Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟିଲେ ଆୟୁଷ ଡାକ୍ତରୀ ପ୍ରତିନିଧି ଦଳ, ଦାବୀ ପୂରଣ ପାଇଁ ନେଲେ ୨ ମାସ ସମୟ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକରେ ଲାଗିରହିଥିବା ବହୁଦିନର ବିଭିନ୍ନ ସମସ୍ୟା ଓ ହାଉସ ସର୍ଜନ ଭତ୍ତା ବୃଦ୍ଧି ପାଇଁ ଗତ କାଲି ଏକ ଆୟୁଷ ଡାକ୍ତର ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ଓ ରାଜ୍ୟ ସରକାର ଙ୍କ ଆୟୁଷ ନିର୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଛନ୍ତି।

ଆୟୁଷ ଡାକ୍ତର ପ୍ରତିନିଧି ଦଳ ପକ୍ଷରୁ ସ୍ୱାସ୍ଥ୍ୟ ସଚିବ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁମିତ୍ରା ସେନାପତି ଙ୍କୁ ଦାବୀ ପତ୍ର ପ୍ରଦାନ କରି ବହୁ ଦିନରୁ ଲାଗିରହି ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସର୍ବ ଭାରତୀୟ ପରୀକ୍ଷା ନିଟ ମାଧ୍ୟମରେ ରାଙ୍କ କାର୍ଡ ପାଇ ଉତ୍ତୀର୍ଣ୍ଣ ପରେ ଏମ ବି ବି ଏସ, ବି ଡ଼ି ଏସ, ବି ଏଚ ଏମ ଏସ ଓ ବି ଏମ ଏସ ଏଚ ପଢିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି।

ଆମ ରାଜ୍ୟ ସରକାର ଆୟୁଷ ଡାକ୍ତର ଛାତ୍ରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି।ଦୀର୍ଘ ଦିନର ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିବା ବେଳେ,ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ସମସ୍ୟାର ସମାଧାନ କରିବାକୁ ଆଗଭର ହେଉନଥିବା ଆୟୁଷ ଡାକ୍ତର ଓ ଛାତ୍ର ଛାତ୍ରୀ ମାନେ ମାନେ କହିଛନ୍ତି।

ରାଜ୍ୟ ସରକାର ତୁରନ୍ତ ଆୟୁଷ କ୍ଷେତ୍ରରେ ଲାଗିରହିଥିବା ସମସ୍ୟା ର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ପକ୍ଷରୁ ଡା ସୌରଭ ମହାରଣା ଓ ଡା ନାଚିକେତା ଗୁପ୍ତା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ।

ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ ନ କଲେ ,ରାଜ୍ୟରେ ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଆୟୁଷ ସ୍ଵାସ୍ଥ୍ୟ ସେବାରେ ଘୋର ଅବନତି ସହିତ ବିପର୍ଯ୍ୟୟ ପରିଲକ୍ଷିତ ହେବ ଯାହା ପାଇଁ ରାଜ୍ୟ ସରକାର ଦାୟୀ ରହିବେ ଏବଂ ଆୟୁଷ ଡାକ୍ତର ଛାତ୍ର ଛାତ୍ରୀ ଙ୍କ ଦାବୀ ପୂରଣ ନ ହେଲେ ସେମାନେ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାର ଆୟୁଷ ଡାକ୍ତର ନିଯୁକ୍ତି ପାଇଁ ଆନ୍ତଃ ମନ୍ତ୍ରୀ କମିଟି ସ୍ତରୀୟ ବୈଠକରେ ନିଷ୍ପତି

ଭୁବନେଶ୍ବର: ଲୋକସେବା ଭବନରେ ଆନ୍ତଃ ମନ୍ତ୍ରୀ କମିଟି ସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ପୂର୍ବରୁ ଦୁଇ ଦୁଇ ଥର ବାତିଲ ପରେ ଏହି ବୈଠକ ଗତକାଲି ଅପରାହ୍ନରେ ହୋଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଆୟୁଷଡାକ୍ତର ଛାତ୍ର ସଂସଦକୁ ସେମାନଙ୍କ ପ୍ରାରମ୍ଭିକ ଅଭିଯୋଗ ରଖିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା।

