Categories
ଆଜିର ଖବର ରାଜ୍ୟ ଖବର

ପୁଣିଥରେ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ, ବିଧାନସଭା ଘେରାଉ ଯୋଜନା

ଭୁବନେଶ୍ବର: ଦୀର୍ଘ ଏକମାସ ରୁ ଉର୍ଦ୍ଧ୍ବ ସମୟ ଧରି ନିଜ ର ନ୍ୟାଯ ଦାବୀ ନେଇ ଆନ୍ଦୋଳନ କରି ଆସିଥିବା ଅଲ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପୁନଶ୍ଚ ଆସନ୍ତା ବିଧାନସଭା ଶୀତ ଅଧିବେଶନର ଆରମ୍ଭ ରୁ ବ୍ୟାପକ ଭାବେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଆଜି ଛାତ୍ର ସଂସଦ ପ୍ରତିନିଧି ଦଳ ପକ୍ଷରୁ ସଭାପତି ଡା ରାଜେଶ ମିଶ୍ର ଓ ଡା ରୋହିତ କେରର୍କେଟା ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ସୁମିତ୍ରା ସେନାପତି ଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଆୟୁଷ ଡାକ୍ତର ଙ୍କ କ୍ୟାଡର ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ନୂତନ ଆୟୁଷ ଡିସ୍ପେନସାରି ଖୋଲବା ଓ ନୂତନ ଆୟୁଷ ଡ଼ାକ୍ତରୀ ନିଯୁକ୍ତି ପାଇଁ ଅଦ୍ୟାବଧି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି କରାଯାଇ ନାହିଁ।

ବିଳମ୍ବ ଜାଣିବା ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। ନୂତନ ଆୟୁଷ ଡିସ୍ପେନସାରି, ପ୍ରତିବର୍ଷ ଆୟୁଷ ଡାକ୍ତର ନିଯୁକ୍ତି, ରାଜ୍ୟରେ ଆୟୁଷ କଲେଜ ର ଭିତ୍ତିଭୂମି ର ବିକାଶ, ଆୟୁଷ ହାଉସସର୍ଜନ ଭତ୍ତା ବୃଦ୍ଧି ଆଦି ଦାବୀ ରହିଛି,ଯାହାକୁ ରାଜ୍ୟ ସରକାର ଅଣ ଦେଖା କରୁଛନ୍ତି।ତଥ୍ୟ ଅନୁସାରେ ରାଜ୍ୟରେ୧୯୯୭ ରୁ ୨୦୦୩ ବର୍ଷ ମଧ୍ୟରେ ହୋମିଓପ୍ୟାଥିକ ଓ ଆୟୁର୍ବେଦକି ଡାକ୍ତରଖାନା ସଂଖ୍ୟା ବୃଦ୍ଧି ପାଇନାହିଁ।

୧୯୯୭ ପୂର୍ବରୁ ରାଜ୍ୟରେ ପାଞ୍ଚଟି ଆୟୁର୍ବେଦିକ ଓ ଚାରୋଟି ହୋମିଓପ୍ୟାଥିକ ହସ୍ପିଟାଲ ଥିବା ବେଳେ ୨୦୨୩ ଆର୍ଥିକ ବର୍ଷ ଆରମ୍ଭ ବେଳକୁ ଏହି ସଂଖ୍ୟା ରେ କୌଣସି ପରିବର୍ତ୍ତନ ହୋଇନାହିଁ।ସେହିପରି ୧୯୯୫ ବର୍ଷ ବେଳକୁ ଓଡ଼ିଶାରେ କେବଳ ୫୧୯ଟି ଆୟୁର୍ବେଦିକ ଓ ୪୬୦ଟି ହୋମିଓପ୍ୟାଥିକ ସରକାରୀ ଡିସ୍ପେନସାରି ଥିବା ବେଳେ ୨୦୨୩ ମସିହା ଅଦ୍ୟାବଧି ସେ ସଂଖ୍ୟା ରେ ବ୍ୟାପକପରିବର୍ତ୍ତନ ହୋଇନାହିଁ।ଦୀର୍ଘ୨୧ବର୍ଷ ଧରି ରାଜ୍ୟରେ ୫୬୨ଟି ହୋମିଓପ୍ୟାଥିକ ଓ୬୧୯ଟି ଆୟୁର୍ବେଦ ସରକାରୀ ଡ଼ିସ୍ପେନସାରି ସମସ୍ତ ସାଢ଼େ ଚାରିକୋଟି ଓଡ଼ିଶା ର ଜନସାଧାରଣ ଙ୍କ ପାଇଁ କାର୍ଯ୍ୟ କରୁଛି।

