Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଇନ୍ଦ୍ରାବତୀ କେନାଲ ପାଣି ଯୋଗାଣ ସଂପର୍କରେ ମନ୍ତୀଙ୍କ ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଇନ୍ଦ୍ରାବତୀ ଜଳସେଚନ ଯୋଜନାରେ ଆଗାମୀଦିନରେ ସଠିକ ଭାବରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ପଦାଧିକଲାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠଖରେ ଇନ୍ଦ୍ରାବତୀ ମୂଖ୍ୟ ନିର୍ମାଣ ଯନ୍ତ୍ରୀ, ବାମ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଡାହାଣ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଓଏଚପିସିର ମୂଖ୍ୟ ସାଧାରଣ ପରିଚାଲକ, ସାଧାରଣ ପରିଚାଲକ ପ୍ରମୂଖ ଉପସ୍ଥିତ ଥିଲେ।

ଆଗାମୀ ଦିନରେ କେନାଲ ଗୁଡିକର ତୁରନ୍ତ ମରାମତି, କେନାଲ ତଳମୁଣ୍ଡକୁ ଜଳସେଚନ ପାଣି ପହଂଚାଇବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବାମକେନାଲ ଅନ୍ତଗ୍ରତ ଅମ୍ବାଦୁଲା ଡିଷ୍ଟ୍ରିବ୍ୟୂଟାରୀ, ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ, ଡାହାଣ କେନାଲର ମୁଣ୍ଡରାଗୁଡା ଡିଷ୍ଟ୍ରିବ୍ୟୁଟାରୀ, ଭତ୍ରାଯୋର ଡିଷ୍ଟ୍ରିବ୍ୟୁଟାରୀ ଆଦି ଅନେକ କେନାଲର ଲାଇନିଂ କାର୍ଯ୍ୟ କରାଯିବା ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସେହିପରି ବାମ କେନାଲରୁ ତଳମଲା, ଆଟିଗାଂ ଅଂଚଳକୁ ଜଳସେଚନ ବ୍ୟବସ୍ଥା ସୂଚାରୂ ରୂପେ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବହୁମୂଖି ଜଳସେଚନ ଯୋଜନାକୁ କଳାହାଣ୍ଡି ଜିଲ୍ଲାର ଜୀବନରେଖା ବୋଲି କୁହାଯାଉଥିବା ବେଳେ ଜଳସେଚନ ଯୋଜନାରେ ପ୍ରତିବର୍ଷ ଅବ୍ୟବସ୍ଥା ଦେଖାଯାଇଥାଏ। ଏହି ଯୋଜନାରେ ୬୦୦ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ଥିବା ବେଳେ ସେଥିରୁ ଉଦବୃତ ଜଳ ମଙ୍ଗଳପୁର ଠାରେ ହାତୀନଦୀ ଶଯ୍ୟା ଉପରେ ବେରେଜ ନିର୍ମାଣ କରାଯାଇ ବାମ ଓ ଡାହାଣ କେନାଲ ମାଧ୍ୟମରେ ଖରିଫ ଓ ରବି ଋତୁରେ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥାଏ। ଏହି ଜଳସେଚନ ବିଭାଗୀୟ ପଦାଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ହେଉଥିବା ବେଳେ ପ୍ରାୟତଃ ସମସ୍ତ କେନାଲର ଶେଷମୁଣ୍ଡକୁ କେନାଲ ପାଣି ପହଂଚି ପାରିନଥାଏ।

ଅନ୍ୟପକ୍ଷରେ ଜଳବିଦ୍ୟୁତ ବିଭାଗ ଓଏଚପିସି ଓ ଜଳସେଚନ ବିଭାଗର ତାଳମେଳ ରହୁନଥିବା ହେତୁ ଚାଷି ମାନଙ୍କ ଆବଶ୍ୟକତା ସମୟରେ ଜଳସେଚନ ପାଇଁ ପାଣି ଅଭାବ ଦେଖାଦେଉଥିବା ବେଳେ ଅନାବଶ୍ୟକ ସମୟରେ ମାତ୍ରାଧିକ ପାଣି କେନାଲରେ ଛାଡି ଦେଉଥିବା ଯୋଗୁଁ ଚାଷ ନଷ୍ଟ ହେଉଥିବାର ଅନେକ ଉଦାହରଣ ମଧ୍ୟ ରହିଛି। ଅତୀତରେ ଏନେଇ ଚାଷୀ ମହଲରେ ଅନେକବାର ଦାବୀ ହେବା ସହ ଜିଲ୍ଲା କୃଷକ ଫେେରେସନ ତରଫରୁ ଅନେକ ବାର ଉଦ୍ୟମ କରାଯାଇଥିଲେହେଁ ଓଏଚପିସି ପଦାଧରକାରୀ ଓ ଜଳସେଚନ ବିଭାଗୀୟ ପଦାଧିକାରୀ ଙ୍କ ଅସହଯୋଗ ହେତୁ କୌଣସି ଫଳପ୍ରଦ ହୋଇପାରିନାହିଁ। ବର୍ତ୍ତମାନ ଶକ୍ତି ବିଭାଗ ଦାୟୀତ୍ୱରେ ଜିଲ୍ଲାର ମନ୍ତ୍ରୀ ଥିବା ହେତୁ ଆଗାମୀ ଦିନରେ ଏସଂପର୍କରେ ଅଗ୍ରଗତି ହୋଇପାରିବ ବୋଲି ଚାଷୀ ମହଲରେ ଆଶା ସଂଚାର ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାର ଶିଶୁ ଶ୍ରମିକ ନିୟୋଜନ ଉପରେ କଟକଣା ଜାରି କରିଥିବା ବେଳେ କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ତାହାର ଉଲ୍ଲଂଘନ କରାଯାଉଥିବା ଜଣାପଡିଛି। ମଦନପୁର ବ୍ଲକ କେନ୍ଦୁପତ୍ର ବିଭାଗ ଅନ୍ତର୍ଗତ ସିଂହପୁର ପଂଚାୟତ କୁଟୁପଲା ଗ୍ରାମରେ କୋମଳମତି ଶିଶୁ ମାନେ ନିୟୋଜିତ ହୋଇ କେନ୍ଦୁପତ୍ର କାମ କରୁଥିବା ଭଲି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲରେ ପାଠ ପଢୁଥିବା ୧୪ ବର୍ଷରୁ କମ ବୁସ୍କ ପିଲାମାନଙ୍କୁ ସେଠାକାର କେନ୍ଦୁପତ୍ର ଫଡିରେ ବିଭିନ୍ନ କାମରେ ନିୟୋଜିତ କରି ଦାୟୀତ୍ୱରେ ଥିବା ଫରେଷ୍ଟର ତଥା ମୁନସି ମାନେ ମୁନାଫା ଉଠାଉଥିବାର ଅଭିଯୋଗ ହୋଇଛି।

ସାଂପ୍ରତିକ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଲକଡାଉନ ସ୍ଥିତି ଜାରି କରିଥିବା ବେଳେ ସେହି କୋମଳମତି ଶିଶୁମାନେ କାମ କରୁଥିବା ସମୟରେ ମାସ୍କ ମଧ୍ୟ ପରିଧାନ କରୁନଥିବା ଦେଖାଯାଉଛି। ସାଧାରଣତଃ କେନ୍ଦୁପତ୍ର ଫଡିମାନଙ୍କରେ ଶ୍ରମିକ ନିଯୁକ୍ତି କରି ପତ୍ର ତୋଳା ଠାରୁ ଆରମ୍ଭ କରି ପତ୍ରକେରା ବାନ୍ଧିବା ସହିତ ଶୁଖାଇବା, ସଂଗ୍ରହ କରି ଫଡିରେ ଭର୍ତି କରିବା ପର୍ଯ୍ୟନ୍ତ ଅନେକ କାମ ରହିଥାଏ। ସେସବୁ କାମ କରିବା ପାଇଁ ସଂପୃକ୍ତ ଫରେଷ୍ଟରଙ୍କ ମାଧ୍ୟମରେ ଅସ୍ଥାୟୀ ମୁନସି ମାନଙ୍କୁ ଦିନ ମଜୁରିଆ ନିୟୋଜନ ଦାୟୀତ୍ୱ ଦିଆଯାଇଥାଏ। ହେଲେ କମ ମଜୁରିଆଦ୍ୱାରା କାମ କରାଇନେଇ ଅଧିକ ବିଲ କରିବା ଠାରୁ ଆରମ୍ଭ କରି ଏଭଲି ଭାବେ ଶିଶୁ ମାନଙ୍କୁ ନିୟୋଜିତ କରି ଅଧିକ ମୁନାଫା ଉଠାଯାଉଥିବାର ଅଭିଯୋଗ ହେଉଛି।

ଗ୍ରାମାଂଚଳର କୋମଳମତି ଶିଶୁଛାତ୍ରମାନେ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଏଭଲିଭାବେ କାମ କରୁଥିବା ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇବାରେ ଲାଗିଛି। ହେଲେ କେନ୍ଦୁପତ୍ର ବିଭାଗ ଦ୍ୱାରା ଏଭଲି ଶିଶୁ ମାନଙ୍କୁ ନିୟୋଜନ କରାଯିବା ଘଟଣାକୁ ନିନ୍ଦା କରାଯାଇଛି। ବିଭାଗୀୟ କର୍ତୃପକ୍ଷ ଏସଂପର୍କରେ ଉଚିତ ପଦକ୍ଷେପ ନେବାକୁ ଦାବୀ ହେଉଛି। ଏନେଇ ବିଭାଗୀୟ ପଦାଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ। ଶିଶୁ ଶ୍ରମିକ ସୁରକ୍ଷା ଆଇନ ଅନୁସାରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଆଗାମୀ ସମୟ ରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଭ୍ୟ ଦୀନେଶ ପଣ୍ଡାଙ୍କ ପରଲୋକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୀନେଶ ପଣ୍ଡାଙ୍କ ଗତ ରବିବାର ସଂଧ୍ୟାରେ ଭବାନୀପାଟଣା ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। କୋଭିଡ ଟୀକା ନେଇସାରିଥିବା ବେଳେ ଏଭଳି ଅପ୍ରତ୍ୟାଶିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ଦେହାନ୍ତ ଘଟଣାକୁ ସାମ୍ବାଦିକ ମହଲର ସହଜରେ ଗ୍ରହଣ କରାଯାଇପାରୁନାହିଁ।

