛି। ୧୦ ଜଣ ମହାରାଷ୍ଟ୍ର,  ଗୁଜୁରାଟ, ଛାତିଶଗଡରୁ ଫେରିଥିବା ବେଳେ  ସମସ୍ତ ୧୦ ଜଣ  କ୍ଵାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅନ୍ୟ ଆକ୍ରାନ୍ତ ଜଣକ କ୍ଵାରେଣ୍ଟିନ କେନ୍ଦ୍ରର ଜଣେ ସୁପରଭାଇଜାର ବୋଲି ସୂଚନା ରହିଛି। ପୂର୍ବରୁ କଳାହାଣ୍ଡିରେ ୨ ଜଣ ପଜିଟିଭ ରହିଥିଲେ। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ ୧୩ରେ ପହଞ୍ଚିଥିବା ବେଳେ ପୂର୍ବ ୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ ୧୧ଟି ସକ୍ରିୟ ମାମଲା ରହିଛି।

ସୂଚନା ଯୋଗ୍ୟ  ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। କଳାହାଣ୍ଡିର ନୂତନ ୧୧କୁ ମିଶାଇ ଆଜି ଗୋଟିଏ ଦିନରେ ଏପର୍ଯ୍ୟନ୍ତ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ

ବବ୍‌ଲୁ ସାହୁ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କାଦୋପଡା ଅଞ୍ଚଳରେ ଏକ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଘଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଉତକେଲା ଥାନା ଅନ୍ତର୍ଗତ କାଦୋପଡାରେ ଶନିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଉତକେଲା ଥାନା ନିକଟସ୍ଥ କାଦୋ ପଡ଼ା ଅଞ୍ଚଳର ରେବତୀ ମେହେର (୫୪) ଆଜି ସକାଳ ୫ଟା ସମୟରେ ଘରେ ଚା ତିଆରି କରିବାକୁ ଯାଇ ଗ୍ୟାସ ଚୁଲ୍ଲା ଜଳାଇବା ସମୟରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଘର ଛପର ଉଡି ଯାଇଥିଲା, ନିଆଁର ଝାସ ପାଇ ପାଖରେ ଛିଡା ହୋଇ ଥିବା ପୂର୍ଣ୍ଣମୀ ମେହେରଙ୍କ (୬୦) ଶରୀର ଶତକଡା ୨୦ ଭାଗ ଜଳି ଯାଇଥିଲା। ଏହା ସମ୍ପର୍କରେ ସୂଚନା ପାଇବା ପରେ ଉତକେଲା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିବା ସହିତ ମହିଳା ଦ୍ବୟଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଦ୍ଵାରା ଉଭୟଙ୍କୁ କେସିଙ୍ଗା ଡ଼ାକ୍ତରଖାନା ପଠା ଯାଇଥିଲା। କେସିଙ୍ଗା ଡାକ୍ତରଖାନାରେ ପୋଡାଜଳା ବିଭାଗ ନଥିବାରୁ, ମହିଳା ଦ୍ବୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତର ଜଳନ୍ଧର ମେହେର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡି ସୀମାନ୍ତ ଆମପାଣି ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ରାତି ଅଧିଆ ଫେରାର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାଂପ୍ରତିକ ଲକଡାଉନ ସ୍ଥିତିରେ କଳାହାଣ୍ଡି ଜିଲ୍ଲାସାରା ପ୍ରାୟ ପ୍ରତ୍ୟେକ ଗ୍ରାମପଂଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ମାନ ସ୍ଥାପନ କରାଯାଇଛି।  ଅଚାନକ ଭାବେ ଯଦି ସେଭଲି କିଛି ଲକ୍ଷଣ ଜଣାପଡିଲେ ସେଭଲି ବ୍ୟକ୍ତିକୁ ଏବଂ ରାଜ୍ୟ ବାହାରୁ କିମ୍ବା ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ସଙ୍ଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏଭଲି ସ୍ଥିତିରେ କଳାହାଣ୍ଡି ସୀମାନ୍ତ ଆମପାଣି ଠାରେ ଥିବା ଜନଜାତି ଆବାସିକ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ଗତ ୨୨ ତାରିଖ ରାତିରେ ଅନ୍ତେବାସୀ ଥିବା ପାପଡାହାଣ୍ଡି ଅଂଚଳର ୨୫ ଜଣ ଶ୍ରମିକ ରାତିଅଧିଆ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆମପାଣିସ୍ଥିତ ଏହି ସଙ୍ଗରୋଧ କେନ୍ଦ୍ରରେ ଜିଲ୍ଲା ବାହାରୁ ଆସିଥିବା ଜଣେ ମହିଳା ସମେତ ମୋଟ ୬୪ ଜଣ ଶ୍ରମିକଙ୍କୁ ରଖାଯାଇଥିଲା। ଫୁଲବାଣୀ ରୁ ୨୬ ଜଣ ଚାଲି ଚାଲି ନିଜ ଅଂଚଳ ପାପଡାହାଣ୍ଡିକୁ ଫେରୁଥିବା ବେଳେ ସୀମାନ୍ତରେ ମୂତୟନ ଥିବା ପୋଲିସ ହାତରେ ୨୦ ତାରିଖ ଦିନ ଧରାପଡିବା ପରେ ସେମାନଙ୍କୁ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରି ରଖାଯାଇଥିଲା। ହେଲେ ୨୩ ତାରିଖ ସକାଳୁ ସେମାନଙ୍କ ମଧ୍ୟରୁ ୨୫ ଜଣ ରାତିଅଧିଆ ଫେରାର ହୋଇଯାଇଥିବା ଜଣାପଡିଥିଲା।