ସେଠାରେ ନିଯୁକ୍ତ ଆୟୁଷ ଡାକ୍ତର ମାନଙ୍କ ଅଦ୍ୟାବଧି କେଡର ହୋଇନଥିବା ଯୋଗୁଁ ରାଜ୍ୟ ସରକାର ଏବେ ସେମାନଙ୍କ କାର୍ଯ୍ୟ ଚାଲିଛି କହି ହାତଟେକି ବସିଯାଇଛନ୍ତି। ରାଜ୍ୟରେ ଏମ ବି ବି ଏସ ଓ ପ୍ରାଣୀ ଚିକିତ୍ସାକ ପ୍ରଥମ ଶ୍ରେଣୀ ଗେଜେଟେଡ଼ ଅଫିସର ଥିବା ବେଳେ ଆୟୁଷ ଡାକ୍ତର ଙ୍କୁ ଅଣଦେଖା ହେଉଛି।ରାଜ୍ୟ ସରକାର ଆୟୁଷ ବିଭାଗ ପ୍ରତି ସମ୍ପୂର୍ଣ ଅଣଦେଖା କରୁଛନ୍ତି ବୋଲି ଆଜି ଅଲ ଓଡିଶା ଆୟୁଷ ଛାତ୍ର ସଂସଦ ତାକୁ ନେଇ ପ୍ରଶ୍ନ କରିଛନ୍ତି।

ଗତ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ସମୟରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ଯୁଗ୍ମ ସଚିବସୁମିତ୍ରା ସେନାପତି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ କହିଥିଲେ ଆନ୍ଦୋଳନ ପ୍ରତ୍ୟାହୃତ ହେଲେ ପରବର୍ତ୍ତୀ କାର୍ଯ୍ୟ ଦିବସରେ ତୁରନ୍ତ ଆୟୁଷ ସମ୍ପର୍କିତ ସମସ୍ତ ପ୍ରକାର ଅଭାବ ଅଭିଯୋଗ ଉପରେ ନିଷ୍ପତି ନିଆଯିବ ବୋଲି ଆୟୁଷ ଛାତ୍ର ପ୍ରତିନିଧିଦଳ ଙ୍କୁ କହିଥିବା ବେଳେ ଅଦ୍ୟାବଧି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ନିଷ୍ପତ୍ତି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇ ନାହିଁ।

ସେଥିପାଇଁ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପୁନଃ ବିଧାନସଭା ସମୟରେ ବ୍ୟାପକ ମାତ୍ରାରେ ବିଭିନ୍ନ ଛାତ୍ର ସଂଗଠନ ସହଯୋଗ ରେ ଆନ୍ଦୋଳନ ଜାରି ରଖିବ ବୋଲି ଆଜି ପ୍ରକାଶ କରିବା ସହିତବିଭିନ୍ନ ସରକାରୀ ଆୟୁଷ କଲେଜ ଛାତ୍ର ଛାତ୍ରୀ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାର ଆୟୁଷ ଛାତ୍ରଛାତ୍ରୀମାନେ କାହିଁକି କରିବେ କଲେଜ ବନ୍ଦ ଆନ୍ଦୋଳନ ? କଣ ରହିଛି କାରଣ ?