ରାଜ୍ୟ ଆୟୁଷ ଛାତ୍ର ସଂସଦ ସଭାପତି ଡା ରାଜେଶ ମିଶ୍ର ଓ ସମ୍ପାଦକ ଡା ଲୋପାମୁଦ୍ରା ଖଟୋଇ ରାଜ୍ୟରେ ବିଗତ୨୧ବର୍ଷ ଧରି ଆୟୁଷ କ୍ଷେତ୍ରରେ ନୂତନ ଦିସ୍ପେନସାରି ସୃଷ୍ଟି ହୋଇନଥିବା ଏବଂ ଆୟୁଷ କ୍ଷେତ୍ରରେ ନୂତନ ଡାକ୍ତର ନିଯୁକ୍ତିପଦବୀ ପାଇଁ ଦାବୀ ରଖିଥିଲେ।

ରାଜ୍ୟ ସରକାର ସରକାରୀ ଭାବେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତର ଙ୍କ କ୍ୟାଡର ଓ ଦରମାର ସଂଶୋଧନ କରିବା ଦ୍ୱାରା ଆଗକୁ ଶୂନ୍ୟସ୍ଥାନ ପଦବୀ ସ୍ୱରୂପ ବର୍ତ୍ତମାନ ୧୯୬ଟି ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଓ୨୨୮ଟି ଆୟୁର୍ବେଦିକ ମେଡ଼ିକାଲ ଅଫିସର ପୋଷ୍ଟ ପ୍ରସ୍ତୁତି ନିଶ୍ଚିତ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ କହିଥିଲେ।

ଆଗକୁ ବ୍ରହ୍ମପୁର ,ବାଲେଶ୍ୱର ଓ ଢେଙ୍କାନାଳ ରେ ଇଣ୍ଟିଗ୍ରେଟେଡ଼ ଆୟୁଷ ହସ୍ପିଟାଲ ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ବେଳେ ୪୦ଗୋଟି ଆୟୁଷ ଡାକ୍ତର ନିଯୁକ୍ତି ସୁଯୋଗ ମିଳିବ ବୋଲି କହିଥିଲେ। ତେବେ ପ୍ରତିବର୍ଷ ରାଜ୍ୟର ୬ ଶହ ଆୟୁଷ ସ୍ନାତକ ଡିଗ୍ରୀ ଧାରୀ ଡାକ୍ତର ପାସ କରୁଥିବା ବେଳେ ସେମାନଙ୍କ ନିଯୁକ୍ତି, ଆୟୁଷ ହାଉସ ସର୍ଜନ ଭତ୍ତା ବୃଦ୍ଧି, ରାଜ୍ୟ ସରକାରଙ୍କ ସମସ୍ତ ଆୟୁଷ କଲେଜ ଭିତ୍ତିଭୂମି ଓ ମାନଵ ସମ୍ବଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ କଣ ସକାରତ୍ମକ ପଦକ୍ଷେପ ରହିବ ସେ ନେଇ କୌଣସି ଆଲୋଚନା କରିନଥିଲେ।

ରାଜ୍ୟରେ ପ୍ରତିବର୍ଷ ନୂତନ ଆୟୁଷ ଡାକ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇନଥିଲା।ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ମନ୍ତ୍ରୀ ଜଗନ୍ନାଥ ସରକାର, ମନ୍ତ୍ରୀ ପ୍ରତାପ କିଶୋର ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ ଓ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ତେବେ ସମସ୍ତ ଠିକା ଆୟୁଷ ଡାକ୍ତର ଏବଂ ଆସନ୍ତା ୧୫ ତାରିଖ ଠାରୁ ରାଜ୍ୟର ସମସ୍ତ ଠିକା ଆର ବି ଏସ କେ ଡାକ୍ତର ସେମାନଙ୍କ ଦାବୀ ସରକାର ନିୟମିତ ନକଲେ ସେମାନେ ସମୂହ ଛୁଟିରେ ରହିବା ଦାବୀ ପ୍ରତି ରାଜ୍ୟ ସରକାର ଙ୍କ ପକ୍ଷରୁ ସକାରତ୍ମକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାହା ବିଚାର ଧୀନ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣିଥରେ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ, ବିଧାନସଭା ଘେରାଉ ଯୋଜନା

