Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆୟୁଷ ଡ଼ାକ୍ତରଙ୍କ ସାମୂହିକ ଇସ୍ତଫା ପ୍ରଦାନ ନିଷ୍ପତ୍ତି ସ୍ଥଗିତ, କଳା ବ୍ୟାଜ ପିନ୍ଧି କାର୍ଯ୍ୟ ଜାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟୁଷ ଡ଼ାକ୍ତରମାନେ ଅଳ୍ପ ଦରମା ପାଉଥିଲେ ମଧ୍ୟ ସମସ୍ତ ନିୟମ ମାନି କୋଭିଡ଼୍‌-୧୯ରେ ଚିକିତ୍ସା କରୁଛନ୍ତି। ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବର ବିରୋଧ ଏବଂ ନିଜର ଦାବି ପୂରଣ ପାଇଁ ଅଗଷ୍ଟ ୫ ତାରିଖରୁ କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି। ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଅଗଷ୍ଟ ୧୫ ତାରିଖରେ ସାମୂହିକ ଇସ୍ତଫା ଦେବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ସେମାନଙ୍କ ଦାବି ମଧ୍ୟରେ ମାସିକ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି, ଚାକିରିର ସ୍ଥାୟୀକରଣ, କରୋନା ଯୋଦ୍ଧା ଭାବେ ଘୋଷଣା, ଆର୍‌ବିଏସ୍‌କେ ଡ଼ାକ୍ତରଙ୍କୁ ଆୟୁଷ ବିଭାଗରେ ଅନ୍ତର୍ଭୁକ୍ତ କରିବା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ବଣ୍ଟନ ଇତ୍ୟାଦି ରହିଛି। କିନ୍ତୁ ସରକାର ସହିତ ଦୂରଭାଷ ଜରିଆରେ ପ୍ରତିଶ୍ରୁତି କ୍ରମେ, ଜନମଙ୍ଗଳ କଲ୍ୟାଣ ନିମନ୍ତେ, କରୋନା ମହାମାରୀକୁ ଆଖି ଆଗରେ ରଖି ସମୂହ ଇସ୍ତପା ଦେବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। କିନ୍ତୁ କଳାବ୍ୟାଜ ପରିଧାନ ଜାରି ରହିଛି। ଦାବିଗୁଡ଼ିକ ସରକାର ଯଥାଶୀଘ୍ର ପୂରଣ କରିବେ ବୋଲି ସଂଘ ଆଶାବାଦୀ ରହିଥିବା ସଭାପତି ଡା. ମନୋରଂଜନ ରଥ ଏବଂ ସାଧାରଣ ସଂପାଦକ ଡା. ଜୟଦେବ ନାୟକ କହିଛନ୍ତି।