ଭୁବନେଶ୍ବର: ଆସନ୍ତାକାଲିଠାରୁ ଅର୍ଥାତ ୩୧ତାରିଖରୁ ଆୟୁଷ ଛାତ୍ରଛାତ୍ରୀମାନେ କଲେଜ ବନ୍ଦ ଡାକରା ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ କଲେଜ ରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ଯୋଗୁଁ କେନ୍ଦ୍ର ସରକାରଙ୍କ ମିନିଷ୍ଟି ଅଫ ଆୟୁଷ ବିଭାଗ ଅନ୍ତର୍ଗତ “ଭାରତୀୟ ଚିକିତ୍ସା ପଦ୍ଧତି ଆୟୋଗ” ରାଜ୍ୟରେ ବିଭିନ୍ନ ଆୟୁର୍ବେଦିକ କଲେଜରେ ଥିବା ବି. ଏ. ଏମ. ଏସ ବା ବ୍ୟାଚଳର ଅଫ ଇଣ୍ଡିଆନ ମେଡ଼ିସିନ ଆଣ୍ଡ ସର୍ଜରୀ ସ୍ନାତକ ଶିକ୍ଷା ସିଟ ହ୍ରାସ କରିଛନ୍ତି।

ଦକ୍ଷିଣ ଓଡ଼ିଶାର ଏକ ମାତ୍ର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ପୂର୍ବରୁ ଥିବା ୭୫ଟି ସ୍ନାତକ ଶିକ୍ଷା ସିଟ କମି ଏବର୍ଷ ୫୩ କୁ ଖସି ଆସିଛି। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ୨୨ଟି ସିଟ କମାଇ ଦେଇଛନ୍ତି। ସେହିପରି ପୁରୀ ସ୍ଥିତ ପୁରାତନ ଗୋପବନ୍ଧୁ ଆୟୁର୍ବେଦ ରେ ଥିବା ୭୫ ଟି ସିଟ କମି ଚଳିତ ବର୍ଷ ୬୪ଟି ସ୍ନାତକ ଶିକ୍ଷା ରେ ଆଡ଼ମିଶନ ଦିଆଯିବ। ଏହି କଲେଜର ୧୧ଟି ସିଟକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ କମାଇ ଦେଇଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାରେ ଥିବା ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟ ର୭୫ଟି ସ୍ନାତକ ଶିକ୍ଷା ସିଟ କୁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପୂର୍ଵ ପରି ସୁରକ୍ଷିତ ରଖିଛନ୍ତି।

ସେହିପରି ବେସରକାରୀ ଭାବେ ଥିବା ବରଗଡ଼ ପାଇକମାଲ ସ୍ଥିତ ନୃସିଂହ ନାଥ ଆୟୁର୍ବେଦମହାବିଦ୍ୟାଳୟ ର ପୂର୍ବରୁ ଥିବା ୩୦ଟି ସିଟ କୁ ୬୦ ଗୋଟି ଓ କଟକ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟର ୧୦୦ ଗୋଟି ସିଟ କୁ ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ମାନଵ ସମ୍ବଳ ଥିବା କାରଣରୁ କେନ୍ଦ୍ର ଆୟୁଷ ବିଭାଗ ଏହାକୁ ସୁରକ୍ଷିତ ରଖିଛନ୍ତି। ବେସରକାରୀ ଭାବେ ଥିବା ବହୁ ପୁରାତନ ବାରିପଦା ର ମୟୁରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟ କେନ୍ଦ୍ର ବନ୍ଦ ହୋଇଯାଇଥିବା ବେଳେ ଓ ଭୁବନେଶ୍ୱର ଇନ୍ଦିରାଗାନ୍ଧୀ ମେମୋରିଆଲ ଆୟୁର୍ବେଦିକ ମହାବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ ପହଂଚି ଗଲାଣି।