ଭୁବନେଶ୍ବର: ଦୀର୍ଘ ଏକମାସ ରୁ ଉର୍ଦ୍ଧ୍ବ ସମୟ ଧରି ନିଜ ର ନ୍ୟାଯ ଦାବୀ ନେଇ ଆନ୍ଦୋଳନ କରି ଆସିଥିବା ଅଲ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପୁନଶ୍ଚ ଆସନ୍ତା ବିଧାନସଭା ଶୀତ ଅଧିବେଶନର ଆରମ୍ଭ ରୁ ବ୍ୟାପକ ଭାବେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଆଜି ଛାତ୍ର ସଂସଦ ପ୍ରତିନିଧି ଦଳ ପକ୍ଷରୁ ସଭାପତି ଡା ରାଜେଶ ମିଶ୍ର ଓ ଡା ରୋହିତ କେରର୍କେଟା ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ସୁମିତ୍ରା ସେନାପତି ଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଆୟୁଷ ଡାକ୍ତର ଙ୍କ କ୍ୟାଡର ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ନୂତନ ଆୟୁଷ ଡିସ୍ପେନସାରି ଖୋଲବା ଓ ନୂତନ ଆୟୁଷ ଡ଼ାକ୍ତରୀ ନିଯୁକ୍ତି ପାଇଁ ଅଦ୍ୟାବଧି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି କରାଯାଇ ନାହିଁ।

ବିଳମ୍ବ ଜାଣିବା ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। ନୂତନ ଆୟୁଷ ଡିସ୍ପେନସାରି, ପ୍ରତିବର୍ଷ ଆୟୁଷ ଡାକ୍ତର ନିଯୁକ୍ତି, ରାଜ୍ୟରେ ଆୟୁଷ କଲେଜ ର ଭିତ୍ତିଭୂମି ର ବିକାଶ, ଆୟୁଷ ହାଉସସର୍ଜନ ଭତ୍ତା ବୃଦ୍ଧି ଆଦି ଦାବୀ ରହିଛି,ଯାହାକୁ ରାଜ୍ୟ ସରକାର ଅଣ ଦେଖା କରୁଛନ୍ତି।ତଥ୍ୟ ଅନୁସାରେ ରାଜ୍ୟରେ୧୯୯୭ ରୁ ୨୦୦୩ ବର୍ଷ ମଧ୍ୟରେ ହୋମିଓପ୍ୟାଥିକ ଓ ଆୟୁର୍ବେଦକି ଡାକ୍ତରଖାନା ସଂଖ୍ୟା ବୃଦ୍ଧି ପାଇନାହିଁ।

୧୯୯୭ ପୂର୍ବରୁ ରାଜ୍ୟରେ ପାଞ୍ଚଟି ଆୟୁର୍ବେଦିକ ଓ ଚାରୋଟି ହୋମିଓପ୍ୟାଥିକ ହସ୍ପିଟାଲ ଥିବା ବେଳେ ୨୦୨୩ ଆର୍ଥିକ ବର୍ଷ ଆରମ୍ଭ ବେଳକୁ ଏହି ସଂଖ୍ୟା ରେ କୌଣସି ପରିବର୍ତ୍ତନ ହୋଇନାହିଁ।ସେହିପରି ୧୯୯୫ ବର୍ଷ ବେଳକୁ ଓଡ଼ିଶାରେ କେବଳ ୫୧୯ଟି ଆୟୁର୍ବେଦିକ ଓ ୪୬୦ଟି ହୋମିଓପ୍ୟାଥିକ ସରକାରୀ ଡିସ୍ପେନସାରି ଥିବା ବେଳେ ୨୦୨୩ ମସିହା ଅଦ୍ୟାବଧି ସେ ସଂଖ୍ୟା ରେ ବ୍ୟାପକପରିବର୍ତ୍ତନ ହୋଇନାହିଁ।ଦୀର୍ଘ୨୧ବର୍ଷ ଧରି ରାଜ୍ୟରେ ୫୬୨ଟି ହୋମିଓପ୍ୟାଥିକ ଓ୬୧୯ଟି ଆୟୁର୍ବେଦ ସରକାରୀ ଡ଼ିସ୍ପେନସାରି ସମସ୍ତ ସାଢ଼େ ଚାରିକୋଟି ଓଡ଼ିଶା ର ଜନସାଧାରଣ ଙ୍କ ପାଇଁ କାର୍ଯ୍ୟ କରୁଛି।