ଏଂପର୍କରେ ଖବର ପାଇ ଆମପାଣୀ ଥାନା ପୋଲିସ, କୋକସରା ତହସିଲଦାର ଓ ବିଡିଓ ଘଟଣାସ୍ଥଲରେ ଅନୁସନ୍ଧାନ କରିଥିଲେ। ଆମପାଣି ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଥିବା ବେଳେ ସଂପୃକ୍ତ ଶ୍ରମିକମାନେ ପାପଡାହାଣ୍ଡି ଅଂଚଳସ୍ଥିତ ନିଜ ନିଜ ଘରକୁ ଫେରିଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ସଙ୍ଗରୋଧ କେନ୍ଦ୍ରରେ ଖାଇବା ପିଇବା ରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ଅସନ୍ତୋଷ ଥିବା ନେଇ ଆଲୋଚନା ହେବା ପରେ ଧର୍ମଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିଥିବା ଜଣାପଡିଛି। ଜଣେ ମହିଳା ସମେତ ୬୪ ଜଣଙ୍କ ପାଇଁ ମାତ୍ର ଦୁଇଟି ଶୌଚାଳୟ ଥିବା ହେତୁ ଅସୁବିଧା ହୋଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଘରମୁହାଁ ଶ୍ରମିକ ଫୁଲବାଣିରୁ ଆମପାଣି ପର୍ଯ୍ୟନ୍ତ ଦୀର୍ଘ ପଥ ଚାଲି ଚାଲି ଆସିଯାଇଥିବା ବେଳେ ଆଉ ଅଳ୍ପ ଦୂରରେ ଥିବା ନିଜ ନିଜ ଘର ପରିବାରକୁ ପହଂଚି ଯିବାର ଲକ୍ଷ ନେଇ ଫେରାର ହୋଇଯାଇଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।
ସଂପ୍ରତି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଂଚଳରୁ ସେଠାରେ ରହିଥିବା ବ୍ୟକ୍ତି ମାନଙ୍କ ନମୁନା ସଂଗ୍ରହ କରାଯାଇ ୨୮ ଜଣକୁ ନିଜ ନିଜ ଅଂଚଳରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାର ୮ ଜଣ, କଳାହାଣ୍ଡିର ୨ଜଣ ଏବଂ ପାପଡାହାଣ୍ଡିର ଜଣେ ଏଭଲି ୧୧ ଜଣ ହିଁ ଆମପାଣି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି।