ତାଙ୍କର ପୈତୃକ ଗ୍ରାମ କଲମପୁର ବ୍ଲକ ଅନ୍ତଗ୍ରତ ମୀନଗୁର ଠାରେ ଶେଷକୃତ୍ୟ ସଂପାଦନ କରାଯାଇଛି। ପତ୍ନୀ ଓ ଦୁଇପୁତ୍ରଙ୍କୁ ଛାଡି ଇହଧାମ ତ୍ୟାଗ କରିଥିବା ସ୍ୱର୍ଗତ ପଣ୍ଡା ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱହେବ ଦୈନିକ ଓଡିଆ ସମ୍ବାଦପତ୍ର ଶ୍ରୃତିର ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଜୁନାଗଡ ସହରରେ ଦୀର୍ଘ ଦିନ ହେବ ସପରିବାର ରହୁଥିବା ବେଳେ ଜୁନାଗଡ ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭ୍ୟ ଭାବେ ଦାୟୀତ୍ୱ ତୁଳାଇଥିବା ସହିତ କଳାହାଣ୍ଡି ସାମ୍ବାଦିକ ୟୁନିଅନର ମଧ୍ୟ ପ୍ରତିଷ୍ଠାତା ସଭ୍ୟ ଥିଲେ। ଜଣେ ନିଷ୍ଠାପର, ସରଳ, ନିଷ୍କପଟ ଓ ନିର୍ଭୀକ ସାମ୍ବାଦିକ ଭାବେ ସାମ୍ବାଦିକ ଗହଣରେ ସମସ୍ତଙ୍କ ପ୍ରୀୟ ଭାଜନ ହୋଇପାରିଥିଲେ।

ଏଭଳି ଅହେତୁକ ଭାବେ ସ୍ୱର୍ଗତ ପଣ୍ଡାଙ୍କର ଦେହାନ୍ତ ହେବା ଖବର ପାଇବା ପରେ ଜୁନାଗଡ ସାମ୍ବାଦିକ ମହଲ ସ୍ତବ୍ଧ ହୋଇଯାଇଥିବା ଜଣାପଡିଛି। ଜୁନାଗଡ ଆରଏମସି ପରିସରରେ କଳାହାଣ୍ଡି ସାମ୍ବାଦିକ ୟୁନିଅନର ସଭାପତି ମହମ୍ମଦ ଅଲ୍ଲୀ, ଜିଲ୍ଲା ସଂପାଦକ ଦୁଷ୍ମନ୍ତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷୀତି, ଖଗେଶ୍ୱର ଧଙ୍ଗଡାମାଝୀ, ପ୍ରଭାକର ସେଠୀ, ସଂଜୀବ ଦାଶ, କୁମର ମଣି, ରବିଶଙ୍କର ସୁନାନୀ, ଦିଲିପ ବେହେରା,ରାକେଶ ବେମାଲ, ସୁନଦର ମୋହନ ଛତ୍ରୀଆ ପ୍ରମୂଖ ସମସ୍ତ ସାମ୍ବାଦିକ ଉପସ୍ଥି ହୋଇ କୋଭଡ ନିୟମ ପାଳନ ପୂର୍ବକ ଶୋକ ସଭାରେ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଂଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କର ଅବର୍ତମାନରେ କଳାହାଣ୍ଡି ଜିଲ୍ଲାରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡିର କୋକସରା ତଥା ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତତ ଲଡୁଗାଁ ର୍ପଦୂଷଣର ଗନ୍ତାଘର ପାଳଟିଛି। ଲଡୁଗାଁ ପଂଚାୟତର ଲଡୁଗାଁ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା ବେଳେ ସେଠାରେ ପ୍ରାୟ ପନ୍ଦର ହଜାର ରୁ ଅଧିକ ଜନ ବସତି ରହିଛି। ଏତଦ ବ୍ୟତୀତ ପ୍ରତ୍ୟହ ସେଠାକୁ ଆଖପାଖ ଅଂଚଳର ପ୍ରାୟ ଦୁଇ/ତିନି ହଜାର ଲୋକେ ବ୍ୟବସାୟ କାର୍ଯ୍ୟରେ ଆସିଥାନ୍ତି।

ଜନଗହଳିପୂର୍ଣ୍ଣ ଲଡୁଗାଁ ଯଦିଓ ଗ୍ରାମପଂଚାୟତ ମୂଖ୍ୟାଳୟ ତଥାପି ଏହା ଛୋଟ ସହରାଂଚଳରୁ କମ ନୁହେଁ। ଲଡୁଗାଁର ଚାରିପଟେ ୧୦ ରୁ ଉର୍ଦ୍ଧ୍ୱ ରାଇସ ମିଲ ସ୍ଥାପିତ ହୋଇଥିବା ବେଳେ ଏହାର ଧୂଆଁ ଗ୍ରାମସାରା ବିସ୍ତାରିତ ହୋଇ କଳା ବାଦଲର ଭ୍ରମ ସୃଷ୍ଟିକରେ। ଏପରିକି ଘରେ ଦ୍ୱାରେ କଳା ଆସ୍ତରଣ ଜମିଯାଉଥିବା ବେଳେ ଗଛପତ୍ର ମାନଙ୍କରେ ମଧ୍ୟ କଳା ଛାଇଯାଏ। ରାଇସ ମିଲ ମାନଙ୍କରୁ ନିର୍ଗତ ପାଣି ଦୁର୍ଗନ୍ଧ ହୋଇ ଆଖପାଖ ଅଂଚଳ ଦୂଷିତ କରୁଥିବା ବେଳେ ରୋଗପୋକ ବୃଦ୍ଧି କରୁଥିବା ଜଣାପଡିଛି। ନିକଟ

ଅତୀତରେ ରାଇସ ମିଲ ମାନଙ୍କର ପୂତିଗନ୍ଧମୟ ପାଣି ଜମା ହୋଇ ଲଡୁଗାଁ ଅଂଚଳରେ ଡେଙ୍ଗୁ ଜ୍ୱର ଭଲି ମାରାତ୍ମକ ରୋଗ ବ୍ୟାପିଯାଇଥିଲା। ରାଇସମିଲ ମାନଙ୍କରୁ ବାହାରୁ ଥିବା ରାଖଡ ରାସ୍ତା ପାଶ୍ୱର୍ରେ ପକାଇ ଦିଆଯାଉଥିବା ବେଳେ ଯାତାୟତ ସମୟରେ ଲୋକେ ହଇରାଣ ହରକତ ହେଉଥିବା ପରିଲକ୍ଷିତ ହେଉଛି। ପବନରେ ଉଡି ଏହି ରାଖଡ ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ପଡିଲେ ଆଖି ଖରାପ ହୋଇଯାଉଥିବା ମଧ୍ୟ ଅନେକ ଅଭିଯୋଗ କରୁଛନ୍ତି। ରାଇସମିଲରୁ ନିର୍ଗତ ପାଣି ନିକଟସ୍ଥ ପୋଖରୀ, ଗାଡିଆ ରେ ମିଶି ଲୋକଙ୍କୁ ବିଭିନ୍ନ ଚର୍ମ ରୋଗ ହେଉଥିବା ବେଳେ ଗାଈ ଗୋରୁ ତଥା ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ବିଭିନ୍ନ ରୋଗର ଶୀକାର ହେଉଥିବା ଅଭିଯୋଗ ହେଉଛି।

ଦୀର୍ଘ ବର୍ଷ ବର୍ଷ ଧରି ଏଭଲି ଭାବେ ପାଣି ପବନ ପ୍ରଦୂଷିତ ହେଉଥିବା ଏହି ଲଡୁଗାଁ ଅଂଚଳ ବାସୀ ଅଭିଯୋଗ କରୁଥିବା ବେଳେ ରାଇସମିଲ ମାଲିକ ମାନେ ଶୀତତାପ ନିୟନ୍ତ୍ରଣ ଘରେ ରହୁଥିବା ଏବଂ ନଳ କୂପ ତଥା ଆକ୍ୱା ପାଣି ବ୍ୟବହାର ହେତୁ ସାଧାରଣ ଲୋକ ଅନୁଭବ କରୁଥିବା ସମସ୍ୟା ଜାଣି ପାରୁନଥିବା ବେଳେ ସାଧାରଣ ଲୋକଙ୍କୁ ମରଣ ମୁହଁକୁ ଜାଣିଶୁଣି ଠେଲୁଥିବା ଅଭିଯୋଗ ହେଉଛି। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ବାଧ୍ୟତା ମୂଲକ କରାଯାଉଥିବା ବେଳେ ଲଡୁଗାଁରେ ରାଇସମିଲ ମାଲିକ ମାନେ ସେଥିପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡିଛି।

ଏପରିକି ମୋଟେର ଠାରୁ କୋକସରା ରାସ୍ତା ଉପରେ ଥିବା ଡଙ୍ଗରୀଗୁଡାସ୍ଥିତ ବୈଷ୍ଣୋଦେବୀ ରାଇସମିଲରୁ ନିର୍ଗତ ପାଣି ଏନଏଚ୨୬ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜମିରେ ଦୂଷିତ ପାଣିର ଏକ ବଡ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହାର ପାଶ୍ୱର୍ରେ ରାଖଡ ପକାଇଦିଆଯାଉଥିବା ହେତୁ ଜାତୀୟ ରାଜପଥରେ ଯାଉଥିବା ଲୋକେ ବିଶେଷ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଏହି ରାଇସମିଲରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁସାରେ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ନଥିବା ଜଣାପଡିଛି।

ଅନେକ ରାଇସମିଲ ମାଲିକମାନେ ପ୍ରଭାବଶାଳି ରାଜନୈତିକ ଛତ୍ରଛାୟା ତଳେ ରହୁଥିବା ହେତୁ ସାଧାରଣ ଲୋକଙ୍କୁ ହେୟ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଅନ୍ୟ ସାଧାରଣ ଲୋକେ ହଇରାଣ ହରକତ ହେଲେ ସେମାନଙ୍କ ଯାଏଆସେ କେତେ ବୋଲି ବିଚାର କରୁଥିବା ଏହି ରାଇସମିଲ ଗୁଡିକର ପ୍ରଦୂଷଣ ବ୍ୟବସ୍ଥା ଗୁଡିକ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

Categories
ଫଟୋ ଖବର

ପ୍ରବଳ ଖରା ସତ୍ବେ କଳାହାଣ୍ଡିର ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ଝରଣାରୁ ଝରୁଛୁ ପାଣି

ପ୍ରବଳ ଖରା ସତ୍ବେ କଳାହାଣ୍ଡିର ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ଝରଣାରୁ ଝରୁଛୁ ପାଣି