ସେଠାରେ ନିଯୁକ୍ତ ଆୟୁଷ ଡାକ୍ତର ମାନଙ୍କ ଅଦ୍ୟାବଧି କେଡର ହୋଇନଥିବା ଯୋଗୁଁ ରାଜ୍ୟ ସରକାର ଏବେ ସେମାନଙ୍କ କାର୍ଯ୍ୟ ଚାଲିଛି କହି ହାତଟେକି ବସିଯାଇଛନ୍ତି। ରାଜ୍ୟରେ ଏମ ବି ବି ଏସ ଓ ପ୍ରାଣୀ ଚିକିତ୍ସାକ ପ୍ରଥମ ଶ୍ରେଣୀ ଗେଜେଟେଡ଼ ଅଫିସର ଥିବା ବେଳେ ଆୟୁଷ ଡାକ୍ତର ଙ୍କୁ ଅଣଦେଖା ହେଉଛି।ରାଜ୍ୟ ସରକାର ଆୟୁଷ ବିଭାଗ ପ୍ରତି ସମ୍ପୂର୍ଣ ଅଣଦେଖା କରୁଛନ୍ତି ବୋଲି ଆଜି ଅଲ ଓଡିଶା ଆୟୁଷ ଛାତ୍ର ସଂସଦ ତାକୁ ନେଇ ପ୍ରଶ୍ନ କରିଛନ୍ତି।

ଗତ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ସମୟରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ଯୁଗ୍ମ ସଚିବସୁମିତ୍ରା ସେନାପତି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ କହିଥିଲେ ଆନ୍ଦୋଳନ ପ୍ରତ୍ୟାହୃତ ହେଲେ ପରବର୍ତ୍ତୀ କାର୍ଯ୍ୟ ଦିବସରେ ତୁରନ୍ତ ଆୟୁଷ ସମ୍ପର୍କିତ ସମସ୍ତ ପ୍ରକାର ଅଭାବ ଅଭିଯୋଗ ଉପରେ ନିଷ୍ପତି ନିଆଯିବ ବୋଲି ଆୟୁଷ ଛାତ୍ର ପ୍ରତିନିଧିଦଳ ଙ୍କୁ କହିଥିବା ବେଳେ ଅଦ୍ୟାବଧି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ନିଷ୍ପତ୍ତି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇ ନାହିଁ।

ସେଥିପାଇଁ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପୁନଃ ବିଧାନସଭା ସମୟରେ ବ୍ୟାପକ ମାତ୍ରାରେ ବିଭିନ୍ନ ଛାତ୍ର ସଂଗଠନ ସହଯୋଗ ରେ ଆନ୍ଦୋଳନ ଜାରି ରଖିବ ବୋଲି ଆଜି ପ୍ରକାଶ କରିବା ସହିତବିଭିନ୍ନ ସରକାରୀ ଆୟୁଷ କଲେଜ ଛାତ୍ର ଛାତ୍ରୀ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିଯୁକ୍ତି ଦାବୀ କରି ଆୟୁଷ ଛାତ୍ରଛାତ୍ରୀଙ୍କ କଳାବ୍ୟାଚ ପିନ୍ଧି ଧାରଣା, ପାଠପଢା ବନ୍ଦ ଧମକ

ଭୁବନେଶ୍ବର: ନିଯୁକ୍ତି ଦାବୀ କରି ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଧାରଣରେ ବସିଛନ୍ତି। ରାଜ୍ୟରୁ ବିଭିନ୍ନ କଲେଜରୁ ପ୍ରତିବର୍ଷ ଶହଶହ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନୂଆ ପଦବୀ ସୃଷ୍ଟି କରୁ ନାହାଁନ୍ତି।

ଫଳରେ ପାଠପଢା ସାରି ରାଜ୍ୟର ଶହଶହ ଆୟୁଷ ଡାକ୍ତର ବେକାର ହୋଇ ବସୁଛନ୍ତି। ରାଜ୍ୟ ସରକାର ତୁରନ୍ତ ନୂତନ ପଦବୀ ସୃଷ୍ଟି କରି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବା ଦାବୀରେ ଗତକାଲିଠାରୁ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି।

କେବଳ ନିଯୁକ୍ତି ନୁହେଁ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଫଳରେ ଛାତ୍ରଛାତ୍ରୀମାନେ ପିଜି କରିବା ପାଇଁ ଚାହିଁଲେ କୌଣସି ସୁଯୋଗ ପାଇପାରୁ ନାହାନ୍ତି। ଏ ନେଇ ସେମାନେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।

ଗୋଟିଏ ପଟେ ସରକାର ଏଲୋପ୍ୟାଥୀ ଡାକ୍ତର ପଦବୀ ସୃଷ୍ଟି କରି ନିଯୁକ୍ତି ଦେଉଛନ୍ତି। ହେଲେ ଅନ୍ୟପଟେ ଆଯୁଷ କ୍ଷେତ୍ରରେ ତାହା ଲାଗୁ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ପାଠପଢା ବନ୍ଦ କରିଦିଆଯିବ ବୋଲି ଛାତ୍ରଛାତ୍ରୀ ଧମକ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆମର ଦୁଃଖ, କଷ୍ଟ ଓ ମାନସିକ ଯନ୍ତ୍ରଣା ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି: ଆୟୁଷ ଡ଼ାକ୍ତର

