Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଯୋଡ଼ି ଶଙ୍ଖ ଓ ୬୦ ହଜାର ବ୍ୟବଧାନ ଆହ୍ୱାନ ଦେଲେ ପାଣ୍ଡିଆନ

ନୟାଗଡ଼ (ସୁଧାକର ମିଶ୍ର): ଓଡ଼ଗାଁଠାରେ ବିଜୁ ଜନତା ଦଳର ବିଶାଳ ପ୍ରଚାର ସଭାରେ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ ଯୋଗ ଦେଇ ୬୦ ହଜାର ବ୍ୟବଧାନ ପାଇଁ ଆହ୍ୱାନ ଦେଇଛନ୍ତି। ଯୋଡ଼ି ଶଙ୍ଖରେ ଭୋଟ ଦେଇ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ପ୍ରଚାର ସଭାରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଛନ୍ତି।

ନୟାଗଡ଼ ବିଧାୟକ ଡ. ସାହୁ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ମିଶନ ଶକ୍ତିକୁ ବନ୍ଦ କରିବାକୁ ବିରୋଧି ଚକ୍ରାନ୍ତ ଚଳାଇଥିବା କହିଛନ୍ତି। ବିଏସକେୱାଇ ଯୋଜନାକୁ ମଧ୍ୟ ବନ୍ଦ କରିବାକୁ ବିରୋଧି ଷଡ଼ଯନ୍ତ୍ର ଚଳାଇଛନ୍ତି। ଓଡ଼ଗାଁ ବାସୀ ଏହାକୁ ବିଚାର କରିବାକୁ ବିଧାୟକ ଡ. ସାହୁ ନିବେଦନ କରିଛନ୍ତି। ଏହା ସହିତ ମୁଁ ଏ ମାଟିର ଶ୍ରେଷ୍ଠ ମୁଲିଆ ବୋଲି କହିଛନ୍ତି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସେବାକୁ ଗୁରୁତ୍ୱ ଦେଇ ଆସିଥିବା ଏବଂ ଆଗାମୀ ଦିନରେ ସେବା ପାଇଁ ସୁଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି। ଷ୍ଟାର ପ୍ରଚାରକ ଶ୍ରୀଯୁକ୍ତ ପାଣ୍ଡିଆନ୍ ନୟାଗଡ଼ ବିକାଶର ଚିଠା ଖୋଲିବା ସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରିବାକୁ ଆପଣଙ୍କୁ ସୁଯୋଗ ମିଳିଛି। ଶଙ୍ଖ ଚିହ୍ନରେ ଭୋଟ ଦେଇ ଆର୍ଶିବାଦ କରନ୍ତୁ ବୋଲି କହିଛନ୍ତି। ୨୦୧୪ରେ ଗୋଟିଏ ରାଜନୈତିକ ଦଳ ୨ କୋଟି ଚାକିରୀ ଦେବାକୁ କହିଥିଲେ। କେତେ ଚାକିରୀ ଦେଇଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ପ୍ରେଟୋଲ ଓ ଡିଜେଲ ଦର କମ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି। ଧାନ ଏମଏସପି ମୁଲ୍ୟ ଦୁଇ ଗୁଣା କରିବାକୁ କହିଥିଲେ। ୧୦ ବର୍ଷ କ୍ଷମତାରେ ରହି ଏମଏସପି ବୃଦ୍ଧି କରି ପାରିଲେ ନାହିଁ, ଏବେ ନିର୍ବାଚନ ସମୟରେ ମୋନିଫେଷ୍ଟରେ ଧାନ କ୍ୱିଣ୍ଟାଲ ମୁଲ୍ୟ ୩ ହଜାର କରିବାକୁ କହିଛନ୍ତି।

ଏହା ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ପାଣ୍ଡିଆନ୍ ଆହ୍ୱାନ ଦେଇଥିଲେ। ଏହି ପ୍ରଚାର ସଭାରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ। ବିଜୁ ଜନତା ଦଳ ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀ, ଦିବାକର ନାୟକ, ବିଭୂପ୍ରସାଦ ସାହୁଙ୍କ ସମେତ ଓଡ଼ଗାଁ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ଉପସ୍ଥିତ ରହିଥିଲେ। ଏହି ପ୍ରଚାର ସଭାରେ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାକୁ ‘ସ୍କିଲ୍‌ କ୍ୟାପିଟାଲ’ରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ: କାର୍ତ୍ତିକ ପାଣ୍ଡିଆନ୍‌