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିରେ ବେଆଇନ ବାଲି କାରବାର: ସରକାରୀ ରାଜସ୍ୱ ହାନି, ବାଲି ମାଫିଆ ମାଲେମାଲ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର କାରବାର ହେଉଥିବା ଅନେକ ଅଭିଯୋଗ ହେଉଛି। ଓଡିଶା ମାଇନର ମିନେରାଲ୍ସ ଅଧିନିୟମ ( ଓଏମଏମସି) କୁ ଖୋଦ ତହସିଲ ଅଫିସ ମାନଙ୍କରେ ଉଲ୍ଲଂଘନ କରାଯାଉଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲାସାରା ଅଧିକାଂଶ ତହସିଲ ଅଂଚଳରେ ବେଆଇନ ବାଲି ଉଠାଣ ହେଉଥିବା ବେଳେ ସେସବୁର ସଠିକ ତଦାରଖ କରାଯାଉନଥିବା ଦେଖାଯାଉଛି। ଫଳତଃ ବାଲି ମାଫିଆ ମାନେ ବିଶେଷ କରି ତେଲ ନଦୀ, ହାତୀ ନଦୀ ଭଲି ବଡ ବଡ ନଦୀ ପଠାରୁ ମନଇଚ୍ଛା ବାଲି ଉଠାଣ କରୁଥିବା ଦେଖାଯାଉଛି।

ଅନ୍ୟ ପକ୍ଷରେ ତୃଟିପୂର୍ଣ୍ଣ ଭାବେ ବାଲିଘାଟ ନିଲାମ କରାଯାଉଥିବା ହେତୁ ସେଥିପାଇଁ ଏଗ୍ରିମେଂଟ ହୋଇପାରୁନଥିବା ଜଣାପଡିଛି। ଏହାରି ସୁଯୋଗରେ ସଂପୃକ୍ତ ନିଲାମ ପାଇବାକୁଥିବା ବ୍ୟବସାୟୀ ଦୀର୍ଘ ଏକ ବର୍ଷ ହେବ ସଂପୃକ୍ତ ବାଲିଘାଟରୁ ବାଲି ଉଠାଣ ଜାରି ରଖିଥିବା ଅଭିଯୋଗ ହେଉଛି। ଏସଂପର୍କରେ ସଂପୃକ୍ତ ଆରଆଇ ମାନେ ସଠିକ ତଥ୍ୟ ଦେଇପାରୁନଥିବା ହେତୁ ସରକାରୀ ରାଜସ୍ୱ ହାନି ହେଉଥିବା କୁହାଯାଉଛି। ବାଲିଘାଟ ନିଲାମଧାରୀଙ୍କ ନାମରେ ଏଗ୍ରିମେଂଟ ହୋଇଛି କି ନାହିଁ ସେହି ତଥ୍ୟ ମଧ୍ୟ ସଂପୃକ୍ତ ଆରଆଇଙ୍କ ପାଖରେ ନାହିଁ।

ଅନ୍ୟ ପକ୍ଷରେ ନିଲାମ କରିସାରିବା ପରେ ତହସିଲ ପକ୍ଷରୁ ପରିବେଶ ମଂଜୁରୀ ପାଇଁ ଆବେଦନ କରାଯାଉଥିବା ହେତୁ ଏଗ୍ରିମେଂଟ ପାଇଁ ବିଲମ୍ବ ହେଉଥିବା ଏବଂ ଓଏମଏମସି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ହେଲେ ନିଲାମ କରିବା ପୂର୍ବରୁ ପରିବେଶ ମଂଜୁରୀ ଅଣାଯାଇ ନିଲାମ କରାଗଲେ ନିଲାମଧାରୀ ତୁରନ୍ତ ଏଗ୍ରିମେଂଟ କରିବାରେ ସୁବିଧା ହୋଇପାରନ୍ତା ଓ ଓଏମଏମସି ନିୟମ ଅନୁସାରେ ନିର୍ଦ୍ଧାରିତ ସମୟସୀମା ଭିତରେ ଏଗ୍ରିମେଂଟ କରାଯାଇପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ତହସିଲ ଗୁଡିକ ପକ୍ଷରୁ ଗତ ମଇ ଜୁନ ମାସରେ ନିଲାମ କରାଯାଇଥିବା ବେଳେ ଯେଉଁମାନେ ସର୍ବାଧିକ ମୂଲ୍ୟ ଦେବାକୁ ଦର୍ଶାଇ ନିଲାମ ପାଇଥିଲେ ସେମାନେ ମଧ୍ୟ ଆବଶ୍ୟକୀୟ କାଗଜାତ ସହିତ ପରିବେଶ ମଂଜୁରୀ ମିଳିନଥିବା ହେତୁ ଏଗ୍ରିମେଂଟ କରିପାରିନଥିଲେ। ନିଲାମ ହୋଇଥିବା ସଂପୃକ୍ତ ବାଲିଘାଟ ଗୁଡିକର ନିୟମିତ ଭାବେ ବାଲି ଉଠାଣ କରାଯାଉଥିବା ସ୍ଥାନୀୟ ଅଂଚଳରେ ଅଭିଯୋଗମାନ ହେଉଛି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ରାଜସ୍ୱ କ୍ଷତି ହେଉଥିବା ଜଣାପଡିଛି। ତହସିଲ ଅଫିସ ହିଁ ଓଏମଏମସି ଅଧିନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି।

କଳାହାଣ୍ଡିରେ ହୋଇଥିବା ବାଲିଘାଟ ନିଲାମ, ପରିବେଶ ମଂଜୁରୀ ଇତ୍ୟାଦିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୋନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସର ସଫଳତା: ମୋଟେର ଡକାୟତି ଘଟଣାର ଅଭିଯୁକ୍ତ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କୋକସରା ପୋଲିସ ପକ୍ଷରୁ ତନାଘନା ତଦନ୍ତ କରାଯାଇ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ମୋଟେର ଠାରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଶିକ୍ଷକଙ୍କ ଘରୁ ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ସକ୍ଷମ ହୋଇଥିବା ପ୍ରକାଶ।

ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କଠାରୁ ଲୁଟ ହୋଇଥିବା ପ୍ରାୟ ନଅଲକ୍ଷ ଟଙ୍କାର ସାମଗ୍ରୀ ଜବତ କରି ଅଭିଯୁକ୍ତ (୧) ବାପି ଓରଫ ବାପିନା ବେହେରା (୨୬) ପିତା- ଜଳଧର ବେହେରା ଗ୍ରାମ- ବାଉନଶକିନା, ଥାନା ଭୂବନ ଜିଲ୍ଲା- ଢେଙ୍କାନାଳ (୨) ଦୀପୁ ଓରଫ ଦୀପକ କୁମାର ସ (୨୪) ପିତା- ରାମ କୁମାର ସ ଗ୍ରାମ- ବେଦବ୍ୟାସ ରାଉରକେଲା ଥାନା- ବ୍ରାହ୍ମଣି ତରଙ୍ଗ ଜିଲ୍ଲା ସୁନ୍ଦରଗଡ (୩) ସୂରଜ କୁମାର ମାଝୀ (୨୫) ପିତା ଉଦ୍ଧବ ମାଝୀ ଗ୍ରାମ ବାନ୍ଦୋପଲା ଥାନା ଟିଟିଲାଗଡ ଜିଲ୍ଲା ବଲାଙ୍ଗୀର କୁ ଗିରଫ କରି ସେମାନଙ୍କ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପୋଲିସ ପକ୍ଷରୁ କଳାହାଣ୍ଡି ଏସପି ଶବଚ୍ଚ ବିବେକଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବହୁଚର୍ଚ୍ଚିତ ଏହି ଲୁଟ ଘଟଣାର ଚାନଭିନ କରାଯାଇ ସଫଲ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ମାନେ ଅନେକ ଆନ୍ତଜିଲ୍ଲା ଡକାୟତିରେ ସଂଶ୍ଳିଷ୍ଟ ଥିବା ପୋଲିସ ସୂତ୍ରରୁ ପ୍ରକାଶ।

ସୂଚନା ଯୋଗ୍ୟ, ଗତ ଡିସେମ୍ବର ଶେଷ ସପ୍ତାହରେ ମୋଟେର ଠାରେ ବନ୍ଧୁକ ମୁନ ରେ ଶିକ୍ଷକ ଯଯାତି ପଟ୍ଟେଯାଷୀଙ୍କ ଘରୁ ପାଂଚଜଣ ଲୁଟେରା ଡକାୟତି କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ କେଶ ନଂ. ୨୮୬/୨୦୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା। ପୋଲିସ ପକ୍ଷରୁ ଏଭଲି ସଫଳତା ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଳାହାଣ୍ଡିର ଜୁନାଗଡ ରେଳ ଷ୍ଟେସନରୁ ବିଦେଶକୁ କପା ରପ୍ତାନୀ ଆରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସମ୍ବଲପୁର ଇଷ୍ଟ କୋଷ୍ଟ ରେଳ ମଣ୍ଡଳ ଦ୍ୱାରା କ୍ରମାଗତ ଭାବେ ପ୍ରୟାସ କରାଯିବା ପରେ ବାଂଳାଦେଶକୁ କପା ରପ୍ତାନୀ ଆରମ୍ଭ କରାଯାଇଛି। ଜୁନାଗଡ-ରୋଡ ରେଳ ଷ୍ଟେସନରୁ ୪୨ ଗୋଟୀ ମାଳ ବୋଝେଇ ରେଳ ୱାଗନ ରେ ୨୪୭୧ ଟନ କପା ବୋଝେଇ କରାଯାଇଥିବା ରେଳ ବିଭାଗରୁ ଜଣାପଡିଛି। ଜୁନାଗଡ–ରୋଡ ଷ୍ଟେସନରୁ ବାଂଳାଦେଶର ବେଣାପୋଳକୁ କଫା ଯାଉଥିବା ପ୍ରକାଶ।

ରେଳ ମାଧ୍ୟମରେ ମାଧ୍ୟମରେ ଦେଶ ଭିତରେ ଏବଂ ବିଦେଶ କୁ କୃଷିଜାତ ସାମଗ୍ରୀ ପରିବହନ ରପ୍ତାନୀ ସବୁଠାରୁ ଶୀଘ୍ର ଓ ସୁରକ୍ଷିତ ହେବା ସହିତ ଏହା ଦ୍ୱାରା ଏଥି ସହିତ ଜଡିତ ସମସ୍ତେ ଲାଭବାନ ହୋଇପାରିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଏଥିସହିତ ପ୍ରବନ୍ଧକବାଂଲାଦେଶକୁ ଦୂରଗାମୀ ରେଳ ବ୍ୟବସ୍ଥାରେ ଟ୍ରାଫିକ ର ସଫଳତା ପାଇଁ ସମସ୍ତ ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ଭ୍ରୂୟସୀ ପ୍ରଶଂସା କରିଛନ୍ତି। ରେଳ ବିଭାଗ ଦ୍ୱାରା ବିଜନେଓ ଡେଭଲପମେଂଟ ୟୁନିଟ ସ୍ଥାପନା ପରେ ମାଳ ପରିବହନର ସବୁଠାରୁ ସୁରକ୍ଷିତ ଏବଂ ଶସ୍ତା ଦିଗ ପାଇଁ ମାଳ ପରିବହନ ନିମନ୍ତେ ଗ୍ରାହକ ମାନଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଉଥିବା ପ୍ରକାଶ।