ଗତ ୧୯ ତାରିଖ ରାତିରେ ଭବାନୀପାଟଣା ବସଷ୍ଟାଣ୍ଡ ଠାରେ ଫୁଲବାଣିରୁ ପାପଡାହାଣ୍ଡି ଚାଲି ଚାଲି ଯାଉଥିବା ୨୬ ଜଣ ଦିନ ମଜୁରିଆ ମାନଙ୍କୁ ଭବାନୀପାଟଣାର ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଅମୃତ ଅନ୍ନ ସେବା ଯୋଗାଇ ଦିଆଯାଇଥିବାର ସୋସିଆଲ ମିଡିଆରୁ ଜଣାପଡିଥିବା ବେଳେ ସମ୍ଭବତଃ ସେହି ୨୬ ଜଣ ଦିନ ମଜୁରିଆ ହିଁ ଚାଲି ଚାଲି ପାପଡାହାଣ୍ଡି ଯାଉଥିବା ବେଳେ ଆମପାଣି ଠାରେ ଧରାପଡି ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ରାତିରେ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି।

Categories
ଆଞ୍ଚଳିକ

କଳାହାଣ୍ଡିରେ କୋଭିଡ-୧୯ ଲକଡାଉନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ପାଇବାରୁ ବଂଚିତ ହିତାଧିକାରୀ

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି: ସମଗ୍ର ଭାରତ ବର୍ଷରେ କୋଭିଦ-୧୯ ସହ ସଂଘର୍ଷ କରୁଥିବା ବେଳେ ଓଡିଶା ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡି ନାହିଁ। ପ୍ରଥମ ପର୍ଯ୍ୟାୟ ଲକଡାଉନ ୨୪ ମାର୍ଚ୍ଚରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଖାଉଟି ମାନଙ୍କୁ ପ୍ରତି କାର୍ଡ ପିଛା ତିନିମାସର ଆଗୁଆ ରାସନ ସହିତ ହଜାରେ ଟଙ୍କା ଦେବା ସହିତ ପଂଜିକୃତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ସେହିପରି ପ୍ରତି ଗ୍ରାମ ପଂଚାୟତରେ ନିହାତି ଗରିବ ଓ ନିଃସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପ୍ରତି ଗ୍ରାମପଂଚାୟତରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଦ ସ୍ୱାସ୍ଥ୍ୟ ଶିବିର ମାନ ପ୍ରତିଷ୍ଠା କରାଯାଇଥିବାର କୁହାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତି କାର୍ଡଧାରୀଙ୍କୁ ୫ କେଜି ଚାଉଲ, ଏକ କେଜି ଡାଲି ଓ ଚିନି ଯୋଗାଇ ଦେବାର ଘୋଷଣା କରାଯାଇଛି।

ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅପ୍ରେଲ ୧୫ ତାରିଖ ଠାରୁ ମଇ ୩ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ସରକାରୀ ବ୍ୟବସ୍ଥା ପହଂଚି ପାରିନଥିବାର ଦେଖାଯାଇଛି। ଜୁନାଗଡ ବ୍ଲକ ଠାରୁ ମାତ୍ର ୩ କି.ମି. ଦୂର ଭଇଁରୀଗୁଡା ଗ୍ରାମପଂଚାୟତରେ ସରକାରୀ ସୁବିଧା ପହଂଚି ପାରିନଥିବା ଅଭିଯୋଗ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପଂଚାୟତ ପକ୍ଷରୁ ସରପଂଚ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଏବଂ ପଂଜିକୃତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ଆରମ୍ଭ କରିଥିଲେ। ଏପରିକି ବ୍ଲକର ସ୍ପଷ୍ଟ ନିର୍ଦ୍ଦେଶ ନଥିବାରୁ ରନ୍ଧା ଖାଦ୍ୟ ଦିଆଯାଉନଥିବା ସ୍ୱୀକାର କରିଥିଲେ।

ଏ ସଂପର୍କରେ ଗଣମାଧ୍ୟମ ତରଫରୁ ତଥ୍ୟ ସଂଗ୍ରହ ସମୟରେ ଗରିବ ନିଃସହାୟ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଦୁଇ ଦିନ ହେବ ବନ୍ଦ ଥିବା ଜଣାପଡିବା ପରେ ବ୍ଲକ ବିଏସଏସଓ ତୁଷାର ସାହୁଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଆସନ୍ତା କାଲି ଠାରୁ ୨୦ ଜଣଙ୍କୁ ପୂର୍ବବତ ରନ୍ଧାଖାଦ୍ୟ ଦେବାର ନିର୍ଦ୍ଦେଶ ଦେଇଛନ୍ତି। ରନ୍ଧନ ଗ୍ୟାସ ଯୋଗାଣ ହେଉଥିବା ଦେଖାଯାଇଥଲା। ଭଇଁରୀଗୁଡା ଗ୍ରାମ ପଂଚାୟତ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସୁବିଧା ଉପଲବ୍ଧ ଥିବା କୁରୁଗୁଡା ସେବା ଶ୍ରମରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇଥିବା ବେଳେ ଚିଙ୍ଗୁଡି ସର ଗ୍ରାମ ପଂଚାୟତ ପାଇଁ ଚିଙ୍ଗୁଡିସର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୦ ଶଯ୍ୟା ଏବଂ ମୁର୍ଲାପଦର ବିଦ୍ୟାଳୟ ଠାରେ ୩୦ ଶଯ୍ୟା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