ଭୁବନେଶ୍ୱର: ଆମ୍ଭେମାନେ ଆରମ୍ଭରୁ କଠିନ ପରିଶ୍ରମ କରି ଆସୁଛୁ। ରୋଗୀ ସେବାରେ ସବୁ ସମୟ ଦେଉଛୁ। ସରକାରଙ୍କ ଡ଼ାକ୍ତର ଅଭାବ ଜନିତ ସମସ୍ୟା ଦୂର କରିବା ସହ ଲୋକପ୍ରିୟତା ବୃଦ୍ଧି କରିଛୁ। ବନ୍ୟା, ବାତ୍ୟା ଓ କୋଭିଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡ଼ାକ୍ତରଖାନା ମାନଙ୍କରେ ଏଲୋପାଥିକ ଡ଼ାକ୍ତରମାନଙ୍କର ଘୋର ଅଭାବ ଥିଲାବେଳେ ଆମେ ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିରେ ଉପସ୍ଥିତ ରହି ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଆସୁଛୁ। ହେଲେ ଆମର ଦୁଃଖ, କଷ୍ଟ ଓ ମାନସିକ ଯନ୍ତ୍ରଣା ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି ବୋଲି କ୍ଷୋଭ ଭରା କଣ୍ଠରେ ପ୍ରକାଶ କରିଛନ୍ତି ଓଡ଼ିଶା ଆୟୁୁଷ ଡ଼ାକ୍ତର ମହାସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ଗହନ।

ମହାସଂଘ ପ୍ରକାଶ କରିଛି ଯେ, ୨୦୦୭ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପିଏଚ୍‌ସି ଓ ସିଏଚ୍‌ସିରେ ଡ଼ାକ୍ତର ଅଭାବଜନିତ ସମସ୍ୟା ଦୂର କରିବା ପାଇଁ ସରକାର ଏନ୍‌ଏଚ୍‌ଏମ୍ ଜରିଆରେ ୧୪୮୫ଜଣ ଆୟୁଷ ଡ଼ାକ୍ତର ନିଯୁକ୍ତି ଦେଇଥିବା ବେଳେ ବର୍ତ୍ତମାନ ୧୧୫୧ଜଣ ଡ଼ାକ୍ତର କାର୍ଯ୍ୟରତ ଅଛନ୍ତି । ସରକାରଙ୍କ ମୂଳ ଲକ୍ଷ୍ୟ ଥିଲା ଏଲୋପାଥିକ ଡ଼ାକ୍ତରମାନଙ୍କ ଅଭାବରେ ରୋଗୀମାନଙ୍କୁ ବିକଳ୍ପ ଚିକିତ୍ସା ଯୋଗାଇଦେବା। ସରାକରଙ୍କ ଉଦ୍ଦେଶ୍ୟ ପୂରଣ ହେଲା ସତ, କିନ୍ତୁ ଦୀର୍ଘ ୧୪ବର୍ଷ ଧରି ରୋଗୀସେବା କରିବା ସତ୍ତ୍ୱେ ସରକାର ଆମ୍ଭମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଲେନାହିଁ କି ଏଲୋପାଥିକ ଡ଼ାକ୍ତରମାନଙ୍କ ସମତୁଲ ବେତନ ଦେଲେନାହିଁ। ଏପରିକି ସ୍ୱିପର, ପିଅନ ଏବଂ ଏ.ଏନ୍‌.ଏମ୍ ମାନଙ୍କ ଠାରୁ କମ୍ ବେତନ ଆମ୍ଭେମାନେ ପାଉଛୁ।