ସୂଚନା ଯୋଗ୍ୟ ଯେ, ବିଗତ ତିନି ବର୍ଷ ହେବ କଳାହାଣ୍ଡିର ଅଣଜଳସେଚିତ ଅଂଚଳରେ ବ୍ୟାପକ କପା ଉତ୍ପାଦନ କରାଯାଉଥିବା କୃଷି ବିଭାଗ ସୂତ୍ରରୁ ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ଆପତିଜନକ ଡ଼ିଡିଓ ଭାଇରାଲ କରି ଶିକ୍ଷକ ଗିରଫ

କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଜନୈକ ମହିଳାଙ୍କ ଆପତି ଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଶିକ୍ଷକ ଗିରଫ ହେବା ଘଟଣା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କଲମପୁର ବ୍ଲକ ଅଧିନସ୍ଥ ପିପଲଝାପର ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ବିଜମରା ଗ୍ରାମର ହନୁମନ୍ତ ମାଝୀ ଜୟପାଟନା ଥାନା ବେହେରନସିଲ ଗ୍ରାମର ଜନୈକା ମହିଳାଙ୍କ ଆପତିଜନକ ଭିଡିଓ ଭାଇରାଲ କରିଥିବା ବିଷୟରେ ୧୮.୦୨.୨୦୨୧ ଦିନ ସଂପୃକ୍ତ ମହିଳା ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ ।

ଜୟପାଟନା ଇନ୍ସପେକ୍ଟର ରଶ୍ମିତା ପ୍ରଧାନ ଏସଂପର୍କରେ ଜୟପାଟଣା ଥାନାରେ ଦଫା ୫୦୦ ଆଇପିସି ଓ ଆଟି ଆକ୍ଟ୬୬(ଇ)/୬୭ ଅନୁଯାୟୀ କେଶ ନଂ.୫୦ /୨୦୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିଥିଲେ । ଅଭିଯୁକ୍ତ ସଂପୃକ୍ତ ଶିକ୍ଷକ ଏକ ଷ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ମହିଳାଙ୍କ ଆପତିଜନକ ଭିଡିଓ ପୋଷ୍ଟ କରିବାପରେ ସେଗୁଡିକ ଭାଇରାଲ ହୋଇଯାଇଥିବା ପ୍ରକାଶ । ପୋଲିସ ଉକ୍ତ ଘଟଣାରେ ବ୍ୟବହୃତ ମୋବାଇଲକୁ ଜବତ କରି ଅଭିଯୁକ୍ତକୁ କୋର୍ଟକୁ ପଠାଇ ଦେଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଉଦ୍ଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଓଡିଶାରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହା ଉତ୍ସବ କଳାହାଣ୍ଡିର ଜୁନାଗଡ ଠାରେ ଲଙ୍କେଶ୍ୱରୀ ରଙ୍ଗମଂଚରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ତରର ଆଦିବାସୀ ଉତ୍ସବ ଜୁନାଗଡ ପାଇଁ ଏକ ଯୁଗାନ୍ତକାରୀ ଇତିହାସ ହୋଇରହିବ ଏବଂ ଲୋକସାହିତ୍ୟ, ଲୋକସଂସ୍କୃତି ସବୁବେଳେ ସମାଜକୁ ଦିଗଦର୍ଶନ ଦେଇଥାଏ ବୋଲି ଉଦଯାପନ ସମାରୋହରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିରୋଧି ଦଳ ନେତା ପ୍ରଦିପ୍ତ କୁମାର ନାଏକ ପ୍ରକାଶ କରିଥିଲେ।

ହଜାରେ ବର୍ଷର ନଗର କଳାହାଣ୍ଡି ର ପ୍ରାକ୍ତନ ରାଜଧାନୀ ଛଅକୋଡି ବନ୍ଧକୁ ନଅ କୋଡି ତୋଟା ର ନଗର, ମନ୍ଦିର ମାଳିନୀ ସହର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ସହିତ ପୁରାତନ ସଂସ୍କୃତି ଓ ପ୍ରାଚୀନ ଆଦିବାସୀ ପରଂପରାକୁ ବହନ କରୁଥିବା ପ୍ରକୃତିର ଗନ୍ତାଘର ଭାବେ ପରିଚିତ ଜୁନାଗଡ ସହରରେ ଜାତୀୟ ସ୍ତରର ଆଦିବାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆନନ୍ଦର ବିଷୟ ବୋଲି ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ ତଥା ପ୍ରାକ୍ତନ ମନ୍ତ୍ରୀ ଓ ସାଂସଦ ରାସବିହାରୀ ବେହେରା ମତବ୍ୟକ୍ତ କରିଥିଲେ।

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧିନସ୍ଥ ପୂର୍ବାଂଚଲ ସଂସ୍କୃତିକ କେନ୍ଦ, କୋଲକତା ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ସହେଯାଗରେ ଆୟୋଜିତ ଏହି ଜାତୀୟ ଆଦିବାସୀ ଲୋକନୃତ୍ୟ କାର୍ଯୟକ୍ରମକୁ ୧୨ ତାରିଖ ଦିନ ଉଦଘାଟନ କରାଯାଇଥିଲା। ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଗାଟନ କରିଥିଲେ। ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ ରଥ, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଧର୍ମଶାଳା ବିଧାୟଲ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଦାୟକ ସଂଜୀବ ମଲ୍ଲୀକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

ଦ୍ୱିତୀୟ ଦିନ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ପରଂପରା ସର୍ବପୁରାତନ ପରଂପରା ଏବଂ ଏଥି ସହିତ ଆମର ସାମାଜିକ ବିଧି ବ୍ୟବସ୍ଥା ଜଡିତ ରହିଛି ବୋଲି ପ୍ରକାଶ କରିଥିଲେ। ଜନ୍ମ ହେବା ପରେ ପାଂଚ ପଇସାରେ ଆଦିବାସୀ ମାଆଁଙ୍କ ପାଖରେ ମୋତେ ବିକ୍ରୀ କରାଯାଇଥିଲା, ତେଣୁ ଆଦିବାସୀ ମାନଙ୍କ ପାଖରେ ସର୍ବଦା ନତମସ୍ତକ ବୋଲି ଅତ୍ୟନ୍ତ ଭାବବିହ୍ୱଳ ହୋଇ ମନ୍ତ୍ରୀ ପ୍ରକାଶ କରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି କଳାହାଣ୍ଡିର ଜୁନାଗଡରେ ଏହି ଜାତୀୟ ଉତ୍ସବ ପାଳନ କରାଯାଇଥିବାରୁ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ଆସାମର ଭରତାଲ, ବିହୁ ଓ ବୋଡି ନୃତ୍ୟ, ଝାରଖଣ୍ଡର ଛଉ ଓ ପାଇକା, ପଶ୍ଚିମ ବଂଗର ରେବେନ, ନୃତିକା ବାଡେନ ଓ ପୁରୁଲିଆ ଛଉ, ବିହାରର ଭୋଜପୁରୀ ଏବଂ ଓଡିଶାର ମୋଗଲ ତାମସା,ଦୁରୁଆ, କୋୟା,ଢେମସା ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ମଂଚରେ ଭାନୁପ୍ରକାଶ ରଥ ସଂଯୋଜନା କରିଥିଲେ। ଜୁନାଗଡ ପୂର୍ବ ନଗରପାଳ ମହେଶ ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ନେଇ ଆୟୋଜକ ଓଡିଶା ସଂଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟରରେ କଳାହାଣ୍ଡିର ଅପହଂଚ ଅଞ୍ଚଳ ବୁଲି ଦେଖିଲେ ଜଳସଂପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପହଂଚ ଅଂଚଳକୁ ରାଜ୍ୟ ଜଳସଂପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଗସ୍ତ କରିଛନ୍ତି। ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଙ୍କ ସହିତ ଟ୍ରାକ୍ଟରରେ ବସି ସଂଗ୍ର ଅଂଚଳକୁ ବୁଲି ବିଭିନ୍ନ ଅଂଚଳ ବୁଲି ଦେଖିଛନ୍ତି। ବିଶେହ କରି କେସିଙ୍ଗା ବ୍ଲକ ଅଧିନସ୍ଥ କଶୃପଡା ପଂଚାୟତର ଶତାଧିକ ଚାଷୀଙ୍କ ତେଲନଦୀ କୂଳିଆ ଚାଷ ଜମି ମାନଙ୍କରେ ବଢିପାଣି ଯୋଗୁଁ ଚାଷ ନଷ୍ଟ ହେଉଥିବା କାରଣରୁ ଆଡିବନ୍ଧ ନିର୍ମାଣ କରିବାକୁ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିଲା।

ବିଧାୟକ ଓ ମନ୍ତ୍ରୀ ସ୍ଥାନୀୟ ଚାଷୀ ମାନଙ୍କ ସହିତ ସମଗ୍ର ଅଂଚଳକୁ ଦେଖିବା ପରେ ସୁକୁନାଭଟା ଠାରୁ ଘାଟପଡା ପର୍ଯ୍ୟନ୍ତକୁ ତିନି କି.ମି. ପର୍ଯ୍ୟନ୍ତକୁ ଆଡିବନ୍ଧ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି। ଜଳସଂପଦ ବିଭାଗ ତରଫରୁ ସର୍ଭେ କରାଯାଇ ଅଟକଳ ପ୍ରସ୍ତୃତ କରାଯାଇ ବୈଷୟୀକ ପରାମର୍ଶଦାତା କମିଟୀକୁ ପଠାଯାଇଥିବା ଜଣାପଡିଛି। ସ୍ଥାନୀୟ ବିଧାୟକଙ୍କ ସହିତ ଜଳସଂପଦ ମନ୍ତ୍ରୀଙ୍କ ତେଲନଦୀ। ଅଞ୍ଚଳ ପରିଦର୍ଶନ ଏବଂ ଆଡିବନ୍ଧ ନିର୍ମାଣ ପ୍ରସ୍ତାବ ଯୋଗୁଁ ସ୍ଥାନୀୟ ଚାଷୀ ମହଲରେ ଖୁସିର ଲହରୀ ଖେଲିଯାଇଥିବା ଜଣାପଡିଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ତେଲ ଅବବାହିକା ମୂଖ୍ୟଯନ୍ତ୍ରୀ ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ତଥା ସେହି ଅଂଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୂଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ: କଂଗ୍ରେସ ପକ୍ଷରୁ ଥାନାରେ ମାମଲା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଗତ ୧୪ ତାରିଖ ଦିନ ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ଦାଏର କରାଯାଇଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ ଜୟପାଟଣା ବ୍ଲକ ମଙ୍ଗଳପୁର ଠାରେ ମୂଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ବହୁ ମନ୍ତ୍ରୀ, ବିଧାୟକ, ୫ଟି ସଚିବ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସଭା ମଂଚରେ ଉପସ୍ଥିତ ଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇ ୩ ହଜାରରୁ ଅଧିକ ଜନସମାଗମ କରାଯାଇଥିଲା।