ଚିଙ୍ଗୁଡିସର ବିଦ୍ୟାଳୟ ଠାରେ ଥିବା ତିନିଟି ପରିଶ୍ରାଗାରକୁ ମରାମତି କରାଯାଇ ତିନିଟି ଶୌଚାଳୟ କରାଯାଇଥିବା ବେଳେ ଲୁହା ଏଙ୍ଗଲ ବଦଳରେ କାଠ ଓ ନିମ୍ନ ମାନର ହାଲୁକା ଟିଣ ଲଗାଯାଇ ଛାତ ନିର୍ମାଣ କରାଯିବା ସହିତ ସେବାଶ୍ରମରୁ ଖଟିଆ ଅଣାଯାଇ ନିମ୍ନ ମାନର ପଙ୍ଖା, ଗଦି ଓ ତକିଆ ତଥା ନିମ୍ନ ମାନର ଚଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ନୋଡାଲ ଅଫିସର ଏସ କେ ସାହୁଙ୍କୁ ପଚାରିବାରୁ ଉଧାରିରେ କାମ ଚାଲିଥିବାରୁ ହୁଏତ କମବେଶୀ ହୋଇଥାଇପାରେ ବୋଲି ହାଲୁକା ଭାବେ କହିଥିଲେ। ପ୍ରତି ଗ୍ରାମପଂଚାୟତରେ କୋଭିଦ-୧୯ ପ୍ରତିହତ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ତାହା କିପରି ଭାବେ ଖର୍ଚ୍ଚ କରାଯାଇଥିବା ବିଲ ଦାଖଲ କରାଯିବ ତାହା ଦେଖିବାକୁ ବାକି ରହିଲା।

ଏହା ବ୍ୟତୀତ ଭଇଁରୀଗୁଡା ଗ୍ରାମପଂଚାୟତରେ ସରୀତା ବାଗ ସ୍ୱାମୀ ବବଲୁ ବାଗ ଭଲି ନିହାତି ଗରିବ ପରିବାର ଅଧା ଛାତ ଭଙ୍ଗା ଥିବା କୁଡିଆରେ ରହୁଥିବା ବେଳେ ସୀତା ପାତ୍ର ଓ ସୁନାଫୁଲ ନାଏକ ଭଲି ନୀରିହ ମହିଳା ମାନେ କୌଣସି ପ୍ରକାର ସରକାରୀ ସହାୟତା ପାଉନଥିବା ଅଭିଯୋଗ କରିଥିଲେ। ସାଂପ୍ରତିକ କୋଭିଡ-୧୯ ମୁକାବିଲା ଭଲି ଏକ ଘଡିସନ୍ଧି ମୂହୁର୍ତ୍ତରେ ଜୁନାଗଡ ବ୍ଲକ ସନ୍ନିକଟସ୍ଥ ଗ୍ରାମପଂଚାୟତରେ ଯଦି ଏଭଳି ଅବ୍ୟବସ୍ଥା ତେବେ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଂଚଳରେ କିପରି ଚାଲିଥିବା କୋଭିଡ-୧୯ ମୁକାବିଲା ବ୍ୟବସ୍ଥା ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବି ମହଲରେ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି। ଏନେଇ ଉଚ୍ଚ କର୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରୁ ଦ୍ବିତୀୟ ପଜିଟିଭ୍‌ ଚିହ୍ନଟ