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଥିବା ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ୨୦୨୩-୨୪ ବର୍ଷ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଅପରାହ୍ଣରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ‘୫-ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍‌ ଯୋଗଦେଇ ‘ଓଡ଼ିଶା ସ୍କିଲ୍ସ’ର ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ସହିତ କଥା ହେବା ସହ ବିଭିନ୍ନ ଦକ୍ଷତା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ।

‘‘ସ୍କିଲ୍ଡ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମକୁ ବିଶ୍ୱସ୍ତରୀୟ କରିବା ସହିତ ଆଗାମୀ ଦିନରେ ଓଡ଼ିଶାକୁ ‘ସ୍କିଲ୍‌ କ୍ୟାପିଟାଲ’ରେ ପରିଣତ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ। ଏହାକୁ ପୂରଣ କରିବା ଦିଗରେ ରାଜ୍ୟର ଦକ୍ଷତା ବିକାଶ ଛାତ୍ରଛାତ୍ରୀମାନେ ‘ଆମ୍ବାସଡର’ ଭୂମିକା ଗ୍ରହଣ କରିବେ। ସେମାନେ ଦେଶ ବିଦେଶରେ କାମ କରି ଓଡ଼ିଶା ପାଇଁ ସୁନାମ ଆଣିବେ’’, କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର କେତେକ ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ବିକାଶ ଯାତ୍ରାର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ। ବିଶେଷକରି ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର କିଭଳି ସେମାନଙ୍କ ସ୍ୱପ୍ନ ଓ ଜୀବନକୁ ଏକ ନୂଆ ରୂପ ଦେଇଛି ସେ ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଏସଡିଏ ଅଧ୍ୟକ୍ଷା ଅଳକା ମିଶ୍ର, ବିଭାଗୀୟ ସଚିବ ଊଷା ପାଢ଼ୀ, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଆର୍‌ ଭିନିଲକ୍ରିଷ୍ଣା, ଓଏସଡିଏ ସିଇଓ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହା ପରେ ପରେ ସନ୍ଧ୍ୟାରେ ଆୟୋଜିତ ଏକ ବିସ୍ତୃତ କାର୍ଯ୍ୟକ୍ରମରେ ଓଏସଡିଏ ଅଧ୍ୟକ୍ଷା ଶ୍ରୀମତୀ ଅଳକା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ଓଡ଼ିଶା ସ୍କିଲ୍ସ’ର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସର ଉତ୍ସବମୁଖର ହୋଇ ଉଠିଥିଲା।

‘ଓଡ଼ିଶା ସ୍କିଲ୍ସ’ରେ ୪୫ଟି ଦକ୍ଷତାକୁ ନେଇ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପଦକ ଓ ସାର୍ଟିଫିକେଟ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୫୧ ଜଣଙ୍କୁ ସ୍ୱର୍ଣ୍ଣ, ୪୪ ଜଣଙ୍କୁ ରୌପ୍ୟ ଏବଂ ୪୭ ଜଣଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା।

‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍‌ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୮୦୦ରୁ ଅଧିକ ଛାତ୍ରଛାତ୍ରୀ ୬ଟି କ୍ଷେତ୍ରରେ ହୋଇଥିବା ୪୫ଟି ଦକ୍ଷତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ। ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ପରଖିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସ୍ୱତନ୍ତ୍ର ବିଚାରକମାନେ ନିୟୋଜିତ ହୋଇଥିଲେ। ଏହା ସହିତ ‘ଇଣ୍ଡିଆ ସ୍କିଲ୍ସ’ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଉପସ୍ଥିତ ରହି ପ୍ରତିଯୋଗିତାର ଗୁଣାତ୍ମକ ଦିଗକୁ ସୁନିଶ୍ଚିତ କରିଥିଲେ।

‘ଓଡ଼ିଶା ସ୍କିଲ୍ସ’ରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନେ ଆସନ୍ତା ଏପ୍ରିଲରେ ଜାତୀୟ ସ୍ତରରେ ହେବାକୁ ଥିବା ‘ଇଣ୍ଡିଆ ସ୍କିଲ୍ସ’ ଏବଂ ସେଠାରୁ ଉତ୍ତୀର୍ଣ୍ଣ ହୋଇ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ।

ପୁରସ୍କାର ପ୍ରଦାନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଥାମ୍ବିରାଜ ଟି ଓ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ତଥା ଦକ୍ଷତା ବିକାଶ କ୍ଷେତ୍ରର ଅଧିକାରୀ ଓ ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ। ‘ଓଡ଼ିଶା ସ୍କିଲ୍ସ’ ଚଳିତ ସଂସ୍କରଣ ଉପରେ ପ୍ରସ୍ତୁତ ଏକ ଭିଡିଓ ସେଠାରେ ପ୍ରଦର୍ଶନ କରାଯାଇଥିଲା।