ସରକାରୀ କାର୍ଯ୍ୟକ୍ରମରେ ବହୁମାତ୍ରାରେ ଦଳୀୟ ପତାକା ବ୍ୟବହାର କରାଯାଇ ରାଜକୋଷରୁ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ୧୩ ତାରିଖ ଦିନ ମନ୍ତ୍ରୀ, ଏମଏଲଏ ମାନେ ବିଭିନ୍ନ ଗ୍ରାମକୁ ଯାଇ କୋଭିଡ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଠୁଳ କରିଥିବା ବେଳେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ଧର୍ମଗଡ, କୋକସରା ଏବଂ ଜୟପାଟଣା ଥାନାରେ ପୃଥକ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ଜନସମାବେଶରେ ବିଜୁବାବୁଙ୍କ ଉପରେ ଏକ ବଡ କଥା କହିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ

ଭୁବନେଶ୍ବର, ବହୁଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ କଳାହାଣ୍ଡି ଗସ୍ତ କରିଥିଲେ। କରୋନା ପାଇଁ ମୁଖ୍ୟମନ୍ତ୍ରୀ କେବଳ ଭୁବନେଶ୍ବର ପୁରୀ ଭିତରେ ତାଙ୍କର ଗସ୍ତକୁ ସୀମିତ ରଖିଥିଲେ। ଯାହା ସବୁ କାର୍ଯ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ କରୁଥିଲେ। କଳାହାଣ୍ଡି ଗସ୍ତ କରି ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହିତ ଜନସମାବେଶକୁ ଉଦବୋଧନ ଦେଇଥିଲେ। ତେବେ ଏହି ଉଦବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ କଳାହାଣ୍ଡି ଗସ୍ତ ବେଳେ ଏକ ବଡ ଘଟଣାକୁ ମନେ ପକାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରି ଥିଲି,  ସେତେବେଳେ ବିଜୁବାବୁ କହିଥିଲେ “Nothing to be worried.”  । କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ। କଳାହାଣ୍ଡି ମାଟିରେ ମୋର ଯେତିରି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କର ଏହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା। ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡିଶା ପାଇଁ ବାଟ ଦେଖାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ରାଜପଥରେ ଦୁଲୁକିବ କଳାହାଣ୍ଡିର ବଜାଶାଲ ନୃତ୍ୟ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଗାମୀ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ବଜାଶାଳ ନୃତ୍ୟରେ ଦୁଲୁକିବ ଦିଲ୍ଲୀ ରାଜପଥ। କେନ୍ଦ୍ରୀୟ ସଂସ୍କୃତି ବିଭାଗ ଅଧିନ କୋଲକତା ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପୂର୍ବ ଭାରତରେ ଏକମାତ୍ର ଦଳ ଭାବେ କଳାହାଣ୍ଡିର ପ୍ରତିଭା ଅନୁଷ୍ଠାନ ଦ୍ୱାରା ପରିବେଷଣ କରାଯାଉଥିବା କଳାହାଣ୍ଡିର ଲୋକନୃତ୍ୟ ବଜାଶାଳ ନୃତ୍ୟ ଦଳକୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚୟନ କରାଯାଇଥିବା ଜଣାପଡିଛି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଲୟ ତତ୍ୱାବଧାନରେ ପ୍ରତିଭା ଅନୁଷ୍ଠାନର ବଜାଶାଳ କଳାକାର ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚୁଡାନ୍ତ କରାଯାଇଛି। ସେଥିପାଇଁ ଗତ ୩ ତାରିଖ ଦିନ ପ୍ରତିଭା ଅନୁଷ୍ଟାନର ନୃତ୍ୟ ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ସମେତ ୮୦ ଜଣିଆ ନୃତ୍ୟ ଦଳକୁ ଆବଶ୍ୟକୀୟ ପରୀକ୍ଷା ନୀରିକ୍ଷା କରାଯାଇ ଦିଲ୍ଲୀ ପଠାଯାଇଥିବା ଜଣାପଡିଛି।

ଜୁନାଗଡ ବିଧାୟକ ତଥା ଓଡିଶାର ମାନ୍ୟବର ଶକ୍ତି, ଶିଳ୍ପ, ମଧ୍ୟମ ଉଦ୍ୟୋଗ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହି ଦଳକୁ ଶୁଭେଚ୍ଛାର ସହିତ ବିଦାୟ ଦେଇଛନ୍ତି। ସାଧାରଣତନ୍ତ୍ର ଦିବସରେ ପରିବେଷଣ ପୂର୍ବରୁ କଳାହାଣ୍ଡିର ଲୋକନୃତ୍ୟ ବଜାଶାଳ ଦଳ ଦିଲ୍ଲୀ ରାଜପଥରେ ପ୍ରତିରକ୍ଷା ମନ୍ତ୍ରଣାଳୟ ତତ୍ୱାବଧାନରେ ରିହଲସେଲ କରିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସକୁ ବଡ ସଫଳତା: ଡକାୟତି ଘଟଣାରେ ଜଣେ ଶିକ୍ଷକ ସମେତ ଆଠ ଜଣ ଦୁର୍ବୃତ୍ତ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଥାନା ଅଂଚଳରେ ମହୁଲପାଟଣା ଘାଟିରେ ଗତ ୧୦ ତାରିଖ ଦିନ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ମାଷ୍ଟର ମାଇଣ୍ଡ ସମେତ ଆଠ ଜଣ ଦୁର୍ବୃତ୍ତଙ୍କୁ ଜୟପାଟଣା ପୋଲିସ ଗିରଫ କରିବା ସହିତ ଲୁଟ ହୋଇଥିବା ଟଙ୍କ, ଗାଡି, ମାରଣାସ୍ତ୍ର, ମୋବାଇଲ ଇତ୍ୟାଦି ପୋଲିସ ଜବତ କରିଥିବା ସଂପର୍କରେ ଧର୍ମଗଡ ଏସଡିପିଓ ନାରାୟଣ ନାଏକ ତଥା ଜୟପାଟଣା ଥାନାଧିକାରିଣୀ ରଶ୍ମିତା ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ରାୟଗଡା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି.କରଳଗାଁ ର ଗୋରୁ ବେପାରୀ ଗୋବିନ୍ଦ ନାଏକ, ଲବ ନାଏକ, ସୁନାରୀ ନାଏକ ଓ ଭରତ ନାଏକ ଜଙ୍ଗଳ ରାସ୍ତା ଦେଇ ଜୟପାଟଣା ବଜାରକୁ ଗୋରୁ କିଣିବା ପାଇଁ ଆସୁଥିବା ବେଳେ ମହୁଳପାଟଣା ଘାଟି ଉପରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଜୟପାଟଣା ଥାନା କେଶ ନଂ.୩୬୪/୨୦୨୦ ଅନୁସାରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ ଏସଡିପିଓ ତଦନ୍ତ ଭାର ନେଇଥିବା ପ୍ରକାଶ।

ଜୟପାଟଣା ଥାନାଧିକାରିଣି ରଶ୍ମିତା ପ୍ରଧାନଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଘଟଣାର ୫ଦିନ ପରେ ପୋଲିସକୁ ସଫଳତା ମିଳିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାପଡିଛି। ମାଷ୍ଟର ମାଇଣ୍ଡ କୋକସରା ବ୍ଲକ ଡହଗାଁର ଶିକ୍ଷକ ଅଲେଖ ଠାକୁର ଓ ତାଙ୍କ ସଂପର୍କୀୟ ଭଣଜା କୁମ୍ଭନାଥ ଜଗତ(୩୨), ଭବାନୀପାଟଣା ସଦର ଥାନା ଅଞ୍ଚଳର ଶୋଭାବନ ନାଗ ( ୩୬), ଦେବରାଜ ସୁନାନୀ(୩୨), ଜୁନାଗଡ ଥାନା ଅଂଚଳର ମୁନା ଦୁର୍ଗା(୩୨), ଜଗନ୍ନାଥ ନାଏକ(୩୪), ଜିତେନ୍ଦ୍ର ହଂସ(୩୫), ଗୋଲାମୁଣ୍ଡା ଥାନା ଅଂଚଳର ଗଜିନ୍ଦ୍ର ବିହାର(୩୬) ପାପଡାହାଣ୍ଡି ଥାନା ଅଂଚଳର ସେମଲା ଗାଁର ଅହୀରନ୍ଧଜ୍ଞ(୨୬) ଙ୍କୁ ଗିରଫ କରିଥିବା ପ୍ରକାଶ।