ରାଜ୍ୟରେ ତିନି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ରେ ଭିତ୍ତିଭୂମି, ମାନଵ ସମ୍ବଳ ଅଭାବ କାରଣରୁ ସିଟ ସଂଖ୍ୟା ହ୍ରାସ ପାଇଥିବା ବେଳେ ରାଜ୍ୟର ଦୁଇଟି ପ୍ରାଇଭେଟ ଆୟୁର୍ବେଦ ମହାବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଥିବା ଦର୍ଶାଇ ସିଟ ସଂଖ୍ୟାକୁ ସୁରକ୍ଷିତ ରଖାଯାଇଛି।ରାଜ୍ୟ ସରକାରଙ୍କ ଅପାରଗତା ଓ ଆୟୁଷ ପ୍ରତି ହୀନ ମାନ୍ୟତା ଯୋଗୁଁ ୨୦୦୨ ମସିହା ପରଠାରୁ ରାଜ୍ୟରେ ନୂତନ ଭାବେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଡ଼ିସ୍ପେନସାରୀ ସରକାର ଖୋଲି ନାହାଁନ୍ତି।

ରାଜ୍ୟରେ ସରକାରୀ ଉଦାସୀନତା ଯୋଗୁଁ ଆୟୁଷର ମାନ ହ୍ରାସ ପାଉଛି ବୋଲି ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ଅଭିଯୋଗ କରିଛନ୍ତି। ରାଜ୍ୟରେ ଦଶ ହଜାରରୁ ଉର୍ଦ୍ଧ୍ବ ଡିଗ୍ରୀ ଧାରୀ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତର ବେକାର ହୋଇ ସରକାରୀ ଚାକିରୀ ଅପେକ୍ଷା ରେ ରହି ବୟସ ଅତିକ୍ରାନ୍ତ କରିସାରିଲେଣି ସେମାନଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିନାହିଁ।

ସେହିଭଳି ପିଜି ଶିକ୍ଷା ପାଇଁ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଥିବା ପାଞ୍ଚୋଟି ବିଭାଗ ରେ ଥିବା ୧୯ଟି ସିଟ, ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟର ଦୁଇ ଗୋଟି ବିଭାଗରେ ଥିବା ୧୦ଗୋଟି ସ୍ନାତକୋତ୍ତର ସିଟ ଓ ଚଳିତ ବର୍ଷ ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ରେ ଖୋଲା ଯାଇଥିବା ଚାରୋଟି ସ୍ନାତକୋତ୍ତର ସିଟ କୁ ବୃଦ୍ଧି କରିବାକୁ ଦାବୀ ରହିଛି,ରାଜ୍ୟରେ ପିଜି ଶିକ୍ଷକ ଙ୍କଘୋର ଅଭାବ ରୁ ବିଭିନ୍ନ କଲେଜରୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ସ୍ୱୀକୃତି ବାରମ୍ବାର ପ୍ରତ୍ୟାହାର କରୁଛି।

ରାଜ୍ୟର ସମସ୍ତ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜରେ ଶିକ୍ଷା ଓ ପରବର୍ତ୍ତୀ ବ୍ୟବସ୍ଥା ବିପର୍ଯ୍ୟୟ ଆଡକୁ ଗତି କରୁଛି।ସେଥିଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜରେ ପିଜି ସିଟ ବୃଦ୍ଧି ପାଇଲେ ଏହି ସମସ୍ୟା ଦୂର ହେବ ବୋଲି କୁହାଯାଇଛି।ସେଭଳି ସରକାରୀ ଭାବେ ଥିବା ପୁରାତନ ଭୁବନେଶ୍ୱର ଡାକ୍ତର ଅଭିର୍ଣ୍ଣ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ, ରାଉଲକେଲା ଉତ୍କଳମଣୀ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ, ସମ୍ବଲପୁର ଓଡିଶା ମେଡିକାଲ କଲେଜ ଅଫ ହୋମିଓପ୍ୟାଥିକ ଆଣ୍ଡ ରିସର୍ଚ୍ଚ ଓ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ରେ ଶିକ୍ଷା ବ୍ୟବସ୍ଥା କହିଲେ ନ ସରେ।