କଳାହାଣ୍ଡି : କଳାହାଣ୍ଡିରୁ ଦ୍ବିତୀୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ କଳାହାଣ୍ଡିର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ସଂସ୍ପର୍ଶରେ ଆସିବା ପରେ ସେ କ୍ବାରେଣ୍ଟିନ୍‌ରେ ଥିଲେ। ପଜିଟିଭ୍‌ ବାହାରିବା ପରେ କଟକ ଅଶ୍ବିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନମୁନା ପରୀକ୍ଷା ପରେ ତାହା ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ଗତ ରାତ୍ରିରେ ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍‌ଓ। କଳାହାଣ୍ଡି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରଓ୍ବାଲ ଏନେଇ ସୂଚନା ଦେଇଛନ୍ତି। କଳାହାଣ୍ଡିର ଦ୍ବିତୀୟ ପଜିଟଭ୍ ଜଣକ କ୍ରିକେଟ ଖେଳିବାବେଳେ ସଂକ୍ରମିତ ହୋଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି ।ଗତକାଲି ମଧ୍ୟରାତ୍ରି ପରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ କାଲି ରାଜ୍ୟରେ ମୋଟ 6 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି। ଗତକାଲି ମୋଟ ୪୦୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ 402 ନେଗେଟିଭ ଓ 6ଟି ପଜିଟିଭ ବାହାରିଥିବାର ରାଜ୍ୟସରକାର ଟୁଇଟ କରି ଜଣାଇଥିଲେ । ରାଜ୍ୟରେ ମୋଟ୍‌ 48 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାବାସୀଙ୍କୁ ସଚେତନତାର ବାର୍ତ୍ତା ଦେଲେ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା ହେଲା ଭାଇରାଲ୍‌

ବବୁଲୁ ସାହୁ

କଳାହାଣ୍ଡି: ପଶ୍ଚିମ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ କରୋନାକୁ ନେଇ ସଚେତନତାର ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବ ଅପରିହାର୍ଯ୍ୟ। ସାମାଜିକ ଦୂରତ୍ବକୁ ମାନିବା ସହିତ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ବିଶେଷକରି ଦୋକାନକୁ ଯିବା ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବର ସହ ନେବାକୁ କହିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଗହଳି ନ କରିବା ସହିତ ନିର୍ଦ୍ଦିଷ୍ଟ ଦୂରତାରେ ରହି ଦୋକାନରୁ ଜିନିଷ ଆଣିବା ପାଇଁ କହିଛନ୍ତି ଜିଲ୍ଲାପାଳ। ସାମାଜିକ ଦୂରତ୍ବ ରକ୍ଷା କରିପାରିଲେ ଆମେ ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ସର୍ବମୋଟ 40 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟରେ କରୋନା ସଂଖ୍ୟାରେ ବୃଦ୍ଧି ଯୋଗୁଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ମାନ ନେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ୍‌

ସମୀକ୍ଷା ବ୍ୟୁରୋ

କଳାହାଣ୍ଡି : କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ୍‌ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଚିହ୍ନଟ ପଞ୍ଚାୟତରେ ଚଳାଚଳକୁ ବାରଣ କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ପରିବାର ସହ 31 ଜଣ ଆସିଥିବା ସୂଚନା ରହିଛି। କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖି ସ୍ବାବ୍‌ ଟେଷ୍ଟର ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାତ୍ରିରେ 21ତମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର ପଶ୍ଚିମ ଭାଗରେ ପ୍ରଥମ କରୋନା ଆକ୍ରାନ୍ତ ଭାବେ କଳାହାଣ୍ଡି ଜିଲ୍ଲାର 29 ବର୍ଷୀୟା ଯୁବକ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ବାହାରିନରୁ ଫେରିଥିଲେ।

Categories
ଆଜିର ଖବର

ଅପହଞ୍ଚ ସ୍ବାସ୍ଥ୍ୟ ବୀମା ଯୋଜନା: ଦାରିଦ୍ର୍ୟର ଛାୟା ତଳେ ଦୁରାରୋଗ୍ୟ କର୍କଟରେ ପୀଡ଼ିତ ଧନେଶ୍ବର