ସେହିପରି ଲୁଟ ଟଙ୍କାରୁ ୨ଲକ୍ଷ ୭୦ ହଜାର ଟଙ୍କା, ୨ଟିଛୁରୀ,୨ ଟିଲାଠୀ, ୪ଟି ବାଇକ, ମୋବାଇଲ ଆଦି ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଡକାୟତି ଘଟଣାରେ ଜଣେ ଶିକ୍ଷ ଙ୍କ ସଂପୃକ୍ତି ସମଗ୍ର ଅଂଚଳରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ପାଇଲେ ଲାଡଲି ସମ୍ମାନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ନିୟମଗିରି ବଣପାହାଡ ଘେରା ଅଂଚଳରେ ବସବାସ କରୁଥିବା ଜନଜାତି ଆଦିବାସୀ ସଂପ୍ରଦାୟର ଚାଲିଚଳଣି ତଥା ବାଲ୍ୟ ବିବାହ ପ୍ରଥା ଆଦି ସାମାଜିକ ଚଳଣି ସଂପର୍କରେ ପ୍ରକାଶିତ ତଥ୍ୟ ଭିତ୍ତିକ ସମ୍ବାଦ ପାଇଁ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ‘ଲାଡଲି’ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଗତ ୨୨ ସେପ୍ଟେମ୍ବର ୨୦୧୯ ସଂସ୍କରଣ ଦୈନିକ ସମାଜରେ ପ୍ରକାଶିତ ଅନୁସଂଧାନ ମୂଳକ ସମ୍ବାଦ – ବିଶ୍ୱାସ ଓ ପରଂପରା ଜାଲରେ ଡଙ୍ଗରିଆ ଯୁବତୀ, ଭାବିସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତ- ଶୀର୍ଷକ ରିପୋର୍ଟ ପାଇଁ ସମା ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ସମ୍ମାନ ଜନକ ଲାଡଲି ସମ୍ମାନ ପ୍ରଦାନ କରାଯାଇଛି। ମୁମ୍ବାଇର ଲବ୍ଧ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ ଫାଷ୍ଟ, ୟୁନାଇଟେଡ ନେସନ ପପୁଲେସନ ଫାଷ୍ଟ, ନରୱେ ସରକାର, ଆନ୍ତର୍ଜାତିକ ବିଜ୍ଞାପନ ଏଜେନ୍ସି ର ମିଳିତ ଆନୁକୂଲ୍ୟରେ ଗତ ୨୦ ତାରିଖ ଅପରାହ୍ନରେ କୋଭିଡ-୧୯ ନିୟମ ପାଳନ କରାଯାଇ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ସମ୍ମାନ ଜନକ ୧୦ ତମ ଲାଡଲି ମିଡିଆ ଆଣ୍ଡ ଆଡଭାର୍ଟାଇଜିଂ ଆୱାର୍ଡ ଫର ଜେଣ୍ଡର ସେନ୍ସିବିଲିଟି-୨୦୨୦ ସମ୍ମାନ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ରେଖା ଶର୍ମା ଓ ସମ୍ମାନିତ ଅତିଥି ଭାବେ ନରୱେ ର ବାରତୀୟ ପ୍ରତିନିଧି ଆରଜେନଟିନା ମାଟାବେନ ପିଜିନ ଯୋଗ ଦେଇ ସ୍ୱତନ୍ତ୍ର ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ଶ୍ରୀ ଦ୍ୱିବେଦୀଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ଦ୍ୱିବେଦୀ ଏଥିପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ବହୁ ସମ୍ମାନରେ ସମ୍ମାନିତ ହୋଇ କଳାହାଣ୍ଡି ଜିଲ୍ଲାକୁ ଅତୀତରେ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗିନିଜ୍ ବୁକ୍ ଅଫ ରେକର୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ କଳାହାଣ୍ଡିର ଯୋଗବ୍ୟାସ ଭୋଇ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ତରଫରୁ ହୋଇ ଥିବା ଏକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତ ଅଗଷ୍ଟ ୧୫ ତାରିଖ ଦିନ ଗିଜିନ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ପର୍ବତାରୋହୀଙ୍କ ଫଟୋ ଅପଲୋଡ଼ କରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଯୋଗବ୍ୟାସ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ଫେସବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପଲୋଡ଼ କରି ଏହି ଗୌରବ ହାସଲ କରିଛନ୍ତି।

ଏହା ସହିତ ଭାରତରେ ପ୍ରଥମ ସ୍ଥାନ ଅଧିକାର କରି ଥିବାବେଳେ ସେଥିମଧ୍ୟରୁ ରାଜ୍ୟରେ କଳାହାଣ୍ଡି ଜିଲ୍ଲା ରୁଫ୍ରା ଗାଁର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଜଣେ ମାତ୍ର ବିଜେତା ଅଛନ୍ତି। ଯୋଗବ୍ୟାସ ଏହି ପ୍ରତିଯୋଗିତାରେ ଭାଗ ନେଇ ଗିନିଜ ଵୁକର ସମ୍ମାନ ଜନକ ପ୍ରମାଣ ପତ୍ର ପାଇଛନ୍ତି। ଯାହା ଭାରତ ତଥା ଓଡ଼ିଶା ପାଇଁ ଏକ ଗର୍ବିତ ବୋଲି ସେ ପ୍ରକାଶ କରିଛନ୍ତି। ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ବିଶ୍ଵ ତଥା ଏସିଆ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ କୁ ୨୦୧୧ ମସିହାରେ ୮୮୫୦ ମିଟର ଉଚ୍ଚ ତମ ଗିରିଶୃଙ୍ଗ ସଫଳତା ର ସହିତ ଚଢିଛନ୍ତି।

ଶ୍ରୀ ଭୋଇ ସାର୍ଟିଫିକେଟ ପାଇବା ପରେ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାରେ ଗର୍ବ ଗୈ।ରଵ ଆଣିଥିବା ନେଇ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ହେରାଫେରି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିବା ସହିତ କୃଷି କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ରିହାତି ମୂଲ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହାର ସୁଯୋଗ ନେଇ କଳାହାଣ୍ଡିର ନୀରିହ ଚାଷୀମାନଙ୍କ ସରଳତାର ସୁଯୋଗ ନେଇ କେତେକ ଅସାଧୁ ଡିଲର ଚାଷୀଙ୍କୁ କୌଣସି କୃଷି ଯନ୍ତ୍ରପାତି ଯୋଗାଇ ନଦେଇ ଚାଷୀଙ୍କ ନାମରେ ସବସିଡି ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି। ଅନେକ ଚାଷୀ ନିଜ ନାମରେ କୌଣସି କୃଷି ଯନ୍ତ୍ରପାତି ଆଣିନଥିବାର ପ୍ରକାଶ କରିଛନ୍ତି।

ଇନ୍ଦ୍ରାବତୀ ଜଳ ସେଚନ ଯୋଜନାରୁ ବ୍ୟାପକ ଭାବେ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଧାନ ଚାଷ ବୃଦ୍ଧିପାଇବାରେ ଲାଗିଛି। ଏହାର ସୁଯୋଗ ନେଇ ଜିଲ୍ଲା ସାରା ଅଣଓଡିଆ ଚାଷୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଧାନ ଅମଳ କରିବା ପାଇଁ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଶ୍ରମିକ ମିଳୁନଥିବାରୁ ଧାନ ଅମଳରେ ଅସୁବିଧା ହେଉଥିବା କାରଣରୁ ଧାନ ଅମଳ ପାଇଁ କମ୍ବାଇନ ହାରଭେଷ୍ଟର ଭଲି ମୂଲ୍ୟବାନ ଯନ୍ତ୍ରଚାଲିତ ମେସିନର ଆବଶ୍ୟକ ପଡିଥାଏ। ପ୍ରାୟ ଚବିଶ ରୁ ଛବିଶ ଲକ୍ଷ ଟଙ୍କାର ଏହି କମ୍ବାଇନ ହାରଭେଷ୍ଟର ପାଇଁ ସରକାର ପକ୍ଷରୁ ଛଅ ଲକ୍ଷ ଟଙ୍କା ହିତାଧିକାରୀ ଚାଷୀଙ୍କୁ ସବସିଡି ଆକାରରେ ଯୋଗାଇ ଦିଆଯାଇଥାଏ। ଏହାର ସୁଯୋଗ ନେଇ କିଛି ଅସାଧୁ ଡିଲର ନିଜର କେତେକ ଏଜେଂଟ ମାଧ୍ୟମରେ ଗରିବ ନୀରିହ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ କାଗଜାତ ସଂଗ୍ରହ କରିବା ସହିତ ଫୁସୁଲାଇ ଆଧାର କାର୍ଡ, ଚେକ ସହିତ ବ୍ୟାଙ୍କ ପାଶବୁକ, ଜମି ସଂକ୍ରାନ୍ତୀୟ କାଗଜାତର କପି ଇତ୍ୟାଦି ସଂଗ୍ରହ କରି ସଂପୃକ୍ତ ଚାଷୀଙ୍କ ନାମରେ କମ୍ବାଇନ ହାରଭେଷ୍ଟର ମେସିନ ଆଣିଥିବା ଦର୍ଶାଇ ଚାଷୀଙ୍କ ବେଙ୍କ ପାଶବୁକରେ ସବସିଡି ଟଙ୍କା ପଡିଗଲେ ଚେକ ମାଧ୍ୟମରେ ଟଙ୍କା ଉଠାଣ କରିନେଇ ଚାଷୀଙ୍କୁ ଦଶ ହଜାରରୁ କୋଡିଏ ହଜାର ଟଙ୍କା ଧରାଇ ଦେଇ ସବସିଡି ହରିଲୁଟ କରିଥିବା ଅଭିଯୋଗ ମାନ ହୋଇଛି।