ସରକାର ମଧ୍ୟ ଆମ୍ଭମାନଙ୍କୁ ସ୍କିମ୍ ଚାକିରୀ କରିଛ କହି କଟା ଘା’ରେ ଚୁନ ମାରୁଛନ୍ତି। ବାରମ୍ବାର ସରକାରଙ୍କୁ ଓଡ଼ିଶା ଆୟୁଷ ଡ଼ାକ୍ତର ମହାସଂଘ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଏବଂ ଗୁହାରି କରି ଆସୁଥିଲେ ମଧ୍ୟ, ଫାଇଲ୍ ଯାଇଛି, ଅର୍ଥମନ୍ତ୍ରଣାଳୟ ମଞ୍ଜୁର ଦେଲାପରେ ଦେଖିବା, ଫାଇଲ୍ ପୁଟ୍‌ଅପ ପାଇଁ କହିବା ଏହିଭଳି ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ଆମ୍ଭମାନଙ୍କୁ ମାନସିକ ଯନ୍ତ୍ରଣା ଭିତରେ ରଖିଛନ୍ତି। ଆଜି ପୁଣି ମହାସଂଘର କର୍ମକର୍ତ୍ତାମାନେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବି ସମ୍ପର୍କରେ ଆଲୋଚନା କରିଥିବା ବେଳେ ପୁଣି ସେହି ପୁରୁଣା କଥା, ଦେଖିବା, ବୁଝିବା ଓ କରିବା ବୋଲି ମନ୍ତ୍ରୀ କହିଛନ୍ତି।

ଏଣୁ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ସରକାର ତୁରନ୍ତ ସେମାନଙ୍କ ଦାବି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ମହାସଂଘର ସମସ୍ତ କର୍ମକର୍ତ୍ତାମାନେ ଆମରଣ ଅନଶନ କରି ଜୀବନ ହାରିବେ ସିନା, ଖାଲି ହାତରେ ଘରକୁ ଫେରିବେ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ଆୟୁଷ ଡ଼ାକ୍ତର ମହାସଂଘ ତରଫରୁ ଗତ ୨ ତାରିଖରୁ ବିଧାନସଭା ସମ୍ମୁଖରେ ନିଜର ଦାବି ପୂରଣ ପାଇଁ ଧାରଣା ଦେଇ ଆସୁଅଛି ଏବଂ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଅଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆୟୁଷ ଡ଼ାକ୍ତରଙ୍କ ସାମୂହିକ ଇସ୍ତଫା ପ୍ରଦାନ ନିଷ୍ପତ୍ତି ସ୍ଥଗିତ, କଳା ବ୍ୟାଜ ପିନ୍ଧି କାର୍ଯ୍ୟ ଜାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟୁଷ ଡ଼ାକ୍ତରମାନେ ଅଳ୍ପ ଦରମା ପାଉଥିଲେ ମଧ୍ୟ ସମସ୍ତ ନିୟମ ମାନି କୋଭିଡ଼୍‌-୧୯ରେ ଚିକିତ୍ସା କରୁଛନ୍ତି। ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବର ବିରୋଧ ଏବଂ ନିଜର ଦାବି ପୂରଣ ପାଇଁ ଅଗଷ୍ଟ ୫ ତାରିଖରୁ କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି। ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଅଗଷ୍ଟ ୧୫ ତାରିଖରେ ସାମୂହିକ ଇସ୍ତଫା ଦେବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ସେମାନଙ୍କ ଦାବି ମଧ୍ୟରେ ମାସିକ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି, ଚାକିରିର ସ୍ଥାୟୀକରଣ, କରୋନା ଯୋଦ୍ଧା ଭାବେ ଘୋଷଣା, ଆର୍‌ବିଏସ୍‌କେ ଡ଼ାକ୍ତରଙ୍କୁ ଆୟୁଷ ବିଭାଗରେ ଅନ୍ତର୍ଭୁକ୍ତ କରିବା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ବଣ୍ଟନ ଇତ୍ୟାଦି ରହିଛି। କିନ୍ତୁ ସରକାର ସହିତ ଦୂରଭାଷ ଜରିଆରେ ପ୍ରତିଶ୍ରୁତି କ୍ରମେ, ଜନମଙ୍ଗଳ କଲ୍ୟାଣ ନିମନ୍ତେ, କରୋନା ମହାମାରୀକୁ ଆଖି ଆଗରେ ରଖି ସମୂହ ଇସ୍ତପା ଦେବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। କିନ୍ତୁ କଳାବ୍ୟାଜ ପରିଧାନ ଜାରି ରହିଛି। ଦାବିଗୁଡ଼ିକ ସରକାର ଯଥାଶୀଘ୍ର ପୂରଣ କରିବେ ବୋଲି ସଂଘ ଆଶାବାଦୀ ରହିଥିବା ସଭାପତି ଡା. ମନୋରଂଜନ ରଥ ଏବଂ ସାଧାରଣ ସଂପାଦକ ଡା. ଜୟଦେବ ନାୟକ କହିଛନ୍ତି।