ସମସ୍ତ କଲେଜରେ ରେ ଆବଶ୍ୟକ ଭିତ୍ତିଭୂମି ଓ ମାନଵ ସମ୍ବଳ ଅଭାବରୁ ପ୍ରତ୍ୟେକ କଲେଜରେ ମାତ୍ର ୩୦ ଟି ବ୍ୟାଚଳର ଅଫ ହୋମିଓପ୍ୟାଥିକ ମେଡ଼ିସିନ ଆଣ୍ଡ ସର୍ଜରୀ ବା ବି .ଏଚ .ଏମ. ଏସ ସ୍ନାତକ ଡିଗ୍ରୀ ସିଟ ରେ ଚଳିତ ବର୍ଷ ଆଡ଼ମିସନ ହେବ, କେବଳ ଭୁବନେଶ୍ୱର ଅଭିର୍ଣ୍ଣ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ୬୦ଟି ସ୍ନାତକ ଏବଂ ପୂର୍ବରୁ ଥିବା୧୨ଗୋଟି ପିଜି ସିଟ କମି ଏବେ ଚାରୋଟି ପିଜି ସିଟ ଥିବା ବେଳେ ଆଉ ତିନୋଟି କଲେଜରେ ହୋମିଓପ୍ୟାଥିକ ରେ ସ୍ନାତକୋତ୍ତର ଡିଗ୍ରୀ ପଢିବା ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସୁଯୋଗ ସୃଷ୍ଟି କରିନାହାନ୍ତି।

ସେହି ଭଳି ବେସରକାରୀ ଭାବେ ଗଢ଼ି ଉଠିଥିବା ବାରିପଦା ମୟୁରଭଞ୍ଜ ହୋମିଓପ୍ୟାଥିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ କଟକ ମେଡିକାଲ କଲେଜ ଓ ହୋମିଓପ୍ୟାଥି ଏବେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି।

ରାଜ୍ୟରେ ଆୟୁଷ ଶିକ୍ଷା ଲାଭ କରିବାକୁ ଯାଉଥିବା ଛାତ୍ର ଛାତ୍ରୀ ନିଟ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ରାର୍ଙ୍କକାର୍ଡ ପାଇ ଓ ଓଡ଼ିଶାର ଜେଇ ମାଧ୍ୟମରେ ଚୟନ ପକ୍ରିୟା ଦେଇ ଶେଷରେ ଓଡିଶାରେ ବିଭିନ୍ନ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ କଲେଜରେ ପଢିବା ପାଇଁ କୃତ କାଯ୍ୟ ହୋଇପାରିବେ।ଏହି ଚୟନ ପକ୍ରିୟା ମାଧ୍ୟମରେ କେନ୍ଦ୍ର କୋଟା ବା ଏନ. ଆର. ଆଇ କୋଟା ଶତକଡା୧୫ପ୍ରତିଶତ ଥିବା ବେଳେ ଓ ରାଜ୍ୟର ବା ଷ୍ଟେଟ ର ଶତକଡ଼ା୮୫ପ୍ରତିଶତ ରିଜର୍ଭ ରହିଛି।

ରାଜ୍ୟରେ ଦୀର୍ଘ ଦିନ ଧରି ଆୟୁଷ ଶିକ୍ଷା ବ୍ୟବସ୍ଥା ଓ ଆୟୁଷ ନିଯୁକ୍ତି ପ୍ରତି ରାଜ୍ୟ ସରକାର ଉପେକ୍ଷିତ କରିଛନ୍ତି ବୋଲି ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।ବାରମ୍ବାର ଦାବୀ ପରେ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି,ତୁରନ୍ତ ରାଜ୍ୟ ସରକାର ଆୟୁଷ ଶିକ୍ଷା ଓ ନିଯୁକ୍ତି ପାଇଁ ଗୁରୁତ୍ୱ ଦେଇ ନୂତନ ସୁଯୋଗ ସୃଷ୍ଟି କରିବା କୁ ଦାବୀ ହୋଇଛି।

ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟର ସମସ୍ତ ଏଲୋପାଥୀ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୫୦ ପ୍ରତିଶତ ବୃଦ୍ଧି କରିଥିବା ବେଳେ ଆୟୁଷ ସର୍ଜନଙ୍କ ପକ୍ଷେ ଚୁପ ରହିଛନ୍ତି। ଏଲୋପାଥୀ ହାଉସ ସର୍ଜନ୨୮ ହଜାର ପାଉଥିଲେ ଏବେ ସେମାନଙ୍କ ଷ୍ଟାଇପେଣ୍ଡ ୪୨ ହଜାର କରାଯାଇଛି।

ଗତ୨୫ ତାରିଖ ଠାରୁ ଏସବୁ ଦାବୀ ନେଇ ରାଜ୍ୟର ଚାରୋଟି ସରକାରୀ ହୋମିଓପ୍ୟାଥିକ ଓ ତିନୋଟି ଆୟୁର୍ବେଦିକ ମହାବିଦ୍ୟାଳୟ ର ସମସ୍ତ ହାଉସ ସର୍ଜନ, ଛାତ୍ର ଛାତ୍ରୀ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ କୁ ଚାଲୁ ରଖିଥିବା ବେଳେ ଆସନ୍ତା ୩୧ ଗୁରୁବାରଠାରୁ ରାଜ୍ୟର ସମସ୍ତ ଆୟୁର୍ବେଦ ଓ ହୋମିଓପ୍ୟାଥିକ କଲେଜର ସମସ୍ତ ଛାତ୍ରଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରେଣୀ ବର୍ଜନ କରିକୁ ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଙ୍ଗଠନ ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିଯୁକ୍ତି ଦାବୀ କରି ଆୟୁଷ ଛାତ୍ରଛାତ୍ରୀଙ୍କ କଳାବ୍ୟାଚ ପିନ୍ଧି ଧାରଣା, ପାଠପଢା ବନ୍ଦ ଧମକ

ଭୁବନେଶ୍ବର: ନିଯୁକ୍ତି ଦାବୀ କରି ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଧାରଣରେ ବସିଛନ୍ତି। ରାଜ୍ୟରୁ ବିଭିନ୍ନ କଲେଜରୁ ପ୍ରତିବର୍ଷ ଶହଶହ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନୂଆ ପଦବୀ ସୃଷ୍ଟି କରୁ ନାହାଁନ୍ତି।

ଫଳରେ ପାଠପଢା ସାରି ରାଜ୍ୟର ଶହଶହ ଆୟୁଷ ଡାକ୍ତର ବେକାର ହୋଇ ବସୁଛନ୍ତି। ରାଜ୍ୟ ସରକାର ତୁରନ୍ତ ନୂତନ ପଦବୀ ସୃଷ୍ଟି କରି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବା ଦାବୀରେ ଗତକାଲିଠାରୁ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି।

କେବଳ ନିଯୁକ୍ତି ନୁହେଁ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଫଳରେ ଛାତ୍ରଛାତ୍ରୀମାନେ ପିଜି କରିବା ପାଇଁ ଚାହିଁଲେ କୌଣସି ସୁଯୋଗ ପାଇପାରୁ ନାହାନ୍ତି। ଏ ନେଇ ସେମାନେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।

ଗୋଟିଏ ପଟେ ସରକାର ଏଲୋପ୍ୟାଥୀ ଡାକ୍ତର ପଦବୀ ସୃଷ୍ଟି କରି ନିଯୁକ୍ତି ଦେଉଛନ୍ତି। ହେଲେ ଅନ୍ୟପଟେ ଆଯୁଷ କ୍ଷେତ୍ରରେ ତାହା ଲାଗୁ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ପାଠପଢା ବନ୍ଦ କରିଦିଆଯିବ ବୋଲି ଛାତ୍ରଛାତ୍ରୀ ଧମକ ଦେଇଛନ୍ତି।