ଗତ ୨୦୧୮ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଗ୍ରାମପଂଚାୟତ ର ପଣ୍ଡରାପଲା ଗ୍ରାମର ନେତ୍ର ମୋହନ ମାଝୀ ପି. ଦକ୍ଷିଣ ମାଝୀ ଙ୍କ ନାମରେ ୟନମାର କରମଣ୍ଡଳ ଏଗ୍ରୋ ଟୁଲ୍ସ କମ୍ପାନୀର ଏକ କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ସରକାରୀ ରେକର୍ଡରେ ଥିବା ବେଳେ ତାଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ନଥିବାର ପ୍ରକାଶ କରିଛନ୍ତି। ଏପରିକି ନେତ୍ର ମୋହନ ଙ୍କୁ ତିରୁମାଳା ଏଗ୍ରୋ ଏଜେନ୍ସିର ଜନୈକ କର୍ମଚାରୀ ଡାକି ନେଇ ଧର୍ମଗଡ ନିକଟସ୍ଥ ବସୁଲ ଗ୍ରାମରେ ଏକ ଧାନ କ୍ଷେତରେ ଥିବା ହାରଭେଷ୍ଟର ସାମନାରେ ଠିଆ କରାଇ ଦେଇ ଫଟୋ ଉଠାଇ ନେଇଥିବା ନେତ୍ରାନନ୍ଦ ପ୍ରକାଶ କରିଛନ୍ତି। ନେତ୍ର ମୋହନ ମାଝୀଙ୍କ ବେଙ୍କ ଚେକ ନଂ.୫୨୪୯୮୧ ଓ ୫୨୪୯୮୨ ଯୋଗେ ୧୮.୦୧.୨୦୧୯ ଦିନ ଏବଂ ଚେକ ନଂ. ୫୨୪୯୮୩ ଯୋଗେ ଏନଇଏଫଟି କରି କମ୍ପାନୀ କର୍ମଚାରୀ ସମସ୍ତ ସବସିଡି ଟଙ୍କା ଉଠାଣ କରିନେଇଥିବା ଜଣାପଡିଛି। ଏସଂପର୍କରେ ନେତ୍ର ମୋହନ ଜିଲ୍ଲାପାଳ ଓ କୃଷିବିଭାଗ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି।
ସେହିପରି ଗତ ୨୦୧୮-୧୯ ମସିହାରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମୋହନଗୁଡା ଗ୍ରାମର ଅର୍ଜୁନ ମାଝୀ ନିଜ ନାମରେ କମ୍ବାଇନ ହାରଭେଷ୍ଟର ମେସିନ ଆସିନଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ନିକଟସ୍ଥ ବିମଳା ଗ୍ରାମରେ ରହୁଥିବା ଜୁନାଗଡିଆ ଚିରିକୁରୁ ନାମକ ଜଣେ ଅଣଓଡିଆ ଚାଷୀ ଅର୍ଜୁନ ମାଝୀକୁ ଆଶା ଦେଖାଇ ଭବାନୀପାଟଣାସ୍ଥିତ କ୍ଲାସ ସୋରୁମକୁ କୁ ଡାକିନେଇ କମ୍ବାଇନ ହାରଭେଷ୍ଟର କିଣିବା ପାଇଁ କହିଥିଲେ। କ୍ଲାସ ସୋରୁମର ମାଲିକ ସହ ଚିରିକୁରୁ କଥା ହୋଇ ସେଠାରେ କେତେକ କାଗଜାତରେ ସ୍ୱାକ୍ଷର କରାଇବା ସହିତ ଅର୍ଜୁନକୁ ନିକଟରେ ଥିବା ଏକ ପ୍ରାଇଭେଟ ବେଙ୍କକୁ ଡାକିନେଇ ସେଠାରେ ଋନ କରିବା ପାଇଁ କେତେକ କଲାଗଜାତରେ ସ୍ୱାକ୍ଷର କରାଇବା ସହିତ ମୋର ପିଏନବିର ପାଶବୁକ ର ସାତଟି ଖାଲି ଚେକ ରେ ସ୍ୱାକ୍ଷର କରାଇନେଇଥିଲେ। କିଛିଦିନପରେ କମ୍ବାଇନ ହାରଭେଷ୍ଟର ଆସିଯିବ ବୋଲି କହି ସେଠାରୁ ମୋତେ ଘରେ ଛାଡିଦେଇଥିଲେ। ପଚାରିଲେ ତୋର କୌଣସି ହାରଭେଷ୍ଟର ମଂଜୁରୀ ହୋଇପାରିଲା ନାହିଁ ବୋଲି ଅର୍ଜୁନକୁ କହୁଥିବା ଅର୍ଜୁନ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ସବସିଡି ମଂଜୁର ହୋଇଥିବା ସରକାରୀ ରେକର୍ଡରେ ଏଭଲି ଅନେକ ଚାଷୀ ଙ୍କ ନାମରେ କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ତଥ୍ୟ ମିଳିଥିବା ବେଳେ ତନ୍ମଧ୍ୟରୁ ଅଧିକାଂଶ ଚାଷୀଙ୍କୁ କୌଣସି କମ୍ବାଇନ ହାରଭେଷ୍ଟର ଯୋଗାଇ ନଦେଇ କମ୍ପାନୀ ମାଲିକ ଓ ଏଜେନ୍ସି ମାଲିକ ମାନେ ଦଲାଲ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ସବସିଡି ହରିଲୁଟ କରିଥିବା ଅଭିଯୋଗମାନ ହୋଇଛି।

ଗତ ୨୦୧୮-୧୯ ମସିହାରେ ଜୁନାଗଡ ବ୍ଲକର ଗୌଡଛେଣ୍ଡିଆ ଗ୍ରାମର ସରୋଜ ସୁନାନିଙ୍କ ନାମରେ ୟାନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ପାଇଁ ଛଅ ଲକ୍ଷ ଟଙ୍କା ସବସିଡି ମିଳିଥିବା ବେଳେ ତାଙ୍କ ପାଖରେ କୌଣସି ହାରଭେଷ୍ଟର ନଥିବା ଜଣାପଡିଛି। ସେହିପରି ୟନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଇଦେବା ପାଇଁ ଅସ୍ଥାୟୀ ଭାବେ ଚାରବାହାଲ ଠାରେ ଏକ ଚେଆର ଟେବୁଲ ପକାଇ ତିରୁମାଳା ଏଗ୍ରୋ ଏଜେନ୍ସି ମାଧ୍ୟମରେ କେତେକ ଦଲାଲ ଏଭଲି ଭାବେ ନୀରିହ ଚାଷୀଙ୍କ ନାମରେ ସବସିଡି ହରିଲୁଟ ଯୋଜନା କରିଥିବା କୁହାଯାଉଛି। ବର୍ତମାନ ଚାରବାହାଲ ଠାରେ ଏହି ଏଜେନ୍ସି ହିଁ ନଥିବା ଜଣାପଡିଛି। କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମର ପେଶାରେ ଜଣେ ମେକାନିକ ଧନଂଜୟ ମାଝୀଙ୍କ ନାମରେ କ୍ଲାସ କମ୍ପାନୀର ପ୍ରାୟ ୨୭ ଟକ୍ଷ ଟଙ୍କାର କ୍ଲାସ କମ୍ବାଇନ ହାରଭେଷ୍ଟର ବାବଦକୁ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ଧନଂଜୟ ପାଖରେ କୌଣସି ହାରଭେଷ୍ଟର ନଥିବାର ପ୍ରକାଶ।

ସେହିପରି ଦୁଲକିବନ୍ଧ ଗ୍ରାମର ବିଜୁପକ୍କାଘର ହିତାଧିକାରୀ ଈଶ୍ୱର ଭୋଇ ନାମରେ କ୍ଲାସ କମ୍ବାଇନ ହାରଭେଷ୍ଟର ପାଇଁ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ଈଶ୍ୱର ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ନଥିବା ତାଙ୍କ ପରିବାର ଲୋକଙ୍କଠାରୁ ପ୍ରକାଶ। ଜୟପାଟଣା ବ୍ଲକର ଭଇଁରୀପାଲି ଗ୍ରାମର ବେଦାନ୍ତ ମାଝୀଙ୍କୁ ମାଁ ସନ୍ତୋଷି ଇଂଜିନିୟରିଂ ଜୟପାଟଣା ତରଫରୁ କର୍ତାର ଏଗ୍ରୋ କମ୍ପାନୀର କମ୍ବାଇନ ହାରଭେଷ୍ଟ ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥରବା ବେଳେ ବେଦାନ୍ତକୁ କୌଣସି ହାରଭେଷ୍ଟର ଦିଆଯାଇନଥିବା ଜଣାପଡିଛି। ଭଇଁରୀପାଲି ଗ୍ରାମର ଉପେନ୍ଦ୍ର ମାଝୀ ଓ ମୋହନଗୁଡା ଗ୍ରାମର ବିଜୟ କୁମାର ମାଝୀଙ୍କ ନାମରେ କ୍ଲାସ କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଣ କରାଯାଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ ହୋଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ସେହିପରି ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡବସୁଲ ଗ୍ରାମର ପର୍ଶୁରାମ ଶବର ଓ ରାମେଶ୍ୱର ଶବର ଙ୍କ ନାମରେ ୟନମାର କମ୍ପାନୀର କମ୍ବାଇନ ହାରଭେଷ୍ଟର ଯୋଗାଣ ହୋଇଥିବା ଦର୍ଶାଇ ଛଅଲକ୍ଷ ଟଙ୍କା ଲେଖାଏ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ଗତ ୨୦୧୯-୨୦ ମସିହାରେ କ୍ଲାସ ଇଣ୍ଡିଆ କମ୍ପାନୀ ର କମ୍ବାଇନ ହାରଭେଷ୍ଟର ଭବାନୀପାଟଣାସ୍ଥିତ ନର୍ମଦା ଇଣ୍ଢଷ୍ଟ୍ରୀଜ ପକ୍ଷରୁ ଭବାନୀପାଟଣା ବ୍ଲକ ତୁର୍ପି ଗ୍ରାମର ବିଶ୍ୱନାଥ ପାତ୍ର, ଗୋଲାମୁଣ୍ଡା ବ୍ଲକ ତୁମୁରା ଗ୍ରାମର ଦୁଯ୍ୟୋଧନ ମାଝୀ, ଜୟପାଟଣା ବ୍ଲକର ଭଇଁରୀପାଲି ଗ୍ରାମର ଦୁର୍ଜନ ବାଗ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇ ଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ। ସେହିପରି ୟନମାର କରମଣ୍ଡଳ ଏଗ୍ରି ସଲୁ୍ୟସନ କମ୍ପାନୀର କମ୍ବାଇନ ହାରଭେଷ୍ଟର ତିରୁମାଳା ଏଗୋ୍ର ଏଜେନ୍ସି ପକ୍ଷରୁ ନର୍ଲା ବ୍ଲକର କୁଟେନ ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ, ଜୟପାଟଣା ବ୍ଲକ ବଡଟେମରୀ ଗ୍ରାମର ରବିନ୍ଦ୍ର ମାଝୀ, କଲମପୁର ବ୍ଲକର ପରୁଆଗୁଡା ଗ୍ରାମର ତୋପିନ୍ଦ୍ର ସୁନାନୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇ ଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ସେହିପରି ଏକସନ କନଷ୍ଟ୍ରକସନ ଇକୁ୍ୟପମେଂଟ କମ୍ପାନୀର କମ୍ବାଇନ ହାରଭେଷ୍ଟର ଅସ୍ଥା ଏଗୋ୍ର ଟୁଲ୍ସ ପକ୍ଷରୁ ଜୁନାଗଡ ବ୍ଲକର କର୍ଲାକୋଟ ଗ୍ରାମର ଡେଙ୍ଗା ମାଝୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ଲେଖାଏଁ ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ। ସେହିପରି କରତାର ଏଗ୍ରୋ ଇଣ୍ଡଷ୍ଟ୍ରିଜ କମ୍ପାନୀର କମ୍ବାଇନ ହାରଭେଷ୍ଟର ମାଁ ସନ୍ତୋଷୀ ଇଂଜିନିୟରିଂ ପକ୍ଷରୁ ଜୁନାଗଡ ବ୍ଲକର ଦାସିଗାଁ ଗ୍ରାମର ଡେଙ୍ଗା ମାଝୀ ଙ୍କୁ କମ୍ବାଇନ ହାରଭେଷ୍ଟର ଯୋଗାଇ ଦେଇଥିବା ଦର୍ଶାଇ ଛଅ ଲକ୍ଷ ଟଙ୍କା ସବସିଡି ଉଠାଣ କରାଯାଇଥିବା ବେଳେ ସେମାନଙ୍କ ପାଖରେ କୌଣସି କମ୍ବାଇନ ହାରଭେଷ୍ଟର ହିଁ ନାହିଁ।