ସମୀକ୍ଷା ବ୍ୟୁରୋ

କଳାହାଣ୍ଡି, ୫/୧୨: ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ ଯୋଜନା ପରି ସ୍ବାସ୍ଥ୍ୟଯୋଜନା ଗୁଡ଼ିକ ରହିଥିଲେ ମଧ୍ୟ ଗରିବଙ୍କ ନିକଟରେ ଏହା ଅପହଞ୍ଚ। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍‌ର ଧନେଶ୍ବର ମହାନନ୍ଦ ମାରାତ୍ମକ କର୍କଟ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ପାଖରେ ସରକାରୀ ହେଉ କି ବେସରକାରୀ କୌଣସି ପ୍ରକାରର ସ୍ବାସ୍ଥ୍ୟଯୋଜନା ପହଞ୍ଚି ପାରିନାହିଁ।

ଧନେଶ୍ବର ମହାନନ୍ଦ ଦୀର୍ଘ ତିନି ବର୍ଷ ହେବ ଏହି ଦୁରାରୋଗ୍ୟ କର୍କଟରେ ପୀଡ଼ିତ ରହିଛନ୍ତି। ଦାଦନ ଖଟି ଯାହା ସଞ୍ଚୟ କରିଥିଲେ, ତାହାକୁ ଏହି ରୋଗର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ପୁନଃ ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଗୁଜୁରାଟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିବାବେଳେ ବାଧକ ସାଜିଥିଲା କର୍କଟ ରୋଗ। ପରିବାରରେ ୪ଜଣ ରହିଥିବାବେଳେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ଧନେଶ୍ବର। କିନ୍ତୁ ସିଏ ଏପରି ଏକ ଦୁରାରୋଗ୍ୟରେ ପୀଡ଼ିତ ହେବା ପରେ ସେହି ପରିବାରର ଅବସ୍ଥା ଏବେ ନ କହିବା ଭଲ। ଧନେଶ୍ବରଙ୍କ ବଡ଼ ଝିଅ ପୂଜା ମହାନନ୍ଦଙ୍କୁ ବୟସ ମାତ୍ର ୬ ବର୍ଷ। ସେ ବି ରକ୍ତ ଶିକୁଳି ରୋଗରେ ପୀଡ଼ିତ ରହିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଧନେଶ୍ବର ଏବେ ଭିକ୍ଷା ବୃତ୍ତିକୁ ଆପଣାଇଛନ୍ତି।

ଗୁଜୁରାଟରେ ଦାଦନ ଖଟିବା ସମୟରେ ହିଁ ଧନେଶ୍ବରଙ୍କଠାରେ କର୍କଟ ରୋଗର ଲକ୍ଷଣ ଦେଖାଯାଇଥିଲା। ତେବେ ଅର୍ଥାଭାବ ଯୋଗୁଁ ଠିକ୍‌ ସମୟରେ ଚିକିତ୍ସିତ ହୋଇପାରିନଥିଲେ ଧନେଶ୍ବର। ପରେ ଧନେଶ୍ବର ଗାଁକୁ ଆସି ବିଷମ କଟକରେ ଚିକିତ୍ସିତ ହୋଇଥିଲେ। ସେଠାରେ ଡାକ୍ତର ମଳଦ୍ୱାରକୁ ବନ୍ଦ କରି ପେଟ ଉପରେ ଅସ୍ତ୍ରୋପଚାର କରି ମଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିଲେ। ନିଜର ଜମିବାଡିକୁ ବିକ୍ରି କରି ଧନେଶ୍ୱର ମହାନନ୍ଦ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ସେଠାରେ ମଧ୍ୟ ଠିକ୍‌ ରୂପେ ଚିକିତ୍ସିତ ହୋଇ ପାରିନଥିଲେ। ଧନେଶ୍ବରଙ୍କ ପାଖରେ ସ୍ବାସ୍ଥ୍ୟ ବୀମା କି ସ୍ବାସ୍ଥ୍ୟ କାର୍ଡ ନାହିଁ।  ସରକାର କରିଥିବା ସମସ୍ତ ସ୍ବାସ୍ଥ୍ୟ ଯୋଜନା ଧନେଶ୍ବରଙ୍କ ନିକଟରେ ମୂଲ୍ୟହୀନ ହୋଇପଡିଛି।

ଧନେଶ୍ବରଙ୍କ ଚିକିତ୍ସା ପାଇଁ ରାଜ୍ୟ ପ୍ରଶାସନ ତରଫରୁ ଯଦି କିଛି ସହାୟତା ଓ ସହଯୋଗ ମିଳିପାରନ୍ତା ତେବେ ଏହି ଗରିବ ପରିବାରଟି ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।