ବିଗତ ବର୍ଷ ମାନଙ୍କରେ କୃଷି ଯନ୍ତପାତି ଯୋଗାଣ ପାଇଁ ସରକାରୀ ସବସିଡି ଯୋଗାଣ କରାଯାଇଥିବା ସଂପର୍କରେ ଅନୁସନ୍ଧାନ କରାଗଲେ ଏଭଲି ଅନେକ ତାଲିକା ବାହାରିବ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ବିଭିନ୍ନ କୃଷିଯନ୍ତ୍ରପାତିର ଏଜେନ୍ସି ମାଲି ମାନେ ଦଲାଲ ଲଗାଇ ନୀରିହ ଚାଷିମାନଙ୍କୁ ଅଲ୍ପ କିଛି ଟଙ୍କା ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ଏଭଲି ଅନେକ କମ୍ବାଇନ ହାରଭେଷ୍ଟର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ନାମରେ ସବସିଡି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ଅଭାବି ଚାଷୀ ଅଳ୍ପ କିଛି ଟଙ୍କା ଲାଲସାରେ ନିଜସ୍ୱ କାଗଜାତ ଦେଇଦେଉଥିବା ବେଳେ କେତେକ ଚାଷୀଙ୍କ ଅଜାଣତରେ ଏଭଲି ଭାବେ ସବସିଡି ହରିଲୁଟ ହୋଇଥିବା ଅଭିଯୋଗ ହେଉଛି। ନିଜ ପକେଟରୁ କିଛି ଖର୍ଚ୍ଚ କରାନଯାଇ କାଗଜାତ କପି ଓ ପାଶ ବୁକ ବ୍ୟବହାର କରି କିଛି ଟଙ୍କା ପାଇ ଚାଷି ଖୁସ ରହୁଥିବା ବେଳେ ଚଂଚକତା କରି ଦଲାଲ ଓ ଏଜେନ୍ସି ମାଲିକ ମାନେ ମାଲେମାଲ ହେଉଥିବା ଜଣାପଡିଛି।

ଏସବୁ ଅଭିଯୋଗ ଯଦିଓ ସତ୍ୟ ତେବେ ସରକାରୀ ସବସିଡି ଅର୍ଥ ସଠିକ ମାର୍ଗରେ ଖର୍ଚ୍ଚ ହୋଇପାରୁନଥିବାରୁ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏଜେନ୍ସି ମାଲିକ ମାନଙ୍କ ଏଭଲି କାରବାରରେ ସାଧାରଣ ଚାଷୀ ସବସିଡି ପାଇପାରୁନାହିଁ। କେତେକାଂଶରେ ଅଣଓଡିଆ ଚାଷିମାନେ ଏଜେନ୍ସି ମାଲିକଙ୍କ ସହ ସଲାସୁତୁରା କରି ସ୍ଥାନୀୟ ନୀରିହ ଗରିବ ଚାଷୀ ନାମରେ କୃଷିଯନ୍ତ୍ରପାତି ଉଠାଣ କରି ପଡୋଶୀ ରାଜ୍ୟକୁ ଚାଲାଣ କରୁଥିବା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଲା ଗ୍ରାମରେ ଥିବା ଜନୈକ ଅଣ ଓଡିଆ ଚାଷୀ ପ୍ରାୟ ପନ୍ଦର ଗୋଟି ବିଭିନ୍ନ କମ୍ପାନୀର କମ୍ବାଇନ ହାରଭେଷ୍ଟର ରଖି ବ୍ୟବସାୟ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ କୃଷିଯନ୍ତ୍ରପାତି ସବସିଡି ମାମଲରେ ପୂର୍ବ ଭଲି କୃଷି ଅଧିକାରି ମାନଙ୍କୁ ସାମିଲ କରାଯାଉ ନଥିବାରୁ ଏଜେନ୍ସି ମାଲିକ ମାନେ ସହଜରେ ଏଭଲି ଚଂଚକତା କରିବାରେ ସକ୍ଷମ ହେଉଥିବା ଜନୈକ ବରିଷ୍ଠ କୃଷିପଦାଧିକାରୀ ପ୍ରକାଶ କରିଛନ୍ତି। ଏହି କମ୍ବାଇନ ହାରଭେଷ୍ଟର ସବସିଡି ଯୋଗାଣ ସଂପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଚାଷିମହଲରେ ଦୃଢ ଦାବୀ ହେଉଛି।

Categories
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସମିକ୍ଷା ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ନର୍ଲା, କେସିଙ୍ଗା, ମ;ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ ର ବ୍ରାହ୍ମଣ ମାନଙ୍କୁ ନେଇ ଗଠିତ ହୋଇଥିବା ଯୋରାଡବରା ମଣ୍ଡଳ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ମାସିକ ସମିକ୍ଷା ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ରବି ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ମାନବ ସମ୍ବଳ ଅଧିକାର କର୍ମୀ ତଥା ମନ୍ଦିର ସେବକ ସଂଘର ଓଡିଶା ରାଜ୍ୟ କମିଟି ସଦସ୍ୟ ଶ୍ରୀ ସୁକାନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସଭାର ପ୍ରାରମ୍ଭ କରିଥିଲେ।

ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ରୋକିବା ପାଇଁ ଘୋଷିତ ହୋଇଥିବା ଲକଡାଉନ୍ ପାଇଁ ସାରା ରାଜ୍ୟର ବିଷେଶ କରି ବ୍ରାହ୍ମଣ, ପୂଜକ, ମନ୍ଦିର ସେବକ ତଥା ସଂକୀର୍ତ୍ତନ କଳାକାର ମାନଙ୍କ ଆୟପନ୍ଥା ସଂପୂର୍ଣ୍ଣ ଭାବରେ ଦୋହଳି ଯାଇଥିବାବେଳେ ଏମାନେ କିପରି ଭାବରେ ପୁଣିଥରେ ସ୍ୱାବଲମ୍ବି ହୋଇପାରିବେ ସେଦିଗରେ ଏବଂ ମାନବ ସମ୍ବଳ ଅଧିକାର ସଂସ୍ଥା ର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରାଯାଇଥିଲା।

ମନ୍ଦିର ସେବକ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ, ମାସିକ ସହାୟତା ରାଶି ପ୍ରଦାନ, ବୟୋଜ୍ୟେଷ୍ଠଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ମନ୍ଦିର ସେବକ କାର୍ଡ ପ୍ରଦାନ ବ୍ୟବସ୍ଥା, ସନ୍ତାନ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ।, ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ନିଜର ହକ୍, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ମନ୍ଦିର ସେବକ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ,ଗୃହହୀନ ମାନଙ୍କ ପାଇଁ ନୂତନ ଗୃହର ବ୍ୟବସ୍ଥା,ରୋଜଗାର ପାଇଁ ଋଣ ବ୍ୟବସ୍ଥା ,କନ୍ୟା ବିବାହ ଓ ପୁତ୍ର ବ୍ରତପୋନୟନ ପାଇଁ ସହାୟତା ବ୍ୟବସ୍ଥା ଆଦି ବିଷୟରେ। ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ସମାଜର ସଂପାଦକ ଶ୍ରୀ ଡୋଲାମଣି ରଥ, ଯୁଗ୍ମ ସଂପାଦକ ଶ୍ରୀ ଉମା ଶଙ୍କର ମିଶ୍ର ,କୋଷାଧ୍ୟକ୍ଷ ଶ୍ରୀ ଅରୁଣ ଦାଶ ଶର୍ମା, ମାନବ ସମ୍ବଳ ଅଧିକାର ସଂସ୍ଥାର କଳାହାଣ୍ଡି ପ୍ରଭାରୀ ଶ୍ରୀ ଚିତ୍ରସେନ୍ ଦାଶ ଓ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ନନ୍ଦ ତଥା ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାଜ୍ୟ ଛାତ୍ର ବିଜେଡି କମିଟିରେ କଳାହାଣ୍ଡିକୁ ଗୁରୁତ୍ୱ, ଅବିନାଶ ଠାକୁର ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୁନର୍ବିନ୍ୟାସ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ପ୍ରତି ଗୁରୁତ୍ୱ ଦିଆଯାଇଛି।

କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କୁ ଏଥର ପଦୋନ୍ନତି କରି ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି। ସହିପରି ବୈଶାଖୀ ନନ୍ଦ ଙ୍କୁ ଉପ ସଭାପତି, ଅଭିଷେକ ମହାପାତ୍ର ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ଆଶିଷ ମହାପାତ୍ର, ସହ ସମ୍ପାଦକ ଭାବେ ଅମରଦୀପ ସିଂହ, ଜୋନ ସଭାପତି ଭାବେ ଚିରାଗ ସିଂହ ଦେଓ ପ୍ରମୁଖ ଙ୍କୁ ଦାୟିତ୍ୱ ମିଳିଛି। କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ବହୁ ବର୍ଷ ଧରି ଜିଲ୍ଲା ଛାତ୍ର ରାଜନୀତିରେ ସକ୍ରୀୟ ରହି ଛାତ୍ର ମାନଙ୍କୁ କ୍ରିୟାଶୀଳ କରିବାରେ ପ୍ରମୁଖ ଭୁମିକା ନେଇଛନ୍ତି। ସେ ୨୦୦୯ ମସିହାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୦ ଠାରୁ ଜିଲ୍ଲା ଛାତ୍ର ବିଜେଡି ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ। ତାଙ୍କର ଦଳ ପ୍ରତି ଆନୁଗତ୍ୟ, ଦକ୍ଷତା, ପାରଦର୍ଶିତା ଓ କଠିନ ପରିଶ୍ରମ ଯୋଗୁଁ ଆଜି ପ୍ରଥମ ଥର ପାଇଁ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ପଦ ମିଳି ପାରିଛି।

ତାଙ୍କ ନିଯୁକ୍ତି ଖବର ଜାଣିବା ପରେ ଵିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାସଂଦ ସୁଜିତ କୁମାର, ଛାତ୍ର ବ୍ୟାପାର ଦାୟିତ୍ୱ ରେ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁରକ୍ଷା ବଳ ଏବଂ ମାଓବାଦୀ ମଧ୍ୟରେ ସଂଘର୍ଷ: ଟଳିପଡିଲେ ୪ ମାଓବାଦୀ

କଳାହାଣ୍ଡି: ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କୀ ଜଙ୍ଗଲରେ ଏହି ସଂଘର୍ଷ ଚାଲିଥିଲା। ଏଥିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ କେତେଜଣ ମାଓବାଦୀ ସେଠାରେ ଉପସ୍ଥିତ ଥିଲେ ତାହା ସ୍ପଷ୍ଟ ହୋଇନି।